ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର ଆସିବେ । ‘ହିଟମ୍ୟାନ୍’ ଭାବେ ପରିଚିତ ରୋହିତ ଏବେ ଛୋଟ ପରଦାରେ ନିଜର ଏକ ନୂଆ ଶୋ’ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବାକୁ ଯାଉଛନ୍ତି।
ଯଦିଓ ଏହି ନୂତନ ଭାବରେ ପ୍ରକାଶିତ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ବର୍ତ୍ତମାନ ଗୁପ୍ତ ରଖାଯାଇଛି । କିନ୍ତୁ ଏହି ନୂଆ ଶୋ’ର ଏକ ଝଲକ ସାମ୍ନାକୁ ଆସିଛି । ଯେଉଁଥିରେ ରୋହିତ କିଛି ପ୍ରଶଂସକଙ୍କ ସହ କଥା ହେଉଥିବାର ନଜର ଆସିଛନ୍ତି। ପ୍ରଶଂସକମାନେ ତାଙ୍କୁ ତାଙ୍କର ଲୋକପ୍ରିୟ ଡାଏଲଗ୍ ‘କୋଇ ଭି ଗାର୍ଡେନ୍ ମେଁ ନେହି ଘୁମେଗା’ କହିବାକୁ ଅନୁରୋଧ କରୁଛନ୍ତି। ଏହି ମଜାଦାର ଭିଡିଓଟି ଦର୍ଶକଙ୍କ ମଧ୍ୟରେ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି। ଆଗାମୀ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଟିଭି ଏବଂ ଓଟିଟିରେ ଅନେକ ନୂଆ ଶୋ’ ଆସୁଛି ।
ଆଞ୍ଚଳିକ ମନୋରଞ୍ଜନ କ୍ଷେତ୍ରରେ, ମରାଠୀ କୁଇଜ୍ ଶୋ’କୁ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପରିଚାଳନା କରିବେ। ସେହିପରି ଦକ୍ଷିଣ ଭାରତରେ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ଏକ କୁକିଙ୍ଗ୍ ରିଆଲିଟି ଶୋ’ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ୍ ଏକ ସିଙ୍ଗିଂ ରିଆଲିଟି ଶୋ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

