ସମସ୍ତଙ୍କ ପାଇଁ ସମାନ ଶିକ୍ଷା

ରାଜୀବ କୁମାର ନାୟକ
ରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ତର୍ଜମା କଲେ ପ୍ରଥମତଃ ଆମେ ଦେଖିବା ଯେ ଶିକ୍ଷା ଏକ ଯୁଗ୍ମ ତାଲିକାର ବିଷୟ। ତେଣୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ସମ୍ବନ୍ଧରେ ନୀତି ନିର୍ଦ୍ଧାରଣ କରିବାର କ୍ଷମତା ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିନ୍ନ ଭିନ୍ନ ସମୟରେ ଶିକ୍ଷାକୁ ନେଇ ବିଭିନ୍ନ ପ୍ରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେମିତି-କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ,ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଥିବାବେଳେ ଓଡ଼ିଶା ସରକାର ସିବିଏସ୍‌ଇ ଢାଞ୍ଚାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅନୁସୂଚିତ ଜାତି ତଥା ଜନଜାତିର ପିଲାଙ୍କ ସକାଶେ ଅନୁସୂଚିତ ଜନଜାତି କଲ୍ୟାଣ ଆବାସିକ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ସରକାର ଆଉ ମଧ୍ୟ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଅନୁସୂଚିତ ଜାତି/ଜନଜାତି ଆବାସିକ ବିଦ୍ୟାଳୟ ଖୋଲିବାକୁ ସହାୟତା ପ୍ରଦାନ କରୁଛନ୍ତି। ନିଜସ୍ବ ଉଦ୍ୟମରେ ଚାଲୁଛି ବିଭିନ୍ନ ପ୍ରକାର ବେସରକାରୀ ବିଦ୍ୟାଳୟ। ଏବେ ଓଡ଼ିଶା ସରକାର ପୁଣି ପ୍ରତି ଗ୍ରାମ ପଞ୍ଚାୟତରେ ଗୋଟିଏ କରି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ କିଏ ହିନ୍ଦୀ ବା ଇଂରାଜୀ ମାଧ୍ୟମ ହୋଇଥିବାବେଳେ ଆଉ କିଏ ଓଡ଼ିଆ ବା ଅନ୍ୟ ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷାଦାନ କରୁଥିବା ଜଣାଯାଏ। ଠିକ୍‌ ସେହିପରି କିଏ ସିବିଏସ୍‌ଇ ବୋର୍ଡ ଅଧୀନରେ ଥିବାବେଳେ କିଏ ଆଇସିଏସ୍‌ଇ ବା ଅନ୍ୟ ରାଜ୍ୟରେ ଥିବା ବୋର୍ଡର ସିଲାବସ୍‌ ଆଧାରରେ ଶିକ୍ଷାଦାନ କରୁଛନ୍ତି। ଏଠି ସବୁ ବୋର୍ଡର ସିଲାବସ୍‌ ଅଲଗା ଅଲଗା। ଠିକ୍‌ ସେହିପରି ଅନେକ ବେସରକାରୀ ବିଦ୍ୟାଳୟର ପ୍ରାଥମିକ ସ୍ତରରେ ପ୍ରଚଳିତ ସିଲାବସ୍‌ ଅଲଗା ଅଲଗା। ଗୋଟିଏ ରାଜ୍ୟ ବା ରାଷ୍ଟ୍ରରେ ଯଦି ଭିନ୍ନ ଭିନ୍ନ ବୋର୍ଡରୁ ଶିକ୍ଷା ସମ୍ପୂର୍ଣ୍ଣ କରି ପିଲା ଆସିବେ ଏବଂ ସମାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ତା’ହେଲେ ସେମାନଙ୍କ ମଧ୍ୟରେ କୃତକାର୍ଯ୍ୟ ହେବାର ହାର ଅଲଗା ହେବା ସ୍ବାଭାବିକ। ଅନ୍ୟ ଦିଗରେ ନବୋଦୟ ବିଦ୍ୟାଳୟ ଭଳି ଆବାସିକ ବିଦ୍ୟାଳୟରେ ଧନୀ ନିର୍ଦ୍ଧନ ସମସ୍ତ ବର୍ଗର ପିଲାଙ୍କୁ ରଖାଯାଇ ସମସ୍ତ ସୁବିଧା ଯୋଗାଇ ଦେଲେ ସେମାନେ ନିଶ୍ଚିତ ଅନ୍ୟ ପିଲାଙ୍କଠାରୁ ଭଲ କରିବେ। ପରିଚାଳନା କଥା ଦେଖିଲେ ମଧ୍ୟ କିଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନରେ ଥିବାବେଳେ କିଛି ବିଦ୍ୟାଳୟ ଅନୁସୂଚିତ ଜାତି ତଥା ଜନଜାତି ବିକାଶ ବିଭାଗ ଅଧୀନରେ ଅଛି, ଆଉ କିଛି ବିଦ୍ୟାଳୟ ସିଧାସଳଖ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ତଥା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ଦ୍ୱାରା ପରିଚାଳିତ।
ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୯ର ପ୍ରାବଧାନତା ଅନୁଯାୟୀ ବେସରକାରୀ ବିଦ୍ୟାଳୟର ୨୫ ଶତକଡ଼ା ସ୍ଥାନ ଦାରିଦ୍ର୍ୟରେ ଶଢୁଥିବା ପରିବାରର ସନ୍ତାନସନ୍ତତିଙ୍କ ସକାଶେ ସଂରକ୍ଷିତ କରି ସରକାର ସେ ବାବଦକୁ ଆର୍ଥିକ ସହାୟତା ଯୋଗାଇଦେବାର କ’ଣ ଆବଶ୍ୟକତା ଅଛି? ଆବାସିକ ବିଦ୍ୟାଳୟ ଖୋଲି ଅନେକ ହଜାର ପିଲା ଗୋଟିଏ ବିଦ୍ୟାଳୟରେ ପଢାଇବାର କ’ଣ ଆବଶ୍ୟକତା ରହିଛି? ପରିବାରରେ ରହିବା ଶିଶୁର ଅଧିକାର, ତା’ ଛଡା ସରକାର ଗୋଟିଏ ପଟେ ୧କି.ମି. ଭିତରେ ପ୍ରାଥମିକ ବିଦ୍ୟାଳୟ, ୩ କି.ମି. ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ କଥା କହିବା ଦ୍ୱାରା ଛାତ୍ରାବାସରେ ନ ରଖି ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଉଚିତ।
ଶିକ୍ଷାର ଢାଞ୍ଚାକୁ ଦେଖିଲେ କିଛି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ, ପୁଣି କେତେକରେ ପ୍ରଥମରୁ ଅଷ୍ଟମ ତ ଆଉ କିଛିରେ ପ୍ରଥମରୁ ଦଶମ ଶିକ୍ଷାଦାନ ହେଉଥିବାବେଳେ ଆଉ କିଛିରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ମଧ୍ୟ ରହିଛି। ଏହା ବ୍ୟତୀତ ସରକାର ପିଲାସଂଖ୍ୟା ଦେଖି ଯେଉଁ ଶିକ୍ଷକ ନିଯୁକ୍ତ କରୁଛନ୍ତି ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ। କାରଣ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ବିଷୟ ଶିକ୍ଷକର ଆବଶ୍ୟକତା ଥିବାବେଳେ ସେଠାରେ ବିଷୟ ଶିକ୍ଷକ ନିଯୁକ୍ତ କରାଯାଉନାହିଁ। ଠିକ୍‌ ସେହିପରି ଶିକ୍ଷାକୁ ନେଇ ବାରମ୍ବାର ପରୀକ୍ଷାନିରୀକ୍ଷା-ଯେମିତି ଆଗରୁ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ଏକାଦଶ ଶ୍ରେଣୀ ଯାଏ ଥିବାବେଳେ ମଝିରେ ଏକାଦଶ ଶ୍ରେଣୀକୁ ବାଦ୍‌ଦେଇ ଯୁକ୍ତ୨ରେ ସାମିଲ କରାଗଲା ପୁଣି ଏବେ ଅଷ୍ଟମକୁ ଉଚ୍ଚ ବିଦ୍ୟାଳୟରୁ କାଢ଼ି ନିଆଯାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରାଯାଇଛି ଏବଂ ଯୁକ୍ତ୨କୁ ଉଚ୍ଚ ବିଦ୍ୟାଳୟରେ ସାମିଲ କରାଯିବା ପ୍ରକ୍ରିୟା ଆରମ୍ଭ ହେଲାଣି। ଫଳତଃ ପ୍ରତି ଗ୍ରାମପଞ୍ଚାୟତରେ ଏକ ଉଚ୍ଚ ବିଦ୍ୟାଳୟ ଥିବାରୁ ଏବେ ପିଲାସଂଖ୍ୟା ଅନେକ ମାତ୍ରାରେ କମିଯିବା ଲକ୍ଷ୍ୟ କରାଯାଉଛି। ଏଠି ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରାୟତଃ ଶିକ୍ଷକ ସଂଖ୍ୟା ୭/୮ ଥିବାବେଳେ ଅଷ୍ଟମ ଶ୍ରେଣୀ ଯେଉଁ ଜାଗାକୁ ଯାଇଛି ସେଠି ଅନେକ ସ୍ଥାନରେ ଆଠଟି ଶ୍ରେଣୀରେ ମାତ୍ର ୩/୪ଜଣ ଶିକ୍ଷକ ଥିବା ଦୃଷ୍ଟିଗୋଚର ହେଉଛି। ଜାତୀୟ ଶିକ୍ଷାନୀତି ୨୦୨୦ରେ ସରକାର ପୁଣି ଅଙ୍ଗନଓ୍ବାଡିର ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାକୁ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରାଯିବା କଥା କହିଛନ୍ତି, ଯଦ୍ଦ୍ବାରା ପାହାଡ,ନଦୀ ବା କମ୍‌ ଜନବସତି ଥିବା ସ୍ଥାନରୁ ମାତ୍ର ତିନି/ଚାରି ବର୍ଷର ଶିଶୁମାନଙ୍କୁ ଅନେକ ସ୍ଥାନରେ ବିଦ୍ୟାଳୟ ମାଡିବାକୁ ମାଇଲ ମାଇଲ ବାଟ ଅତିକ୍ରମ କରିବାକୁ ପଡିବ। ଏଠି ଦେଖିଲେ ସହରାଞ୍ଚଳମାନଙ୍କରେ ପ୍ରାୟତଃ ଥିବା ବେସରକାରୀ ବିଦ୍ୟାଳୟମାନଙ୍କରେ ଆରମ୍ଭରୁ ଏଲ୍‌କେଜି, ୟୁକେଜି ଭଳି ଶିକ୍ଷାର ବ୍ୟବସ୍ଥା ରହିଛି। କିନ୍ତୁ ଭୂମିରୂପ ତଥା ଆର୍ଥିକ ମାନଦଣ୍ଡରେ ଏତେ ତଫାତ୍‌ ଥିବା ଭାରତବର୍ଷରେ ସବୁ କୁନିକୁନି ଶିଶୁ କ’ଣ ମାଇଲ ମାଇଲ ବାଟ ଚାଲିକି ଆସିପାରିବେ ନା ସମସ୍ତଙ୍କ ପାଇଁ ସରକାର ବା ଅଭିଭାବକ ଗାଡିର ବ୍ୟବସ୍ଥା କରିପାରିବେ?
ସରକାର ଚାହିଁଲେ ଏହାର ସରଳ ସମାଧାନ ହୋଇପାରିବ। ପ୍ରଥମତଃ ଆଗରୁ ଯେମିତି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ରହୁଥିଲା ସେମିତି ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଯେତେ ପିଲା ହୁଅନ୍ତୁ ନା କାହିଁକି ନିମ୍ନ ପ୍ରାଥମିକ ବିଦ୍ୟାଳୟ ରହିବ। ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାକୁ ମଧ୍ୟ ଏଥିରେ ସାମିଲ କରାଯିବାର ଆବଶ୍ୟକତା ରହିଛି, କାରଣ ଅତିକମ୍‌ରେ ୨୫୦ ଜନସଂଖ୍ୟାକୁ ଆଧାରକରି ଯେଉଁ ଅଙ୍ଗନଓ୍ବାଡି ରହିବାର ବ୍ୟବସ୍ଥା ଅଛି ତହଁିରେ ଅନେକ ଗାଁରେ ଆଜି ପର୍ଯ୍ୟନ୍ତ କେନ୍ଦ୍ରଟିଏ ସ୍ଥାପନ ହୋଇପାରିନାହିଁ ଏବଂ ୩ ରୁ ୬ ବର୍ଷର ଶିଶୁ ଘରଠାରୁ ଦୂରରେ ଥିବା କେନ୍ଦ୍ରକୁ ଯାଇ ନ ପାରି ପାଠପଢ଼ାରୁ ବଞ୍ଚିିତ ହେଉଛନ୍ତି। ପ୍ରତ୍ୟେକ ଗାଁରେ ବିଦ୍ୟାଳୟ ହେଲେ ପିଲା ବେଶି ହେବେ ନାହିଁ। ତେଣୁ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀରେ ମଧ୍ୟ ଶିକ୍ଷାଦାନ ଠିକ୍‌ ଢଙ୍ଗରେ ହୋଇପାରିବ।
କ୍ଲଷ୍ଟର ସ୍ତରରେ ଅର୍ଥାତ୍‌ ଭୂମିରୂପକୁ ଆଖି ଆଗରେ ରଖି ଗୋଟିଏ ଗ୍ରାମପଞ୍ଚାୟତକୁ ୪/୫ଟି ଭାଗରେ ବିଭକ୍ତ କରାଯାଇ ଗୋଟିଏ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯେଉଁଠି କି ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ବ୍ୟବସ୍ଥା କରାଯିବା ଉଚିତ। ଏଥିରେ ଚାରୋଟି ଶ୍ରେଣୀକୁ ଚାରିଜଣ ଶିକ୍ଷକ ଏବଂ ଛାତ୍ର ସଂଖ୍ୟାକୁ ଆଧାରକରି ଅତିରିକ୍ତ ଶିକ୍ଷକ ଯୋଗାଇ ଦେଇପାରିଲେ ଶିକ୍ଷାଦାନ ଉତ୍ତମ ରୂପେ ସମ୍ପାଦନ ହୋଇପାରିବ ବୋଲି ଧାରଣା। ତା’ପରେ ପ୍ରତି ଗ୍ରାମପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ରହିବ, ଯେଉଁଠି ୮ମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିବ ଏବଂ ଆଗଭଳି ବିଷୟ ଶିକ୍ଷକ ସହ ବିଦ୍ୟାଳୟରେ ୭/୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବେ। ଯୁକ୍ତ୨ ବର୍ତ୍ତମାନ ଯେମିତି ଅଲଗା ରହିଛି ତାହା ଠିକ୍‌ ଅଛି ଏବଂ ଏହାକୁ ଉଚ୍ଚ ବିଦ୍ୟାଳୟରେ ମିଶାଇବାର ବ୍ୟବସ୍ଥା ନ କରିବା ଉଚିତ। କାରଣ ସେଠାରେ ପିଲାମାନଙ୍କର ଅନେକ ଇଚ୍ଛାଧୀନ ବିଷୟ ରହୁଛି ଏବଂ ନିଜ ନିଜ ରୁଚିରେ ପିଲା ଓଡ଼ିଆ ବା ଇଂରାଜୀ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି। ସେଠାକାର ପାଠପଢା ଟିକେ ସ୍ବତନ୍ତ୍ର। ତେଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ଏ ଦିଗରେ ଆଲୋଚନା ପୂର୍ବକ ସମସ୍ତଙ୍କ ପାଇଁ ସମାନ ବିଦ୍ୟାଳୟର ନୀତି ଆପଣେଇଲେ ଶିକ୍ଷାରେ ସୁଧାର ଆସିପାରିବ।
ପଦରପଡ଼ା, ବୌଦ୍ଧ
ମୋ-୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri