ପାଟଣା, ୧୫।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ଖବରଦାତାଙ୍କୁ କଲେଜ ପରିସରକୁ ପ୍ରବେଶ ଓ ଭୋଟଗ୍ରହଣ କେନ୍ଦ୍ର ସମ୍ମୁଖରେ ଫଟୋ, ଭିଡିଓ ଉତ୍ତୋଳନ ପାଇଁ ଅନୁମତି ମିଳି ନ ଥିବା ଅଭିଯୋଗ ହୋଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ଓ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଖବରଦାତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିବା କୁହାଯାଇଛି।
ଅନ୍ୟପକ୍ଷରେ, ମାଜିଷ୍ଟ୍ରେଟଙ୍କ ଘରୋଇ ଡ୍ରାଇଭର ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତି, ଯିଏ ପୂର୍ବରୁ କଲେଜ ଛାତ୍ର ସଂସଦର ସଭାପତି ଥିଲେ, ସେ ଅଧିକାରୀଙ୍କ ସହ ନିଷିଦ୍ଧାଞ୍ଚଳରେ ବୁଲୁଥିବା ଦେଖାଯାଇଥିଲା। ଏହାକୁ ନେଇ ନିର୍ବାଚନ ପରିଚାଳନାରେ ପକ୍ଷପାତିତା ଓ ସମାନ ନିୟମ ପ୍ରୟୋଗ ନେଇ ପ୍ରଶ୍ନ ଉଠିଛି।
ସେହିପରି ଏକ ଘରୋଇ ଗାଡ଼ିରେ ସରକାରୀ ସ୍ବୀକୃତି ନ ଥାଇ ‘ଅତିରିକ୍ତ ତହସିଲଦାର ଓ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପାଟଣା’ ଲେଖାଥିବା ସାଇନ ବୋର୍ଡ ଲଗାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କୁ ପଚାରିବାରୁ, ତହସିଲ ପକ୍ଷରୁ ସେଭଳି କୌଣସି ଗାଡ଼ି ଯୋଗାଇ ଦିଆଯାଇନାହିଁ ବୋଲି କହିଥିଲେ। ଗାଡ଼ିରେ ଏଭଳି ସାଇନ ବୋର୍ଡ ଲଗାଇବା ତାଙ୍କ ନଜରକୁ ଆସିନାହିଁ। ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି।

