ସଞ୍ଜ ନଇଁଲେ ଶଙ୍କା

ଢେଙ୍କାନାଳ ଅଫିସ, ୪।୧୨: ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। ତେବେ ସାରାଦିନ ସବୁଜିମା କୋଳରେ ବିତାଇ ସନ୍ଧ୍ୟାରେ ଘରକୁ ବାହୁଡ଼ିବା ବେଳକୁ ସୁରକ୍ଷା ଚିନ୍ତାରେ ପର୍ଯ୍ୟଟକ ହୋଇପଡୁଛନ୍ତି ଶଙ୍କାଗ୍ରସ୍ତ। ନିଛାଟିଆ ଅଞ୍ଚଳରେ ମଦ୍ୟପ, ଅସାମାଜିକଙ୍କ ରାଜୁତି ଏହି ଶାନ୍ତି ଇଲାକାକୁ କରିଦେଉଛି ଅସୁରକ୍ଷିତ। କେବଳ ସୁରକ୍ଷା ନୁହେଁ, ପାନୀୟ ଜଳ ସୁବିଧା ନ ଥିବାରୁ ବଣଭୋଜି ପାଇଁ ୫ କିଲୋମିଟର ଦୂରରୁ ବୁହା ହୋଇ ଆସୁଛି ପାଣି। ସରକାରୀ ଅବହେଳା ପାଇଁ ନାଲିଫିତା ତଳେ କୋଟିଏ ଟଙ୍କାର ପ୍ରସ୍ତାବ ଅଟକି ରହିଥିବାବେଳେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦଖଲ କରିବାକୁ ସଂଘର୍ଷ କରୁଛି ‘ସାପୁଆ’।
ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ‘ସାପୁଆ’କୁ ମିଳିଛି ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ। ଭୁବନେଶ୍ୱରଠାରୁ ପ୍ରାୟ ୯୦ କିଲୋମିଟର ଏବଂ ଢେଙ୍କାନାଳଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟନ ଋତୁରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ବଣଭୋଜି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ। ସେହିପରି ଢେଙ୍କାନାଳ, ଅନୁଗୋଳ ଜିଲାର ପ୍ରକୃତିପ୍ରେମୀ ଅପରାହ୍ନରେ ପ୍ରକୃତିର ଶୋଭାକୁ ଉପଭୋଗ କରିବା ପାଇଁ ଏଠାରେ ଭିଡ଼ ଜମାଇଥାଆନ୍ତି। ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ନିର୍ମାଣ କରାଯାଇଥିବା ସର୍ପିଳ କଂକ୍ରିଟ୍‌ ସ୍କୁଇସ୍‌ ଗେଟ୍‌ ଏହାକୁ ଅଧିକ ଆକର୍ଷଣୀୟ କରିଥିବାବେଳେ ନିକଟ ଜଙ୍ଗଲରୁ ପାଣି ପିଇବାକୁ ଆସୁଥିବା ହରିଣ, ହାତୀଙ୍କ ଜଳକ୍ରୀଡ଼ା ଦୃଶ୍ୟକୁ କ୍ୟାମେରାରେ କଏଦ କରିବାକୁ ଅନେକେ ଅପେକ୍ଷା କରିଥାଆନ୍ତି।
ତେବେ ଏଭଳି ଏକ ପର୍ଯ୍ୟଟନସ୍ଥଳୀ ସରକାର ଏବଂ ପ୍ରଶାସନିକ ଅବହେଳାରୁ ଅବହେଳିତ ଅବସ୍ଥାରେ ରହିଛି। ଏହାକୁ ନୂଆ ରୂପ ଦେବାକୁ ୨୦୧୯ରେ ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିଲା। ହେଲେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ପିଇବା ପାଣି ସୁବିଧା ନ ଥିବାରୁ ସାପୁଆଠାରୁ ୫ କିଲୋମିଟର ପୂର୍ବରୁ ଥିବା ରାସୋଳ-ତେଲିଭୂଇଁ ଛକରୁ ପର୍ଯ୍ୟଟକଙ୍କୁ ପାଣି ବୋହି ନେବାକୁ ପଡୁଛି। ଆଲୋକ ବ୍ୟବସ୍ଥା ନ ଥିବାରୁ ସଞ୍ଜ ନଇଁଲେ ଅସାମାଜିକଙ୍କ ଆଡ୍ଡା ପାଲଟୁଛି ସାପୁଆ। ପରିବାର ସହ ଆସିଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସନ୍ଧିହାନ ହୋଇପଡୁଥିବାରୁ ସେମାନେ ତରବରିଆ ଭାବେ ଫେରିବାକୁ ବାଧ୍ୟ ହେଉଛନ୍ତି। ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ସୁବିଧା ସହ କେତେକ ଦୋକାନ ଖୋଲିବାକୁ ଅନୁମତି ଦିଆଗଲେ ଏହି ପର୍ଯ୍ୟଟନ ସ୍ଥଳୀ ଅଧିକ ଚଳଚଞ୍ଚଳ ହୋଇପାରନ୍ତା। ସେହିପରି କନ୍ଧରା-ସାତକୋଶିଆ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏହି ପର୍ଯ୍ୟଟନସ୍ଥଳୀରେ ଓ୍ବାଚ୍‌ ଟାଓ୍ବାର କରାଗଲେ ଦୂରଦୂରାନ୍ତର ଯାଏ ସବୁଜିମା, ବନ୍ୟଜୀବନକୁ ଉପଭୋଗ କରିହେବ। ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ଦେଲେ ‘ସାପୁଆ’ର ବିକାଶ ପାଇଁ ବାଟଫିଟନ୍ତା ବୋଲି ମତପ୍ରକାଶ ପାଇଛି।

୨୦୦୬ରୁ ଜମିକୁ ଯୋଗାଉଛି ଜଳ
ଢେଙ୍କାନାଳ ଜିଲା ରାସୋଳ ଅଞ୍ଚଳର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ୧୯୯୩ରେ ଆରମ୍ଭ ହୋଇଥିଲା ‘ସାପୁଆ-ବଡ଼ଜୋରା’ କ୍ଷୁଦ୍ର ସେଚ ପ୍ରକଳ୍ପ। ୨୦୦୬ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ୧୨୯୦ ମିଟର ଦୈର୍ଘ୍ୟ, ୨୬ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ୟାମ୍‌ ୩୬୮୨ ହେକ୍ଟର ଜାଗାରେ ଅବସ୍ଥିତ। ଜଳସେଚନ ଉଦ୍ଦେଶ୍ୟରେ ନିର୍ମିତ ଏହି ଜଳଭଣ୍ଡାର ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

ପାନୀୟ ଜଳ ପ୍ରମୁଖ ସମସ୍ୟା
ସାପୁଆ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ ହୋଇଛି। ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ। ସନ୍ଧ୍ୟା ହେଲେ ସୁରକ୍ଷା ଚିନ୍ତା ଘାରୁଛି। ପରିବାର ସହିତ ଆସୁଥିବା ପର୍ଯ୍ୟଟକ ତରବରିଆ ଭାବେ ଫେରିଯାଉଛନ୍ତି। ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ।
-ଅଞ୍ଜନ କୁମାର ଦ୍ୱିବେଦୀ, ଅନୁଗୋଳ
ବିଶ୍ରାମସ୍ଥଳୀର ଆବଶ୍ୟକତା ରହିଛି
‘ସାପୁଆ’ରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ଏଠାରେ ପାର୍କ, ଆବଶ୍ୟକ ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଗଲେ ପର୍ଯ୍ୟଟକମାନେ ସନ୍ଧ୍ୟାକାଳୀନ ମନୋରମ ପରିବେଶକୁ ଉପଭୋଗ କରିପାରନ୍ତେ। ବୟସ୍କ ଏବଂ ମହିଳାଙ୍କ ପାଇଁ ଏକ ବିଶ୍ରାମସ୍ଥଳୀର ମଧ୍ୟ ଆବଶ୍ୟକତା ରହିଛି।
-ସତ୍ୟଭାମା ନାୟକ, ତେଲିଭୂଇଁ, ରାସୋଳ
ସରକାର ଅଣଦେଖା କରୁଛନ୍ତି
ସବୁଜିମା ପରିବେଶରେ ଅବସ୍ଥିତ ‘ସାପୁଆ’ ବଣଭୋଜି ପାଇଁ ପ୍ରକୃଷ୍ଠ ସ୍ଥାନ। କିନ୍ତୁ ରାଜ୍ୟ ସରକାର ଏହାର ବିକାଶ ପ୍ରତି ଅଣଦେଖା କରୁଛନ୍ତି। ପାନୀୟଜଳ, ବୋଟିଂ ବ୍ୟବସ୍ଥା କରାଗଲେ ଅଧିକ ପର୍ଯ୍ୟଟକ ଆକର୍ଷିତ ହୁଅନ୍ତେ। ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜରୁରୀ ହୋଇପଡ଼ିଛି।
-ସୁବାସ ଚନ୍ଦ୍ର ନାୟକ, ରାସୋଳ
ଏସ୍‌ଏଚ୍‌ଜିକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ
ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ‘ସାପୁଆ’ର ଉନ୍ନତୀକରଣ କରାଯିବ। ବୋଟିଂ ବ୍ୟବସ୍ଥା ମଧ୍ୟ ହେବ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଉଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏସ୍‌ଏଚ୍‌ଜିଙ୍କୁ ଦିଆଯିବା ଲାଗି ଆଲୋଚନା ଚାଲିଛି।
-ସରୋଜ କୁମାର ସେଠୀ, ଜିଲାପାଳ

 

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri