ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ କଲେ ଖାଲି ପ୍ରତିଶ୍ରୁତି ମିଳୁଛି, ମାତ୍ର କାର୍ଯ୍ୟକାରୀ ହେଉନି । ଜିଲା ପ୍ରଶାସନ ମତ୍ସ୍ୟଜୀବୀମାନଙ୍କ ଗୁହାରୀ ଶୁଣିବା ବଦଳରେ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଅନୁକମ୍ପା ଦେଖାଉଛି । କେବେ ହେବ ସ୍ଥାୟୀ ପ୍ରତିକାର । ଏନେଇ ଚିନ୍ତାରେ ଅଛନ୍ତି ମତ୍ସ୍ୟଜୀବୀ ।ଏବେ ସମୁଦ୍ର ଅଶାନ୍ତ ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଖାଇବାରେ ଲାଗିଛି । ଗାଁକୁ ସମୁଦ୍ର ଆଉ ରହିଲା ଅଳ୍ପ ଦୂର। ଯାହା ଫଳରେ ଅଂଚଳବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ପ୍ରଶାସନିକ ଅଧିକାରୀମାନେ ଖାଲି ଅଂଚଳକୁ ଆସୁଛନ୍ତି ବୁଲି ଦେଖୁଛନ୍ତି ସିନା ହେଲେ କାର୍ଯ୍ୟ ଶୂନ । ଏଣୁ ଆମକୁ ସୁରକ୍ଷା ଦିଅନ୍ତୁ ନଚେତ୍ ଆମ ଗାଁ ସମୁଦ୍ରରେ ଲୀନ ହୋଇଯିବ ବୋଲି ସାନ ଆର୍ଯ୍ୟପଲ୍ଲୀ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି । ଏହା ସହିତ ସେମାନେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନର ବ୍ୟବସ୍ଥା ନ କଲେ ଗୋପାଳପୂର ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସାନ ଆର୍ଯ୍ୟପଲ୍ଲୀ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଦରକାର ପଡିଲେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ରାଜରାସ୍ତା ବନ୍ଦ କରିବୁ ବୋଲି ସାଧାରଣ ସମ୍ପାଦକ ବି. ଭୀମସେନ ଓ ପୂର୍ବତନ ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ କହିଛନ୍ତି । ଏନେଇ ଆର୍ଯ୍ୟପଲ୍ଲୀ ପଂଚାୟତ ସହିତ ୨୭ ଖଣ୍ଡର ମତ୍ସ୍ୟଜୀବୀମାନେ ଆନ୍ଦୋଳନ ନିମନ୍ତେ ସଜବାଜ ହେଉଛନ୍ତି।

