ପଞ୍ଚସ୍ତରି ବର୍ଷର ପତାକା

ଆଉ ସପ୍ତାହକ ପରେ ଆମ ଦେଶ ସ୍ବାଧୀନତାର ଆୟୁଷକୁ ପୂରିବ ପଞ୍ଚସ୍ତରି ବର୍ଷ। ଶହ ଶହ ବର୍ଷ ଧରି ଯେଉଁ ଦେଶର ଆକାଶରେ ଭିନ୍ନ ଭିନ୍ନ ରଙ୍ଗର ପତାକା ଫରଫର ଉଡ଼ି ନିଜ ନିଜର ପରାକ୍ରମ ପ୍ରକାଶ କରୁଥିଲେ ସେ ଦେଶର ଇତିହାସରେ ତ୍ରିରଙ୍ଗା ପତାକାର ବୟସ ପଞ୍ଚସ୍ତରି ବର୍ଷ ହେବା କମ୍‌ ଗୌରବର ବିଷୟ ନୁହେଁ। ଏହି ଅମୃତ ମହୋତ୍ସବର ଅନବଦ୍ୟ ଆବେଦନରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଅଭିନବ ଆହ୍ବାନ ‘ହର୍‌ ଘର୍‌ ତ୍ରିରଙ୍ଗା’ ସବୁ ଦେଶପ୍ରେମୀ ଭାରତୀୟଙ୍କ ପ୍ରାଣରେ ପୁଲକ ସୃଷ୍ଟି କଲାଣି। ଆସ୍ତେ ଆସ୍ତେ ଜନଗଣଙ୍କ ବିସ୍ମୃତିରେ ହଜିଯାଉଥିବା ତ୍ରିରଙ୍ଗାର ରୂପକାର ପିଙ୍ଗଲି ଭେଙ୍କୟା ପୁଣି ଜାଗି ଉଠିଲେଣି କୃତଜ୍ଞ ରାଷ୍ଟ୍ରର ଚେତନାରେ। କୁହାଯାଏ ସଂସାରର ସବୁ ପ୍ରେମ ମଧ୍ୟରେ ବିଭୁପ୍ରେମ ଓ ଦେଶପ୍ରେମର ଆବେଦନ ସବୁଠୁ ଉତ୍କଟ। ସୁତରାଂ, ସ୍ବାଧୀନତାର ଏହି ଅମୃତ ମହୋତ୍ସବ ଅବସରରେ କେହି ଭାରତୀୟଙ୍କ ମନ ଯଦି ଜାତୀୟତାର ମୁଗ୍‌ଧ ଅନୁଭବରେ ପୁଲକିତ ହୋଇ ନ ଉଠିଲା, ତେବେ ବୁଝିବାକୁ ହେବ ଯେ ଦେଶପ୍ରେମର ଅମୃତ ଆସ୍ବାଦନରୁ ବଞ୍ଚତ୍ତ ସେ ଜଣେ ଅଭିଶପ୍ତ ନାଗରିକ!
ପ୍ରତିବର୍ଷ ସ୍ବାଧୀନତା ଦିବସ ପାଳନ ଅବସରରେ ସେମାନଙ୍କର ଗୁଣ କୀର୍ତ୍ତନ କରାଯାଏ, ଯେଉଁମାନେ ଅବଶିଷ୍ଟ ଭାରତୀୟମାନଙ୍କୁ ସ୍ବାଧୀନତାର ଅମୃତ ଚଖାଇବା ପାଇଁ ନିଜେ ନୀଳକଣ୍ଠ ସାଜି ସବୁଯାକ ବିଷ ପିଇଥିଲେ। ନିଜ ପତ୍ନୀଙ୍କ ସୀମନ୍ତରୁ ସିନ୍ଦୂର ପୋଛି, ନିଜ ଶିଶୁ ସନ୍ତାନକୁ ଅନାଥ କରି ଅବା ନିଜ ମା’ବାପାଙ୍କ କୋଳ ଉଜାଡ଼ି ଅକାଳରେ ଚାଲିଯାଇଥିଲେ ଆରପୁରକୁ। ଆସାମର ଏଗାରବର୍ଷର ବାଳିକା କନକଲତା ବଡ଼ୁଆ ବା ମଧ୍ୟପ୍ରଦେଶର ବାରବର୍ଷୀୟ ବାଳକ ଗୁଲାବ ସିଂହ। ଭଲ କରି ଫୁଟିବା ଆଗରୁ ଏଭଳି କିଛି ଛୋଟ ଛୋଟ କଢ଼ି ଭାରତ ଆକାଶରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ବ୍ରିଟିଶ ବନ୍ଧୁକ ଆଗରେ ଛାତି ପତାଇ ଅକାଳରେ ଝଡ଼ି ପଡ଼ିଥିଲେ। ବଙ୍ଗଳାର ତେସ୍ତରି ବର୍ଷୀୟା ବୁଢ଼ୀ ମାତଙ୍ଗିନୀ ହାଜରା। ଆଉ କେଇଦିନ ଯାଇଥିଲେ ବୁଢ଼ୀ ଆପଣା ଛାଏଁ ଶ୍ମଶାନକୁ ଯାଇଥାନ୍ତେ। ମାତ୍ର କି ଗରଜ ଥିଲା ତାଙ୍କର, ଥରିଲା ହାତରେ ତ୍ରିରଙ୍ଗାକୁ ଧରି ପରମ ବିକ୍ରମରେ ଆଗେଇ ଯାଉ ଯାଉ ଗୁଳି ମାଡ଼ରେ ଟଳି ପଡ଼ିଲେ। ବିହାରର ଉମାକାନ୍ତ ସିଂହ ବା ଓଡ଼ିଶାର ବାଜି ରାଉତ ଓ ହରିବନ୍ଧୁ ପଣ୍ଡା। ଦେଶକୁ ପରାଧୀନତାର ଫାଶରୁ ମୁକୁଳାଇବା ପାଇଁ ସଭିଏଁ ନିଜର ପ୍ରାଣବଳି ଦେଇଥିଲେ। ପରମ ଆନନ୍ଦରେ ଗଛର ଫଳ ଖାଉଥିବା ଲୋକେ କାହୁଁ ବା ବୁଝନ୍ତେ ଗଛ ଲଗାଇଥିବା ଲୋକଙ୍କ ତ୍ୟାଗ ଓ ତପସ୍ୟାର ମୂଲ୍ୟ। ଦେଶର ସ୍ବାଧୀନତା ଉପଭୋଗ କରୁଥିବା ଉତ୍ତରଦାୟାଦମାନେ କେବେ କ’ଣ ହୃଦୟଙ୍ଗମ କରୁଥିବେ ଏହି ସ୍ବାଧୀନତା ଆଣିଥିବା ସେମାନଙ୍କ ପୂର୍ବପୁରୁଷମାନଙ୍କ ଉଜୁଡ଼ା ଜୀବନର କରୁଣ କାହାଣୀ। ନବ୍ୟ ଆଧୁନିକତାର ଆକର୍ଷଣରେ ମୋବାଇଲର ଗୁଗ୍‌ଲ ପୃଷ୍ଠା ଭିତରେ ଜଗତର ଯାବତୀୟ ଜ୍ଞାନ ଆହରଣ କରୁଥିବା ଆମ ଯୁବପିଢ଼ିଙ୍କ ପାଇଁ ତ୍ରିରଙ୍ଗା ଏକ ସାଧାରଣଜ୍ଞାନ ହୋଇ ରହିଛି ସିନା, ହୃଦୟର ଅନୁଭବ ହୋଇ ନାହିଁ, ହୋଇପାରି ନାହିଁ!
ଦେଶ ପ୍ରୀତିର ଏଇ ଅନୁଭବଶୂନ୍ୟତା ପାଇଁ ଯୁବାବର୍ଗଙ୍କୁ ସମ୍ପୂର୍ଣ୍ଣ ଦାୟୀ କରାଯାଇ ପାରିବ ନାହିଁ। ଅତ୍ୟାଚାରୀ ଫିରିଙ୍ଗି ଶାସକମାନଙ୍କ ହାତରୁ ନିଜ ମାତୃଭୂମିକୁ ମୁକୁଳାଇବା ପାଇଁ ଯେଉଁ ପୂର୍ବପୁରୁଷମାନେ ଅସହ୍ୟ ଦୁଃଖ ଯାତନା ଭୋଗ କରିଥିଲେ ବା ଅକାଳରେ ପ୍ରାଣବଳି ଦେଇଥିଲେ, ସେମାନଙ୍କ ସଂଗ୍ରାମ ସାଧନା ଦେଖିବାକୁ ଏମାନଙ୍କର ଜନ୍ମ କାହିଁ! ମାତ୍ର ଯେଉଁମାନେ ସ୍ବାଧୀନ ଭାରତର ଶାସନ ଡୋରି ନିଜ ହାତକୁ ନେଇ ଦେଶ ଓ ରାଜ୍ୟର ଭାଗ୍ୟ ବିଧାତା ବୋଲାଉଛନ୍ତି, ସେମାନଙ୍କ ଚିତ୍ର ଓ ଚରିତ୍ର ଅବଲୋକନ କଲା ପରେ ସାମ୍ପ୍ରତିକ ରାଜନୀତିର କଳୁଷ କାଳିମା ଯୁବଚେତନାକୁ ଗଭୀର ଭାବେ ପ୍ରଭାବିତ କରୁଛି ଓ ସ୍ବତଃ ବଦଳିଯାଉଛି ଦେଶପ୍ରେମର ପରିଭାଷା। ବାସ, କେବଳ ପାକିସ୍ତାନ ସହ ଭାରତର କ୍ରିକେଟ ମ୍ୟାଚ୍‌ ବେଳେ ଅବା କୌଣସି ଦେଶାତ୍ମବୋଧକ ସିନେମା ଦେଖୁଥିବା ଅବସରରେ ଦେଶପ୍ରେମର ଏକ ଉଦ୍‌ବେଳିତ ତରଙ୍ଗଟିଏ ସେମାନଙ୍କ ଯୁବପ୍ରାଣକୁ ଉଚ୍ଛନ୍ନ କରିପକାଏ ଏକ ବିଚିତ୍ର ତଥା ଅବର୍ଣ୍ଣନୀୟ ମୁଗ୍‌ଧ ଅନୁଭବରେ। ଦେଶ ପାଇଁ ଯୁବବର୍ଗଙ୍କ ନିଷ୍ପ୍ରାଣ ପ୍ରତିବେଦନ ପାଇଁ କେବଳ ଯେ ଦେଶର କର୍ଣ୍ଣଧାର ସାଜିଥିବା ଅସାଧୁ ନେତାମାନଙ୍କ ସ୍ଖଳିତ ଚରିତ୍ର ଦାୟୀ, ତାହା ନୁହେଁ, ବରଂ ଅଧିକ ଭାବେ ଦାୟୀ ସେମାନଙ୍କ ମଧ୍ୟରେ ଏଭଳି ଭାବ ଉଦ୍ରେକ କରିବାରେ ବରିଷ୍ଠମାନଙ୍କ ଅଯୋଗ୍ୟତା ଓ ଭୟଙ୍କର ଉଦାସୀନତା।
ସ୍ବାଧୀନତାର ପଞ୍ଚସ୍ତରି ବର୍ଷ ଉପଲକ୍ଷେ ପାଳିତ ହେଉଥିବା ‘ଅମୃତ ମହୋତ୍ସବ’ ଅବସରରେ ଶହେ ଛୁଇଁବାକୁ ଯାଉଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପଚରା ଯାଇଥିବା ଏକ ମୌଳିକ ପ୍ରଶ୍ନ- ”ସେବେକାର ଭାରତ ଓ ଏବେକାର ଭାରତ ମଧ୍ୟରେ ସେ କେଉଁ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟଟି ଲକ୍ଷ୍ୟ କରୁଛନ୍ତି?“ ଉତ୍ତର ଥିଲା ବେଶ୍‌ ପ୍ରଣିଧାନଯୋଗ୍ୟ ”ସେତେବେଳେ ଯେତେ ନିର୍ଯାତିତ ହେଲେ ବି ଶାସକବର୍ଗଙ୍କୁ ପ୍ରଶ୍ନ କରିବା ଥିଲା ଏକ ଧୃଷ୍ଟତା, ଏକ ଅକ୍ଷମଣୀୟ ଅପରାଧ। ମାତ୍ର ଏବେ ପାନରୁ ଚୂନ ଖସିଗଲେ ବି ପ୍ରଶ୍ନ କରିବାର ଅଧିକାର ଉପଲବ୍ଧ।“ ସେଇ ପରିଣତ ବୃଦ୍ଧଙ୍କ ଉପଲବ୍ଧିର ପ୍ରମାଣ ମିଳିଥିଲା ଅଳ୍ପ କେଇଦିନ ତଳେ, ଯେତେବେଳେ ଉତ୍ତରପ୍ରଦେଶର କନୌଜ ସହରରେ ନିଜ ମା’ବାପାଙ୍କ ସହ ରହୁଥିବା ଛଅବର୍ଷର ଟିକି ଝିଅ କ୍ରିତି ଦୁବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ପେନ୍‌ସିଲ ଓ ରବର ଭଳି ସ୍କୁଲ ସାମଗ୍ରୀର ଦରବୃଦ୍ଧି ନେଇ କୈଫିୟତ ମାଗୁଥିବାର ଖବର ପ୍ରକାଶ ପାଇଥିଲା।
ଏବେକାର କେବଳ ସେଇ ଅବୋଧ ଶିଶୁଟିର ପ୍ରଶ୍ନ ନୁହେଁ, ଏହାର ପଚିଶବର୍ଷ ପୂର୍ବରୁ ଦେଶ ଯେବେ ଆମ ପତାକାର ପଚାଶ ବର୍ଷ ପୂର୍ତ୍ତି ‘ସ୍ବର୍ଣ୍ଣ ଜୟନ୍ତୀ ସମାରୋହ’ ପାଳନ କରୁଥିଲା, ସେତେବେଳେ ସୀମା ସୁରକ୍ଷା ବାହିନୀର ଜଣେ ସୈନିକଙ୍କ ସ୍ତ୍ରୀ ତତ୍କାଳୀନ ଶାସକବର୍ଗଙ୍କୁ ପଚାରିଥିବା ପ୍ରଶ୍ନଟା ବେଶ୍‌ ଚହଳ ସୃଷ୍ଟି କରିଥିଲା। ଶ୍ରୀମତୀ ଡିମ୍ପଲ ନାମ୍ନୀ ଆଗ୍ରା ସହରରେ ବାସ କରୁଥିବା ସେଇ ମହିଳା ଜଣକ ପନ୍ଦରବର୍ଷ ଧରି ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ନିଜ ସ୍ବାମୀଙ୍କ କର୍ତ୍ତବ୍ୟନିଷ୍ଠା ଓ ଦେଶ ପାଇଁ ସମର୍ପିତ ସାଧନାକୁ ଲକ୍ଷ୍ୟ କରିଆସୁଥିଲେ। ବର୍ଷ ବର୍ଷ ଧରି ନିଜ ପିଲା ପରିବାରଠୁଁ ଦୂରରେ ରହି କେତେବେଳେ ପାକିସ୍ତାନ ସୀମାନ୍ତରେ ଶୂନ୍ୟଡିଗ୍ରୀ ତାପମାତ୍ରା ତଳେ ତ ଅନ୍ୟବେଳେ ଆତଙ୍କଗ୍ରସ୍ତ କଶ୍ମୀରର ଉଗ୍ରବାଦ ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଦେଶର ରକ୍ଷା କରୁଥିବା ପତିଙ୍କ ନୀରବନିଷ୍ଠାକୁ ନେଇ ଗର୍ବ କରୁଥିଲା ବେଳେ ଲକ୍ଷ୍ୟ କରୁଥିଲେ ଶହ ଶହ କୋଟି ଟଙ୍କାର ସ୍କାମ୍‌ ସ୍କାଣ୍ଡାଲ ମଧ୍ୟରେ ଲୁଚକାଳି ଖେଳୁଥିବା ଭାରତର ତଥାକଥିତ ଭାଗ୍ୟବିଧାତାମାନଙ୍କୁ। ଗୋଟିଏ ପଟେ ସ୍ବାର୍ଥତ୍ୟାଗ ଓ କଠୋର କର୍ତ୍ତବ୍ୟନିଷ୍ଠାର ଆଦର୍ଶ ଓ ଅନ୍ୟପଟେ ଆମ ସ୍ବାର୍ଥ, ପ୍ରବଞ୍ଚନା ଓ ଭ୍ରଷ୍ଟାଚାରର ଅନୁଚିତ ଅଧିକାର ଭଳି ଦୁଇଟି ବିପରୀତମୁଖୀ ବାସ୍ତବତାକୁ ସାମ୍‌ନା କରୁଥିବା ଡିମ୍ପଲ ସେତେବେଳେ ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ ଭଳି ଏକ ସମ୍ଭ୍ରାନ୍ତ ଖବରକାଗଜର ସମ୍ପାଦକଙ୍କୁ ଲେଖିଥିଲେ ”ମହାଶୟ! ମୋତେ ଟିକେ ଦୟାକରି କହନ୍ତୁ, କାହା ପାଇଁ ମୋ ସ୍ବାମୀଙ୍କର ଏହି ସୀମାହୀନ ସ୍ବାର୍ଥତ୍ୟାଗ? କାହାର ସ୍ବାର୍ଥରକ୍ଷା ପାଇଁ ସେ ତାଙ୍କ ପତ୍ନୀ ଓ ପିଲା ଦୁହିଁଙ୍କୁ ପର କରି ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି? ଦେଶର, ଜାତୀୟ ପତାକାର ନା ଆଉ କାହାର?“
ଆଜି ଆମ ସ୍ବାଧୀନତାର ପଞ୍ଚସ୍ତରି ବର୍ଷ ପୂର୍ତ୍ତି ହୋଇଗଲା। ଏଇ ପଞ୍ଚସ୍ତରି ବର୍ଷ ମଧ୍ୟରେ ଆମ ପୂର୍ବଜଙ୍କ କଷ୍ଟଲବ୍ଧ ସ୍ବାଧୀନତା ଆମ ଜୀବନକୁ ମହିମାମଣ୍ଡିତ କରିଛି, ମାତ୍ର ତାହା ସହିତ ମନରେ ଭରିଦେଇଛି ମେଞ୍ଚାଏ ଅସମାହିତ ପ୍ରଶ୍ନ, ଯେଉଁ ପ୍ରଶ୍ନ କେତେବେଳେ ଶ୍ରୀମତୀ ଡିମ୍ପଲଙ୍କ କଣ୍ଠରେ ପ୍ରତିଧ୍ୱନିତ ହେଉଛି ତ ଅନ୍ୟବେଳେ ଛଅବର୍ଷର କୋମଳ କଳିକା କ୍ରିତି ଦୁବେଙ୍କ ସ୍ବରରେ। ଏଭଳି ପ୍ରଶ୍ନ ଯେତେ ଅଧିକ ବିସ୍ତାରିତ ହେବ, ସେତେ ବେଶି ଗୌରବାନ୍ବିତ ହେବ ଆମ ଗଣତନ୍ତ୍ର। ନେତା ଓ ଜନତାଙ୍କ ମଧ୍ୟରେ ଦୂରତା ସେତେ କମି କମି ଆସିବ। ମାତଙ୍ଗିନୀ ହାଜରା, ଗୁଲାବ ସିଂହ ବା ବାଜି ରାଉତମାନେ ଆରପୁରରେ ଥାଇ ବି କହୁଥିବେ ‘ମେରା ଭାରତ ମହାନ୍‌’!!

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?