ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ ଜୋକ ମାଡ଼ି ଆସିବେ ଉଇ, ପିମ୍ପୁଡ଼ି ଆଉ ଅସରପା ଭଳି ଅନେକ। କେଉଁ ବାଟେ ଅସରପା ଆସିଯାଆନ୍ତି ଦେଖୁ ଦେଖୁ କେଉଁଠି ପଶିଯିବେ। ବିରକ୍ତ ଲାଗେ। ଆମେ ତ ପଢ଼ିଛୁ ଯେ ଯଦି କୌଣସି ଜୀବ ପରମାଣବିକ ବିକିରଣରୁ ରକ୍ଷା ପାଇଥାଏ ତାହା ହେଉଛି ଅସରପା। କାନ୍ଥ କଡ଼େ କଡ଼େ ଧାଡ଼ି ଧରି ଚାଲିଥିବା ପିମ୍ପୁଡ଼ି ଦେଖିଲେ ମନହୁଏ ଜାଣିବାକୁ ସେମାନେ କୁଆଡ଼େ ଯାଉଛନ୍ତି, ଚାଉଳ ଡାଲାକୁ ସଫାକରି ଦେବେନି ତ! ଝରକା କି କବାଟ କଣରେ ବିରୁଡ଼ି ବସା ବାନ୍ଧିଥିଲେ ଦେଖିବାକୁ ଇଚ୍ଛା ହୁଏ ସେମାନେ ଦିନକୁ ଦିନ କିପରି ବସା ବଢ଼ାନ୍ତି। କାହାକୁ ବିନ୍ଧିଦେଲା ତ ତାକୁ କଚାଡ଼ି ପାଦରେ ଦଳିଦେଉ। ମନକଷ୍ଟ ହୁଏ କାହିଁକି ମାରିଦେଲି ତାକୁ ତ ଧୂଆଁ ଦେଇ ଉଡ଼ାଇଦେଇପାରିଥାନ୍ତି।
ଇତର ଜନ୍ତୁଙ୍କୁ ମାରିଦେବା ବେଳେ ଆମେ କେବେ ଭାବୁନୁ ଯେ ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ମଣିଷଟିଏ ଯେପରି ନିଜର ଆବଶ୍ୟକତା ପାଇଁ ଅନ୍ୟର ଅଧିକାରରେ ଥିବା ସାମଗ୍ରୀ ଚୋରିକରେ କୀଟପତଙ୍ଗମାନେ ବି କରନ୍ତି, ଗଛଲତାମାନେ ବି କରନ୍ତି। ସାଧାରଣ ମଣିଷର ମତରେ ଜୀବ ଅଜୀବ ଭେଦ ଅଛି, କିନ୍ତୁ ପରିବେଶରେ ସମସ୍ତଙ୍କର ଟେରିିଟୋରିଆଲିଟି/ଆଞ୍ଚଳିକତାଭାବ (ତିଷ୍ଠିବା/ବଞ୍ଚିରହିବା ପାଇଁ ଦରକାର ଜାଗା) ଅଛି। ବର କି ଓସ୍ତ ମଞ୍ଜି ଇଟା କି ପଥର ସନ୍ଧିରେ ପଡ଼ିଗଲେ ସେଠି ଗଜୁରି ଉଠି ଜାଗା ମାଡ଼ିବସେ – ତାହା ଜଗନ୍ନାଥଙ୍କ ମନ୍ଦିର ହେଲେ ବି। ଇଏ ତ ପରିବେଶର ନିୟମ। ପରେ ଲୋକେ ତାକୁ ବାଞ୍ଛାବଟ ମାନି ପୂଜା କରିପାରନ୍ତି। ଅଥଚ ଆମ ଘରର ପାଣିଟାଙ୍କି ତଳେ ବର/ଓସ୍ତ ଉଠିଲେ ତାକୁ ମାରିବା ଲାଗି ଆମେ କାର୍ବୋଲିକ୍‌ ଏସିଡ୍‌ ପକାଇ ତା’ ଚେରକୁ ପୋଡୁ। ଗଛଟି ତିଷ୍ଠିବା ଲାଗି କେତେ କଷ୍ଟ କରୁଛି ତା’ ଭାବୁନା। କଷ୍ଟ କଲେ କୃଷ୍ଣ ମିଳେ – ଏ ଭାବ ପ୍ରାଣୀ ଓ ଅପ୍ରାଣୀ ତଥା ଫଙ୍ଗସ୍‌(ଫିମ୍ପି) ଭିତରେ ଅଛି: ଏ ଭାବକୁ ଇଂଲିଶରେ କହନ୍ତି ମୋଟିଭେଶନାଲ ଟ୍ରେଡ୍‌ ଅଫ୍‌ (ଇଚ୍ଛାଗତ ବୁଝାମଣା)। ତାହା ହିଁ ତ ଚେତନାର ଚିହ୍ନ ବା ଅନୁଭବର ଲକ୍ଷଣ।
ପାଚିଲା ବା ପଚା ଫଳ ଉପରେ ବସୁଥିବା ଗଣଗଣିଆ ମାଛି ନୂଆ ନୂଆ ଜାଗାକୁ ଯାଏ, ଆଗରୁ ଭଲପାଉଥିବା ଜାଗା ପ୍ରତି ଆଗ୍ରହହୀନତା ଦେଖାଏ – ଏ ଗୁଣ ଅନୁଭବ କରୁଥିବାର ସଙ୍କେତ ଦେଉଛି, ଯାହା ସ୍ବୟଂଚାଳିତ ଯନ୍ତ୍ରଟିଏ ଦିଏ ନାହିଁ – ଏ ହେଉଛି ଭଲ ମନ୍ଦ ବିଚାର କରିବା ବା ଦେଣନେଣ ବିଚାର କରିବାର ଗୁଣ। ଆଗରୁ ଭଲ ପାଉଥିବା ସାମଗ୍ରୀ ଏବେ ଭଲ ନ ଲାଗିବା ମଣିଷ ଭଳି ଜୀବନ୍ତର ଗୁଣ, ଯାହାକୁ ଆମେ ଅବସାଦ କହୁ। ଆମେ ଅବସାଦ ଦୂରକରିବା ଲାଗି ଯେଉଁ ଔଷଧ ଖାଉ ତାକୁ ଆନୁପାତିକ ହାରରେ ଗଣଗଣିଆ ମାଛିକୁ ଦେଲେ ସେ ବି ଅଇଁଠା (ଛାଡ଼ି ଯାଇଥିବା ଜିନିଷ)କୁ ଆଉ ଥରେ ଖାଇବାକୁ ଚାହିଁବ। ଏଇ ତ ଜୀବର ନୈତିକ ମୂଲ୍ୟବୋଧ। କାଲି ଯାର ମଙ୍ଗଳ ପାଞ୍ଚୁଥିଲୁ ଆଜି ତାକୁ ଶତ୍ରୁ ଭାବିବା ବ୍ୟାବହାରିକତାରୁ ଆସେ, ଯାହାକୁ ପ୍ରାଗ୍‌ମାଟିଜମ୍‌ କୁହାଯାଏ- ଯେତେବେଳେ ଆମେ ଦେଖୁ ଇତିହାସ ମନେ ପକାଉଥିବା ଆଚରଣବିଧିକୁ ଆଉ ସମାଜ ବାନ୍ଧିଦେଇଥିବା ନୈତିକ ସତ୍ୟତାକୁ, ଯାହା କାହାର ମର୍ଜି ଉପରେ ନାହିଁ। ଖାଦ୍ୟ ପାଇଁ କାହାକୁ ନ ମାରି, ପରିବହନ ପାଇଁ କାହାକୁ ଜବରଦସ୍ତ ନ କରି ବା ଜୁଆଳିରେ ନ ବାନ୍ଧି, ଚାଷ ପାଇଁ ସେମାନଙ୍କ ବଳକୁ ନ ଯୋଡ଼ି ଆମେ ମଣିଷର ଇତିହାସକୁ ଏତେ ବାଟ ଆଣିପାରିଥାଆନ୍ତେ କି? ତହିଁରେ ବା ସେ ପ୍ରୟାସରେ ଧର୍ମସଙ୍କଟ ବା ନୈତିକତାର ପ୍ରଶ୍ନ ଉଠାଇ ନ ଥିଲୁ। ଏହି ଅଳ୍ପ ଦିନ ହେଲା ଆମେ ପ୍ରାଣୀଙ୍କୁ ନୈତିକ ଅଧିକାର ଦେବା କଥା ଉଠାଇଛୁ। ଆରମ୍ଭରୁ ପ୍ରାଚ୍ୟ ସଭ୍ୟତାରେ ରହିଆସିଥିବା ଏ ଚିନ୍ତାଧାରା କାଳକ୍ରମେ ଇହୁଦୀ, ଖିରସ୍ତାନି ଓ ଇସ୍‌ଲାମ ଭଳି ଆବ୍ରାହାମୀୟ ପ୍ରଭାବରେ ମଉଳିଯାଇଥିଲା, ଏବେ ଗଜୁରିଲାଣି। ହିନ୍ଦୁଙ୍କ ମତରେ ଜଣେ ସମସ୍ତଙ୍କ ବୀଜପ୍ରଦ ପିତା। ତେଣୁ ଜୀବ ଅଜୀବ ସମସ୍ତଙ୍କ ମୂଳ ସିଏ, ସୃଷ୍ଟିରେ ସମସ୍ତେ ସମ୍ମାନ ଓ ଆତିଥ୍ୟର ପାତ୍ର। ପାଶ୍ଚାତ୍ୟ ସଭ୍ୟତାକୁ ପ୍ରଭାବିତ କରିଥିବା ବାଇବେଲ କହିଦେଲା, ଈଶ୍ୱର ମଣିଷକୁ ତାଙ୍କ ଛବିରେ ତିଆରି କରିଛନ୍ତି, ତେଣୁ ବହୁଦିନ ଧରି ପାଶ୍ଚାତ୍ୟ ଲୋକେ କହିଚାଲିଲେ, ଅନ୍ୟ ପ୍ରାଣୀମାନେ ଇତର, ତେଣୁ ଘୃଣ୍ୟ। ଏବେ ସେମାନଙ୍କଠାରେ ବ୍ୟାବହାରିକତା ବା ପ୍ରାଗ୍‌ମାଟିଜମ୍‌ ପ୍ରବେଶ କଲାଣି। ଏବେ ସେମାନେ ବୁଝିଲେଣି ଯେ ସବୁ ଜୀବଜନ୍ତୁ ଗଛଲତା ଆଉ ପିମ୍ଫି ସହ ଦୃଶ୍ୟ ଅଦୃଶ୍ୟ ଜୀବାଣୁର କ୍ରିୟାକଳାପ, ନିର୍ଜୀବ ବୋଧ ହେଉଥିବା ବସ୍ତୁଗୁଡ଼ିକର ରାସାୟନିକ କ୍ରିୟା ଓ ତା’ ସହ ପଦାର୍ଥବିଦ୍ୟାର ନିୟମମାନ ମଣିଷକୁ ଏପରି ଏକ ଶୀର୍ଷ ସ୍ଥାନକୁ ଆଣିଛି ଏବଂ କେବଳ ମଣିଷ ହିଁ ପୃଥିବୀକୁ ସମସ୍ତଙ୍କ ପାଇଁ ସୁସ୍ଥ ରଖିପାରିବ। କେତେକଙ୍କୁ ପୋଷା ମନାଇ ଆମ ଉପରେ ନିର୍ଭରଶୀଳ କରିଦେଇଛୁ ତ ଅନ୍ୟମାନେ ବଣରେ ରହି ଆମଠୁ ଭିନ୍ନ ହୋଇଯାଇଛନ୍ତି ଏବଂ ସେମାନଙ୍କ ଟେରିଟୋରିଆଲିଟିକୁ ଆମେ ସମ୍ମାନ ଦେଉନାହଁ। ବଣଜଙ୍ଗଲ ପରିମାଣ କମିଯାଉଥିବାରୁ ସେମାନେ ମଣିଷ ବସତିରେ ଜବରଦଖଲ କରୁଛନ୍ତି, ଫସଲ-ସହାୟକ କୀଟପତଙ୍ଗ ଓ ଜୀବଜନ୍ତୁମାନେ ଫସଲହାନିକାରକ ହୋଇପଡୁଛନ୍ତି। ସେମାନଙ୍କ ସହ ଆମର ଯୁଦ୍ଧ ଅହରହ ଚାଲିଛି। ଆଗେ ଆମେ ତଉଲୁଥିଲୁ ସମ୍ପୃକ୍ତ ଜୀବଟିର ରହିବା ଆମ ଜୀବନ ପ୍ରତି କେତେ ଭଲ ଆଉ କେତେ ମନ୍ଦ। କ୍ଷତିଠାରୁ ଲାଭ ବେଶି ଦେଉଥିବା ଜୀବ ମଣିଷର ପୂଜ୍ୟ ହୋଇଥିଲା। ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତି ପରିବେଶର ଏ ସରଳ ସୂତ୍ରକୁ ଭୁଲିିଗଲା, ମଣିଷ ତା’ର ପ୍ରବଳ ବଳ ଲଗାଇ ଏକଲା ଏକଲା ନିଜକୁ ଗଢ଼ିଲା। ଏବେ ଶିକ୍ଷା ପାଇଲାଣି ଯେ ପରିବେଶ ସୁସ୍ଥ ନ ରହିଲେ ମଣିଷ ଜୀବନ କଷ୍ଟକର – ନିଶ୍ଚିହ୍ନ ବି ହୋଇପାରେ। ସମାଧାନ ହେଉଛି ସମସ୍ତଙ୍କୁ ଯଥାରୀତି ପରିବେଶ ମିଳୁ।
ଧର୍ମାଳୁ ଓଡ଼ିଆଙ୍କୁ ବୁଝାଇବା ଲାଗି ନରେନ୍ଦ୍ର ପୋଖରୀର ଉଦାହରଣ ନେବା। ଆମେ ଦଳ ସଫା କରୁ ପିଲାମାନେ ଗାଧୋଇ ପାରିବେ ଆଉ ପହଁରି ପାରିବେ ବୋଲି। ପଙ୍କ ଉଦ୍ଧାରକଲା ବେଳେ କେତେ ଯେ ଗେଣ୍ଡା ବେଙ୍ଗ ମାରିଦେଉ ଭାବୁନା। ସେତିକିରେ ସରେ ନାହିଁ। ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଏ ଯାବତ୍‌ ସଫା ହୋଇଥିବା ପାଣିରେ ଅସଂଖ୍ୟ ଅଣୁଜୀବ ସାଲୁ ସାଲୁ ହେଉଥାନ୍ତି। ଆମେ ଚାହୁଁଛୁ ଠାକୁରଙ୍କ ପାଣି ସଫା ରଖିବାକୁ ପଡ଼ିବ। ଚିନ୍ତାଶୀଳ ମଣିଷମାନଙ୍କଠାରେ ଏଇଠି ଏକ ନୈତିକ ଦ୍ୱନ୍ଦ୍ୱ ଉପୁଜେ: ସବୁ ଜୀବ ତ ଅମୂଲ୍ୟ, ଏ ଅଣୁଜୀବମାନେ କାହିଁକି ମରିବେ। ଏକ ଆପେକ୍ଷିକ ଅର୍ଥରେ ସଫା, କେବେ ସମ୍ପୂର୍ଣ୍ଣ ସଫା ହୋଇପାରିବ ନାହିଁ କୌଣସି ଜଳାଶୟ। ତଥାପି ମଣିଷ ବଳ ପ୍ରୟୋଗ କରୁଛି, ଲୁହାକଣ୍ଟା ଝାଡୁ (ରେକ୍‌)ରେ ପଙ୍କ କାଢ଼ି ଫୋପାଡୁଛି, ଉଦ୍ଦେଶ୍ୟ ଆମେ ଜିତିବୁ, କିନ୍ତୁ ଏ ପ୍ରକାର ଉଦ୍ୟମ ଯେ ପରିବେଶର ସନ୍ତୁଳନତାକୁ ନଷ୍ଟ କରୁଛି ତା’ ଭାବୁନାହୁଁ। ଏବେ ଆମର ଲକ୍ଷ୍ୟ ହେବା କଥା ଯନ୍ତ୍ରଣାଲାଘବ ବା କ୍ଷତିହ୍ରାସ (harm reduction) ଯାହା ଆମକୁ ନୈତିକ ଦ୍ୱନ୍ଦ୍ୱ ବା ଧର୍ମ ସଙ୍କଟରୁ ରକ୍ଷା କରିବ। ମହାଭାରତ ଯୁଦ୍ଧର ମୂଳ କାରଣ କ୍ଷତିହ୍ରାସ – ଅତ୍ୟାଚାରୀ କୌରବମାନେ ନ ମଲେ ସଂସାରରେ ଅତ୍ୟାଚାର ଚାଲୁରହିବ, ଲୋକେ ସବୁଦିନେ ପ୍ରପୀଡ଼ିତ ହେବେ। ସେମାନେ ନଷ୍ଟ ହେଲେ ଏବେ ଓ ସୁଦୂର ଭବିଷ୍ୟତରେ ସମାଜ ଏକ ପ୍ରିୟାପ୍ରୀତିହୀନ ସୁଶାସନରେ ଚାଲିବ। ସ୍ବଜନମାନଙ୍କ ମୃତ୍ୟୁ ଏହି କ୍ଷଣ ପାଇଁ ତୁମକୁ ଦୁଃଖ ଆଣିବ କିନ୍ତୁ ସେମାନଙ୍କ ମୃତ୍ୟୁ ସୁଦୂର ଭବଷ୍ୟତ ପାଇଁ ସମଗ୍ର ସମାଜର ସୁଖଶାନ୍ତି ନିମନ୍ତେ ସୁସ୍ଥ ପରିବେଶ ସୃଷ୍ଟିକରିବ। ମହତ୍ତର ଓ ଦୀର୍ଘକାଳୀନ ଭଲ ପାଇଁ ସଂକୀର୍ଣ୍ଣ ତଥା ସାମୟିକ ସମ୍ପର୍କକୁ ବଳିଦେବା ତୁମର ଧର୍ମ ବୋଲି ଗୀତାରେ ବୁଝାଇଦିଆଯାଇଛି। ଦାର୍ଘକାଳୀନ ସୁଖ ପାଇଁ ଉପସ୍ଥିତ ଦୁଃଖ (ଅର୍ଥାତ୍‌ ଜ୍ଞାତିକୁଟୁମ୍ବ ନାଶଯିବା ଦୁଃଖ) ସହିବା ଧ୍ୟେୟ। ତାହା ହିଁ ପ୍ରାଗ୍‌ମାଟିଜମ୍‌ ବା ବ୍ୟାବହାରିକତା ଏବଂ ହିନ୍ଦୁ ସଂସ୍କୃତି।

ସହଦେବ ସାହୁ
-sahadevas@yahoo.com

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri