ସଞ୍ଜ ନଇଁଲେ ଶଙ୍କା

ଢେଙ୍କାନାଳ ଅଫିସ, ୪।୧୨: ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। ତେବେ ସାରାଦିନ ସବୁଜିମା କୋଳରେ ବିତାଇ ସନ୍ଧ୍ୟାରେ ଘରକୁ ବାହୁଡ଼ିବା ବେଳକୁ ସୁରକ୍ଷା ଚିନ୍ତାରେ ପର୍ଯ୍ୟଟକ ହୋଇପଡୁଛନ୍ତି ଶଙ୍କାଗ୍ରସ୍ତ। ନିଛାଟିଆ ଅଞ୍ଚଳରେ ମଦ୍ୟପ, ଅସାମାଜିକଙ୍କ ରାଜୁତି ଏହି ଶାନ୍ତି ଇଲାକାକୁ କରିଦେଉଛି ଅସୁରକ୍ଷିତ। କେବଳ ସୁରକ୍ଷା ନୁହେଁ, ପାନୀୟ ଜଳ ସୁବିଧା ନ ଥିବାରୁ ବଣଭୋଜି ପାଇଁ ୫ କିଲୋମିଟର ଦୂରରୁ ବୁହା ହୋଇ ଆସୁଛି ପାଣି। ସରକାରୀ ଅବହେଳା ପାଇଁ ନାଲିଫିତା ତଳେ କୋଟିଏ ଟଙ୍କାର ପ୍ରସ୍ତାବ ଅଟକି ରହିଥିବାବେଳେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦଖଲ କରିବାକୁ ସଂଘର୍ଷ କରୁଛି ‘ସାପୁଆ’।
ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ‘ସାପୁଆ’କୁ ମିଳିଛି ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ। ଭୁବନେଶ୍ୱରଠାରୁ ପ୍ରାୟ ୯୦ କିଲୋମିଟର ଏବଂ ଢେଙ୍କାନାଳଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟନ ଋତୁରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ବଣଭୋଜି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ। ସେହିପରି ଢେଙ୍କାନାଳ, ଅନୁଗୋଳ ଜିଲାର ପ୍ରକୃତିପ୍ରେମୀ ଅପରାହ୍ନରେ ପ୍ରକୃତିର ଶୋଭାକୁ ଉପଭୋଗ କରିବା ପାଇଁ ଏଠାରେ ଭିଡ଼ ଜମାଇଥାଆନ୍ତି। ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ନିର୍ମାଣ କରାଯାଇଥିବା ସର୍ପିଳ କଂକ୍ରିଟ୍‌ ସ୍କୁଇସ୍‌ ଗେଟ୍‌ ଏହାକୁ ଅଧିକ ଆକର୍ଷଣୀୟ କରିଥିବାବେଳେ ନିକଟ ଜଙ୍ଗଲରୁ ପାଣି ପିଇବାକୁ ଆସୁଥିବା ହରିଣ, ହାତୀଙ୍କ ଜଳକ୍ରୀଡ଼ା ଦୃଶ୍ୟକୁ କ୍ୟାମେରାରେ କଏଦ କରିବାକୁ ଅନେକେ ଅପେକ୍ଷା କରିଥାଆନ୍ତି।
ତେବେ ଏଭଳି ଏକ ପର୍ଯ୍ୟଟନସ୍ଥଳୀ ସରକାର ଏବଂ ପ୍ରଶାସନିକ ଅବହେଳାରୁ ଅବହେଳିତ ଅବସ୍ଥାରେ ରହିଛି। ଏହାକୁ ନୂଆ ରୂପ ଦେବାକୁ ୨୦୧୯ରେ ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିଲା। ହେଲେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ପିଇବା ପାଣି ସୁବିଧା ନ ଥିବାରୁ ସାପୁଆଠାରୁ ୫ କିଲୋମିଟର ପୂର୍ବରୁ ଥିବା ରାସୋଳ-ତେଲିଭୂଇଁ ଛକରୁ ପର୍ଯ୍ୟଟକଙ୍କୁ ପାଣି ବୋହି ନେବାକୁ ପଡୁଛି। ଆଲୋକ ବ୍ୟବସ୍ଥା ନ ଥିବାରୁ ସଞ୍ଜ ନଇଁଲେ ଅସାମାଜିକଙ୍କ ଆଡ୍ଡା ପାଲଟୁଛି ସାପୁଆ। ପରିବାର ସହ ଆସିଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସନ୍ଧିହାନ ହୋଇପଡୁଥିବାରୁ ସେମାନେ ତରବରିଆ ଭାବେ ଫେରିବାକୁ ବାଧ୍ୟ ହେଉଛନ୍ତି। ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ସୁବିଧା ସହ କେତେକ ଦୋକାନ ଖୋଲିବାକୁ ଅନୁମତି ଦିଆଗଲେ ଏହି ପର୍ଯ୍ୟଟନ ସ୍ଥଳୀ ଅଧିକ ଚଳଚଞ୍ଚଳ ହୋଇପାରନ୍ତା। ସେହିପରି କନ୍ଧରା-ସାତକୋଶିଆ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏହି ପର୍ଯ୍ୟଟନସ୍ଥଳୀରେ ଓ୍ବାଚ୍‌ ଟାଓ୍ବାର କରାଗଲେ ଦୂରଦୂରାନ୍ତର ଯାଏ ସବୁଜିମା, ବନ୍ୟଜୀବନକୁ ଉପଭୋଗ କରିହେବ। ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ଦେଲେ ‘ସାପୁଆ’ର ବିକାଶ ପାଇଁ ବାଟଫିଟନ୍ତା ବୋଲି ମତପ୍ରକାଶ ପାଇଛି।

୨୦୦୬ରୁ ଜମିକୁ ଯୋଗାଉଛି ଜଳ
ଢେଙ୍କାନାଳ ଜିଲା ରାସୋଳ ଅଞ୍ଚଳର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ୧୯୯୩ରେ ଆରମ୍ଭ ହୋଇଥିଲା ‘ସାପୁଆ-ବଡ଼ଜୋରା’ କ୍ଷୁଦ୍ର ସେଚ ପ୍ରକଳ୍ପ। ୨୦୦୬ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ୧୨୯୦ ମିଟର ଦୈର୍ଘ୍ୟ, ୨୬ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ୟାମ୍‌ ୩୬୮୨ ହେକ୍ଟର ଜାଗାରେ ଅବସ୍ଥିତ। ଜଳସେଚନ ଉଦ୍ଦେଶ୍ୟରେ ନିର୍ମିତ ଏହି ଜଳଭଣ୍ଡାର ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

ପାନୀୟ ଜଳ ପ୍ରମୁଖ ସମସ୍ୟା
ସାପୁଆ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ ହୋଇଛି। ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ। ସନ୍ଧ୍ୟା ହେଲେ ସୁରକ୍ଷା ଚିନ୍ତା ଘାରୁଛି। ପରିବାର ସହିତ ଆସୁଥିବା ପର୍ଯ୍ୟଟକ ତରବରିଆ ଭାବେ ଫେରିଯାଉଛନ୍ତି। ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ।
-ଅଞ୍ଜନ କୁମାର ଦ୍ୱିବେଦୀ, ଅନୁଗୋଳ
ବିଶ୍ରାମସ୍ଥଳୀର ଆବଶ୍ୟକତା ରହିଛି
‘ସାପୁଆ’ରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ଏଠାରେ ପାର୍କ, ଆବଶ୍ୟକ ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଗଲେ ପର୍ଯ୍ୟଟକମାନେ ସନ୍ଧ୍ୟାକାଳୀନ ମନୋରମ ପରିବେଶକୁ ଉପଭୋଗ କରିପାରନ୍ତେ। ବୟସ୍କ ଏବଂ ମହିଳାଙ୍କ ପାଇଁ ଏକ ବିଶ୍ରାମସ୍ଥଳୀର ମଧ୍ୟ ଆବଶ୍ୟକତା ରହିଛି।
-ସତ୍ୟଭାମା ନାୟକ, ତେଲିଭୂଇଁ, ରାସୋଳ
ସରକାର ଅଣଦେଖା କରୁଛନ୍ତି
ସବୁଜିମା ପରିବେଶରେ ଅବସ୍ଥିତ ‘ସାପୁଆ’ ବଣଭୋଜି ପାଇଁ ପ୍ରକୃଷ୍ଠ ସ୍ଥାନ। କିନ୍ତୁ ରାଜ୍ୟ ସରକାର ଏହାର ବିକାଶ ପ୍ରତି ଅଣଦେଖା କରୁଛନ୍ତି। ପାନୀୟଜଳ, ବୋଟିଂ ବ୍ୟବସ୍ଥା କରାଗଲେ ଅଧିକ ପର୍ଯ୍ୟଟକ ଆକର୍ଷିତ ହୁଅନ୍ତେ। ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜରୁରୀ ହୋଇପଡ଼ିଛି।
-ସୁବାସ ଚନ୍ଦ୍ର ନାୟକ, ରାସୋଳ
ଏସ୍‌ଏଚ୍‌ଜିକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ
ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ‘ସାପୁଆ’ର ଉନ୍ନତୀକରଣ କରାଯିବ। ବୋଟିଂ ବ୍ୟବସ୍ଥା ମଧ୍ୟ ହେବ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଉଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏସ୍‌ଏଚ୍‌ଜିଙ୍କୁ ଦିଆଯିବା ଲାଗି ଆଲୋଚନା ଚାଲିଛି।
-ସରୋଜ କୁମାର ସେଠୀ, ଜିଲାପାଳ

 

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?