ବିଜେଡି ସରକାରଙ୍କ ରିମୋଟ୍‌ ମୋଦିଙ୍କ ହାତରେ: ଜିତେନ୍ଦ୍ର ସିଂ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶା ସରକାରଙ୍କ ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ହାତରେ ରହିଛି । ବିଜେଡି ସବୁ କଥାରେ ଭାଜପା ସହିତ ଏକ ହୋଇ ରହିଛି। ଏମାନେ ଓଡ଼ିଶାରେ ମିଛରେ ନାଟକ କରୁଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଶନିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି, ଓଡ଼ିଶାରେ ଗଣତାନ୍ତ୍ରିକ ସରକାର ଚାଲିନାହିଁ। ଏଠାରେ ଅମଲାତାନ୍ତ୍ରିକ ସରକାର ଚାଲିଛି। ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଏ ସରକାରଙ୍କର ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନଙ୍କ ପାଖରେ କିଛି କ୍ଷମତା ନାହିଁ । ଜନସାଧାରଣ ଆଜି ଘୋର ଦ୍ୱନ୍ଦ୍ୱରେ । ସେମାନେ କାହାକୁ ତାଙ୍କ ଦୁଃଖ ଜଣାଇବେ। ୨୩ ବର୍ଷର ରାଜ୍ୟ ସରକାର କୃଷକ, ଛାତ୍ର, ମହିଳା, ଆଦିବାସୀ ଓ ଅନୁସୂଚିତ ଜାତିମାନଙ୍କ ବିରୋଧୀ ହୋଇଛି। ରାଜ୍ୟରେ ୨୩ ବର୍ଷ ଭିତରେ ଗୋଟିଏ ହେଲେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହୋଇନାହିଁ। କଂଗ୍ରେସ ସରକାର ସମୟରେ ଯେଉଁ କିଛି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ତାହା ଆଜି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସରକାର ଏ ପର୍ଯ୍ୟନ୍ତ ଗୋଟିଏ ବି ଶୀତଳ ଭଣ୍ଡାର କରିନାହିଁ। କୃଷକ ଅଭାବୀ ବିକ୍ରିରେ ହନ୍ତସନ୍ତ। ରାଜ୍ୟରେ କୃଷକର ଆୟ ୨୩ ବର୍ଷ ପରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ହୋଇନାହିଁ। ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଉଚ୍ଚଶିକ୍ଷା କଥା କହିଲେ ନ ସରେ। ରାଜ୍ୟରେ ୬୨ ହଜାର ଶିକ୍ଷକ ପଦବୀ ପୂରଣ ହେଉନାହିଁ। ଠିକ୍‌ ସେହିଭଳି ୩୮ ହଜାରରୁ ଅଧିକ ଡାକ୍ତର ପଦବୀ ପୂରଣ ହେଉନାହିଁ। ୪୫ ହଜାରରୁ ଅଧିକ ନର୍ସେସ୍‌, ପାରାମେଡିକ୍ସ ବର୍ଷ ବର୍ଷ ଧରି ଖାଲିପଡ଼ିଛି। ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ ଦୁର୍ନୀତିରେ ଭାରତବର୍ଷ ଏକ ନମ୍ବର ରାଜ୍ୟ। ମହିଳା ହିଂସା, ଅତ୍ୟାଚାର ଓ ଉପତ୍ୀଡ଼ନ କ୍ଷେତ୍ରରେ ଭାରତବର୍ଷ ବହୁ ଆଗରେ ବୋଲି ସିଂ କହିଛନ୍ତି।
ଅନ୍ୟପକ୍ଷରେ ଜିତେନ୍ଦ୍ର ସିଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ଭାଜପା ସରକାରକୁ ୯ ବର୍ଷ ପୂରିଲା। ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ କେନ୍ଦ୍ରରେ ଶାସନକୁ ଆସିବା ପୂର୍ବରୁ ଭାରତବର୍ଷର ଜନସାଧାରଣଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ। ଗୋଟିଏ ମିଛକୁ ବାରମ୍ବାର କହି ଭାରତବର୍ଷର ଜନସାଧାରଣଙ୍କ ମନରେ ଏକ ମିଛ ବିଶ୍ୱାସର ପାହାଡ଼ ସୃଷ୍ଟି କରିଥିଲେ, ଯାହାକୁ ଭାରତବର୍ଷର ଜନସାଧାରଣ ବିଶ୍ୱାସକୁ ପ୍ରତିଶ୍ରୁତି ବୋଲି ଭରସା କରିଥିଲେ। ତାହାବର୍ଷ ପରେ ବର୍ଷ ଅତିକ୍ରାନ୍ତ ହୋଇ ଆଜି ୯ ବର୍ଷ ପରେ ସେ ସବୁ ବିଶ୍ୱାସ ସମ୍ପୂର୍ଣ୍ଣ ମିଛ ଥିଲା ବୋଲି ଆଜି ତାହା ଜଳ ଜଳ ହୋଇ ଦେଖାଯାଉଛି। ୨୦୧୪ ରେ ଏକ ଏଲ୍‌ପିଜି ସିଲିଣ୍ଡର ଦାମ ୪୧୦ ଟଙ୍କା ଥିଲା ବେଳେ ୨୦୨୩ ବେଳକୁ ତାହା ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି। ପାଖାପାଖି କେବଳ ଏଲପିଜି ସିଲିଣ୍ଡରର ୧୬୯ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଆଜି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୦୧୪ ଠାରୁ ୫୭ ପ୍ରତିଶତ,ଡିଜେଲ ୭୮ ପ୍ରତିଶତ ବୃଦ୍ଧି ଘଟିଛି। ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ତେଲ, ଅଟା ମୂଲ୍ୟ ୨୦୧୪ ତୁଳନାରେ ଆଜି ଶତକଡ଼ା ୫୮ ପ୍ରତିଶତ ବୃଦ୍ଧି ଘଟିଛି। ଭାରତବର୍ଷର ଲକ୍ଷ ଲକ୍ଷ ନିମ୍ନ ମଧ୍ୟବିତ ଏଲଆଇସିର ବୀମାଧାରୀ ଏବଂ ଏସ୍‌.ବି.ଆଇର ଜମାକାରୀଙ୍କ ଟଙ୍କା କାହିଁକି ଓ କାହା ସ୍ବାର୍ଥରେ ଆଦାନୀ ଗ୍ରୁପ ଅଫ କମ୍ପାନୀରେ ବିନିଯୋଗ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ରେ ଭାଜପା ସରକାର ଆସିଲା ପାଖରୁ ଦଳୀତ, ସଂଖ୍ୟାଲଘୁ,ମହିଳା ଓ ଆଦିବାସୀ ବର୍ଗଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ଏହି ବର୍ଗଙ୍କ ଉପରେ ଶତକଡ଼ା ୨୩ ପ୍ରତିଶତ ଅତ୍ୟାଚାର ବୃଦ୍ଧି ଘଟିଛି। ବେଟି ପଢ଼ାଅ ଓ ବେଟି ବଚାଅ ଅଭିଯାନ କେବଳ ସ୍ଲୋଗାନ କି। ୨୦୨୧ରେ ୪.୨ ଲକ୍ଷ ମହିଳା ଉପତ୍ୀଡ଼ନ, ଶାରିରୀକ ନିର୍ଯାତନା ଇତ୍ୟାଦି ଭୋଗ କରୁଥିବାର ମାମଲା ଦାୟର କରିଛନ୍ତି। ନିଭୟା ହତ୍ୟାଘଟଣା ପରେ ନିର୍ଭୟା ଯୋଜନାରେ ଯେଉଁ ବଜେଟ ରାଶି ଦିଆଯାଇଛି ସେଥିରୁ ୮୦ ପ୍ରତିଶତ କେବଳ ବୈଦ୍ୟୁତିକଗଣମାଧ୍ୟମ ଓ ଛାପା ଗଣମାଧ୍ୟମକୁ ବିଜ୍ଞାପନ ଆକାରରେ ଦିଆଯାଇଛି। ଏଥିରେ ଦେଶର ମହିଳାମାନଙ୍କର କଣ ସୁରକ୍ଷା ହୋଇଛି। ୨୦୧୪ ଭାଜପା ସରକାରଆସିଲା ପରେ ୯୫ ଶତପ୍ରତିଶତ ସି.ବି.ଆଇ.,ଇଡ଼ି କେସ କେବଳ ପ୍ରତିପକ୍ଷ ରାଜନୈତିକ ନେତୃବର୍ଗଙ୍କ ପ୍ରତି କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ରବିବାର ସଂସଦଭବନ ଉଦଘାଟନ ହେବ । କିନ୍ତୁ ରାଷ୍ଟ୍ରପତିଙ୍କର ଗାରିମା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ନୀତି ନିୟମକୁ ସମ୍ପୂର୍ଣ୍ଣ ରୂପେ ଭୃକ୍ଷେପ ନ କରି ବିଜେଡି ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେଇଛି। ବିଜେଡି ସମଦୂରତା କଥା କହିଥିଲେ। ସମଦୂରତା ଗଲା କୁଆଡ଼େ ବୋଲି ସେ କହିଛନ୍ତି। ଏ ସରକାର ପ୍ରତିଦିନ ଜିଏସ୍‌ଟିର ନିୟମାବଳୀର ପରିବର୍ତ୍ତନ କରୁଛନ୍ତି। ଜିଏସ୍‌ଟି ଆୟର ଶତକଡ଼ା ୫୦ ରୁ ୬୦ ଭାଗ ଆୟ କେବଳ ଗରୀବ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଠାରୁ ଆଦାୟ କରାଯାଉଛି। କିନ୍ତୁ ଭାରତ ବର୍ଷର ସବୁଠାରୁ ଧନୀବ୍ୟକ୍ତିମାନେ ଶତକଡ଼ା ୪ ପ୍ରତିଶତ ଜିଏସ୍‌ଟି ଆୟର ଯୋଗଦାନକରୁଛନ୍ତି। ତେଣୁ ଏହି ଜିଏସ୍‌ଟି ଗରୀବ ଲୋକମାନଙ୍କୁ ଅଧିକ ଗରିବ କରିବା ପାଇଁ ଉଦ୍ଧିଷ୍ଟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri