ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଆସନ୍ତା ୧୨ ତାରିଖ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହାକୁ ରାଜ୍ୟବ୍ୟାପୀ ସଫଳ କରିବା ତଥା ରାଜଧାନୀର ସବୁ ସ୍ଥାନରେ ଜୋର୍ଦାର ଆନ୍ଦୋଳନ କରିବା ପାଇଁ କଂଗ୍ରେସ ପୂରା ପ୍ରସ୍ତୁତ ରହିଛି। ବୁଧବାର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଜିଲା ସଭାପତି ବିଶ୍ୱଜିତ ଦାଶ କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ତୁରନ୍ତ ଗିରଫ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ ଡାକରାକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବାକୁ ଭୁବନେଶ୍ୱରର ସବୁ ଛକରେ ପିକେଟିଂ କରି ରାସ୍ତାରୋକୋ କରାଯିବ। ବନ୍ଦ ପାଳନବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯିବ । ଜନସାଧାରଣ ଏହି ବନ୍ଦ ପାଳନରେ ସାମିଲ ହେବା ସହ ସମସ୍ତ ସହଯୋଗ କରିବାକୁ ଦାଶ ନିବେଦନ କରିଛନ୍ତି। ଖବରଦାତା ସମ୍ମିଳନୀ ପୂର୍ବରୁ ୧୨ ତାରିଖ ଓଡ଼ିଶା ବନ୍ଦ ଓ ୧୯ ତାରିଖ ଜିଲା କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ବୈଠକ ଭୁବନେଶ୍ବର ଜିଲା କଂଗ୍ରେସ କମିଟି ସଭାପତି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।