ଦ୍ରାବିଡ଼ବାଦରୁ ବିଚ୍ଛିନ୍ନତାବାଦ

ଦେଶର ସାର୍ବଭୌମତ୍ୱକୁ ଜଣେ ନିର୍ବାଚିତ ସାଂସଦଙ୍କ ଅସ୍ବୀକାର ଏବଂ ବିଚ୍ଛିନ୍ନତାବାଦୀ ବିଷୋଦ୍‌ଗାର କେବଳ ଭାରତରେ ସମ୍ଭବ ହୋଇପାରେ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଜନ୍ମଦିନ ଅବସରରେ କୋଏମ୍ବାଟୁରର ଏକ ଜନସଭାରେ ଡିଏମ୍‌କେ ସାଂସଦ ଏ. ରାଜା ଭାରତକୁ ଏକ ଦେଶ ଭାବରେ ଗ୍ରହଣ କରିବାକୁ ମନା କରିବା ସହିତ ସନାତନ ଧର୍ମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ ଅନେକ ଭାଷା ଓ ସଂସ୍କୃତି ରହିଥିବାରୁ ଏହା ଏକ ଦେଶ ନୁହେଁ, ବରଂ ଏକ ଉପମହାଦେଶ। ତାମିଲନାଡ଼ୁରେ ଗୋଟିଏ ଭାଷା ଓ ସଂସ୍କୃତି ରହିଛି, ତେଣୁ ତାମିଲନାଡ଼ୁ ଏକ ସ୍ବତନ୍ତ୍ର ଦେଶ। ହିନ୍ଦୁଧର୍ମକୁ କଡ଼ା ସମାଲୋଚନା କରି ଏ. ରାଜା କହିଛନ୍ତି, ରାମ ଓ ହନୁମାନଙ୍କୁ ତାମିଲମାନେ ଗ୍ରହଣ କରନ୍ତି ନାହିଁ। ସେହି ଦଳର ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ ପୁତ୍ର ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ନିକଟ ଅତୀତରେ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ବାସ୍ତବରେ ଡିଏମ୍‌କେ ଦଳର ସଦସ୍ୟମାନଙ୍କ ବିଚ୍ଛିନ୍ନତାବାଦୀ, ସନାତନ ବିରୋଧୀ ଏବଂ ଉତ୍ତର ଭାରତ ବିରୋଧୀ ଆଭିମୁଖ୍ୟ ସଦ୍ୟଜାତ ନୁହଁ; ଜନ୍ମଜାତ।
ଦ୍ରାବିଡ଼ ମୁନେତ୍ରା କାଝାଗମ୍‌ (ଡିଏମ୍‌କେ) ଦଳ ସି.ଏନ୍‌. ଆନ୍ନାଦୁରାଇଙ୍କ ନେତୃତ୍ୱରେ ୧୭ ସେପ୍ଟେମ୍ବର ୧୯୪୯ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଇ.ଭି. ରାମାସ୍ବାମୀଙ୍କ ଦ୍ୱାରା ୧୯୪୪ରେ ପ୍ରତିଷ୍ଠିତ ‘ଦ୍ରାବିଡ଼ କାଝାଗମ୍‌’ର ରୂପାନ୍ତର ମାତ୍ର ଥିଲା। ଇ.ଭି. ରାମାସ୍ବାମୀ, ଯିଏ କି ‘ପେରିୟାର’ ନାମରେ ବିଖ୍ୟାତ ହୋଇଥିଲେ, ତାମିଲ ରାଷ୍ଟ୍ରବାଦକୁ ଗଣଆନ୍ଦୋଳନର ରୂପଦେବାରେ ସକ୍ଷମ ହୋଇଥିଲେ। ବାସ୍ତବରେ ପେରିୟାରଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ‘ଦ୍ରାବିଡ କାଝାଗମ୍‌’ ମଧ୍ୟ ଜଷ୍ଟିସ୍‌ ପାର୍ଟିରୁ ଜନ୍ମ ହୋଇଥିଲା। ‘ସାଉଥ୍‌ ଇଣ୍ଡିଆନ୍‌ ଲିବେରାଲ ଫେଡେରେଶନ୍‌’ ନାମକ ଏକ ସଙ୍ଗଠନ ୭ ଅକ୍ଟୋବର ୧୯୧୭ରେ ଡ.ଟି.ଏମ୍‌. ନାୟାରଙ୍କ ନେତୃତ୍ୱରେ ଜଷ୍ଟିସ୍‌ ପାର୍ଟି ଭାବରେ ବିକଶିତ ହୋଇଥିଲା। ତେଣୁ ‘ଜଷ୍ଟିସ୍‌ ପାର୍ଟି’ ହିଁ ଡିଏମ୍‌କେ ଦଳର ଆଦ୍ୟ ଜନନୀ ବୋଲି ଯଥାର୍ଥରେ କୁହାଯାଇପାରେ। ପ୍ରଥମେ କଂଗ୍ରେସ ଦଳରେ କାର୍ଯ୍ୟ କରୁଥିବା ପେରିୟାର ପରବର୍ତ୍ତୀ ସମୟରେ ଜଷ୍ଟିସ ପାର୍ଟିର ସବୁଠାରୁ ପ୍ରଭାବଶାଳୀ ନେତା ଭାବରେ ଆମତ୍ପ୍ରକାଶ କରିଥିଲେ। ୧୯୨୮ ମସିହାରେ ବ୍ରିଟିଶ ମନ୍ତ୍ରୀ ସାର ଷ୍ଟାଫୋର୍ଡ କ୍ରିପସ୍‌ଙ୍କ ନିକଟରେ ପେରିୟାର ଜଷ୍ଟିସ୍‌ ପାର୍ଟିର ସଭାପତି ଭାବରେ ସ୍ବତନ୍ତ୍ର ‘ଦ୍ରାବିଡ଼ ନାଡୁ’ ଦେଶ ପାଇଁ ଦାବି କରିଥିଲେ। ୧୯୪୦ରେ ପେରିୟାର ଓ ଆନ୍ନାଦୁରାଇ ବମ୍ବେରେ ଜିନ୍ନାଙ୍କୁ ଭେଟି ସ୍ବତନ୍ତ୍ର ‘ଦ୍ରାବିଡ଼ ନାଡୁ’ ପାଇଁ ସମର୍ଥନ ମାଗିଥିଲେ। ଲାହୋର ଅଧିବେଶନରେ ମୁସ୍‌ଲିମ୍‌ ଲିଗ୍‌ ସ୍ବତନ୍ତ୍ର ମୁସଲମାନ ଦେଶ ଦାବିକୁ ତୀବ୍ରତର କରିଥିଲା ଏବଂ ଜଷ୍ଟିସ୍‌ ପାର୍ଟି ମୁସଲିମ୍‌ ଲିଗ୍‌ ସହିତ ମିଳିତ ଭାବରେ, ‘ଦ୍ରାବିଡ ନାଡୁ’ ପାଇଁ ସମର୍ଥନ ଆଶାରେ ଜିନ୍ନାଙ୍କୁ ନିଃସର୍ତ୍ତ ସମର୍ଥନ କରିଥିଲା। ମାଡ୍ରାସ୍‌ରେ ଅନୁଷ୍ଠିତ ୧୯୪୧ ଏପ୍ରିଲ ମାସରେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ଲିଗ୍‌ର ୨୮ତମ ବାର୍ଷିକ ଅଧିବେଶନରେ ଜିନ୍ନା ‘ଦ୍ରାବିଡ଼ ସ୍ଥାନ’ ଦାବିକୁ ପୂର୍ଣ୍ଣ ସମର୍ଥନ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଡିଏମ୍‌କେ ଦଳର ଏହି ଭାରତ ବିରୋଧୀ ଏବଂ ସନାତନ ବିରୋଧୀ ଆଭିମୁଖ୍ୟ ପାଇଁ ହିଁ ତାଙ୍କୁ ବିପୁଳ ଜନସମର୍ଥନ ମିଳିଥାଏ।
ଅଧିକାଂଶ ତାମିଲଭାଷୀଙ୍କ ମନମସ୍ତିଷ୍କରେ ମାକ୍ସମୁଲାରଙ୍କ ମାନସ ପ୍ରସ୍ତୁତ ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତ ପିଢ଼ି ପରେ ପିଢ଼ି ବାସ କରି ରହିଛି। ଦ୍ରାବିଡ଼ମାନେ ଭାରତର ମୂଳନିବାସୀ। ଆର୍ଯ୍ୟମାନେ ବିଦେଶୀ ଆକ୍ରମଣକାରୀ; ସେମାନେ, କାଷ୍ପିଆନ୍‌ ସାଗର କୂଳ ଅଥବା ୟୁରୋପ ଅବା ଇରାନରୁ ଆସି ଭାରତକୁ ଦଖଲ କରିଛନ୍ତି। ତାମିଲନାଡୁର ଭାଷା, ସଂସ୍କୃତି, ପୂଜାପଦ୍ଧତି ସବୁ ଆର୍ଯ୍ୟମାନଙ୍କଠାରୁ ପ୍ରାଚୀନ। ତେଣୁ ବିଦେଶୀ ଆକ୍ରମଣକାରୀ ଆର୍ଯ୍ୟମାନଙ୍କ ଧର୍ମ, ଭାଷା ବହିଷ୍କାର ଦ୍ୱାରା ହିଁ ତାମିଲମାନଙ୍କ ମୁକ୍ତି। ଏହି ବିଚାର ଅଧିକାଂଶ ତାମିଲ ପଛୁଆବର୍ଗ ଓ ଦଳିତ ଜନସାଧାରଣଙ୍କ ଅସ୍ଥି ମଜ୍ଜାଗତ ହୋଇ ସାରିଛି।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ତାମିଲ ଜନମାନସକୁ ଆଚ୍ଛାଦିତ କରିଥିବା ଏହି ‘ଦ୍ରାବିଡ଼ବାଦ’ର ସତ୍ୟତା କେତେ? ତାମିଲ ଓ ତେଲୁଗୁ ଭାଷା ଆର୍ଯ୍ୟ ଭାଷାଠାରୁ ଅଲଗା ବୋଲି ସର୍ବପ୍ରଥମ ଦୁଇଜଣ ଇଂରେଜ ପ୍ରଶାସକ ଫ୍ରାସିସ୍‌ ହ୍ବାଇଟ୍‌ ଏଲିସ୍‌ ଓ ଆଲେକ୍‌ଜାଣ୍ଡାର ଡି. କ୍ୟାମ୍ପବେଲ୍‌ ଘୋଷଣା କଲେ। ଏହା ପରେ ଆଉ ଜଣେ ଇଂରେଜ ପ୍ରଶାସକ ‘ହାଉଟନ୍‌ ହାଁଜ୍‌ସନ୍‌’ ତାମିଲ ଭାଷାକୁ ଅନାର୍ଯ୍ୟ ଭାଷା ଭାବରେ ଉପସ୍ଥାପନ କଲେ। ମାତ୍ର ଏଙ୍ଗ୍‌ଲିକାନ୍‌ ଚର୍ଚ୍ଚର ଜଣେ ମିଶ୍‌ନାରୀ ବିଦ୍ୱାନ୍‌ ବିଶପ୍‌ ରୋବର୍ଟ କାଲ୍ଡୱେଲ୍‌ (୧୮୧୪-୯୧)ଙ୍କ ଦ୍ୱାରା ୧୮୫୬ରେ ଲିଖିତ ‘କମ୍ପାରେଟିଭ ଗ୍ରାମାର ଅଫ୍‌ ଦି ଦ୍ରାବିଡିୟନ୍‌ ରେସ୍‌’ ନାମକ ପୁସ୍ତକ ଦ୍ରାବିଡ଼ ଜାତିବାଦକୁ ସର୍ବାଧିକ ପ୍ରଭାବିତ କରିଥିଲା। ସେ ତାମିଲ ଭାଷାରୁ ସଂସ୍କୃତ ଶବ୍ଦଗୁଡ଼ିକୁ ସମ୍ପୂର୍ଣ୍ଣ ବାହାର କରିବା ପାଇଁ ଆହ୍ବାନ ଦେଲେ। କ୍ୟାମ୍ପବେଲ ଓ ଏଲିସ୍‌ ୧୮୧୬ରେ ପ୍ରକାଶିତ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗ୍ରାମାର ଅଫ୍‌ ଦ ତେଲୁଗୁ ଲାଙ୍ଗୁଏଜ୍‌’ ମାଧ୍ୟମରେ ପ୍ରଥମଥର ପାଇଁ ତେଲୁଗୁ ତାମିଲଭାଷୀଙ୍କ ପୂର୍ବଜଙ୍କ ସମ୍ପର୍କ ସଂସ୍କୃତ ଭାଷା ସହିତ ନ ଥିଲା ବୋଲି ଏକ ନୂତନ ସୂତ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ଏଲିସ୍‌ ଦାବି କଲେ ଯେ, ତାମିଲ ଭାଷା ହିବ୍ରୁ ଏବଂ ଆରବୀ ଭାଷା ସହିତ ଜଡ଼ିତ। ଏହା ପରେ ୧୮୪୦ରେ ସଂସ୍କୃତ ଭାଷାଠାରୁ ତାମିଲକୁ ଅଲଗା କରିବାକୁ ଆଉ ଏକ ପର୍ଯ୍ୟାୟ ଆସିଲା। ସ୍କୋଟିସ୍‌ ମିଶ୍‌ନାରୀ ସୋସାଇଟି ଦ୍ୱାରା ପ୍ରେରିତ ରେଭ୍‌ରେଣ୍ଡ ଜନ୍‌ ଷ୍ଟିଭେନ୍‌ସନ୍‌ (୧୭୯୮-୧୮୫୮) ଓ ବ୍ରାୟନ୍‌ ହାଉଟନ୍‌ ହାଁଜସନ୍‌ (୧୮୦୦-୯୪) ଆଜି ଯେଉଁ ଭାଷାଗୁଡିକୁ ଦ୍ରାବିଡ଼ ଓ ମୁଣ୍ଡା ଶ୍ରେଣୀରେ ରଖାଯାଇଛି, ସେହି ସବୁକୁ ଗୋଟିଏ ବର୍ଗରେ ସାମିଲ କରି ସେସବୁ ଭାଷା ସଂସ୍କୃତଠାରୁ ପ୍ରାଚୀନ ଏବଂ ସେମାନଙ୍କ ଭାଷା ସଭ୍ୟତା ଆର୍ଯ୍ୟ ଆସିବା ପୂର୍ବରୁ ସମ୍ପୂର୍ଣ୍ଣ ଭାରତରେ ବ୍ୟାପିଥିଲା ବୋଲି ପ୍ରଚାର କଲେ।
ୟୁରୋପୀୟ ଔପନିବେଶିକମାନଙ୍କ ଦ୍ୱାରା ପ୍ରତିପାଦିତ ସିଦ୍ଧାନ୍ତ କ’ଣ ବାସ୍ତବରେ ବିଜ୍ଞାନସମ୍ମତ ଏବଂ ପ୍ରାମାଣିକ ତଥ୍ୟ ସମ୍ବଳିତ? ବାସ୍ତବରେ କ’ଣ ଦ୍ରାବିଡ଼ ଏକ ସ୍ବତନ୍ତ୍ର ଜାତି; ଯାହାର ଭାଷା, ସଂସ୍କୃତି, ପୂଜା ପଦ୍ଧତି, ଇତିହାସ, ଜୀବନ ପଦ୍ଧତି, ଉତ୍ତରଭାରତ ଏବଂ ସନାତନ ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ? ଆଧୁନିକ ବୈଜ୍ଞାନିକ ଗବେଷଣା, ପ୍ରତ୍ନତାତ୍ତ୍ୱିକ ପ୍ରମାଣ, ପ୍ରାଚୀନ ତାମିଲ ସାହିତ୍ୟ କିନ୍ତୁ ୟୁରୋପୀୟଙ୍କ ସ୍ଥାପିତ ମତବାଦକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏହା କପୋଳକଳ୍ପିତ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ତଥ୍ୟ ପ୍ରଦାନ କରୁଛି। ସେପ୍ଟେମ୍ବର ୨୫, ୨୦୦୯ରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ହାଇଦ୍ରାବାଦସ୍ଥିତ ‘ସେଣ୍ଟର ଫର ସେଲ୍ୟୁଲାର ଏଣ୍ଡ ମୋଲିକ୍ୟୁଲାର ବାୟୋଲୋଜି’ ଏବଂ ଆମେରିକାର ‘ହାର୍ଭାର୍ଡ ମେଡିକାଲ ସ୍କୁଲ’ର ମିଳିତ ଗବେଷଣା ୟୁରୋପୀୟଙ୍କ ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତକୁ ମିଥ୍ୟା ପ୍ରମାଣିତ କରିଛି। ଏହି ଦୁଇଟି ବିଶ୍ୱସ୍ତରୀୟ ଗବେଷଣାର ନିଷ୍କର୍ଷରେ କୁହାଯାଇଥିଲା ଯେ, ଉତ୍ତର ଓ ଦକ୍ଷିଣ ଭାରତୀୟଙ୍କ ଡିଏନ୍‌ଏରେ କୌଣସି ପାର୍ଥକ୍ୟ ନାହିଁ। ପୁନଶ୍ଚ ୨୦୧୯ରେ ହରିୟାନାର ରାଖିଗଡ଼ିରେ ମିଳିଥିବା ପ୍ରାଚୀନ ମାନବ କଙ୍କାଳର ଗବେଷଣା ହାର୍ଭାର୍ଡ ମେଡିକାଲ ସ୍କୁଲ, ପୁନେର ଡେକାନ୍‌ କଲେଜ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ଏଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ବୀରବଲ୍‌ ସାହାଣି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ପାଲାକୋସାଇନ୍‌ସେସ୍‌ର ବୈଜ୍ଞାନିକମାନଙ୍କ ଦ୍ୱାରା ମିଳିତ ଭାବରେ କରାଯାଇଥିଲା। ଗବେଷଣାର ନେତୃତ୍ୱ ନେଇଥିବା ଡେଭିଡ୍‌ ରିଚ୍‌, ଭଗୀଶ ନରସିଂହନ୍‌, ନିରଜ ରାୟ ମିଳିତ ଭାବରେ ଆର୍ଯ୍ୟ ବୋଲି କୌଣସି ଜାତି କାଷ୍ପିଆନ୍‌ କୂଳ, ଇରାନ ଅଥବା ମଧ୍ୟ ଏସିଆର କୋଉଠୁ ଆସିଥିବା ବହୁ ପ୍ରଚାରିତ ସିଦ୍ଧାନ୍ତକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ୟୁରୋପୀୟଙ୍କ ମାନସ ପ୍ରସ୍ତୁତ ମିଥ୍ୟାତଥ୍ୟ ସମ୍ବଳିତ ସିଦ୍ଧାନ୍ତକୁ ଆଧାର କରି ତାମିଲନାଡୁରେ ସନାତନ ଧର୍ମ ବିରୋଧ କିମ୍ବା ବିଚ୍ଛିନ୍ନତାବାଦର ସ୍ବର ଶୁଭିବା ଅପରିଣାମଦର୍ଶୀ।

  • ଦୀପକ କୁମାର ମହାନ୍ତ
    ବାରୁଣା, କଳିଙ୍ଗା, କେନ୍ଦୁଝର
    ମୋ: ୯୩୪୮୩୦୭୫୭୧

Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri