ଭୁବନେଶ୍ୱର,୧୧।୧ (ବନ୍ଦନା ସେଠୀ): ବିଏମ୍ସି ସଫେଇ ମଜଦୂର ସଂଘର ସଭାପତି ସହଦେବ ନାୟକଙ୍କ ହତ୍ୟାର ପ୍ରତିବାଦ କରିବା ସହ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ ଦାବିରେ ଶୁକ୍ରବାର ସଂଘ ପକ୍ଷରୁ ବିଏମ୍ସି ମୁଖ୍ୟାଳୟ ଘେରାଉ କରାଯାଇଥିଲା। ଘଟଣାର ସିବିଆଇ ଦଦନ୍ତ କରିବା, ପରିବାରକୁ ୩୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ଏବଂ ସହଦେବଙ୍କ ପତ୍ନୀଙ୍କୁ ବିଏମ୍ସିରେ ସ୍ଥାୟୀ ରୂପେ ଚାକିରୀ ପ୍ରଦାନ କରିବାକୁ ଦାବି ହୋଇଥିଲା। ପରେ ସଂଘର ଏକ ପ୍ରତିନିଧି ଦଳ ଏନେଇ ମେୟର ସୁଲୋଚନା ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ ହେବା ସହ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରାଯିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ଏଥିସହ ଶନିବାର ଠାରୁ ସମସ୍ତ ଓ୍ବାର୍ଡରେ ପୂର୍ବପରି କାମ ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସହଦେବଙ୍କ ହତ୍ୟା ଘଟଣାର ପ୍ରତିବାଦ କରି ଗୁରୁବାର ଠାରୁ ସହରର ପ୍ରାୟ ୪୮ଟି ଓ୍ବାର୍ଡରେ ସଂଘର କର୍ମକର୍ତ୍ତାମାନେ କାର୍ଯ୍ୟ ବନ୍ଦ କରାଯାଇଥିଲା।
ଅପରପକ୍ଷେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସହଦେବଙ୍କ ଘରକୁ ଯାଇ ସେଠାରେ ତାଙ୍କ ପରିବାର ସହିତ ଭେଟିଥିଲେ। ସହଦେବଙ୍କ ଏକାଦଶାହ ଭୋଜି ନିଜେ କରିବେ ବୋଲି ରାଣୀ କହିଥିଲେ। ଏଥିସହ ଏଣିକି ପ୍ରତି ମାସରେ ପରିବାରକୁ ସଉଦା ଦେବା ସହ ତାଙ୍କ ଦୁଇଝିଅଙ୍କ ପାଠପଢା ଖର୍ଚ୍ଚ ଏବଂ ତାଙ୍କ ପାଇଁ କିଛି ଟଙ୍କା ଫିକ୍ସ ଡିପୋଜିଟ୍ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।