ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି ପାଇଛି। ଏହାକୁ ଲକ୍ଷ୍ୟ ରଖି ମନ୍ଦିର ଓ ଏହାର ପାଶର୍ବବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ୮୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିକାଶ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୁରୁବାର ସତ୍ୟବାଦୀ ବିଧାୟକ ତଥା ପୁରୀ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓମ୍ ପ୍ରକାଶ ମିଶ୍ର ବରାଳ ଗ୍ରାମରେ ସ୍ଥାନୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ମନ୍ଦିରର ବିଭିନ୍ନ ସମସ୍ୟା ଓ ଭକ୍ତମାନଙ୍କ ଆବଶ୍ୟକତା ସମ୍ପର୍କରେ ମିଶ୍ର ସେବାୟତ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଆବଶ୍ୟକତା ସମ୍ପର୍କରେ ଦୃଷ୍ଟିଗୋଚର କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଥିଲେ। ଏହି ପ୍ରକଳ୍ପରେ ଠାକୁରଙ୍କ ମନ୍ଦିର ମରାମତି ଓ ରଙ୍ଗ, ରୋଷଶାଳା ନବୀକରଣ, ପ୍ରସାଦ ସେବନ ନିମନ୍ତେ କୋଠି ଅଗଣାରେ ଆନନ୍ଦ ବଜାର ନିର୍ମାଣ, ପାନୀୟଜଳ, ପରିମଳ, ଆଲୋକୀକରଣ, ବେଢା ଚଟାଣ ନବୀକରଣ, ପଦ ପ୍ରକ୍ଷାଳନ, ଶୌଚାଳୟ, ସ୍ନାନ ଗୃହ ସହ ବସ୍ତ୍ର ପରିଧାନ, ରାସ୍ତା ସମ୍ପ୍ରସାରଣ ଏବଂ ଡ୍ରେନେଜ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି। ଖୁବ୍ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହିତ ଆଗକୁ ପ୍ରସ୍ତାବିତ ପରିକ୍ରମା ପ୍ରକଳ୍ପ ପାଇଁ ଯୋଜନା ରହିଥିବାରୁ ମନ୍ଦିର ଚତୁଃପାର୍ଶ୍ୱରେ ରହିଥିବା ସରକାରୀ ଜମି ଓ ମନ୍ଦିର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ବିଧାୟକ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବିକଶିତ ପ୍ରକଳ୍ପର ଚୂଡ଼ାନ୍ତ ନକ୍ସା ସହ ଅନୁଧ୍ୟାନ କରାଯିବା ପରେ ବରାଳ ବାଲୁଙ୍କେଶ୍ୱର ମନ୍ଦିର ଦେବୋତ୍ତର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବୈଠକରେ ବାଲୁଙ୍କେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ତଥା ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ସଦସ୍ୟ ତଥା ବିଡିଓ ଦେବାଶିଷ ନାୟକ, ସଦସ୍ୟ ରଞ୍ଜନ ବରାଳ, ସେବାୟତ ସଦସ୍ୟ ସୁମନ୍ତ ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା, ସହକାରୀ ଯନ୍ତ୍ରୀ ଶ୍ୱେତା ନାୟକ, କନିଷ୍ଠ ଯନ୍ତ୍ରୀ ନୀଳିମା ମହାନ୍ତି, ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଭ୍ୟା ବିଷ୍ଣୁପ୍ରିୟା ବରାଳ, ଧ୍ରୁବଚରଣ ଦାସ, ସେବାୟତ ସୁଧୀର ମହାପାତ୍ର, ବିଜୟ ମହାପାତ୍ର, ନବୀନ ମହାପାତ୍ର ଓ ବସନ୍ତ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

