ବୟସ୍କମାନେ ଦେଶର ସମ୍ପଦ

୨୦୧୧ ଜନଗଣନା ଓ ୨୦୨୧ ଆକଳନ ଅନୁସାର ଭାରତ ଯୁବପିଢିର ଦେଶଭାବେ ବିବେଚିତ ହେଉଛି। କିନ୍ତୁ ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ପପୁଲେଶନ ଫଣ୍ଡ)ର ଏକ ସଦ୍ୟ ଆକଳନ ଅନୁଯାୟୀ ୨୦୫୦ ଭାରତ ଆଉ ଯୁବକ ଓ କିଶୋରଙ୍କ ଦେଶ ନ ହୋଇ ବୟସ୍କଙ୍କ ଦେଶ ଭାବେ ପରିଗଣିତ ହେବ। ବର୍ତ୍ତମାନ ଭାରତରେ ବୟସ୍କଙ୍କ ସଂଖ୍ୟା ୧୪କୋଟିରୁ ଅଧିକ(ପ୍ରାୟ ଏକ ଦଶମାଂଶ), ଯାହା ୨୦୫୦ ସୁଦ୍ଧା ୩୦ କୋଟି ଛୁଇଁବ, ସେତେବେଳର ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ ହୋଇଥିବ। ସେହି ସମୟକୁ କିଶୋର ଓ ପ୍ରୌଢ଼(୧୫ରୁ ୫୯ବର୍ଷ ବୟସ୍କ)ଙ୍କ ସଂଖ୍ୟା ସମପରିମାଣରେ ହ୍ରାସ ପାଇଥିବ। ସେତେବେଳର ଭାରତ ଆଉ ଯୁବବର୍ଗର ଦେଶ ନ ହୋଇ ବୟସ୍କଙ୍କ ଦେଶରେ ପରିଣତ ହୋଇଥିବ। ଏଜ୍‌.ୱେଲ୍‌ ଫାଉଣ୍ଡେଶନର ଜାତୀୟ ରିପୋର୍ଟ ଅନୁସାର ଦେଶରେ ବୟସ୍କଙ୍କ ଆୟ ଓ ବ୍ୟୟଧାରାରେ ପରିବର୍ତ୍ତନ ଆସିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୬୦.୫ ପ୍ରତିଶତ ବୃଦ୍ଧାବୃଦ୍ଧଙ୍କ ମାସିକ ପେନ୍‌ସନ ସେମାନଙ୍କ ଆୟର ମୂଳଉସତ୍। ଶତକଡା ୩୭ ବୃଦ୍ଧାବୃଦ୍ଧ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ। ପେନ୍‌ସନ ବ୍ୟତୀତ ୧୯.୫ ପ୍ରତିଶତ ଜମିରୁ ଆୟ, ଘରଭଡା ଓ ଆର୍ଥିକ ନିବେଶରୁ ସୁଧ ପାଉଛନ୍ତି। ୪୮.୦୫ ପ୍ରତିଶତ ବୟସ୍କଙ୍କ ନିକଟରେ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି। କିନ୍ତୁ ବୟସ୍କଙ୍କ ଆୟର ଏକ ସିଂହଭାଗ ଅର୍ଥାତ୍‌ ପ୍ରାୟ ଏକ ତୃତୀୟାଂଶ ଔଷଧ ଓ ଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ ହେଉଛି। ବୟସ୍କଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କର ଆଣ୍ଠୁଗଣ୍ଠି ରୋଗ ଓ ୮୦ ଭାଗଙ୍କର ମଧୁମେହ ରୋଗ ରହିଛି। ବୃଦ୍ଧଙ୍କ ମଧ୍ୟରେ ପ୍ରାୟ ଶତକଡା ୨୫ ବିପତ୍ନୀକ ଭାବେ ଦୟନୀୟ ଜୀବନ ଜିଉଁଥିବା ବେଳେ ୪୯ ପ୍ରତିଶତ ଜୀବନସାଥୀଙ୍କ ସହ ବାସ କରନ୍ତି। ୨୯.୫ ପ୍ରତିଶତ ବୃଦ୍ଧାବୃଦ୍ଧ ପିଲାମାନଙ୍କ ସହ ଏକତ୍ର ବାସ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୫ ଭାଗ ଘୋର ଅବହେଳିତ।
ସଭ୍ୟତା ଯେତେ ଆଗକୁ ବଢୁଛି ଆମ ମାନସିକତା ସେତେ ନିମ୍ନଗାମୀ ହେଉଛି। ନିଜଛଡା ଅନ୍ୟକଥା ଚିନ୍ତା କରିବାକୁ ଆମ ପାଖରେ ସମୟ ନାହିଁ। ଏପରି କି ନିଜ ମାତାପିତା ଘୋର ଅବହେଳିତ। ଅଭାବ ଅନଟନ ମଧ୍ୟରେ ରହି ମଧ୍ୟ ନିଜ ପିଲାଙ୍କର ପାଠପଢା କଥା ବୁଝି ଦୁନିଆ ଦାଣ୍ଡରେ ଉତ୍ତମ ମଣିଷଟିଏ କରି ଗଢି ତୋଳିବାରେ ମାତାପିତାଙ୍କର କଠିନ ସାଧନାର ପଟାନ୍ତର ନାହିଁ। ପିଲାମାନେ ଆଜି ନିଜ ଗୋଡରେ ଠିଆ ହୋଇଛନ୍ତି, ପ୍ରତିଷ୍ଠା ଅର୍ଜନ କରିଛନ୍ତି। କିନ୍ତୁ ଯେଉଁମାନଙ୍କ ଯୋଗୁ ସେମାନଙ୍କର ଆଜି ଏ ସମ୍ଭ୍ରାନ୍ତ ପରିଚିତ, ସେହି ମାତାପିତା ଚରମ ଅବହେଳିତ ହୋଇ ଦୁର୍ଦ୍ଦିନରେ କାଳକାଟି ଶେଷଦିନର ଅବଗଣନା କରୁଛନ୍ତି। ଯେଉଁମାନେ ବାଧ୍ୟତାବଶତଃ ନିଜ ପିଲାଙ୍କ ସହ ସହରରେ ରହୁଛନ୍ତି ସେମାନେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ନା ସେମାନଙ୍କର ଅଛି ମତାମତ ଦେବାର ଅଧିକାର ଅବା ନାତି ନାତୁଣୀଙ୍କ ସହ ହସକୌତୁକ କରିବାର ଅବସର। ଏପରି କି ଗାଉଁଲି ମଳିମୁଣ୍ଡିଆ ଭାବି ନାତୁଣୀନାତିଙ୍କୁ ତାଙ୍କଠାରୁ ଦୂରେଇ ରଖାଯାଉଛି। ତାଙ୍କୁ ସ୍ପର୍ଶ କରିବା ମଧ୍ୟ ମନା। ବସ୍ତୁତଃ ବୃଦ୍ଧାବୃଦ୍ଧମାନେ ଏକପ୍ରକାର ଅପାଂକ୍ତେୟ, ଅସ୍ପୃଶ୍ୟ, ଅନାଦୃତ ଓ ଅଲୋଡା।
ସହରରେ ରହୁଥିବା ବୃଦ୍ଧାବୃଦ୍ଧମାନେ ସହରୀ କଟକଣା, ଅସହ୍ୟ ବେଦନା ଓ ସର୍ବୋପରି ପ୍ରଦୂଷିତ ବାୟୁମଣ୍ଡଳରେ ନିଷ୍ପେଷିତ ହୋଇ ପଲ୍ଲୀର ଶାନ୍ତସ୍ନିଗ୍ଧ ପରିବେଶକୁ କେବଳ ଝୁରି ହେଉଛନ୍ତି। ପଲ୍ଲୀର ଉନ୍ମୁକ୍ତ ବାତାବରଣ, ସୁଶୀତଳ ତରୁଛାୟା, ସୁବିସ୍ତୀର୍ଣ୍ଣ ମନଲୋଭା ଗ୍ରାମ୍ୟ ତଟିନୀର ବାଲୁକାପୂର୍ଣ୍ଣ ବେଳାଭୂମି, ଆମ୍ବ, ନଡିଆ, ପଣସ ବୃକ୍ଷର ସମ୍ଭାର ସହ ଅପରୂପ ଶସ୍ୟକ୍ଷେତ୍ରର ଦୃଶ୍ୟ, ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବଙ୍କ ସ୍ନେହ ଆଦରର ସ୍ମୃତି ଆଜି ତାଙ୍କୁ ପ୍ରବାସରେ ବ୍ୟଥିତ କରୁଛି। ସହରରେ ଆତ୍ମଜଙ୍କ ସହ ରହି ବି ନାନା କଟକଣାକୁ ସହ୍ୟ କରିବାକୁ ହେଉଛି। ବସ୍ତୁତଃ ସେମାନେ ଏକ ଅଲୋଡା ଜୀବନକୁ ନେଇ ସଦସନ୍ତ୍ରସ୍ତ। ଏଠି ପ୍ରଶ୍ନ ଉଠେ ସତରେ କ’ଣ ବୃଦ୍ଧାବୃଦ୍ଧମାନେ ଅଲୋଡା? ଏ ସମ୍ବନ୍ଧରେ ଇଂଲିଶ ଲେଖକ ଜିନ୍‌ ଉରେଙ୍କ ଗଳ୍ପର ମର୍ମାଂଶ ବେଶ୍‌ ପ୍ରାସଙ୍ଗିକ ମନେହୁଏ। ଏକଦା ରୋମାନିଆର ଏକ ପଡୋଶୀ ଦେଶର ଶାସକଙ୍କୁ ଏକ ଉଦ୍ଭଟ ଚିନ୍ତାଗ୍ରାସ କଲା ଯେ ବୃଦ୍ଧମାନେ ଦେଶ ପ୍ରଗତିର ବାଧକ। ସେମାନେ କୌଣସି ଶାରୀରିକ ଶ୍ରମ ନ କରି ପରାଙ୍ଗପୁଷ୍ଟ ଜୀବଭାବେ ଦେଶ ସମ୍ପତ୍ତିକୁ ଭୋଗ କରୁଛନ୍ତି। ତେଣୁ ସେହି ଅଦରକାରୀ ବୟସ୍କମାନଙ୍କୁ ଲୋପ କରାଯିବା ଆବଶ୍ୟକ। ରାଜା ଆଦେଶ ଦେଲେ ଯେ ସବୁ ଯୁବକ ନିଜ ହାତରେ ନିଜ ବୃଦ୍ଧ ମାତାପିତାଙ୍କୁ ହତ୍ୟା କରନ୍ତୁ। ରାଜାଦେଶ ଅଲଂଘ୍ୟ। ଫଳରେ ଅଳ୍ପଦିନ ମଧ୍ୟରେ ଦେଶଟି ବୃଦ୍ଧଶୂନ୍ୟ ହୋଇଗଲା। ମାତ୍ର ଜଣେ ଯୁବକ ରାଜାଦେଶ ଲଘଂନର ନିର୍ମମ ପରିଣାମ ଜାଣି ମଧ୍ୟ ପିତୃଭକ୍ତିର ନିଦର୍ଶନ ସ୍ବରୂପ ବୃଦ୍ଧ ପିତାଙ୍କୁ ହତ୍ୟା ନ କରି ଏକ ଗୁପ୍ତ କୋଠରିରେ ଲୁଚାଇ ରଖିଲା।
ସେହିବର୍ଷ ଦେଶ ଉତ୍କଟ ମରୁଡିର ସମ୍ମୁଖୀନ ହେଲା। ପ୍ରବଳ ଶସ୍ୟହାନି ସାମ୍‌ନା କଲେ ଦେଶବାସୀ। ଘରେ ଥିବା ସାଇତା ଶସ୍ୟ ସରିଗଲା। ପରବର୍ଷ ବର୍ଷା ଯଥାରୀତି ହେଲା ସିନା କ୍ଷେତରେ ବୁଣିବାକୁ କାହାଘରେ ଶସ୍ୟକଣିକାଏ ନାହିଁ। ପଡିଶା ଦେଶର ସମାନ ସ୍ଥିତି ଥିବାରୁ ସେଠାରୁ ମଧ୍ୟ ବିହନଗଣ୍ଡାଏ ମିଳିପାରିଲା ନାହିଁ। ସର୍ବତ୍ର ଦୁଶ୍ଚିନ୍ତାର ବାତାବରଣ। ସଂପୃକ୍ତ ଯୁବକର ବିମର୍ଷଭାବକୁ ଲକ୍ଷ୍ୟକରି ତା’ର ବୃଦ୍ଧ ପିତା ଏହାର କାରଣ ପଚାରିବାରୁ ଯୁବକଟି ସବୁକଥା ପିତାଙ୍କୁ ଜଣାଇଲା। ବୃଦ୍ଧ ସବୁଶୁଣି କହିଲେ ଚିନ୍ତା କରନାହିଁ ପୁଅ। ତୁମେ ଆମ ଘର ସମ୍ମୁଖ ରାସ୍ତାକୁ ହଳ କରିଦିଅ, ତା’ପରେ ସମାଧାନର ବାଟ ଆପେ ଆପେ ଆସିବ। ପିତାଙ୍କ ଉପଦେଶ ମାନି ଯୁବକ ରାସ୍ତାକୁ ହଳ କରିଦେଲା। ପ୍ରଥମ ବର୍ଷାରେ ରାସ୍ତାରେ ଛତୁ ଫୁଟିଲାପରି ଶସ୍ୟ ଚାରାମାନ ଦେଖାଗଲା। ଯୁବକ ସେଗୁଡିକୁ ନେଇ କ୍ଷେତରେ ରୋପଣ କଲା। ସୁନ୍ଦର ଶସ୍ୟ ସମ୍ଭାରରେ କ୍ଷେତ ସବୁଜିମାମୟ ହୋଇଉଠିଲା। ତୁଣ୍ଡବାଇଦ ସହସ୍ର କୋଶ। ରାଜାଙ୍କର କର୍ଣ୍ଣଗୋଚର ହେବାକ୍ଷଣି ସେ ଯୁବକକୁ ଡକାଇ ଏହାର ରହସ୍ୟ ଜାଣିବାକୁ ଚାହିଁବାରୁ ଯୁବକଟି ସଭୟ କହିଲା- ମଣିମା ମୁଁ ରାଜାଦେଶ ଲଘଂନ କରିଛି। ମୋ ପିତାଙ୍କୁ ମୁଁ ହତ୍ୟା କରିନାହିଁ। ତେଣୁ ମୁଁ ଦଣ୍ଡଯୋଗ୍ୟ। ଆପଣ ମୋତେ ପ୍ରାଣଦଣ୍ଡ ଦେଇପାରନ୍ତି। କିନ୍ତୁ ଆଜି ମୋର ଯେଉଁ ସବୁଜ ଶସ୍ୟକ୍ଷେତ୍ର ଲହଡି ଭାଙ୍ଗୁଛି, ତାହା ମୋ ବୃଦ୍ଧ ପିତାଙ୍କର ଅବଦାନ। ରାଜା ବୃଦ୍ଧଙ୍କ ନିକଟକୁ ଯାଇ କ୍ଷମାଯାଚନା ପୂର୍ବକ ସବୁଜ ଶସ୍ୟର ରହସ୍ୟ ଜାଣିବାକୁ ଚାହିଁଲେ। ବୃଦ୍ଧ କହିଲେ, ଖରାଦିନେ ରାସ୍ତାରେ ଶଗଡରେ ଶସ୍ୟ ପରିବହନ ସମୟରେ ଅନେକ ଶସ୍ୟ ଭୂମିରେ ପଡିଥାଏ। ଉପଯୁକ୍ତ କର୍ଷଣ ଓ ଜଳଲାଭ କରି ସେଗୁଡିକ ଅଙ୍କୁରିତ ହୁଅନ୍ତି। ଏହା ମୋର ଦୀର୍ଘ ଅନୁଭୂତି, ଯାହା କରିବା ପାଇଁ ପୁଅକୁ ଉପଦେଶ ଦେଇଛି ମାତ୍ର, ରାଜାଙ୍କର ଜ୍ଞାନୋଦୟ ହେଲା ଯେ ବୃଦ୍ଧମାନେ ବାସ୍ତବିକ ପ୍ରାଜ୍ଞ ଓ ଅଭିଜ୍ଞ। ଗୋଟିଏ ପରିବାର କାହିଁକି ସମଗ୍ର ଦେଶକୁ ନିଶ୍ଚିତ ବିପଦରୁ ରକ୍ଷାକରିବାର କ୍ଷମତା ତାଙ୍କର ଅଛି। ରାଜା ଅନୁତାପ ଅନଳରେ ଦଗ୍ଧହୋଇ ନିଜ ଭୁଲ ପାଇଁ ପ୍ରଜାବର୍ଗଙ୍କ ନିକଟରେ ମଥାନତ କଲେ।
ଏ ଗଳ୍ପର ନିଷ୍କର୍ଷ ଏତିକି ଯେ ବୟସ୍କମାନେ ଆଦୌ ଦେଶ ପ୍ରଗତିର ବାଧକ ନୁହନ୍ତି। ସେମାନେ ଦେଶର ଅମୂଲ୍ୟ ସମ୍ପଦ। ସେମାନଙ୍କ ଦୀର୍ଘଜୀବନର ଅନୁଭୂତି ଯୁବବର୍ଗ, ଶାସକ, ପ୍ରଶାସକ ଓ ସମାଜର ସବୁ ସ୍ତରର ଲୋକଙ୍କ ପାଇଁ ସଦା ମଙ୍ଗଳଦାୟକ ଓ ପ୍ରେରଣାପ୍ରଦ। ବୟସ୍କମାନେ ଶାରୀରିକ ଭାବେ ଅକ୍ଷମ ହୋଇପାରନ୍ତି, ମାତ୍ର ବୌଦ୍ଧିକ ଦୃଷ୍ଟିରୁ ଅତ୍ୟନ୍ତ ପରିପକ୍ୱ। ଗ୍ରାମୀଣ ବୃଦ୍ଧମାନଙ୍କର କୃଷିକର୍ମଣର ଅନୁଭୂତିସମ୍ପନ୍ନ ପରାମର୍ଶ କୌଣସି କୃଷି ବିଜ୍ଞାନୀଠାରୁ ଊଣାନୁହେଁ। ସେମାନଙ୍କ ବୌଦ୍ଧିକ ବିଚାରଧାରାକୁ ସମ୍ମାନ ଜଣାଇ ସେମାନଙ୍କୁ ଦେଶର ଅମୂଲ୍ୟ ସମ୍ପଦରୂପେ ବିବେଚନା କରାଯିବା ଉଚିତ।

– ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ:୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜମିବାଡ଼ି ମାମଲା ମହା ଝମେଲା। ଥରେ ଆରମ୍ଭ ହୋଇଗଲେ ପକ୍ଷ ଅଦାଲତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଆନ୍ତି। ତେବେ ଏଭଳି ୫୦,୦୦୦ ମାମଲାର ସମାଧାନ କରି...

ଲକ୍ଷ୍ମୀଛଡ଼ା ଉପାଖ୍ୟାନ

ଡ. ମନୋରଞ୍ଜନ ପ୍ରଧାନ   ପିଲାବେଳେ ଜେଜେମା’ଙ୍କ ମୁହଁରୁ ଲକ୍ଷ୍ମୀଛଡ଼ା ଶବ୍ଦଟି ବହୁବାର ଶୁଣିଛୁ। ସାମାନ୍ୟ ତ୍ରୁଟିବିଚ୍ୟୁତି ଦେଖିଲେ ବୁଢ଼ୀମା’ ତୁମେ ସବୁ ଲକ୍ଷ୍ମୀଛଡ଼ା ହୋଇଗଲଣି...

ଧର୍ମ ଓ ବିଜ୍ଞାନ

ଉମାଶଙ୍କର ପ୍ରସାଦ   ଧର୍ମ ଓ ବିଜ୍ଞାନ ଉଭୟେ ମଣିଷର ମଙ୍ଗଳ ପାଇଁ ଅଭିପ୍ରେତ। ଉଭୟଙ୍କର ଉଦ୍ଦେଶ୍ୟ ମଣିଷ ତଥା ସମାଜକୁ ମଙ୍ଗଳମୟ କରି ଗଢ଼ିବା।...

ନଦୀ ଓ ପ୍ଲାଷ୍ଟିକ୍‌ ପ୍ରଦୂଷଣ

ମିରେଇ ଏଣ୍ଡାରା ଦେ ହେରାସ   ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦୂର କରିବାକୁ ଏକ ନୂତନ ଚୁକ୍ତି ପାଇଁ ମିଳିତ ଜାତିସଂଘ ଚେଷ୍ଟା ଜାରି ରଖିଛି ଓ...

ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ଶିକ୍ଷକଙ୍କ ଉଦ୍ୟମରେ ଏକ ସ୍କୁଲର କଳେବର ପୂରା ବଦଳିଯାଇଛି। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ ମିଡିଲ ସ୍କୁଲର ଶିକ୍ଷକ ଗୋପାଳ ବାଲଓ୍ବାଲାଙ୍କ...

ଆର୍ଥିକ ସ୍ଥିତିର ବାସ୍ତବତା

ଡ. ସନ୍ତୋଷ କୁମାର ମହାପାତ୍ର   ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ...

ନିଜର ବୋଲି ନ ଥିବେ କେହି

ରାକେଶ ପଣ୍ଡା   ପ୍ରାଚୀନ କାଳରୁ ଲୋକେ ଯୌଥ ପରିବାରରେ ଗୋଟିଏ ଛାତ ତଳେ ରହି ଆସୁଥିଲେ, ଯେଉଁଥିରେ ଜଣେ ଗୁରୁଜନ ପରିବାରର ମୁଖିଆ ହୋଇଥା’ନ୍ତି।...

ଈଶ୍ୱର ଭାବନାରେ ଦ୍ୱନ୍ଦ୍ୱ

ଆଜିକାଲି ଲୋକମାନେ ଈଶ୍ୱର ଶବ୍ଦ ବେଶି ବ୍ୟବହାର କରୁଛନ୍ତି। ଯେତେବେଳେ ସେମାନେ ଈଶ୍ୱର ଶବ୍ଦ ବ୍ୟବହାର କରନ୍ତି ସେତେବେଳେ ଏହାକୁ ବଡ଼ ଅକ୍ଷରରେ ଲେଖନ୍ତି। ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri