Posted inଫୁରସତ

ବୁଲି ଯାଆନ୍ତୁ ‘ପୁଣ୍ୟଭୂମି ଦ୍ୱାରକା’

ଦ୍ୱାରକା ନାମଟି ଶୁଣିଦେଲେ ପ୍ରତ୍ୟେକ ହିନ୍ଦୁଙ୍କର ହାତ ଆପେଆପେ ଯୋଡ଼ି ହୋଇଯାଏ। ଆଖିରେ ନାଚିଯାଏ ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କର ଅପରୂପ ମୂର୍ତ୍ତି। ହୃଦୟରେ ଅପୂର୍ବ ପୁଲକ ଖେଳିଯାଏ। ଥରୁଟିଏ ସେଇ ପବିତ୍ର ମାଟିକୁ ଛୁଇଁ, ଦ୍ୱାରକାଧୀଶଙ୍କୁ ଦର୍ଶନ କରିବାର ଇଚ୍ଛା ମନରେ ଜାଗି ଉଠେ। ସେଇଠି ତ ଲୀଳାମୟ ଶ୍ରୀକୃଷ୍ଣ ତାଙ୍କ ଜୀବନର ବହୁ ସମୟ ବିତାଇଥିଲେ। ସେଥିପାଇଁ ଏହା ଅତ୍ୟନ୍ତ ପୁଣ୍ୟଧାମ। ପବିତ୍ର ଚାରିଧାମ (ରାମେଶ୍ବର, ବଦ୍ରିନାଥ, ଦ୍ୱାରକା, ପୁରୀ) ମଧ୍ୟରେ ଏହା ଅନ୍ୟତମ। ଗୋମତୀ ନଦୀ ଏବଂ ଆରବ ସାଗରର ମିଳନ ସ୍ଥଳରେ ରହିଛି ବିଶ୍ୱପ୍ରସିଦ୍ଧ ଦ୍ୱାରକାଧୀଶ ମନ୍ଦିର; ଯାହା ଜଗତ ମନ୍ଦିର ନାମରେ ମଧ୍ୟ ଜଣାଯାଏ। ଭାରତୀୟ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ଅନୁଯାୟୀ, ଏହି ମନ୍ଦିର ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା। ଏହା ସମୁଦ୍ର ଜୁଆରରେ ବାରମ୍ବାର କ୍ଷୟ ହୋଇ ନିର୍ମିତ ହୋଇଛି। ତେବେ ପୌରାଣିକ ତଥ୍ୟ ଅନୁସାରେ, ମୂଳ ମନ୍ଦିରଟି ଲୀଳାମୟ ଶ୍ରୀକୃଷ୍ଣଙ୍କର ପ୍ରପୌତ୍ର ବଜ୍ରନାଭଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଐତିହାସିକ ତଥ୍ୟ ଅନୁଯାୟୀ, ଦ୍ୱାରକାଧୀଶଙ୍କର ପୁରାତନ ମନ୍ଦିରଟି ୧୪୭୨ ଖ୍ରୀଷ୍ଟାବ୍ଦରେ ସୁଲତାନ ମହମୁଦ ବେଗଡଙ୍କ ଦ୍ୱାରା ଧ୍ବଂସ କରି ଦିଆଯାଇଥିଲା; ଯାହା ପରବର୍ତ୍ତୀ ସମୟରେ ପଞ୍ଚଦଶ/ଷୋଡ଼ଶ ଶତାବ୍ଦୀରେ ଚାଲୁକ୍ୟ ବଂଶର ରାଜାଙ୍କ ଦ୍ୱାରା ପୁନଃ ନିର୍ମିତ ହୋଇଥିଲା।

ଆରବ ସାଗର ଓ ଗୋମତୀ ନଦୀର ମିଳନ ସ୍ଥଳରୁ ଅଳ୍ପ ଦୂରରେ ପାଣିର ଧାରେଧାରେ ସମୁଦ୍ର ପତ୍ତନଠାରୁ ପ୍ରାୟ ଚାଳିଶଫୁଟ ଉପରେ ଚାଲୁକ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିରଟି ୭୨ଟି ଖୁମ୍ବ ଉପରେ ୫ଟି ଥାକରେ ଗଢ଼ା ହୋଇଛି। ଏହାର ଉଚ୍ଚତା ପ୍ରାୟ ୨୫୬ ଫୁଟ ହେବ। ଏହି ମନ୍ଦିରର ଚୂଡ଼ାରେ ଯେଉଁ ୫୦ ଫୁଟ ଲମ୍ବା ତ୍ରିକୋଣୀୟ ପତାକାଟି ଉଡ଼ୁଛି, ତହିଁରେ ରହିଛନ୍ତି ସୂର୍ଯ୍ୟ ଏବଂ ଚନ୍ଦ୍ର। ମନ୍ଦିରରେ ଦୁଇଟି ଦ୍ୱାର ରହିଛି। ଗୋଟିକର ନାମ ମୋକ୍ଷଦ୍ୱାର ଏବଂ ଅନ୍ୟଟିର ନାମ ସ୍ବର୍ଗଦ୍ୱାର। ସମୁଦାୟ ମନ୍ଦିରଟି ଦୁଇଟି ଭାଗରେ ବିଭକ୍ତ। ଗର୍ଭଗୃହ ଏବଂ ଅନ୍ତରାଳ (ଜଗମୋହନ)। ଗର୍ଭଗୃହର ଆସ୍ଥାନ ଉପରେ ଅପୂର୍ବ ଭଙ୍ଗୀରେ ଠିଆ ହୋଇଛନ୍ତି ଚତୁର୍ଭୁଜ ଶ୍ରୀଦ୍ୱାରକାଧୀଶ। ତାଙ୍କର ଚାରି ଭୁଜରେ ଶୋଭା ପାଉଛି ଶଙ୍ଖ, ଚକ୍ର, ଗଦା, ପଦ୍ମ। କଳା ମୁଗୁନି ପଥରରେ ନିର୍ମିତ ଏହି ମୂର୍ତ୍ତିଙ୍କର ଅନ୍ୟ ନାମ ତ୍ରିବିକ୍ରମ। ତାଙ୍କ ପାର୍ଶ୍ୱରେ ପାର୍ଶ୍ୱ ଦେବତା ଭାବରେ ରହିଛନ୍ତି ବଡ଼ଭାଇ ବଳରାମ, ପୁତ୍ର ପ୍ରଦ୍ୟୁମ୍ନ ଏବଂ ପୌତ୍ର ଅନିରୁଦ୍ଧ। ବାହାର ପଟ କାନ୍ଥରେ ଅଛନ୍ତି ଜାମ୍ବବତୀ, ସତ୍ୟଭାମା, ଲକ୍ଷ୍ମୀ ଓ ରାଧାରାଣୀ। ଶ୍ରୀଦ୍ୱାରକାଧୀଶଙ୍କ ଠିକ୍‌ ସମ୍ମୁଖ ଭାଗରେ ଗୋଟିଏ ପିଣ୍ଡିରେ ଶୋଭା ପାଉଛନ୍ତି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଏବଂ ମାତା ଦେବକୀ। ଏତଦ୍‌ ବ୍ୟତୀତ ସେହି ବେଢ଼ାରେ ମାଧବରାଓଜୀ ଏବଂ ଦୁର୍ବାସା ଋଷିଙ୍କର ପ୍ରତିମା ମଧ୍ୟ ପୂଜା ପାଉଛି।

ମନ୍ଦିରକୁ ଯିବାକୁ ହେଲେ ନିର୍ଦ୍ଧାରିତ ଦୂରତ୍ୱରୁ ଗାଡ଼ି ରଖି ପାଦରେ ଚାଲିଚାଲି ଯିବାକୁ ହୁଏ। ସମୁଦ୍ର କୂଳକୁ ଲମ୍ବିଥିବା ରାସ୍ତା ପାର୍‌ ହେଲେ ଶୁଭେ ସମୁଦ୍ରର ଘୁ.. ଘୁ.. ଗର୍ଜନ। ସେଇଠୁ ଲମ୍ବିଛି ମୁଖ୍ୟ ମନ୍ଦିରକୁ ଯିବା ଲାଗି କରିଡର୍‌ ଭଳି ରାସ୍ତା। ସମୁଦ୍ର ଆଡ଼କୁ ପିଠି କରି ଗଢ଼ା ହୋଇଛି କେତେଗୋଟି ଛୋଟଛୋଟ ମନ୍ଦିର; ଯେଉଁଠାରେ ସମୁଦ୍ର ଢେଉ ଆସି ମାଡ଼ ହେଉଛି, ପଦଚାରୀମାନଙ୍କୁ ପବିତ୍ର ଜଳ ଛିଟିକାଇ ସତେ ଅବା ଆଶୀର୍ବାଦ ଜଣାଇ ଦେଉଛି। ସେହି ଛୋଟ ମନ୍ଦିରସବୁ ଦର୍ଶନ କରି କରି ପହଞ୍ଚତ୍ବେ ମୁଖ୍ୟଦ୍ୱାର ପାଖରେ। ସେଇଠି ଆଗକୁ ଗଲେ ମନ୍ଦିରର ଅଫିସ୍‌। ସେଠାରେ ବ୍ୟାଗ୍‌, ମୋବାଇଲ୍‌, କ୍ୟାମେରା ଇତ୍ୟାଦି ଜମା ଦେଇ ଭିତରକୁ ଯିବାକୁ ହୁଏ। ମନ୍ଦିର ଭିତରେ ଫଟୋ ଉଠାଇବା ମନା। ଦର୍ଶନ ତ ଖୁବ୍‌ ସୁଖକର, ଆଉ ମନ୍ଦିରର ପେଡ଼ା ଭୋଗ ସବୁଠୁ ସୁସ୍ବାଦୁ।

ମୁଖ୍ୟ ମନ୍ଦିର ବୁଲାବୁଲି ସାରିଲେ ଆଗକୁ ଦେଖାଯାଉଛି ସୁଦାମା ସେତୁ। ସେଇ ସେତୁ ଉପରେ ଚାଲି ଚାଲି ପୋତାଶ୍ରୟରୁ ଟିକେଟ୍‌ ଧରି ଯନ୍ତ୍ରଚାଳିତ ବୋଟ୍‌ରେ ବସି ସମୁଦ୍ର ମଝିରେ ଥିବା ଭେଟ୍‌ ଦ୍ୱାରକାକୁ ଯିବାକୁ ହୁଏ। ସେଇ ବୋଟ୍‌ ହିଁ ମୂଳ ଦ୍ୱାରକାକୁ ଯିବାର ଏକମାତ୍ର ମାଧ୍ୟମ। କଥିତ ଅଛି ସେଇଠାରେ ହିଁ ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କର ଭେଟ ହୋଇଥିଲା ବାଲ୍ୟବନ୍ଧୁ ଦରିଦ୍ର ବ୍ରାହ୍ମଣ ସୁଦାମାଙ୍କ ସହିତ। ଦ୍ୱାରକାଧୀଶ ଶ୍ରୀକୃଷ୍ଣ ରତ୍ନ ସିଂହାସନରୁ ଉଠି ନିଜେ ଧାଇଁ ଆସିଥିଲେ ବନ୍ଧୁ ସୁଦାମାଙ୍କୁ ସଙ୍ଖୋଳି ନେବା ପାଇଁ। ବନ୍ଧୁତାର ଚରମ ନିଦର୍ଶନ ସେହି ପୀଠଟି ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଛି ଜନମାନସରେ। ସେହି ସ୍ମୃତିକୁ ବହନ କରି ସେଠାର ରହିଛି ଭେଟ୍‌ ଦ୍ୱାରକାଧୀଶ ବା କେଶବରାଓଜୀଙ୍କର ମନ୍ଦିର। ସେଠାରେ ମଧ୍ୟ ଶ୍ରୀକୃଷ୍ଣଙ୍କର ଚତୁର୍ଭୁଜ ମୂର୍ତ୍ତି ରହିଛି। ଆହୁରି ମଧ୍ୟ ରହିଛି ସୁଦାମାଙ୍କର ମୂର୍ତ୍ତିଟିଏ। ବୋଟ୍‌ରୁ ଓହ୍ଲାଇ ସେଠାକୁ ପାଦରେ ଚାଲି ଚାଲି ଯିବାକୁ ପଡ଼େ। ସେଠାରେ ମଧ୍ୟ ଅନେକ ଦୋକାନ ବଜାର ରହିଛି। ସେଠାରେ ଫଟୋ ଉଠାଇବା ମନା। ତଥାପି ମନ୍ଦିର ଆଉ ଠାକୁରଙ୍କର ଅନେକ ଫ୍ରେମ୍‌କରା ଫଟୋ ସହିତ ଅନେକ ସୌଖୀନ୍‌ ଜିନିଷ ସେଠାରେ ଥିବା ଦୋକାନମାନଙ୍କରେ ମିଳିଥାଏ।
ଦ୍ୱାରକା ଦର୍ଶନ କଷ୍ଟସାଧ୍ୟ ଏବଂ କ୍ଳାନ୍ତିକର ଯାତ୍ରା ହେଲେ ମଧ୍ୟ ସାରା ବିଶ୍ବରୁ ଅନେକ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି ସାଗରର ସୌନ୍ଦର୍ଯ୍ୟ ଏବଂ ମନ୍ଦିରରେ ଦ୍ୱାରକାଧୀଶଙ୍କର ଭବ୍ୟ ଦର୍ଶନ କରିବା ପାଇଁ। ଏଠାକୁ ଯିବା ପାଇଁ ନିକଟତମ ଏୟାରପୋର୍ଟ ଏବଂ ରେଲୱେ ଷ୍ଟେସନ୍‌ ହେଉଛି ଅହମ୍ମଦାବାଦ। ଅହମ୍ମଦାବାଦରେ ରହିଛି ଆନ୍ତଃ ରାଜ୍ୟ ବସ୍‌ ସେବା, ଯେଉଁଠି ଦେଶର ସବୁ କୋଣ ଅନୁକୋଣରୁ ବସ୍‌ ଯାତାୟାତ କରିଥାଏ। ସେଠାରେ ଓହ୍ଲାଇ ଲୋକାଲ୍‌ ଅଟୋ କିମ୍ବା ଟ୍ୟାକ୍ସି ଧରି ଦ୍ୱାରକାଧୀଶଙ୍କର ମନ୍ଦିରଯାଏଁ ସହଜରେ ଯାଇହୁଏ।

– ସୁଷମା ପରିଜା, ଶାରଳା ଭବନ,
ପୋତାପୋଖରୀ, ନୂଆବଜାର, କଟକ
ମୋ: ୯୩୩୭୨୭୨୬୪୭


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?