Posted inUncategorized

ସୌରାଷ୍ଟ୍ରର ରଣଜୀ ସଫଳତା

ସୌରାଷ୍ଟ୍ର ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଚାମ୍ପିୟନ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଦଳ ୨ ଥର ଯାକ ଫାଇନାଲରେ ବେଙ୍ଗଲକୁ ପରାସ୍ତ କରିଛି। ୨୦୨୦ରେ ଏହି ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଚାମ୍ପିୟନ ହୋଇଥିବାବେଳେ ଏଥର ୯ ଉଇକେଟରେ ବିଜୟୀ ହୋଇ ଟାଇଟଲ ହାସଲ କରିଛି…

ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଫର୍ମାଟ୍‌ ହେଉଛି ରଣଜୀ ଟ୍ରଫି। ନିକଟରେ ଗତ ସିଜନ ଶେଷ ହୋଇଛି। ଡିସେମ୍ବର ୧୩ରୁ ଆରମ୍ଭ ହୋଇ ଫେବୃୟାରୀ ୨୦ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯାଇଥିବା ବେଳେ ସୌରାଷ୍ଟ୍ରକୁ ଦ୍ୱିତୀୟ ଟାଇଟଲ ମିଳିଛି। ୨ ବର୍ଷର ଅନ୍ତରରେ ଏହି ପ୍ରିମିୟର ଘରୋଇ ଟୁର୍ନାମେଣ୍ଟ ଫୁଲ୍‌ ଫର୍ମାଟ୍‌ରେ ଖେଳାଯାଇଥିଲା। ୩୨ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିବା ବେଳେ ପ୍ଲେଟ ଗ୍ରୁପ୍‌ରେ ଅରୁଣାଚଳ ପ୍ରଦେଶ, ସିକିମ, ମଣିପୁର, ମିଜୋରାମ, ମେଘାଳୟ ଓ ବିହାର ରହିଥିଲେ। ଗ୍ରୁପ ପର୍ଯ୍ୟାୟ ପରେ ନକ୍‌ ଆଉଟ୍‌ ମ୍ୟାଚ ଖେଳାଯାଇଥିଲା। କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲକୁ ମିଶାଇ ମୋଟ ୧୩୫ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଗ୍ରୁପ ପର୍ଯ୍ୟାୟ ମ୍ୟାଚଗୁଡିକ ୪ ଦିନ ବିଶିଷ୍ଟ ହୋଇଥିବା ବେଳେ ନକ୍‌ଆଉଟ୍‌ ପର୍ଯ୍ୟାୟ ୫ ଦିନିଆ ଖେଳାଯାଇଥିଲା। ଏଲିଟ୍‌ ଗ୍ରୁପ୍‌ -ଏ ରେ ସ୍ଥାନ ପାଇଥିବା ବେଙ୍ଗଲ ଏବଂ ଏଲିଟ୍‌ ଗ୍ରୁପ୍‌ -ବି ଦଳ ସୌରାଷ୍ଟ୍ର ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସଠାରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ମଧ୍ୟପ୍ରଦେଶ, କର୍ନାଟକ, ସୌରାଷ୍ଟ୍ର ଏବଂ ବେଙ୍ଗଲ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ।
ସୌରାଷ୍ଟ୍ର-କର୍ନାଟକ ସେମିଫାଇନାଲ ଲଢେଇରେ ସୌରାଷ୍ଟ୍ର ୪ ଉଇକେଟରେ ବିଜୟୀ ହୋଇଥିଲା। ସେହିପରି ବେଙ୍ଗଲ ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗଲ ଦଳ ୩୬୦ ରନ୍‌ରେ ବୃହତ୍‌ ବିଜୟ ହାସଲ କରିଥିଲା। ରୋମାଞ୍ଚଭରା ଫାଇନାଲରେ ସୌରାଷ୍ଟ୍ର ଟିମ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି କରିଥିଲା। ଜୟଦେବ ଉନାଟକଟ ଚମକତ୍ାର ବୋଲିଂ କରି ବେଙ୍ଗଲ ପାଇଁ ବିପଦ ଆଣିଥିଲେ। ସୂଚନା ଯୋଗ୍ୟ ଯେ, ଉଭୟ ଦଳ ୨୦୨୦ ରଣଜୀ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଆକ୍ସନ ରିପ୍ଲେ ଦେଖିବାକୁ ମିଳିଥିଲା। ୨୦୨୦ରେ ସୌରାଷ୍ଟ୍ର ଟିମ୍‌ ପ୍ରଥମ ଇନିଂସ ଭିତ୍ତିରେ ଚାମ୍ପିୟନ ହୋଇଥିଲା। ଏଥର କିନ୍ତୁ ସୌରାଷ୍ଟ୍ର ୯ ଉଇକେଟରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା।
ଗତ ୮୭ତମ ସଂସ୍କରଣର ଲିଗ୍‌ ପର୍ଯ୍ୟାୟରେ ବେଙ୍ଗଲ ଦଳ ଏଲିଟ୍‌ ଗ୍ରୁପ୍‌ -ଏ ରେ ୭ଟି ମ୍ୟାଚରୁ ୪ ବିଜୟ, ୧ ପରାଜୟ ଏବଂ ୨ଟି ଅମୀମାଂସିତ ମ୍ୟାଚରୁ ମୋଟ ୩୨ ପଏଣ୍ଟ ପାଇଥିଲା। ଅନ୍ୟପକ୍ଷରେ ସୌରାଷ୍ଟ୍ର ଦଳ ବି- ଗ୍ରୁପ୍‌ରେ ୭ଟି ମ୍ୟାଚ ଖେଳି ୩ ବିଜୟ ୨ ପରାଜୟ ଏବଂ ୨ଟି ଅମୀମାଂସିତ ମ୍ୟାଚରୁ ମୋଟ ୨୬ ପଏଣ୍ଟ ପାଇଥିଲା। ତେଣୁ ଫାଇନାଲ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଥିଲା ମାତ୍ର ଏକତରଫା ଫାଇନାଲରେ ସୌରାଷ୍ଟ୍ର ୪ର୍ଥ ଦିନରେ ୯ଉଇକେଟ୍‌ରେ ବେଙ୍ଗଲକୁ ପରାସ୍ତ କରିଥିଲା।
ଗତ ସିଜନ୍‌ରେ ବ୍ୟାଟରମାନେ ଅନେକ ଆକର୍ଷଣୀୟ ଇନିଂସ ଖେଳିଥିଲେ। ସେହିପରି ଯୁବ ଓ ଅଭିଜ୍ଞ ବୋଲରମାନେ ଭଲ ବୋଲିଂ ମଧ୍ୟ କରିଥିଲେ। କର୍ନାଟକ ଅଧିନାୟକ ମୟଙ୍କ ଅଗ୍ରୱାଲ, କେରଳର କାଜଲ ସାକ୍ସେନା ଏବଂ ମୁମ୍ବାଇର ପୃଥ୍ବୀ ଶ’ ପ୍ରଭାବୀ ବ୍ୟାଟିଂ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ମୟଙ୍କ ଅଗ୍ରୱାଲ ୧୩ ଇନିଂସରୁ ୯୯୦ ଏବଂ ସୌରାଷ୍ଟ୍ର ବ୍ୟାଟର ଅର୍ପିତ ଭାସଭାଡା ୧୫ ଇନିଂସରୁ ୯୦୭ ରନ୍‌ ସଂଗ୍ରହ କରିଥିଲେ। ଆସାମ ବିପକ୍ଷରେ ପୃଥ୍ବୀ ଶ’ଙ୍କ ବ୍ୟକ୍ତିଗତ ସର୍ବାଧିକ ୩୭୯ ରନ୍‌ ବଳରେ ମୁମ୍ବାଇ ଟିମ୍‌ ୬୮୭ ରନ୍‌ କରିଥିଲା। ସେହି ଆସାମ ବିପକ୍ଷରେ ମୁମ୍ବାଇର ଷ୍ଟାର ବ୍ୟାଟର ଅଜିଙ୍କ୍ୟ ରାହାନେ ଏବଂ ପୃଥ୍ବୀ ଶ’ ବଡ ପାର୍ଟନରଶିପ୍‌ (୪୦୧ ରନ୍‌) କରିଥିଲେ। ଟୁର୍ନାମେଣ୍ଟରେ ସର୍ବନିମ୍ନ ସ୍କୋର କରିଥିଲା ନାଗାଲାଣ୍ଡ। ଏହି ଦଳ ଉତ୍ତରାଖଣ୍ଡ ବିପକ୍ଷରେ ୨୫ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ହିମାଚଳ ପ୍ରଦେଶର ପ୍ରଶାନ୍ତ ଚୋପ୍ରା ସର୍ବାଧିକ ୫ଟି ଶତକର ଅଧିକାରୀ ହୋଇଥିଲେ। ସେହିପରି ମିଜୋରାମର ଶ୍ରୀବତ୍ସ ଗୋସ୍ବାମୀ ସର୍ବାଧିକ ୬ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବିହାର ଦଳର ବ୍ୟାଟର ବିପିନ୍‌ ସୌରଭ ସର୍ବାଧିକ ୨୬ଟି ଛକା ମାରି ଆଗରେ ରହିଥିଲେ। ଦିଲ୍ଲୀର ଆକ୍ରମଣାତ୍ମକ ଯୁବ ବ୍ୟାଟର ଧ୍ରୁବ ସୋରେ ସର୍ବାଧିକ ବ୍ୟକ୍ତିଗତ ୧୧୬ଟି ଚୌକା ମାରିଥିଲେ। କେରଳର ପ୍ରତିଭାସମ୍ପନ୍ନ ଯୁବ ବୋଲର କାଜଲ ସାକ୍ସେନା ୭ଟି ମ୍ୟାଚରୁ ସର୍ବାଧିକ ୫୦ଟି ଉଇକେଟ ନେଇଥିଲେ। କାଜଲ ସାକ୍ସେନା ୬ ଥର ୫ ଉଇକେଟ ନେଇ ଚର୍ଚ୍ଚାରେ ରହିଥିଲେ। ଗୁଜରାଟର ସିଦ୍ଧାର୍ଥ ଦେଶାଇ ଜମ୍ମୁ ଓ କଶ୍ମୀର ବିପକ୍ଷରେ ଗୋଟିଏ ମ୍ୟାଚରେ ୧୦୪ ରନ୍‌ ଦେଇ ୧୪ଟି ଉଇକେଟ ନେଇଥିଲେ। ବେଙ୍ଗଲର ଉଇକେଟ କିପର ଅଭିଷେକ ପୋରେଲ ଉଇକେଟ ପଛରେ ସର୍ବାଧିକ ୪୦ଟି ଡିସ୍‌ମିସାଲ କରିଥିଲେ।
ମୁମ୍ବାଇ ଓ ଦିଲ୍ଲୀ ପରି ଶକ୍ତିଶାଳୀ ଦଳ ରଣଜୀ ଟ୍ରଫିରେ ଗତ କିଛିବର୍ଷ ହେବ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। କ୍ରମାଗତ ୧୫ଥର ଏବଂ ଓଭରଅଲ୍‌ ୪୧ଥର ରଣଜୀ ଚାମ୍ପିୟନ ମୁମ୍ବାଇର ପ୍ରଦର୍ଶନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶା ଦଳର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି। ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳର ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ଚଳିତ ସଂସ୍କରଣରେ ପୂର୍ବ ପ୍ରଦର୍ଶନ ଆଧାରରେ ଏଲିଟ୍‌ ଗ୍ରୁପ-ଏ ରେ ଓଡ଼ିଶା ସହିତ ବେଙ୍ଗଲ, ବରୋଦା, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ନାଗାଲାଣ୍ଡ ରହିଥିଲେ। ଗ୍ରୁପ ପର୍ଯ୍ୟାୟରେ ୭ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ୨ଟି ପରାଜୟ ଏବଂ ୪ଟି ଡ୍ର ମ୍ୟାଚ ସହ ମୋଟ ୧୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଓଡ଼ିଶା ରହିଥିଲା। ଓଡ଼ିଶା ଏହାର ଶେଷ ମ୍ୟାଚରେ ରନରଅପ୍‌ ବେଙ୍ଗଲକୁ ୭ ଉଇକେଟରେ ପରାସ୍ତ କରି ଏକମାତ୍ର ବିଜୟ ହାସଲ କରିଥିଲା। ବରୋଦା, ଉତ୍ତରପ୍ରଦେଶ, ନାଗାଲାଣ୍ଡ ଏବଂ ହରିୟାଣା ସହ ମ୍ୟାଚ ଡ୍ର ରଖିଥିବାବେଳେ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡଠାରୁ ହାର ମାନିଥିଲା। ଶାନ୍ତନୁ ମିଶ୍ର ୭ ମ୍ୟାଚ ଖେଳି ୧୨ଟି ଇନିଂସରେ ୫୨ ଆଭରେଜରେ ୫୮୧ ରନ୍‌ କରିଥିଲେ। ନାଗାଲାଣ୍ଡ ବିପକ୍ଷରେ ଦ୍ୱିଶତକ ମଧ୍ୟ ହାସଲ କରିଥିଲେ। ସେହିପରି ଶୁଭ୍ରାଂଶୁ ସେନାପତି ମଧ୍ୟ ବ୍ୟାଟିଂ ସଫଳତା ପାଇଥିଲେ। ସେ ୭ଟି ମ୍ୟାଚରେ ୧୨ ଇନିଂସରୁ ୪୯୮ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ସର୍ବାଧିକ ରନ୍‌ ୧୪୫ ରନ୍‌ ରହିଥିଲା। ଅନୁରାଗ ଷଡଙ୍ଗୀ ଏବଂ ବିପ୍ଲବ ସାମନ୍ତରାୟ କିଛି ମାତ୍ରାରେ ମଧ୍ୟ ବ୍ୟାଟିଂ ସଫଳତା ପାଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୦୭ରୁ ରଣଜୀ ଟ୍ରଫି ଖେଳିଆସିଥିବା ଭେଟେରାନ୍‌ ୩୭ ବର୍ଷୀୟ ଷ୍ଟାର ବୋଲର ବସନ୍ତ ମହାନ୍ତି ହିମାଚଳ ପ୍ରଦେଶ ବିପକ୍ଷରେ ୪ଶହ ଉଇକେଟ ପୂରଣ କରିଥିଲେ। ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତିଙ୍କ ପରେ ସେ ୨ୟ ବୋଲର ଭାବେ ଏହି ସଫଳତା ପାଇଥିଲେ। ବେଙ୍ଗଲ ବିପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବସନ୍ତ ସେହି ବେଙ୍ଗଲ ବିପକ୍ଷରେ ମ୍ୟାଚ ଖେଳି ଅବସର ଘୋଷଣା କରିଥିଲେ। ସେ ତାଙ୍କ କ୍ୟାରିୟରରେ ମୋଟ ୨୩ଥର ୫ ଉଇକେଟ ଏବଂ ୩ଥର ୧୦ରୁ ଅଧିକ ଉଇକେଟ ନେଇଥିଲେ। ତେବେ ରଣଜୀ ଟ୍ରଫିରେ ଓଡ଼ିଶା ଆଶାନୁରୂପ ସଫଳତା ନ ପାଇବା ଚିନ୍ତାର ବିଷୟ ହୋଇଛି।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?