ଟିକସ କମାଅ

ଦେଶରେ ତେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଡିଜେଲ ଓ ପେଟ୍ରୋଲ ଦର ଏବେ ଆକାଶଛୁଆଁ ହୋଇଛି। ସହରରେ ପେଟ୍ରୋଲ ଦର ଲିଟର ପିଛା ୮୮.୫୪ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ରହିଛି ୮୫.୦୨ ଟଙ୍କା। ତେଲ ଦର ଏଭଳି ଆକାଶୁଆଁ ହେବାର ସ୍ପଷ୍ଟ କାରଣ ହେଉଛି ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ବୃଦ୍ଧି । ଯେଉଁ ଭଳି ତୈଳ ଦର ବୃଦ୍ଧି ହେଉଛି ତାହା ବାସ୍ତବିକ ଅଯଥାର୍ଥ। ଏହା ସମ୍ପୂର୍ଣ୍ଣ ଜନବିରୋଧୀ କାର୍ଯ୍ୟ। ଯେତେବେଳେ ଅନ୍ତର୍ଜାତୀୟ ଅଶୋଧିତ୍ତ୍ତ ତୈଳର ମୂଲ୍ୟ ବୃଦ୍ଧି ଘଟେ,ସେତେବେଳେ ତାହାର ପ୍ରଭାବ ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼େ। କିନ୍ତୁ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଏ, ସେତେବେଳେ ତୈଳ ବିପଣନ କମ୍ପାନୀଗୁଡ଼ିକ ସେମାନଙ୍କ ମାର୍ଜିନ ବଞ୍ଚାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାନ୍ତି। ଏଣୁ ଉଭୟ ସ୍ଥିତିରେ ଗ୍ରାହକ କ୍ଷତି ସହିଥାଆନ୍ତି। ଏହା‘ମୁଁ ଜିତିଛି ତୁମେ ହାରିଛ’ଭଳି କଥା। ଏବେ ବିଶ୍ୱରେ କୋଭିଡ୍‌ ପ୍ରତିରୋଧୀ ଟିକାକରଣ କ୍ରମଶଃ ଆଗକୁ ବଢ଼ିବା ସହ ଅର୍ଥ ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଅନ୍ୟପକ୍ଷେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ବି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ ମହାମାରୀ ଲୋକଙ୍କୁ ବହୁ ଦୁଃଖ ଦେଇଛି। କୋଭିିଡ୍‌ ଯୋଗୁ ବହୁଦିନ ଧରି ଲାଗି ରହିଥିବା ମାନ୍ଦା ଅର୍ଥ ବ୍ୟବସ୍ଥାରେ ଲୋକମାନେ ସନ୍ତୁଳି ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ତେଲ ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଖୁବ୍‌ ବାଧୁଛି, ଏହା ତାଙ୍କ ଦୁଃଖକୁ ପୁଣି ମନେପକାଇ ଦେଇଛି। ଲୋକମାନଙ୍କ ଚାକିରି ଚାଲିଯାଇଛି। ଚାକିରିରେ ଥିବା ଲୋକମାନେ ବି କମ୍‌ ଦରମା ପାଉଛନ୍ତି। ଏପରି କି ପରିବାରର ଆୟ ମଧ୍ୟ ପୂରା କମିଯାଇଛି। ଏଭଳି ପରିସ୍ଥିତିରେ ତେଲ ଦର ଲୋକମାନଙ୍କ ଦଃଖରେ ଆହୁରି ଦୁଃଖ ଯୋଡ଼ିଦେଇଛି। ଗତ ମାର୍ଚ୍ଚ ମଧ୍ୟଭାଗରୁ ଖୁଚୁରା ପେଟ୍ରୋଲ ଦର ଲିଟର ପିଛା ୧୮.୦୧ ଟଙ୍କା ବଢିଛି। ଅନ୍ତର୍ଜାତୀୟ ତୈଳ ଦର ହ୍ରାସରୁ ସରକାର ଲାଭ ଉଠାଇବା ଲାଗି ରେକର୍ଡ ସ୍ତରର ଟିକସ ବୃଦ୍ଧି କରିବା ଯୋଗୁ ଏଭଳି ଘଟିଛି। ସେହିପରି ଏହି ସମୟରେ ଡିଜେଲ ଦର ପ୍ରତି ଲିଟର ୧୪.୪୪ ଟଙ୍କା ବୃଦ୍ଧି ହୋଇଛି। ଏବକାର ତେଲ ଦର ବୃଦ୍ଧିକୁ ଲକ୍ଷ୍ୟ କଲେ ଜଣାପଡୁଛି, ସତେ ଯେମିତି ଏହା ଅଧିକ ନ ଥିଲା। ଏହି ପରିପ୍ରେକ୍ଷୀରେ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭିତ୍ତିିହୀନ ଆଧାରକୁ ନେଇ ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରିଛନ୍ତି। କହୁଛନ୍ତି ଯେ, ଏହି ନୂଆ ଟିକସରେ ତେଲ ଦର ବଢ଼ିବନି, ସେହି ଟିକସ ଭିତରେ ବ୍ୟବସ୍ଥିତ କରାଯିବ। କିନ୍ତୁ ଏହା କେବଳ ଏକ ବାହାନା।
କୋଭିଡ୍‌ ମହାମାରୀରେ ପୂରା ଧ୍ୱଂସ ହୋଇଯାଇଥିବା ଅର୍ଥ ବ୍ୟବସ୍ଥା ନିଜକୁ ସଳଖୁଥିବା ସମୟରେ ତେଲ ଦର ବୃଦ୍ଧି ଏହା ପ୍ରତି ଏକ ଆହ୍ବାନ ଆଣିଛି। ଏହି ସମୟରେ ଅନ୍ତର୍ଜାତୀୟ ତୈଳ ଦର କମିବାଯାଏ ଅପେକ୍ଷା କରିବା ଠିକ୍‌ ନୁହେଁ। ଏହା କାହାର ନିୟନ୍ତ୍ରଣରେ ବି ନାହିଁ। ଏଣୁ ଖାଉଟିମାନଙ୍କୁ ଆଶ୍ୱସ୍ତ କରିବା ଲାଗି ସରକାର ଟିକସ କମାନ୍ତୁ, ଯାହା ଏବକାର ତେଲ ଦରର ଏକ ସିଂହଭାଗ ହୋଇ ରହିଛି। ଏବକାର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ମୂଲ୍ୟର ପ୍ରାୟତଃ ୬୦-୭୦ ପ୍ରତିଶତ ହେଉଛି ଟିକସ ଓ ଅନ୍ୟାନ୍ୟ ଦେୟ। ସେହିଭଳି ଅନ୍ତର୍ଜାତୀୟ ବଜାରରେ ଭାରତରେ ବିକ୍ରି ହେଉଥିବା ତୈଳ ଇନ୍ଧନର ୩୦-୪୦ ପ୍ରତିଶତ ଅନ୍ତର୍ଜାତୀୟ ଅଶୋଧିତ ତୈଳର ବଜାର ଦର ସହ ସମ୍ପର୍କ ରହିଛି। ତେଣୁ ଯଦି ଲୋକମାନଙ୍କୁ ଦର ବୃଦ୍ଧିଜନିତ ଦୁଃଖ ଲାଘବ କରିବାକୁ ପେଡେ ତେବେ ତାହା କେବଳ ସରକାର ଟିକସ କମାଇବା ଦ୍ୱାରା ହିଁ ସମ୍ଭବ ହୋଇପାରିବ। ତେଲ ଉପରେ ଉଚ୍ଚ ଟିକସ ଲାଗୁ କରିବାରେ ଭାରତର ଅପଖ୍ୟାତି ରହିଛି । ଲୋକମାନଙ୍କୁ ତୁରନ୍ତ ଆଶ୍ୱସ୍ତ କରିବା ଲାଗି ଟିକସ କମାଇବା ଦରକାର ଓ ସରକାରଙ୍କ ପାଇଁ ଏହା ହିଁ ଉପଯୁକ୍ତ ସମୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଟିକସରୁ ଢେର ରୋଜଗାର କରୁଛନ୍ତି। ଏହାଯୋଗୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଏହା ବିରୋଧେରେ ବିରୋଧୀ ଦଳକୁ ଛାଡିଦେଲେ କାହାର ପ୍ରତିବାଦର ସ୍ବର ଆମେ କ୍ୱଚିତ ଶୁଣୁ। କେନ୍ଦ୍ର ଉପତ୍ାଦ ଶୁଳ୍କ ହ୍ରାସ କରିବା ଉଚିତ। ରାଜ୍ୟ ସରକାର ମଧ୍ୟ ମୂଲ୍ୟଯୁକ୍ତ ଟିକସ(ଭାଟ) କମାଇବା ଦରକାର। ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ଲିଟର ପିଛା ପାଖପାଖି ୩୫ଟଙ୍କା ଟିକସ ଲଗାଇଛନ୍ତି। ଏହା ମଧ୍ୟରେ ରହିଛି ବେସିକ ଉପତ୍ାଦ ଶୁଳ୍କ, ସ୍ବତନ୍ତ୍ର ଅତିରିକ୍ତ ଉପତ୍ାଦ ଶୁଳ୍କ ଏବଂ ରାସ୍ତା ଓ ଭିତ୍ତିଭୂମି ସେସ୍‌। ଏହା ସହ ରାଜ୍ୟ ସରକାର ମଧ୍ୟ ଟିକସ ଲଗାଇଛନ୍ତି, ଯାହା ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ରେ ପେଟ୍ରୋଲ ଏବଂ ଡିଜେଲକୁ ସାମିଲ କରିବା ଲାଗି ବାରମ୍ବାର ଦାବି କରାଯାଉଛି। କିନ୍ତୁ ଏହା ପ୍ରତି କୌଣସି ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ତେଲ ଦର ବୃଦ୍ଧି ଲୋକମାନଙ୍କୁ ଏହାର ଉପଯୋଗ କମ୍‌ କରିବାକୁ ପ୍ରେତ୍ସାହିତ କରୁଛି, ଏହା ମଧ୍ୟ ଆର୍ଥିକ ସୁଧାରରେ ବାଧା ଉପୁଜାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri