ପାହାଡ଼ ସୁରକ୍ଷା ଓ ଗୋବର୍ଦ୍ଧନରୁ ଗନ୍ଧମାର୍ଦ୍ଦନ

ପାହାଡ଼ ହେଉଛି ସମଗ୍ର ଜୀବଜଗତର ରକ୍ଷାକବଚ। ଜଳବାୟୁ ଓ ଋତୁଚକ୍ରର ସେ ନିୟାମକ। ପାହାଡ଼ର ଏହି ମହତ୍ତ୍ୱକୁ ହଜାର ହଜାର ବର୍ଷ ପୂର୍ବରୁ ଭାରତୀୟ ମୁନିଋଷିମାନେ ବୁଝିଥିଲେ ଏବଂ ତା’ର ସୁରକ୍ଷା ପାଇଁ ସୃଷ୍ଟି କରିଥିଲେ ଏକ ପରିବେଶ ସମ୍ବେଦୀ ସାଂସ୍କୃତିକ ପରମ୍ପରା। ପାହାଡ଼କୁ ସୁରକ୍ଷା ଦେଲେ ସେ ଆମକୁ ସୁରକ୍ଷା ଦେବ ଓ ପାହାଡ଼କୁ ନଷ୍ଟ କଲେ ସେ ଆମକୁ ନଷ୍ଟ କରିବ – ଏହି ଶାସ୍ତ୍ରବାଣୀ ଥିଲା ଭାରତୀୟ ଦର୍ଶନର ଅନ୍ତଃସ୍ବର, ଯା’ର ଏକ ଶାସ୍ତ୍ରୀୟ ଦୃଷ୍ଟାନ୍ତ ହେଉଛି ଇନ୍ଦ୍ରଙ୍କ ପରିବର୍ତ୍ତେ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ପାଇଁ ଗୋପବାସୀଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶ। ଭାଗବତରେ କବି ଜଗନ୍ନାଥ ଦାସ ଲେଖିଛନ୍ତି -‘ପୂଜିବା ଗୋବର୍ଦ୍ଧନ ଶିରେ, ଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ। ଦିଗୁଣ କରଇ ବଳିଭୋଜା, ସୁଖେ କରିବା ଗିରି ପୂଜା’। ଏଥିରେ ଥିବା ପ୍ରକୃତି ଉପରେ ଆଧ୍ୟାତ୍ମିକତାର ଆରୋପକୁ କେହି କବିର କଳ୍ପନା କହିପାରେ, ମାତ୍ର ଏହା ଅନ୍ତରାଳରେ ରହିଛି ଏକ ବିଜ୍ଞାନସମ୍ମତ ପାରିବେଶିକ ଦୃଷ୍ଟିକୋଣ।
ସମାଜବିଜ୍ଞାନୀଙ୍କ ମତରେ ବିକାଶ ହେଉଛି ପରିବେଶ ତନ୍ତ୍ରର ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ପ୍ରଗତିର ଏକ ସୁସଙ୍ଗତ ଓ ସନ୍ତୁଳିତ ମିଶ୍ରଣ। ମାତ୍ର ଏକବିଂଶ ଶତାବ୍ଦୀରେ ପ୍ରଗତି ପ୍ରେକ୍ଷାପଟରେ ବଦଳି ଯାଇଛି ବିକାଶର ସଂଜ୍ଞା। ଶିଳ୍ପ ସଭ୍ୟତାର ଦ୍ରୁତ ଅଗ୍ରଗତି ଫଳରେ ବିକାଶ ଓ ପ୍ରକୃତି ଏବେ ମୁହାଁମୁହିଁ। ଖଣିଜ ସମ୍ପଦ ଲୁଟିବା ପାଇଁ କଟା ଚାଲିଛି ଜଙ୍ଗଲ। ଦିନରାତି ଭଙ୍ଗା ହେଉଛି ପାହାଡ଼। ଏହି କାରଣରୁ ବିଶ୍ବ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ପଡ଼ିଛି ମୁନାଫାଖୋର ବେପାରୀଙ୍କ ଆଖି।
ଓଡ଼ିଶାର ସୌନ୍ଦର୍ଯ୍ୟ ହେଉଛି ତା’ର ଘନ ସବୁଜ ବନଭୂମି ଓ ତରଙ୍ଗାୟିତ ନୀଳ ପର୍ବତମାଳା। କାନ୍ତକବି ଲକ୍ଷୀକାନ୍ତ ମହାପାତ୍ର ଜାତୀୟ ସଙ୍ଗୀତରେ ଲେଖିଛନ୍ତି-‘ଘନଘନ ବନଭୂମି ରାଜିତ ଅଙ୍ଗେ,ନୀଳ-ଭୂଧରମାଳା ସାଜି ତରଙ୍ଗେ’। ଚିର ମଉନ ମୁଦ୍ରାରେ ଛିଡ଼ା ହୋଇଥିବା ପାହାଡ଼ଗୁଡିକ କେବଳ ନୈସର୍ଗିକ ଶୋଭାରାଜିର ଭଣ୍ଡାର ନୁହେଁ, ସେସବୁର ବୁକୁରେ ଲିପିବଦ୍ଧ ହୋଇ ରହିଛି ଆମ ଐତିହ୍ୟ, ପରମ୍ପରା ଓ କୀର୍ତ୍ତିରାଜିର ଅସରନ୍ତି ସ୍ମୃତି। ବରୁଣେଇ ପାହାଡ଼ ଯେମିତି ପାଇକ ବିଦ୍ରୋହର ସ୍ମୃତି ବହନ କରିଛି, ଧଉଳି ପାହାଡ଼ ସେମିତି ଗାଇ ଚାଲିଛି କଳିଙ୍ଗ ସେନାର ବୀରତ୍ୱର ଗାଥା। ପାହାଡ଼ର ସାମଗ୍ରିକ ସୌନ୍ଦର୍ଯ୍ୟ କଥା ବିଚାର କଲେ ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ହେଉଛି ସୁନ୍ଦର ପ୍ରକୃତି, ସୁନ୍ଦର ସଂସ୍କୃତି ସହ ସୁନ୍ଦରତାର ଏକ ଗନ୍ତାଘର।
ସମୁଦ୍ର ପତ୍ତନଠାରୁ ୧୨ଶହ ମିଟର ଉଚ୍ଚତା ଓ ସମତଳ ଅଞ୍ଚଳଠାରୁ ୭ଶହ ମିଟର ଉଚ୍ଚରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ହେଉଛି ବରଗଡ଼ ଓ ବଲାଙ୍ଗୀର ଜିଲାର ପ୍ରାକୃତିକ ପ୍ରାଚୀର। ଉଭୟ ଜିଲାକୁ ଯୋଡୁଥିବା ଏହି ପାହାଡ଼ର ବଲାଙ୍ଗୀର ପଟରେ ରହିଛି ପବିତ୍ର ହରିଶଙ୍କର ପୀଠ ଓ ବରଗଡ଼ ପଟରେ ନୃସିଂହ ନାଥ ମନ୍ଦିର। ରାମାୟଣର ବର୍ଣ୍ଣନା ଅନୁସାରେ ରାମ-ରାବଣ ଯୁଦ୍ଧ ସମୟରେ ହିମାଳୟରୁ ବିଶଲ୍ୟକରଣି ଆଣିବାକୁ ଯାଇ ସମଗ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ଉଠେଇ ଆଣିଥିଲେ ଭକ୍ତ ହନୁମାନ। ଏହି ପୌରାଣିକ ଉପାଖ୍ୟାନ ସହିତ ଯୋଡ଼ି ହୋଇଯାଇଛି ଆଉ ଏକ ଜନଶ୍ରୁତି। ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ନେଇ ଲଙ୍କା ଫେରିବା ବେଳେ ପାହାଡ଼ର କିଛି ଅଂଶ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ଜିଲା ସୀମାରେ ଥିବା ବିନ୍ଧ୍ୟଗିରି ଉପରେ ଖସି ପଡ଼ିଥିଲା ଏବଂ ବିନ୍ଧ୍ୟଗିରିିର ପରିବର୍ତ୍ତିତ ନାମ ହେଲା ଗନ୍ଧମାର୍ଦ୍ଦନ। ଘଟଣା ହୋଇପାରେ କିମ୍ବଦନ୍ତୀୟ, ମାତ୍ର ତା’ର ପ୍ରାସଙ୍ଗିକତାକୁ ସିଦ୍ଧ କରୁଛି ଆୟୁର୍ବେଦର ସ୍ବର୍ଗ ଭାବେ ପରିଚିତି ଗନ୍ଧମାର୍ଦ୍ଦନର ଅସଂଖ୍ୟ ଔଷଧୀୟ ବୃକ୍ଷଲତା। ତଥ୍ୟ ଅନୁସାରେ ଏଠାରେ ପ୍ରାୟ ୨୪୦ ପ୍ରକାର ଜୀବନ ରକ୍ଷାକାରୀ ଔଷଧୀୟ ଗୁଳ୍ମ ଓ ୫ଶହ ପ୍ରକାର ଦୁର୍ଲ୍ଲଭ ଔଷଧୀୟ ଗଛ ଉପଲବ୍ଧ। ଏଠାରୁ ଜଡ଼ିବୁଟି ସଂଗ୍ରହ କରି ଉପଚାର କରନ୍ତି ପାହାଡ଼ ପାଦଦେଶରେ ଥିବା ଶହଶହ ବଇଦ। କେବଳ ସ୍ଥାନୀୟ ବଇଦ ନୁହନ୍ତି, ଗନ୍ଧମାର୍ଦ୍ଦନ ଉପରେ ନିର୍ଭର କରନ୍ତି ଦେଶର ଅନେକ ବଡ଼ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା। ଆୟୁର୍ବେଦ ବିଜ୍ଞାନର ସଫଳ ଗବେଷଣା ଓ ଅଧ୍ୟୟନ ନିମନ୍ତେ ଏଠାରେ ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଛି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଗବେଷଣା ପ୍ରତିଷ୍ଠାନ। ଇତିହାସ କହେ ବହୁ ବର୍ଷ ପୂର୍ବରୁ ଏଠାରେ ପରିମଳଗିରି ନାମରେ ଏକ ବିଶ୍ବବିଦ୍ୟାଳୟ ଥିଲା, ଯେଉଁଠି ଜ୍ଞାନ ଆହରଣ କରୁଥିଲେ ଦେଶ ବିଦେଶର ଅନେକ ବିଦ୍ୟାର୍ଥୀ। ସପ୍ତମ ଶତାବ୍ଦୀରେ ଏଠାକୁ ଆସିଥିବା ଚାଇନା ପରିବ୍ରାଜକ ହୁଏନସାଂ ଏକଥା ଲିପିବଦ୍ଧ କରିଛନ୍ତି ତାଙ୍କ ଭାରତ ଭ୍ରମଣ ବିବରଣୀରେ।
ବୌଦ୍ଧତନ୍ତ୍ରର ଆଦିପୀଠ ଗନ୍ଧମାର୍ଦ୍ଦନ। ଏଇଠି ସାଧନା କରି ସିଦ୍ଧିଲାଭ କରିଥିଲେ ବୌଦ୍ଧ-ମହାଯାନୀ ସମ୍ପ୍ରଦାୟର ତନ୍ତ୍ର ଶିରୋମଣି ତଥା ବୌଦ୍ଧତନ୍ତ୍ରର ପ୍ରବର୍ତ୍ତକ ନାଗାର୍ଜୁନ। ତାଙ୍କରି ଲେଖନୀରୁ ଏଠାରେ ନିସୃତ ହୋଇଥିଲା ବୌଦ୍ଧତନ୍ତ୍ରର ମୂଳଶାସ୍ତ୍ର ‘ମଞ୍ଜୁଶ୍ରୀ ମୂଳକଳ୍ପ’। ଏହି ସିଦ୍ଧପୀଠରୁ ହିଁ ପ୍ରଜ୍ଞାପାରମିତା ସାହିତ୍ୟର ଉନ୍ମେଷ ଓ ବିକାଶ ହୋଇଛି ଏବଂ ଏଇଠି ଲେଖାଯାଇଛି ପାରମିତାବାଦର ଆଦିଗ୍ରନ୍ଥ ’ଅଷ୍ଟସାହସ୍ରିକ ପ୍ରଜ୍ଞାପାରମିତା’ ତଥା ଅଷ୍ଟସାହସ୍ରିକ, ପଞ୍ଚବିଂଶତି ସାହସ୍ରିକ ଓ ଶତ ସାହସ୍ରିକ ଇତ୍ୟାଦି ରାଶିରାଶି ଗ୍ରନ୍ଥ। କିମ୍ବଦନ୍ତୀ ଅନୁସାରେ ଏହି ପାହାଡ଼ ଉପରେ ସାଧନା କରୁଥିଲେ ମହର୍ଷି କପିଳ।
ନୃସିଂହ ଉପାସନାର ଆଦିପୀଠ ଗନ୍ଧମାର୍ଦ୍ଦନ।ଦୈନିକ ଏଠାରେ ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ହେଉଥିବାରୁ ପ୍ରାକୃତିକ ଶୋଭାରାଜିରେ ସୁଶୋଭିତ ଏହି ଦୁଇ ପୀଠକୁ ମିଳିଛି ପର୍ଯ୍ୟଟନ ସ୍ଥଳର ମାନ୍ୟତା। ୧୯୮୦ରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସ୍‌ଆଇ), ଓଡ଼ିଶା ଡାଇରେକ୍ଟୋରେଟ ଅଫ ସାଇନ୍‌ସ (ଓଡିଏମ୍‌) ଓ ମିନେରାଲ୍‌ସ କର୍ପୋରେଶନ ଲିମିଟେଡ(ଏମ୍‌ସିଏଲ୍‌) ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଗଲା ଯେ ଗନ୍ଧମାର୍ଦ୍ଦନ ପର୍ବତର ଉପରି ଭାଗରେ ରହିଛି ପ୍ରଚୁର ପରିମାଣରେ ଉନ୍ନତ ମାନର ବକ୍ସାଇଟ। ପ୍ରାୟତଃ ୭ କି.ମି. ବ୍ୟାପୀ ଲମ୍ବରେ ୭୩୫ ହେକ୍ଟର ଜମିରେ ବକ୍ସାଇଟ ଖଣି ଥିବା କଥା ଜାଣିଲା ପରେ ଗନ୍ଧମାର୍ଦ୍ଦନ ଉପରେ ପଡ଼ିଲା ମୁନାଫାଖୋର ବେପାରୀଙ୍କ ଲୋଲୁପ ଦୃଷ୍ଟି। ଆରମ୍ଭ ହୋଇଗଲା ଓଡ଼ିଶା ସରକାରଙ୍କୁ ପ୍ରଭାବିତ କରି ପ୍ରକୃତିକୁ ସଉଦା କରିବାର ପ୍ରତିଯୋଗିତା। ବିକାଶର ଗୋଲାପୀ ଚିତ୍ର ଆଙ୍କିବାକୁ ଯାଇ ଓଡ଼ିଶା ସରକାର ଭୁଲିଗଲେ ପାହାଡ଼ର ପାରିବେଶିକ ମୂଲ୍ୟ। ସ୍ଥାନୀୟ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରି ଭାରତ ଆଲୁମିନିୟମ କମ୍ପାନୀ (ବାଲ୍‌କୋ) ହାତରେ ଟେକିଦେଲେ(୧୯୮୫) ଗନ୍ଧମାର୍ଦ୍ଦନର ଭାଗ୍ୟ। ମାତ୍ର ଖଣି ଖନନର ପ୍ରସ୍ତୁତି ଆରମ୍ଭରୁ ଦାନା ବାନ୍ଧିଲା ଜନଆନ୍ଦୋଳନ। ସରକାରଙ୍କ ଦମନମୂଳକ ନୀତି ସତ୍ତ୍ୱେ ବାଲ୍‌କୋ ହଟାଓ ଆନ୍ଦୋଳନ ଏତେ ତୀବ୍ର ହେଲା ଯେ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲା କମ୍ପାନୀ। ଏହା ସତ୍ତ୍ୱେ ମଧ୍ୟ ସରକାର ମୁଣ୍ଡରୁ ଉତୁରିଲା ନାହିଁ ଏହି ଦୁର୍ମୂଲ୍ୟ ପ୍ରାକୃତିକ ସମ୍ପଦକୁ ଭିନ୍ନ ଭିନ୍ନ କମ୍ପାନୀ ହାତରେ ଟେକିଦେବାର ନିଶା। ବିଶେଷକରି ଉଦାରୀକରଣ ଅର୍ଥନୀତି ଆପଣେଇବା ପରେ (୧୯୯୧) ସରକାରଙ୍କୁ ଉଲ୍ଲସିତ କଲା ବହୁଦେଶୀୟ କମ୍ପାନୀମାନଙ୍କ ଲୋଭନୀୟ ପ୍ରତିଶ୍ରୁତି। ଆମେରିକାର କଣ୍ଟିନେଣ୍ଟାଲ ରିସୋର୍ସେସ ଲି଼ମିଟେଡ ପକ୍ଷରୁ ଦିଆ ଯାଇଥିବା ବିପୁଳ ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ଆଗରେ ଆଣ୍ଠେଇ ପଡ଼ିଥିଲେ ସରକାର। ମାତ୍ର ସନନ୍ଦ ଲେଖିବା ପାଇଁ ବାଧା ଦେଇଥିଲା ଜନଆନ୍ଦୋଳନର ଭୟ।
ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ଜନଆନ୍ଦୋଳନକୁ ସରକାର କେମିତି ପରିଚାଳନା କରିବେ ତାହା ଭିନ୍ନ କଥା, କିନ୍ତୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀର ଜମି କିଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକଙ୍କ ମନରେ ବଢୁଛି ଆଶଙ୍କା। କମ୍ପାନୀର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପ୍ରତିବାଦ ପାଇଁ ସଜବାଜ ହେଲେଣି ସ୍ଥାନୀୟ ଅଧିବାସୀ ଏବଂ ପରିବେଶପ୍ରେମୀ। କମ୍ପାନୀ ବିରୋଧରେ ରଣହୁଙ୍କାର ଦେଲାଣି ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ। ଏମାନଙ୍କୁ କେହି ବିକାଶ ବିରୋଧୀ ବୋଲି କହିପାରେ, ମାତ୍ର ଏମାନେ ପରିବେଶ ସୁରକ୍ଷାର ଅସଲ ସୈନିକ ସାଜି ପ୍ରତିବାଦ ନ କଲେ ଲୁଟପାଟ ହୋଇଯିବ ମାଟିତଳେ ଥିବା ଅମୂଲ୍ୟ ଖଣିଜ ସମ୍ପଦ। ଉଜୁଡିଯିବ ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ସବୁଜ ଅରଣ୍ୟ। ଅସ୍ତିତ୍ୱ ହରେଇ ବସିବ ସୁକତେଲ ଓ ଅଙ୍ଗ ଆଦି ନଦୀ ତଥା ୨୨ଟି ଚିରସ୍ରୋତା ଝରଣା। ବିପର୍ଯ୍ୟସ୍ତ ହୋଇଯିବ ଐତିହ୍ୟସ୍ଥଳୀର ଜୈବବିବିଧତା। ଜୀବିକା ହରେଇ ବସିବେ ଏହି ପାହାଡ଼ ଉପରେ ନିର୍ଭର କରି ବଞ୍ଚୁଥିବା ହଜାର ହଜାର ଲୋକ। ଅଳିଆ ସଫାକଲା ଭଳି ହଟେଇ ଦିଆଯିବ ପାହାଡ଼ ଚାରିପାଖରେ ଥିବା ଶହଶହ ଆଦିବାସୀ ବସ୍ତି। ବିକାଶର ରଥ ଚକତଳେ ଚାପି ହୋଇ ଶ୍ୱାସରୁଦ୍ଧ ହୋଇଯିବ ଗୋଟେ ସ୍ବୟଂ ସଂପୂର୍ଣ୍ଣ ସଂସ୍କୃତି।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?