ମୁମ୍ବାଇ,୨୭।୬: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଜମି ଦୁର୍ନୀତି ମାମଲାରେ ଏହି ସମନ ଜାରି କରାଯାଇଥିବା ଜଣାପଡିଛି। ତାଙ୍କୁ ଆସନ୍ତାକାଲି ପଚରାଉଚରା ପାଇଁ ଡକାଯାଇଛି। ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ସଞ୍ଜୟଙ୍କୁ ଏହା ବଡ଼ ଝଟ୍କା ବୋଲି କୁହାଯାଉଛି।
ସଞ୍ଜୟ ରାଉତଙ୍କ ନିକଟକୁ ପଠାଯାଇଥିବା ସମନ ଉପରେ ଶିବସେନା ପ୍ରଶ୍ନ ଉଠାଇଛି। ପାର୍ଟି ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ଏଜେନ୍ସି ଭାଜପା ପ୍ରତି ତାଙ୍କର ଭକ୍ତିର ଏକ ଉଦାହରଣ ସୃଷ୍ଟି କରିଛି। ସେହି ଅନୁଯାୟୀ ସଞ୍ଜୟଙ୍କୁ ସମନ ଜାରି କରାଯାଇଛି। ଏନେଇ ଟିଏମସିର ପ୍ରତିକ୍ରିୟା ମଧ୍ୟ ଆସିଛି। ଦଳ କହିଛି ଯେ, ମହାରାଷ୍ଟ୍ର ସରକାରଙ୍କୁ ହଟାଇବା ପାଇଁ ସଞ୍ଜୟ ରାଉତଙ୍କୁ ଇଡି ନୋଟିସ ଦେଇଛି।