ସୁରକ୍ଷାବଳୟ

ନିମାଇଁ ଚରଣ ଲେଙ୍କା

ଆତ୍ମା ସ୍ବଭାବତଃ ମୁକ୍ତ। ମାତ୍ର ତା’ର ହାତଗୋଡ଼ରେ ବେଡି ପକାଇଛନ୍ତି କାମନା ଓ ବାସନା। କର୍ମର ବନ୍ଧନ ଜୀବର ବଡ଼ ବନ୍ଧନ। ଜୀବ ଯେଉଁ କର୍ମ କରେ, ତା’ର ଫଳ ତାକୁ ହିଁ ପ୍ରାପ୍ତହୁଏ। ଜୀବାତ୍ମା ପରମାତ୍ମାଙ୍କ ସହିତ ଏକାକାର ନ ହେବା ଯାଏ, କର୍ମଫଳ ଭୋଗ କରିବାକୁ ବାଧ୍ୟ। ଏହି କର୍ମଫଳ ଲୋକଲୋକାନ୍ତର ଜନ୍ମଜନ୍ମାନ୍ତରରେ ଜୀବକୁ ଭୋଗ କରିବାକୁ ପଡ଼େ। ଗୋଟିଏ କର୍ମ(ପ୍ରାରବ୍ଧ)ର ଫଳ ଭୋଗ ସରିବା ପୂର୍ବରୁ ଜୀବ ଅନ୍ୟ ଏକ କର୍ମ(କ୍ରିୟମାଣ) କରି ତା’ର ଫଳକୁ ଭବିଷ୍ୟତ ପାଇଁ ସଞ୍ଚୟ କରେ। ତେଣୁ ମନରେ ବାସନାର ଉଦ଼ୟ ହିଁ ପ୍ରଥମ କର୍ମ। କିନ୍ତୁ ବାସନାର ହିତ, ବିବେକାନୁମୋଦିତ କର୍ମ(ନିଷ୍କାମ) ବନ୍ଧନର କାରଣ ନୁହେଁ। ବାସନାର ହିତ ବା ନିଷ୍କାମ କର୍ମ ଦ୍ୱାରା ‘ଜୀବତ୍ୱ’ ‘ଶିବତ୍ୱ ବା ବ୍ରହ୍ମତ୍ୱ’ରେ ପରିଣତ ହୋଇଯାଏ। କର୍ମଫଳ ଭୋଗରୁ ନିଜ ବ୍ୟତୀତ ଏ ସଂସାରରେ କେହି ଆମକୁ ରକ୍ଷା କରିପାରିବେ ନାହିଁ। କିନ୍ତୁ ଦେଖାଯାଏ, ବିଭିନ୍ନ ଜ୍ୟୋତିଷଶାସ୍ତ୍ରୀଗଣ ବ୍ୟକ୍ତିଙ୍କୁ ତାଙ୍କ ପାପ ଫଳ ଭୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରତିକାର ବ୍ୟବସ୍ଥାର ପରାମର୍ଶ ଦିଅନ୍ତି। ଏହାଦ୍ୱାରା ସେମାନେ କର୍ମଫଳ ଭୋଗରୁ ମୁକ୍ତି ପାଇଯିବେ ବୋଲି ଆଶ୍ୱାସନା ପାଆନ୍ତି। ଏହା କେତେକାଂଶରେ ଯଥାର୍ଥ । କାରଣ କର୍ମଫଳ ଭୋଗରୁ ରକ୍ଷାକରିବା ପାଇଁ ଏହା ଏକ ଢାଲ ବା ସୁରକ୍ଷାବଳୟ ସୃଷ୍ଟି କରିପାରେ। କିନ୍ତୁ ସବୁଦିନ ପାଇଁ ବଞ୍ଚାଇପାରେ ନାହିଁ।
କର୍ମଫଳ ସର୍ବଦା ମନୁଷ୍ୟର ଚାରିପଟେ ତୀକ୍ଷ୍ଣ ଦୃଷ୍ଟି ରଖି ଘୂରି ବୁଲୁଥାଏ ଏବଂ ସୁଯୋଗ ଅପେକ୍ଷାରେ ଥାଏ। ସମୟ, ସୁବିଧା ପାଇଲେ ସୁରକ୍ଷାବଳୟକୁ ଭେଦକରି ତାକୁ କବଳିତ କରେ। ପୂର୍ବ କର୍ମଫଳ(ପ୍ରାରବ୍ଧ)କର୍ମ ହିସାବରେ ଆସେନାହିଁ, ପରିସ୍ଥିତି ହିସାବରେ ହିଁ ଆସେ। ତେଣୁ କାର୍ଯ୍ୟ ସାଧନ ନିମିତ୍ତ ଦୈବୀପ୍ରାର୍ଥନା ନିରର୍ଥକ। ତାହା ବୁଦ୍ଧିହୀନ ବ୍ୟକ୍ତିର ଦୁଃଖ ସମୟର ସାନ୍ତ୍ୱନାମାତ୍ର। ଯେଉଁମାନେ ନିଜକୁ ଚତୁର ମନେକରନ୍ତି, ସେମାନେ ଏମିତି କିଛି କର୍ମ(ପ୍ରତିକାର)କରି ଆପଣା କର୍ମଫଳ କବଳରୁ ଖସିଯିବାକୁ ବୃଥା ଚେଷ୍ଟା କରନ୍ତି। କିନ୍ତୁ ସେମାନେ ବୁଝିବା ଆବଶ୍ୟକ ଯେ, ବିନା ଭୋଗରେ ଏହି କର୍ମଫଳ କେବେ ବି କଟିବ ନାହିଁ। ଏହି କର୍ମଫଳ ଭୋଗର ନିୟାମକ ସ୍ବୟଂ ପରମାତ୍ମାଙ୍କ ଅବତାରୀ ପୁରୁଷଗଣ ଏବଂ ସ୍ବୟଂ ଧର୍ମରାଜ ମଧ୍ୟ ଭୋଗିବାକୁ ବାଧ୍ୟ ହୋଇଛନ୍ତି। ତେଣୁ କୌଣସି ଦିଅଁଦେବତା, ଗ୍ରହନକ୍ଷତ୍ର କର୍ମଫଳକୁ ବା ଭାଗ୍ୟକୁ କେବେ ବି ବଦଳାଇ ପାରିବେ ନାହିଁ। ଯେଉଁମାନେ ପୁରୁଷାର୍ଥ କରି ଜାଣନ୍ତି, ସେମାନେ ଅତି ସହଜରେ ପ୍ରାରବ୍ଧ(ଭାଗ୍ୟ)କୁ ବଦଳାଇପାରନ୍ତି। ତେବେ ପ୍ରାରବ୍ଧଠାରୁ ପୁରୁଷାର୍ଥ ପ୍ରବଳ ହେବା ଆବଶ୍ୟକ। ପୁରୁଷାର୍ଥୀମାନେ ଭାଗ୍ୟ ଭରସାରେ ରହନ୍ତି ନାହିଁ। ସେମାନେ ଭୋଗ କରିବାରେ ହିଁ ଆନନ୍ଦ ପାଆନ୍ତି ଓ ସ୍ବୟଂ ସ୍ବଭାଗ୍ୟ ଗଠନ କରିପାରନ୍ତି। ମନୁଷ୍ୟ ନିଜ ଇଚ୍ଛାରେ ଜାଣିଶୁଣି ସବୁକିଛି କରେ ଏବଂ ତା’ର ଫଳ ନିଜେ ଭୋଗକରେ।
ସ୍ବେଚ୍ଛାପୂର୍ବକ ତୀବ୍ର ଭାବନା ଦ୍ୱାରା ପ୍ରେରିତ ହୋଇ କରାଯାଇଥିବା ମାନସିକ କର୍ମ ହିଁ ପ୍ରାରବ୍ଧ। ଏଭଳି କର୍ମ ବିଶେଷ ମନଯୋଗ ସହିତ କରାଯାଇଥିବାରୁ ଏହାର ସଂସ୍କାର ମଧ୍ୟ ବହୁ ବଳବାନ୍‌ ହୋଇଥାଏ। ଗର୍ବ, କୃତଘ୍ନତା, ଛନ୍ଦକପଟ, ନୃଶଂସତା, ସ୍ବାର୍ଥପରତା ଆଦି ତୀବ୍ର ଭାବନା ଦ୍ୱାରା ପ୍ରେରିତ ହୋଇ ଯେଉଁ ମାନସିକ ପାପ କରାଯାଏ, ତାହା ପ୍ରାରବ୍ଧ ରୂପେ ସଞ୍ଚିତ ହୋଇରହେ ଏବଂ ଭୋଗ ସମୟ ଉପ଼ସ୍ଥିତ ହେଲେ ଭୋଗହୁଏ। ଜଣେ ନାରୀ ଦୁଷ୍କର୍ମ କରି ଏକଲକ୍ଷ ଥର ଦୁର୍ଗାସ୍ତୋତ୍ର ପାଠକଲେ, ହଡାବଳଦକୁ କଂସେଇ ହାତରେ ଦେଇ ଗ୍ରହଶାନ୍ତି କଲେ କିମ୍ବା ନିରୀହ ପଶୁପକ୍ଷୀ ହତ୍ୟାକରି ରୁଦ୍ରାଭିଷେକ କରିଦେଲେ କ’ଣ କର୍ମଫଳ ଭୋଗରୁ ରକ୍ଷାପାଇଯିବ? ଏହା ସମ୍ଭବ ନୁହେଁ। କେବଳ ନିଜ ଅଜ୍ଞାନତାରୁ ହିଁ ସେ ଭୁଲ ବାଟରେ ଘୂରି ବୁଲେ ଓ ଶେଷରେ ଦିନେନା ଦିନେ କର୍ମଫଳ ହାବୁଡରେ ପଡ଼େ। ଯେଉଁଠି ଆତ୍ମା ଆତ୍ମାକୁ ରକ୍ଷା କରିପାରୁ ନାହିଁ ସେଠି ବ୍ୟକ୍ତିକୁ ଅନ୍ୟ ରକ୍ଷାକର୍ତ୍ତା କିପରି ରକ୍ଷାକରିବ? ଏଥିରୁ ଯାହା ସ୍ପଷ୍ଟହୁଏ, ନିଜ କର୍ମଫଳକୁ କୌଣସି ଗ୍ରହଶାନ୍ତି,ପୂଜାପାଠ ଆଦି ସୁରକ୍ଷାବଳୟ ଦ୍ୱାରା ନୁହେଁ, ନିଜ କର୍ମ ଦ୍ୱାରା ହିଁ କାଟିହେବ ବା ପ୍ରାୟଶ୍ଚିତ୍ତ କରିହେବ। ଆଜି ବ୍ୟକ୍ତିର ଏପରି କର୍ମ ହେବା ଉଚିତ, ଯେଉଁ କର୍ମ ଆସନ୍ତାକାଲି ବା ଆସନ୍ତା ଜନ୍ମରେ ପ୍ରାରବ୍ଧରୂପେ ପ୍ରକଟ ହୋଇ ତାକୁ କଷ୍ଟ ଦେଉ ନ ଥିବ। ଯେଉଁ ଶାସ୍ତ୍ରସମ୍ମତ ସତ୍‌କର୍ମ ଅଧିକ ପ୍ରଭାବଶାଳୀ, ପ୍ରଭୁ ପରମାତ୍ମାଙ୍କ ସେବାଭାବେ ସମର୍ପିତ, ସେହିଭଳି କର୍ମ କଲେ ଯାଇ ପୂର୍ବ ଅର୍ଜିତ କର୍ମଫଳ(ପ୍ରାରବ୍ଧ)କୁ କାଟିଦେଇହେବ ଏବଂ ଆସନ୍ତା ଜନ୍ମର ଭାଗ୍ୟ ବଦଳାଇ ହେବ। ଯାହାବି ହେଲେ, କର୍ମଫଳ ତ ଭୋଗିବାକୁ ହିଁ ପଡ଼ିବ। କିନ୍ତୁ ଫରକ ଏତିକି ଯେ, ପ୍ରଭୁଙ୍କ ସେବା ଭାବେ ଅର୍ପିତ ସତ୍‌କର୍ମ କଲେ ପାହାଡ଼ଟିଏ ଆସୁଥିଲେ ସୋରିଷ ଭଳି ଓ ଶାବଳଟିଏ ଆସୁଥିଲେ ଛୁଞ୍ଚିଟି ଭଳି ଅନୁଭବ ହେବ। ନ୍ୟାୟକାରୀ ପ୍ରଭୁଙ୍କ ବିଧାନ ଅନୁସାରେ, କେହି ନିଜ କୃତ ପାପ ଅପେକ୍ଷା ଅଧିକ ଦଣ୍ଡ ଭୋଗେ ନାହିଁ। ସୁତରାଂ ମନୁଷ୍ୟକୁ ଯାହା କିଛି ଦଣ୍ଡମିଳେ,ତାହା ନିଶ୍ଚିତ ରୂପେ କୌଣସି ନା କୌଣସି ପାପର ହିଁ ଫଳ। ତେଣୁ ଏଇ ଜନ୍ମର କର୍ମ(କ୍ରିୟମାଣ)କୁ ଶକ୍ତିଶାଳୀ କରିବା ପାଇଁ ନିଜ ଚେତନାର କ୍ରମାଗତ ବିକାଶ କରିବାକୁ ଓ ଯୋଗ୍ୟତା ବଢ଼ାଇବାକୁ ହେବ।
ମୋ-୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri