
ନୂଆଦିଲ୍ଲୀ,୧୬ ।୫: ରାଜସ୍ଥାନ ଉଦୟପୁରରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଶେଷ ହୋଇଛି । ୩ ଦିନର ମନ୍ଥନ ପରେ କଂଗ୍ରେସ ୨୦୨୪ରେ ନିଜର ରାଜନୈତିକ ପ୍ରତ୍ୟାବର୍ତ୍ତନ ଲଢେଇର ରୋଡମ୍ୟାପ ପ୍ରସ୍ତତ କରିଛି । ତେବେ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଏକ ବଡ ବୟାନ ଦେଇଛନ୍ତି । ରାହୁଲ କହିଛନ୍ତି, ଯଦି କେହି ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବ ତେବେ ସେ ହେଉଛି କଂଗ୍ରେସ ପାର୍ଟି, ଆଞ୍ଚଳିକ ପାର୍ଟି ନୁହେଁ ।
ଏବେ ରାହୁଲଙ୍କ ଏହି ବୟାନକୁ ନେଇ ଆଞ୍ଚଳିକ ପାର୍ଟି ରାଗି ଉଠିଛନ୍ତି । ରବିବାର ଭାଜପାକୁ ଟାର୍ଗେଟ କରି ରାହୁଲ କହିଛନ୍ତି ଆରଏସଏସ-ଭାଜପାର ବିଚାରଧାରା ଦେଶ ପାଇଁ ବିପଦ । ମୋଦି ସରକାର ବିମୁଦ୍ରିକରଣ ଓ ଜିଏସଟି ଦ୍ୱାରା ଦେଶର ମେରୁଦଣ୍ଡକୁ ଭାଙ୍ଗି ଦେଇଛନ୍ତି । ଯାହା ଫଳରେ ଲୋକେ ଏବେ ଲଗାତାର ମହଙ୍ଗା ମାଡର ଶିକାର ହେଉଛନ୍ତି । ରାହୁଲଙ୍କ ଏଭଳି ବୟାନକୁ ଆଞ୍ଚଳିକ ଦଳ ପିଲାଳିଆମି ବୋଲି କହିଛନ୍ତି । ସମାଜବାଦୀ ପାର୍ଟି କହିଛି ଚିନ୍ତନ ଶିବିର ପରେ ସ୍ପଷ୍ଟ ଦେଖାଯାଉଛି କି କଂଗ୍ରେସ ଦଳ ଦେଶର ରାଜନୀତି ପାଇଁ କେତେବଡ ବିପଦ । ସେହିପରି ଆରଜେଡି କହିଛି ଏବେ ଭାଜପା ଶକ୍ତ ହୋଇଯାଇଛି ତାକୁ ହରାଇବାକୁ ହେଲେ କଂଗ୍ରେସ ଆଞ୍ଚଳିକ ଦଳର ସାହାଯ୍ୟ ନେବା ଜରୁରୀ । କାରଣ ଏକେଲା କଂଗ୍ରେସ କିଛି କରିପାରିବ ନାହିଁ । ଜେଡିୟୁ କହିଛି କଂଗ୍ରେସ ଗୋଟିଏ ପଟେ ଆଞ୍ଚଳିକ ପାର୍ଟିକୁ କଟାକ୍ଷ କରୁଛି ଅନ୍ୟପଟେ ବିହାରରେ ଆଞ୍ଚଳିକ ପାର୍ଟି ପଛରେ ପଡିଛି । ପରିବାରବାଦ ପାର୍ଟିର ଏହା ହିଁ ହେଉଛି ଭାଗ୍ୟ ।