ଧର୍ମଭୀରୁ ନେତା ଓ ଧର୍ମଛଡ଼ା ଭୋଟର

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଗତ କେଇ ସପ୍ତାହ ହେଲା ସମ୍ବାଦପତ୍ରଠୁ ଆରମ୍ଭ କରି ବିଭିନ୍ନ ଟିଭି ଚାନେଲ ଯାଏ, ସବୁଠି ଖାଲି ନିର୍ବାଚନର ଚର୍ଚ୍ଚା। ସେପଟେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆ ଭଳି ଦେଶର ପ୍ରମୁଖ ପ୍ରଦେଶଗୁଡ଼ିକର ବିଧାନସଭା ନିର୍ବାଚନ ସାଙ୍ଗକୁ ଏପଟେ ଆମ ରାଜ୍ୟର ପଞ୍ଚାୟତ ନିର୍ବାଚନର ଉଷ୍ମତା ପ୍ରକାଶ ପାଇଛି। ଗଣତନ୍ତ୍ରର ଭାଗ୍ୟ ଡୋରି ନିଜ ନିଜ ହାତକୁ ନେବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ବଳ କଷାକଷିର ପର୍ବ ଭାବେ ପ୍ରତି ପାଞ୍ଚବର୍ଷରେ ଥରେ ଆସିଥାଏ ନିର୍ବାଚନ। ସଭା, ଶୋଭାଯାତ୍ରାର ବର୍ଣ୍ଣାଢ଼୍ୟ ସମାରୋହ ସାଙ୍ଗକୁ ଭୋଟରମାନଙ୍କୁ ନିଜ ପକ୍ଷକୁ ଆକର୍ଷିତ କରିବାର ବହୁବିଧ କସରତ ମଧ୍ୟରେ ନେତାମାନେ ବ୍ୟସ୍ତ ରହୁଥିବା ବେଳେ ନିର୍ବାଚନରେ ଭୋଟ ଦେବା ଭଳି କର୍ତ୍ତବ୍ୟ ସମ୍ପାଦନ କରି ପୁଣି ପାଞ୍ଚବର୍ଷ ପାଇଁ ନିଘୋଡ଼ ନିଦରେ ଶୋଇ ପଡୁଥିବା ସାଧାରଣ ଜନତା ଉଠିପଡ଼େ ପୁଣି ଥରେ ଭୋଟକେନ୍ଦ୍ରର ଧାଡ଼ିରେ ଛିଡ଼ାହେବାକୁ।
ଅତୀତରେ ଏମିତି କେତେ ନିର୍ବାଚନ ଆସିଛି ଓ ଯାଇଛି। ରାଜନୀତିରେ ରୁଚି ରଖୁଥିବା ଏବଂ ନିର୍ବାଚନ ମାଧ୍ୟମରେ ନିଜର ନେତୃତ୍ୱ ନିର୍ମାଣ କରୁଥିବା ଅବା ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନଙ୍କୁ ଛାଡ଼ିଦେଲେ ଅନ୍ୟ ଅବଶିଷ୍ଟଙ୍କ ପାଇଁ ଏହା ଯେମିତି ମହତ୍ତ୍ୱହୀନ, ସେମିତି ଅନୁଭବଶୂନ୍ୟ। କେବଳ ଏକ ରୁଟିନ୍‌ବନ୍ଧା ନାଗରିକ ଅଧିକାର, ଯାହା ପାଞ୍ଚବର୍ଷରେ ଥରେ ଆସେ ‘ଘୋଡ଼ା ଦେବି’ ଓ ‘ହାତୀ ଦେବି’ର ପ୍ରତିଶ୍ରୁତି ସହ ଓ ପୁଣି ଚାଲିଯାଏ ‘ନାହିଁ ନାହିଁ’ର ପ୍ରତାରଣା ସହ ଏବଂ ଏଥିସହିତ ନିଃଶବ୍ଦରେ ମିଳାଇଯାଏ ନିର୍ବାଚନୀ କୋଳାହଳ ମଧ୍ୟରେ ଗୁଞ୍ଜରିତ ହୋଇଥିବା ଯେତେ ଯାହା ମିଥ୍ୟା ପ୍ରତ୍ୟୟର ମିଠା ମିଠା ସ୍ଲୋଗାନ୍‌। ଏହି ସାମ୍ବିଧାନିକ ପର୍ବର ପ୍ରସ୍ତୁତି ଓ ପରିସମାପ୍ତି ସେମାନଙ୍କ ପାଇଁ ଏକାପରି ଲାଗେ।
ପ୍ରତ୍ୟେକ ନିର୍ବାଚନ ଆସେ ରାମରାଜ୍ୟର ଅସୁମାରି ପ୍ରତ୍ୟୟ ଓ ପ୍ରତିଶ୍ରୁତି ନେଇ। ଅଥଚ ନିର୍ବାଚନ ସରିଗଲା ପରେ ରାମ ବୋଲି ସେଇ କଳ୍ପିତ ଆଦର୍ଶ ରାଜା ଜଣକ ନିର୍ବାସନରେ ଚାଲିଯାଆନ୍ତି ଓ ବଦଳରେ ପ୍ରତିଭାତ ହୁଅନ୍ତି ରକ୍ତଶୋଷା ରାବଣ। ଯାବତୀୟ ପ୍ରତିଜ୍ଞା, ପ୍ରତିଶ୍ରୁତି ଓ ଏଥିସହ ପ୍ରଚ୍ଛନ୍ନ ଭାବେ ଜଡ଼ିତ ପ୍ରତାରଣା ଭିତରେ ଲାଳିତ ହୋଇ ନିର୍ବାଚନ ଆସେ ଓ କେଇ ଦିନର କୋଳାହଳ ପରେ ନିଶୂନ ନୀରବତାରେ ମିଳାଇଯାଏ ଜନଗଣଙ୍କ ଆଶା ଓ ବିଶ୍ୱାସ। କରୋନା କଟକଣା ମଧ୍ୟରେ ଏଥର ଆମ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତିଥି ଘୋଷଣା ହେବା ପରେ ଆଶା କରାଯାଉଥିଲା ମହାମାରୀର ବିନାଶକ ବିସ୍ତୃତି ମଧ୍ୟରେ ଉଭୟ ନେତା ଓ ଜନତା ସଂଯତ ହୋଇଯିବେ ଏବଂ ତଦନୁଯାୟୀ ନିର୍ବାଚନ ହେବ ଅଧିକ ଶାନ୍ତ ଓ ଶୃଙ୍ଖଳିତ। ମାତ୍ର ଜୀବନମନସ୍କ ଲୋକ ଏକ ନିଶ୍ଚିତ ମୃତ୍ୟୁଭୟକୁ ଗୋଟିଏ ଫୁତ୍‌କାରରେ ଉଡ଼ାଇ ଦେଲା ଭଳି ନିର୍ବାଚନ ଜରିଆରେ ନିଜର ନେତୃତ୍ୱ ନିର୍ମାଣ କରିବାକୁ ଯାଉଥିବା ନୂଆ ପୁରୁଣା ନେତାଗଣ କରୋନାର ସମ୍ଭାବ୍ୟ ବିଭୀଷିକାକୁ ଗୋଟିଏ ଗୋଟିଏ କୁହାଟରେ ଦୂରକୁ ଠେଲି ଦେଇଛନ୍ତି। ଅତୀତର ଅନ୍ୟ ସବୁ ନିର୍ବାଚନ ତୁଳନାରେ ଏଥରର ନିର୍ବାଚନରେ ସଂଘଟିତ ହିଂସାର ସଂଖ୍ୟା ଓ ପ୍ରକାର ଭେଦ ହିଁ ଏହାର ଜ୍ୱଳନ୍ତ ପ୍ରମାଣ।
ନେତା ହେବା ପାଇଁ କାହିଁକି ଏତେ ଆକୁଳତା? ନିର୍ବାଚନ ଲଢ଼ିବା ପାଇଁ କାହିଁକି ଏତେ ପାଗଳ ପ୍ରତିଯୋଗିତା? ନେତୃତ୍ୱରେ ଏମିତି କି ଅମୃତ ଅଛି, ଯାହାକୁ ପାଇବା ପାଇଁ ସତୁରି ବର୍ଷର ବୁଢ଼ା ଜଣେ ଫୁଙ୍ଗୁଳା ଦେହରେ ଗଁାକୁ ଗଁା ବୁଲି ଭୋଟ ଭିକ୍ଷା କରୁଛନ୍ତି ତ ମୋଟା ଦରମାର ଚାକିରି ଛାଡ଼ି ଯୁବ ଇଞ୍ଜିନିୟର ଜଣେ ସରପଞ୍ଚ ହେବାକୁ ନିର୍ବାଚନ ଲଢୁଛନ୍ତି! ପୁଣି କେଉଁ ମହତ୍‌ ଲକ୍ଷ୍ୟର ଯାତ୍ରାରେ ସମ୍ପର୍କର ସଂସ୍କାରକୁ ପଛକୁ ଠେଲି ଭାଇ ଭାଇ ବିରୋଧରେ, ବୋହୂ ଶାଶୁ ବିରୋଧରେ ବା ଦୁଇ ଯାଆ ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି! ଏ ସବୁ ପ୍ରଶ୍ନର ଉତ୍ତର ଭିତରେ କେଉଁଠି ଦେଶସେବା ବା ଲୋକ କଲ୍ୟାଣର ଉଦ୍ଦାମ ଅଙ୍ଗୀକାର ଏକ ଅମୃତମୟ ଉଚ୍ଚାରଣ ହୋଇ ଉଭା ହୁଏ ତ ଅନ୍ୟ କେଉଁଠି ଏକ ଭ୍ରଷ୍ଟାଚାରମୁକ୍ତ ଭାରତବର୍ଷ ଗଠନର କୋମଳ ସମ୍ଭାବନାଟିଏ ମୁଣ୍ଡ ଟେକେ। ଅଥଚ ସାଧୁତାର ସତ୍ୟପାଠ ମଧ୍ୟରେ ନିର୍ମମ ବାସ୍ତବତାର ନଗ୍ନ ରୂପ ଭାରି ଭୟଙ୍କର ଦିଶେ।
ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ କୁହାଯାଉଥିବା କିଛି ଯୁବାବର୍ଗଙ୍କ ରାଜନୀତି କ୍ଷେତ୍ରକୁ ପ୍ରବେଶ ଏହାର କର୍ଦ୍ଦମାକ୍ତ ଚେହେରାକୁ ଧୋଇ ମାଜି ସଫା କରିବାର ଉଜ୍ଜ୍ୱଳ ଆଶାଟିଏ ସଞ୍ଚାର କରିଛି ନା ‘ଯିଏ ଲଙ୍କାକୁ ଗଲା ସିଏ ରାବଣ ହେଲା’ ଭଳି ଆପ୍ତବାକ୍ୟଟିକୁ ପୁନଃ ପ୍ରତିଷ୍ଠା କରୁଛି, ତାହା ଅବଶ୍ୟ ଦେଖିବାକୁ ବାକି ରହିଲା। ତେବେ ଭୋଟ ପ୍ରଚାର ବେଳେ ମୁକ୍ତ ଓ ଅବାଧ ଟଙ୍କା ବଣ୍ଟନ, ଗଁା ଗଁାରେ ମଦମାଂସର ମାହୋଲ, ବିଧାୟକଙ୍କ ଗାଡ଼ିରୁ ଶହ ଶହ ସଂଖ୍ୟାର ଶାଢ଼ି ଉଦ୍ଧାର ତଥା ‘ମୋ ଲୋକଙ୍କୁ ଭୋଟ ନ ଦେଲେ ମୋତେ ଆଉ ଟଙ୍କିକିଆ ଚାଉଳ କି ଇନ୍ଦିରା ଆବାସ କଥା କହିବନି’ ବୋଲି ବିଧାୟିକାଙ୍କ ଚେତାବନୀ ଗୋଟିଏ କଥାକୁ ସୂଚାଉଛି ଯେ ଅନ୍ୟାୟ, ଅନୀତି ଓ ଅସଦାଚାର ଉପରେ ନ୍ୟାୟ, ନୀତି ଓ ସଦାଚାର ବିଜୟ ଲାଭ କରିବାକୁ ତଥାପି ବହୁ ସମୟ ବାକି ଅଛି। ବିନା କୌଣସି ପ୍ରଭାବ ଓ ପ୍ରଲୋଭନରେ କେବଳ ପ୍ରାର୍ଥୀଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଜନସେବା ପାଇଁ ସମର୍ପିତ ଅଙ୍ଗୀକାର ଓ ସାମର୍ଥ୍ୟକୁ ସମର୍ଥନ କରି ଭୋଟ ଗ୍ରହଣ କଲା ଭଳି ମୁକ୍ତ ଅବାଧ ନିର୍ବାଚନ ଏବେ ବି ସ୍ବର୍ଗର ପାରିଜାତ ପରି ଦୁଷ୍ପ୍ରାପ୍ୟ।
କେଇଦିନ ତଳେ ଟିଭି ପରଦାରେ ଏକ ବିକଳ ଦୃଶ୍ୟ ଦେଖି ଆମ ଗଣତନ୍ତ୍ରର ସଂଜ୍ଞା ଉପରେ ଅଧିକ ଚିନ୍ତନ ଓ ମନ୍ଥନର ଆବଶ୍ୟକତା ଅନୁଭୂତ ହୋଇଥିଲା। ପଞ୍ଚାୟତ ନିର୍ବାଚନ ପ୍ରେକ୍ଷାପଟରେ ଏମିତି ତ ବହୁ ବିଚିତ୍ର ଦୃଶ୍ୟ ଆଖିରେ ପଡ଼ି ଗଣତନ୍ତ୍ରର ବିକଳ ସ୍ଥିତି ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ କଥିତ ଦୃଶ୍ୟଟି ଥିଲା ଭିନ୍ନ ପର୍ଯ୍ୟାୟର। ସମିତି ସଭ୍ୟା ପଦ ପାଇଁ ନିର୍ବାଚନ ଲୋଡ଼ୁଥିବା ଜଣେ ଅଳ୍ପବୟସ୍କା ମହିଳା ହାତ ଯୋଡ଼ି ଟିଭି ପରଦାରେ ଆକୁଳ ଅନୁନୟ କରୁଛନ୍ତି ”ମୋର ଭୋଟ ଲୋଡ଼ା ନାହିଁ। ମୋ ସ୍ବାମୀଙ୍କୁ ଦୟାକରି ଫେରାଇଦିଅ।“ କଥା ହେଉଛି, ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେଇ ପ୍ରାର୍ଥତ୍ନୀଙ୍କ ସ୍ବାମୀ ହଠାତ୍‌ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ସେ ତ ମିଳି ନ ଥିଲେ, ତାଙ୍କ ସ୍କୁଟିଟି ରାସ୍ତା କଡ଼ରୁ ମିଳିଥିଲା। ସ୍କୁଟିରେ ଲାଗିଥିବା ରକ୍ତଛିଟା ଯେଉଁ ଭୀତିପ୍ରଦ ଆଶଙ୍କା ଓ ଆତଙ୍କ ସମ୍ପର୍କରେ ବୟାନ କରୁଥିଲା, ତାହା ନିର୍ବାଚନ ଲଢ଼ୁଥିବା ପତ୍ନୀଙ୍କୁ ଦୁର୍ବଳ କରିଦେବା ପାଇଁ ଥିଲା ଯଥେଷ୍ଟରୁ ଅଧିକ। ଗଣତନ୍ତ୍ରର ଏକ ଦୁର୍ଭାଗ୍ୟ ନିର୍ବାଚନ ପରିଚାଳନା କରୁଥିବା ଆମ ଶାସନତନ୍ତ୍ର ଦୃଷ୍ଟିରେ ଯେ ପଡ଼ୁନାହିଁ ବା ପଡ଼ିଲେ ବି ସେଥିପାଇଁ କିଛି ଦୃଷ୍ଟାନ୍ତମୂଳକ ପ୍ରତିବିଧାନର ବ୍ୟବସ୍ଥା ନାହିଁ, ଏହା ହିଁ ବିଡ଼ମ୍ବନା।
ଏବେ ଆସିବା ଗଣତନ୍ତ୍ରର ଅନ୍ୟ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟକୁ, ଯାହା ‘ଭୋଟର’ ପରିଚୟ ବହନ କରୁଥିବା ମଣିକୁ କେବଳ ନୁହେଁ, ନିଜ ସମ୍ବିଧାନରେ ନିର୍ବାଚନର କୌଣସି ବିଧି ବ୍ୟବସ୍ଥା ନ ଥିବା ଈଶ୍ୱରଙ୍କୁ ମଧ୍ୟ ଟାଣିଓଟାରି ଭାରି ହନ୍ତସନ୍ତ କରୁଛି। ଅର୍ଥ ବଣ୍ଟନ ବା ଶାଢ଼ି ବଣ୍ଟନ ଅବା ମଦମାଂସ ସେବନ ଭଳି। ପ୍ରଲୋଭନ ଭୋଟରଙ୍କ ଭୋଟ ହାତେଇବା ପାଇଁ ଯଥେଷ୍ଟ ନ ହେବାରୁ ଏବଂ ଏ ପ୍ରକାର ଦାନ ପ୍ରଦାନ ବଦଳରେ ଆଦାନର କିଛି ଗ୍ୟାରେଣ୍ଟି ନ ଥିବାରୁ ଭୋଟରଙ୍କୁ ନେତାମାନେ ମଣିଷର ଧର୍ମବିଶ୍ୱାସକୁ ନେଇ ରାଜନୀତି କରିବାର ଏକ ଅଭିନବ ପନ୍ଥା ଆପଣେଇଛନ୍ତି। ସେ ଯେତେବଡ଼ ନେତା ହୁଅନ୍ତୁ ନା କାହିଁକି, ପାଖରେ ଯେତେ ଅର୍ଥ, କ୍ଷମତା, ପ୍ରତିଷ୍ଠା ବା ପ୍ରତିପତ୍ତି ଥାଉ ନା କାହିଁକି, ନିଜ ଶକ୍ତି ସାମର୍ଥ୍ୟର ଯଥେଷ୍ଟ ଊର୍ଦ୍ଧ୍ୱରେ ଈଶ୍ୱର ଥାଆନ୍ତି ବୋଲି ଏକ ମୌଳିକ ଅବଧାରଣା ପ୍ରାୟ ସଭିଙ୍କର ଥାଏ। ସୁତରାଂ, ବଣ୍ଟନ ଓ ସେବନ କରାଇ ଭୋଟ କିଣୁଥିବା ନେତାମାନେ ନିଜେ ସ୍ବଭାବଗତ ଭାବେ ଧର୍ମଭୀରୁ ହୋଇଥିବାର ଓ ସାଧାରଣ ଭୋଟରମାନଙ୍କ ଈଶ୍ୱର ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚିତ ଥିବାରୁ ଏହି ଦେଣନେଣ ପ୍ରକ୍ରିୟାରେ ସାକ୍ଷୀ ରଖିବାକୁ ଈଶ୍ୱରଙ୍କ ହାତ ଧରି ଟାଣି ଆଣନ୍ତି। ଫଳରେ କେଉଁଠି ଠାକୁରଙ୍କ ମନ୍ଦିରରେ ତୁଳସୀ ଧଣ୍ଡା ଛୁଆଁଇ ଅବା ପ୍ରସାଦ ସେବନ କରାଇ ତ ଅନ୍ୟ କେଉଁଠି ତାଙ୍କ ଆଗରେ ଜଳୁଥିବା ଦୀପ ଉପରେ ହାତ ରଖି ଆୟୋଜିତ ହୁଏ ଗଣ ସଂକଳ୍ପ ଉତ୍ସବ। ଏପରି କିଛି କହି ”ମୁଁ ଶପଥ କରୁଛି ଈଶ୍ୱରଙ୍କୁ ସାକ୍ଷୀ ରଖି ଯେ ତୁମ ଛଡ଼ା ଆଉ କାହାକୁ ଭୋଟ ଦେବି ନାହିଁ।“
ଗଣତନ୍ତ୍ରର ଦୁର୍ଭାଗ୍ୟ, ଅନେକ ସମୟରେ ବହୁ ସ୍ଥାନରେ ଏହି ସଂକଳ୍ପ ପାଳିତ ହୁଏ। ଶପଥ ରକ୍ଷା କରାଯାଏ ଦେଇଥିବା ନେତାଙ୍କୁ ନିଜର ଭୋଟ ଫେରାଇ। ଅଦୃଷ୍ଟ ଈଶ୍ୱରଙ୍କୁ ଭୟ କରି ଏପରି ଶପଥ ଭଙ୍ଗ କରାଯିବାର ଦୃଷ୍ଟାନ୍ତ ପ୍ରାୟତଃ ବିରଳ। ମାତ୍ର ସଂସାରରେ ସବୁ କଥାରେ କିଛି ନା କିଛି ବ୍ୟତିକ୍ରମ ଥିଲାଭଳି ଏ କଥାରେ ମଧ୍ୟ କିଛି ବ୍ୟତିକ୍ରମ ପରିଲକ୍ଷିତ ହୁଏ ଏବଂ ଯେତେବେଳେ ଏଭଳି କିଛି ଶପଥ ଭଙ୍ଗ ସଂଘଟିତ ହୁଏ, ସେତେବେଳେ ଗଣତନ୍ତ୍ରର ସୌଭାଗ୍ୟ ଆସୁ କି ନ ଆସୁ, ଏକ ମୁଗ୍ଧ ଅନୁଭବରେ ପୂରିଉଠେ ଅନୁଭବୀର ମନ ଓ ହୃଦୟ। ଏହି ଆଲେଖ୍ୟଟି ପ୍ରସ୍ତୁତ କଲାବେଳକୁ ସରିଯାଇଥିବା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇ ଫେରିଥିବା ଜଣେ ଅତି ସାଧାରଣ ଭୋଟର ହିଁ ଏ ପ୍ରକାର ଏକ ଉଜ୍ଜ୍ୱଳ ତଥା ଈପ୍‌ସିତ ବ୍ୟତିକ୍ରମ। ଗଣତନ୍ତ୍ରକୁ ସମ୍ମାନ ଜଣାଇ ରାଜଧାନୀରୁ ପ୍ରାୟ ଦେଢ଼ଶହ କି.ମି. ଦୂର ନିଜ ଗଁାକୁ ଭୋଟ ଦେଇ ଯାଇଥିବା ଏ ଲେଖକର ଜଣେ ବନ୍ଧୁଙ୍କ ଅଙ୍ଗେନିଭା ଅନୁଭୂତି ୟେ।
ନିଜ ଗଁାର ଜଣେ ପରିଚିତ ଯୁବକଙ୍କୁ ଏଥର ଭୋଟ ଦେଲେ କି ନାହିଁ ବୋଲି ବନ୍ଧୁ ପଚାରିଲାରୁ ଯୁବକଟି ଉତ୍ତର ଦେଲା, ”ହଁ ବାବୁ! ଭୋଟ ପୂର୍ବଦିନ ମାଂସ ଭାତ ଖାଇଲୁ, ମଦ ପିଇଲୁ, ପକେଟରେ ଦୁଇ ହଜାର ଟଙ୍କା ଭରିଲୁ ଓ ହାତରେ ତୁଳସୀ ଧଣ୍ଡା ଧରି ଠାକୁରଙ୍କ ଫଟୋ ଛୁଇଁ ସେଇ ଦାତାଙ୍କୁ ଭୋଟ ଦେବୁ ବୋଲି ଶପଥ କଲୁ। ମାତ୍ର ଭୋଟଦିନ ତାକୁ ଭୋଟ ନ ଦେଇ ଆମକୁ କିଛି ବି ଦେଇ ନ ଥିବା ଅନ୍ୟ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ମୋ ଭୋଟ ଦେଲି।“ ପରମ ଆଶ୍ଚର୍ଯ୍ୟରେ ବନ୍ଧୁ କହିଲେ, ”ଇଏ କେମନ୍ତ ଧର୍ମଛଡ଼ା କଥା! ଖାଇଲ ଜଣକର, ଭୋଟ ଦେଲ ଅନ୍ୟ ଜଣକୁ? ଈଶ୍ୱର ରାଗିବେନି?“
ଜଣେ ବିଜ୍ଞ ବିଚାରକ ବା ପ୍ରାଜ୍ଞ ପ୍ରବଚକଙ୍କ ଭଳି ଗାଉଁଲି ଯୁବକଟି ଉତ୍ତର ଦେଲା, ”ଈଶ୍ୱର କ’ଣ ତୁମ ଆମ ଭଳି ହୋଇଛନ୍ତି ଆଜ୍ଞା! ମାତ୍ର ଦୁଇ ହଜାର ଟଙ୍କା ଓ ମାଂସଭାତ ଖାଇ ଶପଥଚ୍ୟୁତ ହେଲେ ସେ ରାଗିବେ! ଅଥଚ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୋଟ କିଣୁଥିବା ଲୋକଙ୍କୁ ଠିକ୍‌ କରିଛୁ“ କହି କୋଳେଇ ନେବେ? ଦୁଇ ହଜାର ନେଇ ଭୋଟ ନ ଦେଲେ ଆମ ଭଳି ଲୋକର ଅଧର୍ମ କେବଳ ଆମ ପାଖରେ ରହିବ। ମାତ୍ର ଲକ୍ଷ ଲକ୍ଷ ଦେଇ ଭୋଟ କିଣୁଥିବା ଅସାଧୁ ନେତାଙ୍କ ଅଧର୍ମରେ ତ ଆମ ଦେଶ ଭୁଶୁଡ଼ିଯିବ। କହୁନାହାନ୍ତି ସାର୍‌, ”କିଏ ବେଶି ଅଧର୍ମୀ?“ ସରଳ ଗ୍ରାମ୍ୟ ଯୁବକଟି, ଅଥଚ କେତେ ପରିପକ୍ୱ ତା’ର ଚେତନା!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର -୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri