ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ, ସମ୍ପାଦକ ସସ୍ମିତା ମିଶ୍ର, ମଣ୍ଡଳ ସଭାନେତ୍ରୀ ତାରିଣୀ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ମହିଳା ସ୍ଥାନୀୟ ଆଦିବାସୀ ସାହି ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଦମାଦୁଆ ଛକ ପରିସରରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇଥିଲେ। ସରକାର ମହିଳାଙ୍କ ସାମଗ୍ରିକ ବିକାଶ ପାଇଁ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ ଆଣିଥିବା ବେଳେ କଂଗ୍ରେସ ତାକୁ ବିରୋଧ କରିଥିଲା । କଂଗ୍ରେସ ଏହି ମହିଳା ବିରୋଧୀ ଆଭିମୁଖ୍ୟକୁ ଭାଜପା ମହିଳା ମୋର୍ଚ୍ଚା ବିରୋଧ କରିବା ସହ ବିରୋଧି ଦଳ ନେତା ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ, ସାଧାରଣ ସମ୍ପାଦକ ଏନଟି ଆଚାରୀ, ମୁକ୍ତି ଦଣ୍ଡସେନା, ବିଜୟ ପାତ୍ର, କୂଳ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

