
ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି ଚର୍ଚ୍ଚା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ସାମ୍ନାକୁ ଆସିଛି।
ଗୁରୁବାର ମୁମ୍ବାଇ ପୋଲିସ କହିଛି ଯେ ଅଭିନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଅଗ୍ନି ନିର୍ଗମନ ସିଡ଼ି ଦେଇ ଘରେ ପ୍ରବେଶ କରିଥିଲେ ଏବଂ ଅନେକ ସମୟ ସେଠାରେ ରହିଥିଲେ। ସୈଫ୍ ତାଙ୍କ ପରିବାର ସହିତ ରହୁଥିବା ୧୨ ନମ୍ବର ମହଲାର ସେହି କୋଠାର ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ଅଭିଯୁକ୍ତ କଏଦ ହୋଇଛି।
ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅଭିନେତାଙ୍କ ଘରେ ରାତି ପ୍ରାୟ ୨.୩୦ ସମୟରେ ପିଲାମାନଙ୍କ କୋଠରୀରେ ଏହି ଆକ୍ରମଣ ଘଟିଥିଲା, ଯେତେବେଳେ ଜଣେ ଘରୋଇ ସହାୟକ ଦୁର୍ବୁତ୍ତଙ୍କୁ ଦେଖି ଆଲାର୍ମ ବଜାଇ ଦେଇଥିଲେ। ଶବ୍ଦ ଶୁଣି ସୈଫ୍ ଅଲ୍ଲୀ ଖାନ କୋଠରୀ ଭିତରକୁ ପ୍ରବେଶ କରି ଦୁର୍ବୁତ୍ତଙ୍କୁ ସାମ୍ନା କରିଥିଲେ, ଯାହା ପରେ ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା ଏବଂ ଦୁର୍ବୁତ୍ତମାନେ ଅଭିନେତାଙ୍କୁ ଛଅ ଥର ଛୁରୀ ଭୁଷି ଦେଇଥିଲେ।
ଘରୋଇ ସହାୟିକାଙ୍କ ହାତରେ ମଧ୍ୟ ସାମାନ୍ୟ ଆଘାତ ଲାଗିଛି। ୫୪ ବର୍ଷୀୟ ଅଭିନେତାଙ୍କ ମେରୁଦଣ୍ଡରେ ଗମ୍ଭୀର ଆଘାତ ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି। ତେବେ ଘଟଣାସ୍ଥଳରୁ ପଳାଇଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ଧରିବା ପାଇଁ ପୋଲିସ ଦଶଟି ଦଳ ଗଠନ କରିଛି।
PHOTO | Attack on Saif Ali Khan: CCTV footage shows the alleged accused involved in the stabbing of the Bollywood actor earlier today.
(Source: Third Party) pic.twitter.com/a2t86FzScu
— Press Trust of India (@PTI_News) January 16, 2025