ନଦୀର ସ୍ବାସ୍ଥ୍ୟ

ବାଦଲ ଭୂୟାଁ

ତିମଧ୍ୟରେ ଓଡ଼ିଶାରେ ଲଘୁଚାପଜନିତ ବର୍ଷା ଓ ପରବର୍ତ୍ତୀ ସମୟରେ କିଛି ନଦୀରେ ବନ୍ୟା ବିଶେଷକରି ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଓ ଅନେକ ସମୟରେ ଏହି ରାଜ୍ୟ ବିଶେଷକରି ବନ୍ୟା ଓ ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି। ଏହିପରି ଏକ ସମୟରେ ନିକଟରେ ଏକ ଜାତୀୟସ୍ତରର ଗଣମାଧ୍ୟମର ଖବରଟି ଚର୍ଚ୍ଚା ସୃଷ୍ଟି କରିଛି। ତାହାହେଉଛି ବିଶ୍ୱ ବ୍ୟାଙ୍କର ତଥ୍ୟ ଓ ନଦୀଗୁଡ଼ିକର କ୍ଷତି ପରିମାଣ। ୨୦୧୮ ମସିହାରେ ବିଶ୍ୱ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁସାରେ ପାରିବେଶିକ ଅବକ୍ଷୟ ଯୋଗୁ ଭାରତକୁ ନିହାତି କମ୍‌ରେ ୯୧ ବିଲିଅନ ଡଲାର ମୂଲ୍ୟ ଦେବାକୁ ପଡ଼ୁଛି ଏବଂ ଦେଶର ନଦ ନଦୀଗୁଡ଼ିକର କ୍ଷତି ଏହି ପରିମାଣର ଏକ ଉଲ୍ଲେଖନୀୟ ଅଂଶ। ତେଣୁ ନଦ ନଦୀଗୁଡ଼ିକର କ୍ଷତି ଦେଶ ପାଇଁ କେତେ ମହତ୍ତ୍ୱ ରଖେ, ତାହା ଏଥିରୁ ସହଜରେ ଅନୁମେୟ। କିଛି ମାସ ପୂର୍ବେ ଏନଜିଟିର ନିର୍ଦ୍ଦେଶରେ ସିପିସିବି ଦେଶର ନଦୀମାନଙ୍କର ଅବସ୍ଥା ସମ୍ପର୍କରେ ଏକ ସମୀକ୍ଷା କରିଥିଲା। ଏହି ସମୀକ୍ଷା ରିପୋର୍ଟ ଅନୁସାରେ ମାତ୍ର ଦୁଇ ବର୍ଷ ଭିତରେ ଭୀଷଣ ପ୍ରଦୂଷିତ ହୋଇଥିବା ନଦୀଗୁଡ଼ିକ ସଂଖ୍ୟା ୩୦୨ରୁ ବଢ଼ି ୩୫୧ରେ ପହଞ୍ଚିଛି। ଅର୍ଥାତ୍‌ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ଦେଶର ସଂସ୍ଥାଗୁଡ଼ିକ କିପରି କାର୍ଯ୍ୟ କରୁଛନ୍ତି, ତାହା ଏହି ସମୀକ୍ଷା ସୂଚାଉଛି। ପରିବେଶର ପ୍ରଦୂଷଣକୁ ରୋକିବା ନିମନ୍ତେ ଦେଶରେ ଅନେକ ଆଇନକାନୁନ, ନୀତି ନିୟମ ତିଆରି କରାଯାଇଛି। କିନ୍ତୁ ସେଗୁଡ଼ିକ ଯେ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ଜଳର ଗୁଣାତ୍ମକ ମାନ ବଜାୟ ରଖିବା ନିମନ୍ତେ ବିଶେଷ କିଛି ସହାୟକ ହୋଇନାହିଁ, ତାହା ଏଥିରୁ ଜଣାପଡ଼େ। କେବଳ ଏତିକି ନୁହେଁ, ନଦ ନଦୀଗୁଡ଼ିକର ରକ୍ଷଣାବେକ୍ଷଣ, ଆର୍ଦ୍ର ଅଞ୍ଚଳଗୁଡ଼ିକର ସଂରକ୍ଷଣ ଇତ୍ୟାଦି ନିମନ୍ତେ ରାଷ୍ଟ୍ରୀୟ ସ୍ତରରେ ବେଶ୍‌ କେତେକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଚାଲୁ ରହିଛି। କିନ୍ତୁ ସେଗୁଡ଼ିକ ମଧ୍ୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି ବୋଲି ଉପରୋକ୍ତ ତଥ୍ୟ ପୁଷ୍ଟ କରୁଛି। ଉଦାହରଣ ଭାବରେ ଗଙ୍ଗାନଦୀକୁ ନିଆଯାଇପାରେ। ନମାମି ଗଙ୍ଗେ ଯୋଜନା କଥା ସମସ୍ତେ ଜାଣନ୍ତି। ସରକାରୀ ତଥ୍ୟ ଅନୁସାରେ କେବଳ ଗଙ୍ଗା ନଦୀର ପରିଷ୍କରଣ ପାଇଁ ୩୬୯୬କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ସାଢ଼େ ତିନିବର୍ଷ ଭିତରେ ପ୍ରଦାନ କରାଯାଇଛି। କିନ୍ତୁ ଅବସ୍ଥା କ’ଣ ହୋଇଛି, ତାହା ସମସ୍ତଙ୍କୁ ଜଣା। କେବଳ ଉତ୍ତରପ୍ରଦେଶରେ ଏହି ଯୋଜନା ଯାହା କିଛିଟା ସଫଳତା ହାସଲ କରିଛି। ଗୋଟିଏ ନଦୀ ପାଇଁ ଏତେ ପରିମାଣର ଟଙ୍କା ବ୍ୟୟ କରାଯାଉଥିବା ବେଳେ ଦେଶର ଆଉ ୧୪ଟି ରାଜ୍ୟର ୩୨ଟି ପ୍ରଦୂଷିତ ନଦୀର ପରିଷ୍କରଣ ପାଇଁ ଉପରୋକ୍ତ ଅବଧି ମଧ୍ୟରେ ପ୍ରଦାନ କରାଯାଇଛି ମାତ୍ର ୩୫୧ କୋଟି ଟଙ୍କା। ଏହା ସମୁଦ୍ରକୁ ଶଙ୍ଖେ ନୁହେଁ କି? ଦେଶର ସବୁଠାରୁ ପ୍ରଦୂଷିତ ନଦୀଗୁଡ଼ିକ ରହିଛନ୍ତି ମହାରାଷ୍ଟ୍ର, ଗୁଜରାଟ ଏବଂ ଆସାମରେ। ଏହି ସବୁ ରାଜ୍ୟରେ ନଦୀକୂଳିଆ ଅଞ୍ଚଳମାନଙ୍କରେ ଗଢ଼ି ଉଠିଛି ଅନେକ କଳ କାରଖାନା, ସହର ବଜାର, ଯାହାର ବର୍ଜ୍ୟବସ୍ତୁ ନଦୀମାନଙ୍କର ସ୍ବାସ୍ଥ୍ୟ ବିଗାଡ଼ିବା ପାଇଁ ଦାୟୀ। ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଏସବୁ ରାଜ୍ୟର ନଦୀଗୁଡ଼ିକର ଅବସ୍ଥା ତେଣୁ ଶୋଚନୀୟ। ତେଣୁ ସିପିସିବି ଏସବୁ ଉପରେ ନିରନ୍ତର ନଜର ରଖିବା ବିଧେୟ। ପ୍ରଦୂଷଣ ନିୟନ୍ତ୍ରର ପାଇଁ ପ୍ରତି ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରହିଛି। ଏମାନଙ୍କ ଜରିଆରେ ସିପିସିବି ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥଗୁଡ଼ିକର ବିଲୋପ ଘଟାଇବା ଉପରେ ଗୁରୁତ୍ୱ ଦେବା ଉଚିତ।
କଳ କାରଖାନାର ବର୍ଜ୍ୟବସ୍ତୁ ଓ ସହରାଞ୍ଚଳର ଦୂଷିତ ପାଣି ନିକଟବର୍ତ୍ତୀ ନଦୀ ନାଳ ଓ ଜଳ ଭଣ୍ଡାରଗୁଡ଼ିକର ପ୍ରଦୂଷଣର ମୁଖ୍ୟ କାରଣ ପାଲଟୁ ଥିବା ବେଳେ ପ୍ରଦୂଷିତ ଜଳର ପରିଚାଳନା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ୱାଟର ଟ୍ରିଟ୍‌ମେଣ୍ଟ ବା ଜଳ ଚିକିତ୍ସା ପ୍ଲାଣ୍ଟ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ପାଣ୍ଠି ବ୍ୟବସ୍ଥା କରାଯିବା ଉଚିତ। ସହରାଞ୍ଚଳର ଦ୍ରୁତ ଅଭିବୃଦ୍ଧି ପ୍ରଦୂଷଣର ନିୟନ୍ତ୍ରଣ ପଥରେ ଅନ୍ତରାୟ ସୃଷ୍ଟି କରିଥାଏ, କାରଣ ଯେଉଁଭଳି ଭାବରେ ଘର ତିଆରି ବଢ଼ି ଚାଲିଛି, ଭିତ୍ତିଭୂମି ଯୋଜନା ତା’ ସହିତ ତାଳ ଦେଇପାରୁନାହିଁ। ତେବେ ଏସବୁଠାରୁ ବଳି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ପ୍ରଦୂଷଣ ନିୟନ୍ତ୍ରଣ କମିଟିଗୁଡ଼ିକ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ ଆଇନକାନୁନ୍‌ଗୁଡ଼ିକୁ କଡ଼ାକଡ଼ି ଭାବରେ ଲାଗୁ କରିବା ଉଚିତ। ଏହି ସଂସ୍ଥାଗୁଡ଼ିକ ଯଦି କାର୍ଯ୍ୟ କ୍ଷେତ୍ରରେ ଆଇନକୁ ଲାଗୁ କରିବାରେ ଅବହେଳା କରନ୍ତି, ଯାହା ପ୍ରାୟତଃ ଆଜିଯାଏ ହୋଇ ଆସିଛି, ତା’ହେଲେ ଯେତେ ଆଇନ ହେଲେ ବି ତାହା କୌଣସି କାମରେ ଲାଗିବ ନାହିଁ। ପୁନଶ୍ଚ, ପ୍ରଦୂଷଣର ନିରାକରଣ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟଭିତ୍ତିକ କାର୍ଯ୍ୟ ହାତକୁ ନେବାକୁ ସରକାରଙ୍କ ଉପରେ ସିଭିଲ ସୋସାଇଟି ନିରନ୍ତର ଚାପ ପ୍ରୟୋଗ କରିବା ଉଚିତ। ତେବେ ଏସବୁ ବାଦ ଅଧିକରୁ ଅଧିକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯିବା ଅପରିହାର୍ଯ୍ୟ। ଅପରପକ୍ଷରେ ଶିଳ୍ପାନୁଷ୍ଠାନ ବିଶେଷକରି ବସ୍ତ୍ର ଶିଳ୍ପ ଓ ଚମଡ଼ା ଶିଳ୍ପାନୁଷ୍ଠାନଗୁଡ଼ିକରୁ ନିର୍ଗତ ତରଳ ପଦାର୍ଥଗୁଡ଼ିକର ମାତ୍ରାକୁ ସମ୍ପୂର୍ଣ୍ଣ କମାଇବାକୁ ଉଦ୍ୟମ କରାଯିବା ଉଚିତ। ଏଥିପାଇଁ ସରକାରୀ ଭାବରେ ଏ ଧରଣର ଶିଳ୍ପାନୁଷ୍ଠାନଗୁଡ଼ିକୁ ଉତ୍ତମ ଯାନ୍ତ୍ରିକ କୌଶଳ ଅବଲମ୍ବନ କରିବା ପାଇଁ ସହାୟତା ପ୍ରଦାନ କରାଯିବା ଉଚିତ। ନଦୀଗୁଡ଼ିକ ଦେଶର ଜୀବନରେଖା। ପ୍ରାଣୀ ସମାଜର ଜୀବନ ଧାରଣ ପାଇଁ ଏମାନେ ପାନୀୟ ଜଳ ଯୋଗାଇବା ସହିତ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ଜଳ ଯୋଗାଇଥାନ୍ତି। ନଦୀଗୁଡ଼ିକର ସ୍ବାସ୍ଥ୍ୟ ସହିତ ପ୍ରାଣୀ ସମାଜର ସ୍ବାସ୍ଥ୍ୟ ଯେ ଓତପ୍ରୋତ ଭାବେ ଜଡ଼ିତ, ତାହା ସମସ୍ତେ ବୁଝିବା ଉଚିତ। ତେଣୁ ନଦୀଗୁଡ଼ିକର ସ୍ବାସ୍ଥ୍ୟରକ୍ଷା ପାଇଁ କେବଳ ସରକାର ନୁହନ୍ତି, ଜନସାଧାରଣ ମଧ୍ୟ ଯତ୍ନବାନ ହେବା ବିଧେୟ।
ପୁରୁଣା ସୋନାରୀ, ଜାମ୍‌ସେଦପୁର
ମୋ : ୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri