ଓଲଟା ପାଦ

ହାଭାରତ ସମୟରେ ନିୟୋଗ ପ୍ରଥାର ପ୍ରଚଳନ ଥିଲା। ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁର ଏ ତିନିଜଣ ନିୟୋଗ ପ୍ରଥାର ଉତ୍ପଜ ଥିଲେ। ସେମିତି ଅନେକ ଦିନ ଧରି ସତୀଦାହ ପ୍ରଥା ପ୍ରଚଳିତ ଥିଲା। ବିକଶିତ ଦେଶ ଓ ପୃଥିବୀର ବିଭିନ୍ନ ପ୍ରାନ୍ତରେ କ୍ରୀତଦାସ ପ୍ରଥା ବି ଅନେକ ଦିନ ଧରି ବିଦ୍ୟମାନ ଥିଲା। ସେ ସମୟର ସମ୍ଭ୍ରାନ୍ତ ଓ ତଥାକଥିତ ବଡ଼ପଣ୍ଡାମାନେ ଏହାର ପୃଷ୍ଠପୋଷକ ଥିଲେ। ଚର୍ଚ୍ଚ ଅନେକ ଦିନ ଧରି ବିଶ୍ୱର ଅନେକ ଦେଶରେ କ୍ଷମତା ଓ ଶାସନର ପ୍ରାଣକେନ୍ଦ୍ର ଥିଲା। ସୂର୍ଯ୍ୟ ପୃଥିବୀ ଚାରିପଟେ ବୁଲୁଛି ବୋଲି ଅବଧାରଣାର ବିରୋଧ ପାଇଁ ମୃତ୍ୟୁଦଣ୍ଡ ମଧ୍ୟ ମିଳୁଥିଲା। ହେଲେ ଆଜିର ସମୟରେ ସତୀଦାହ ହେଉ କି କ୍ରୀତଦାସ ପ୍ରଥା, ଏ ସମସ୍ତ ଦଣ୍ଡନୀୟ ଅପରାଧ। ଉପରେ ଦିଆଯାଇଥିବା ପ୍ରଥା ପରମ୍ପରାକୁ ଆଜି ଯଦି ଆପଣଙ୍କ ଉପରେ ଲଦି ଦିଆଯାଏ, ଆପଣଙ୍କୁ ସେସବୁ ଭିତରୁ କୌଣସି ଗୋଟିଏକୁ ମାନିବା ପାଇଁ ବାଧ୍ୟ କରାଯାଏ, ଆପଣ କ’ଣ ତାକୁ ମାନିବେ? ଉତ୍ତର ବୋଧହୁଏ ନା, କାରଣ ଏ ସମସ୍ତ ବିଷୟ ବର୍ତ୍ତମାନ ସମୟ ପାଇଁ ଅପ୍ରାସଙ୍ଗିକ।
ପ୍ରତି କାଳଖଣ୍ଡର ନିଜସ୍ବ ନିୟମ ଥାଏ, ନିଜସ୍ବ ଯୁଗସତ୍ୟ ଥାଏ, ନିଜସ୍ବ ରୀତିନୀତି ଚାଲିଚଳନ ଥାଏ। ଏହି ପ୍ରସଙ୍ଗରେ ପ୍ରତିଟି କାଳଖଣ୍ଡ ତା’ ପୂର୍ବ ଓ ପରବର୍ତ୍ତୀ କାଳଖଣ୍ଡଠାରୁ ଭିନ୍ନ। କେଉଁ ସମୟରେ କେଉଁ ପରିସ୍ଥିତି ପାଇଁ କେଉଁ ନିୟମ ବା ରୀତିନୀତି ତିଆରି କରାଯାଇଛି ତା’ର ପ୍ରାସଙ୍ଗିକତା ଏକ ସର୍ବକାଳୀନ ବ୍ୟାପାର ନୁହେଁ। ସଭ୍ୟତାର ବିବର୍ତ୍ତନ ସହ ତାଳ ଦେଇ ମଣିଷ ବଦଳେ, ସମାଜ ବଦଳେ ଓ ତା’ ସହ ବଦଳେ ପରମ୍ପରା ଓ ରୀତିନୀତି। କାରଣ ମଣିଷ ପରମ୍ପରା, ବ୍ୟବସ୍ଥା, ଲୋକାଚାର, ରୀତିନୀତି ଆଦିକୁ ଜନ୍ମ ଦେଇଛି। ସେମାନେ ମଣିଷକୁ ତିଆରି କରିନାହାନ୍ତି। ସେଇଥିପାଇଁ ତ ଗୋଟିଏ କାଳଖଣ୍ଡର ସତ୍ୟ-ଅସତ୍ୟ, ନ୍ୟାୟ-ଅନ୍ୟାୟ ତା’ ପରବର୍ତ୍ତୀ ବା ପୂର୍ବବର୍ତ୍ତୀ କାଳଖଣ୍ଡର କଷଟି ପଥରରେ ନିଜ ପରାକାଷ୍ଠା ଦେଖାଇବାରେ ଅନେକ ସମୟରେ ବିଫଳ ହୁଅନ୍ତି।
ସମୟ ଓ ସମସ୍ୟା ଅନୁଯାୟୀ ପରିବର୍ତ୍ତନ ହିଁ ଅବଧାରିତ ନିୟମ ଏବଂ କୌଣସି ଜିନିଷକୁ ଅନ୍ଧ ଭାବେ ଜାବୁଡି ଧରିବା କାଳଖଣ୍ଡ ବିବର୍ତ୍ତନର ମୌଳିକ ନିୟମର ବିରୋଧାଚରଣ କରେ। ଧର୍ମର କଥା ନିଅନ୍ତୁ। ଧର୍ମ ଆସ୍ଥାର ବିଷୟ। ଆଗ ମଣିଷର ସୃଷ୍ଟି, ମଣିଷ ଜନ୍ମଦେଲା ଧର୍ମକୁ। ମଣିଷକୁ ଭଲ ମଣିଷ କରିବା ପ୍ରାୟ ସବୁ ଧର୍ମର ସାରକଥା। ମାତ୍ର ମାନବ ସଭ୍ୟତାର ଇତିହାସ ଯଦି ଆମେ ଦେଖିବା ତେବେ ଏହାର ଓଲଟା କଥାଟି ପାଇବା। ସଭ୍ୟତା ଆରମ୍ଭରୁ ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟରେ ଯେତିକି ଲୋକ ମରି ନାହାନ୍ତି, ତା’ଠାରୁ ଅଧିକ ମଣିଷ ମରିଛନ୍ତି ବିଭିନ୍ନ ଧର୍ମଯୁଦ୍ଧରେ। ସିଏ ଧର୍ମଯୁଦ୍ଧ ହିନ୍ଦୁ-ବୌଦ୍ଧଙ୍କ ଭିତରେ ହେଉ, ଇହୁଦୀ-ଖ୍ରୀଷ୍ଟିଆନଙ୍କ ଭିତରେ ହେଉ, ହିନ୍ଦୁ-ମୁସଲମାନଙ୍କ ଭିତରେ ହେଉ କିମ୍ବା ଶିୟା-ସୁନ୍ନିଙ୍କ ଭିତରେ ହେଉ, ଆସ୍ଥାର ଉତ୍କର୍ଷ ପ୍ରମାଣ କରିବାର ଯଜ୍ଞବେଦିରେ ଆହୁତି ଦିଆଯାଇଛି କୋଟି କୋଟି ମଣିଷ ଜୀବନ। ଆଉ ସେ ପ୍ରକ୍ରିୟା ଆଜି ବି ବଳବତ୍ତର ରହିଛି। ଏହା ପଛର ପ୍ରମୁଖ କାରଣଟି ବୋଧ ହୁଏ ଏଇଆ ଯେ ଅସ୍ଥାଠାରୁ ରୂଢ଼ିବାଦକୁ ଅଲଗା କରିବାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ମଣିଷ ଓ ବିଭିନ୍ନ ସମୟରେ ହୋଇଥିବା ସାଂସ୍କୃତିକ ବିପ୍ଳବଗୁଡ଼ିକ ବିଫଳ ହୋଇଛି।
ଶିଳ୍ପ ବିପ୍ଳବ, ବୈଜ୍ଞାନିକ ନବାଚାର ଓ ନବଜାଗରଣ ପରେ ରୂଢ଼ିବାଦ ତା’ର ପ୍ରାସଙ୍ଗିକତା ହରେଇବ ବୋଲି ବିଶ୍ୱର ବିଭିନ୍ନ କୋଣରେ ଆଶାଟିଏ ସଂଚାର ହୋଇଥିଲା। ଦାରିଦ୍ର୍ୟ, ଅସମାନତା, କ୍ଷୁଧା ବିରୋଧରେ ସାମୂହିକ ଲଢ଼େଇ ମଣିଷ ସମାଜର ଧେୟ ହେବ ବୋଲି ସାରା ବିଶ୍ୱର ବୁଦ୍ଧିଜୀବୀମାନେ ଆଶାବାଦୀ ହୋଇଉଠିଥିଲେ। ମାତ୍ର ଏ ଆଶା ଦୀର୍ଘସ୍ଥାୟୀ ହେଲାନାହିଁ। ପରବର୍ତ୍ତୀ କାଳଖଣ୍ଡରେ ଶାସକ ଓ କ୍ଷମତାଧାରୀମାନେ ଜନସାଧାରଣଙ୍କ ଆଶା ଆକାଂକ୍ଷା, ସ୍ବପ୍ନକୁ ପୂରଣ କରିବାରେ ବିଫଳ ହେଲେ। ଜନତାର ମୋହଭଙ୍ଗ ସମୟ ଆସିଲା। ଶାସକଙ୍କ କ୍ଷମତା ଓ ପଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲେ। କିନ୍ତୁ ଯିଏ ଥରେ କ୍ଷମତା ଉପଭୋଗ କରିଛି, କ୍ଷମତା ବିନା ବଞ୍ଚିବା ତା’ ପାଇଁ ଅସମ୍ଭବ ପ୍ରାୟ। ସେଇଠୁ ହିଁ ପୁଣି ଥରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କଡ଼ ଲେଉଟାଇଲା ଆସ୍ଥା ଓ ମନଗଢା କୃତ୍ରିମ ଉତ୍କର୍ଷକୁ ଆୟୁଧ କରି ଜନତାଙ୍କୁ ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ରଖି ଶାସନ କରିବାର ପ୍ରକ୍ରିୟା। ଶାସକ ଜାଣିଥିଲେ ଯେ ଆସ୍ଥା ଏମିତି ଏକ ଜିନିଷ ଯାହାଠାରୁ ରୂଢ଼ିବାଦକୁ ଅଲଗା କରିବା ସାଧାରଣ ମଣିଷ ପକ୍ଷେ ଏକ ଦୁରୂହ ବ୍ୟାପାର। ଆସ୍ଥା ଏମିତି ଏକ ଯାଦୁବାଡି ଯାହା ସଂଖ୍ୟାଲଘୁ ହେଉ କି ସଂଖ୍ୟାଗରିଷ୍ଠ, ଉଭୟଙ୍କୁ କ୍ଷମତାକୁ ପ୍ରଶ୍ନ ନ କରି କ୍ଷମତା ପଛରେ ଅନ୍ଧ ଭାବେ ସଂଘବଦ୍ଧ ହୋଇ ଏକାଠି କରି ପାରିବାର କ୍ଷମତା ରଖେ। ଏ ପ୍ରକ୍ରିୟାରେ ଶାସକ ତା’ କ୍ଷମତା ବଜାୟ ରଖିବାରେ ଅନେକ କ୍ଷେତ୍ରରେ ସଫଳ ହେଲା, ହେଲେ ସାଧାରଣ ମଣିଷ ପାଇଲା କ’ଣ? ଯେଉଁ ସମୟରେ ବୈଜ୍ଞାନିକ ଆଭିମୁଖ୍ୟ, ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀ ଆଉ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି, ସେତେବେଳେ ସାଧାରଣ ମଣିଷଟିକୁ ଉସୁକା ଯାଉଛି ନିଜ ପଡ଼ୋଶୀକୁ ସନ୍ଦେହ କରିବାକୁ। ତା’ ମୁଣ୍ଡରେ ବୁଣା ଯାଉଛି ବିଭେଦର ମଞ୍ଜି। ତାକୁ ପ୍ରୋତ୍ସାହିତ କରାଯାଉଛି ରୂଢ଼ିବାଦକୁ ବଞ୍ଚିବାର ଆଦର୍ଶ ଭାବେ ଗ୍ରହଣ କରିବାକୁ। ଏହା ପଛରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଉଦ୍ଦେଶ୍ୟ ସ୍ପଷ୍ଟ। ସେମାନେ ଜାଣନ୍ତି ଆସ୍ଥାର ରୂଢ଼ିବାଦରେ ବାନ୍ଧି ହୋଇ ରହିଲେ ଜନତା କ୍ଷମତାକୁ ପ୍ରଶ୍ନ କରିବ ନାହିଁ।
କଟୁ ହେଲେ ବି କଥାଟି ସତ। ଯେତେବେଳେ ଆଉ କିଏ ଆସି ଆପଣଙ୍କୁ ଆପଣଙ୍କ ଗାଁ, ଦେଶ, ଜାତି, ଧର୍ମ କି ଭାଷା ପୃଥିବୀର ଶ୍ରେଷ୍ଠ ବୋଲି ବୁଝେଇବା ଆରମ୍ଭ କରେ, ବୁଝିଯିବେ ଯେ ଏ ଶ୍ରେଷ୍ଠ ଗୁଣଗାନ ପଛରେ ଭିନ୍ନ କିଛି ଉଦ୍ଦେଶ୍ୟ ନିହିତ। ଏବଂ ଯେତେବେଳେ ଏ ଶ୍ରେଷ୍ଠତ୍ୱର ଗୁଣଗାନ ଅନ୍ୟ କୌଣସି ଜିନିଷକୁ ଛୋଟ ବା ଘୃଣିତ କରି କରାଯାଏ, ସେତେବେଳେ ବୁଝିବା ଆବଶ୍ୟକ ଯେ ଆପଣଙ୍କୁ ଏମିତି ଏହା ବିଷମ ବଳୟରେ ଛନ୍ଦି ଦେବାର ପ୍ରୟାସ କରାଯାଉଛି। ଯାହାର ଆରମ୍ଭ ଘୃଣା, ଶେଷରେ ଘୃଣା ଏବଂ ଉଭୟ ଗରିଷ୍ଠ ସାଧାରଣ ଗୁଣନୀୟକ ଓ ଲଘିଷ୍ଠ ଗୁଣିତକ ହେଉଛି ଚବିଶ କ୍ୟାରେଟ ଖାଣ୍ଟି ଘୃଣା। ଘୃଣାର ବିଷମବଳୟ ଭିତରେ ଶାନ୍ତି, ସାମ୍ୟ, ପ୍ରଗତି, ସହାବସ୍ଥାନ ହେଉଛି କେବଳ ଅଭିଧାନର ଶବ୍ଦ।
ଶେଷରେ ଏତିକି ଯେ ଆମେ ଆଗକୁ ଯିବା ନା ରୂଢ଼ିବାଦର ଘୃଣା ବଳୟ ଦିଗରେ ଓଲଟା ପାଦ ପକେଇବା। ରୂଢ଼ିବାଦକୁ ତା’ କବର ତଳୁ ଉଠେଇବା ପାଇଁ ବର୍ତ୍ତମାନ ଯେଉଁ ସଂଘବଦ୍ଧ ପ୍ରୟାସ ଚାଲିଛି ତା’ ବିରୋଧରେ ଆମେ ସମସ୍ତେ ସତର୍କ ହୋଇଯିବାର ଆବଶ୍ୟକତା ରହିଛି। କାରଣ ପରମ୍ପରାରେ ଏ ମାନ୍ୟତା ବି ଅଛି ଯେ ଓଲଟା ପାଦ ଜୀବନ୍ତ ମଣିଷର ନୁହେଁ, ଭୂତର ଥାଏ।

– ପରଂବ୍ରହ୍ମ ତ୍ରିପାଠୀ
ନାଉଗାଁହାଟ, ଜଗତ୍‌ସିଂହପୁର
ମୋ-୯୭୧୭୩୦୨୨୦୫


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri