ପ୍ରଗତି ଓ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରା ହେଉଛି ସଂସ୍କୃତି। ରୀତିନୀତି,ଧର୍ମକର୍ମ, ଖାଦ୍ୟପେୟ, ବେଶପୋଷାକ,ପର୍ବପର୍ବାଣି ଓ ପ୍ରଥା-ପରମ୍ପରା ଇତ୍ୟାଦି ତା’ର ଅଙ୍ଗୀଭୂତ ବିଷୟ। ଅର୍ଥାତ୍‌ ଜୀବନ ବଞ୍ଚିବା ପାଇଁ ମଣିଷ ଯେତେ ଯାହା ଆବଶ୍ୟକ କରେ ସେ ସକଳକୁ ଆମେ ଗୋଟିଏ ଶବ୍ଦରେ କହୁ ସଂସ୍କୃତି। ଆମ ସହ ଆଉ ଦୁଇଟି ଶବ୍ଦ ଯୋଡ଼ିହୋଇ ରହିଛି-ଧର୍ମ ଓ ପରମ୍ପରା। ଧର୍ମର ସ୍ବରୂପ ହେଉଛି ସତ୍ୟ ଓ ଆଧ୍ୟାତ୍ମିକତା। ଆମେ ଏ ପୃଥିବୀରେ ଜନ୍ମହେବା ବେଳକୁ ଜୀବନଧାରଣ ପାଇଁ ମା’ ସ୍ତନରେ କ୍ଷୀରଠାରୁ ଆରମ୍ଭ କରି ପାଣି ପବନ ଆଦି ଯାବତୀୟ ଉପାଦାନ ସଜଡ଼ାହୋଇ ରହିଛି ଏକ ବ୍ୟବସ୍ଥିତ ଢଙ୍ଗରେ। ଏସବୁ ସୃଷ୍ଟି କରିବା ନିଶ୍ଚୟ ମଣିଷର ସାମର୍ଥ୍ୟ ବାହାରେ। ଅର୍ଥାତ୍‌ ଏହାର ସ୍ରଷ୍ଟା ହେଉଛନ୍ତି କୌଣସି ଅଦୃଶ୍ୟ ଶକ୍ତି ବା ଈଶ୍ବର। ଏହି ଅବବୋଧକୁ ଆଧାରକରି ପରିପୁଷ୍ଟ ହୋଇଛି ଭାରତୀୟ ସଂସ୍କୃତି। ତାକୁ ଉଜ୍ଜୀବିତ କରି ରଖିବାର ପ୍ରକ୍ରିୟା ହେଉଛି ପରମ୍ପରା। ବସ୍ତୁତଃ ସଂସ୍କୃତି ସ୍ଥିର ନୁହେଁ,ଗତିଶୀଳ, ଯାହାକୁ କୁହାଯାଏ ସାଂସ୍କୃତିକ ପ୍ରବାହ। ସାଧାରଣତଃ ଗୋଟିଏ ଅଞ୍ଚଳର ଭୌଗୋଳିକ ଅବସ୍ଥିତି, ଜଳବାୟୁ ଓ ପାରିପାର୍ଶ୍ୱିକ ଅବସ୍ଥାକୁ ଭିତ୍ତିକରି ସେଠାକାର ସଂସ୍କୃତି ଗଢ଼ିଉଠେ ଏବଂ ତାହା ସେଠାକାର ଅଧିବାସୀଙ୍କ ଜୀବନଶୈଳୀ ଭାବେ ପ୍ରତିଷ୍ଠା ଲାଭକରେ ଶହଶହ ବର୍ଷର ପରୀକ୍ଷା ନିରୀକ୍ଷା ପରେ। ସମୟକ୍ରମେ ପାରିବେଶିକ ପ୍ରଭାବ ତଥା ଜ୍ଞାନବିଜ୍ଞାନର ବିକାଶ କାରଣରୁ ପରମ୍ପରାରେ ଆସିବା ସ୍ବାଭାବିକ। ମାତ୍ର କୌଣସି ପରମ୍ପରାକୁ ବଳପୂର୍ବକ ବଦଳେଇବାକୁ ଚେଷ୍ଟାକଲେ ବିଳପିଉଠେ ଜାତିର ସାଂସ୍କୃତିକ ଆତ୍ମା।
ପରମ୍ପରାକୁ ଅନ୍ଧବିଶ୍ବାସ କହି ତାଚ୍ଛଲ୍ୟ କରିବା ପରିବର୍ତ୍ତେ ଆଉଁଶା ଆଦର ମାଧ୍ୟମରେ ତା’ର ହାନିକାରକ ଦିଗଗୁଡ଼ିକୁ ଲୋକଲୋଚନକୁ ଆଣିବା ଦରକାର। ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି କିଛି ପରମ୍ପରା ପଛରେ ବୈଜ୍ଞାନିକ ସତ୍ୟ ଥାଉ କି ନ ଥାଉ,ସେଥିରେ ନିହିତ ସମାଜକୁ ଶୃଙ୍ଖଳିତ କରି ଗଢ଼ିତୋଳିବାର ଅନ୍ତଃ ପ୍ରେରଣା। ବିଜ୍ଞାନ ପ୍ରମାଣ ଆଧାରିତ ହେଲେ,ସଂସ୍କୃତି ହେଉଛି ବିଶ୍ବାସ ଆଧାରିତ। ଏହି ପରିପ୍ରେକ୍ଷୀରେ ଆସିବା ବର୍ତ୍ତମାନ ଆମେ ପାଳନ କରୁଥିବା କାର୍ତ୍ତିକ ବ୍ରତ ପାଖକୁ,ଯାହା ଆମ ପୂର୍ବଜଙ୍କ ଜ୍ଞାନଗର୍ଭା ଚିନ୍ତା ପ୍ରସୂତ ଏକ ଆଧ୍ୟାତ୍ମିକ ଆୟୋଜନ। ଭାରତୀୟ ଧାର୍ମିକ ପରମ୍ପରାରେ ଭକ୍ତି ଓ ସମର୍ପଣର ମାସ କାର୍ତ୍ତିକ। କାର୍ତ୍ତିକ ବ୍ରତକୁ ନେଇ ସମୁଦାୟ ମାସଟା ବିତିଯାଏ ଶୁଦ୍ଧ ଆଚରଣ ଓ ଦିବ୍ୟ ବାତାବରଣ ଭିତରେ। ପବିତ୍ର କାର୍ତ୍ତିକର ପ୍ରତି ପ୍ରଭାତ ଶ୍ରଦ୍ଧାଳୁଙ୍କ ମନରେ ଆଣିଦିଏ ଏକ ଶୁଦ୍ଧ ସାତ୍ତ୍ବିକ ଏକାଗ୍ର ଭାବ। ପ୍ରାତଃ ସ୍ନାନ, ତୁଳସୀ ଅର୍ପଣ, ହବିଷାନ୍ନ ସେବନ,ରାଇ ଦାମୋଦର ପୂଜନ, ଆକାଶଦୀପ ପ୍ରଜ୍ବଳନ,ପଞ୍ଚକ ପାଳନ ଓ ରାସଲୀଳା ଶ୍ରବଣ ଆଦି ପ୍ରାଣରେ ଆଣିଦିଏ ଏକ ଆଧ୍ୟାତ୍ମିକ ଉଦ୍‌ବେଳନ। ଆଧ୍ୟାତ୍ମିକତା ଉପଲବ୍ଧି ନିମନ୍ତେ କାର୍ତ୍ତିକ ବ୍ରତ ହେଉଛି ଏକ ସାଂସ୍କୃତିକ ବିଧାନ। ବହୁ ପରୀକ୍ଷା ନିରୀକ୍ଷା ପରେ ପ୍ରତିଷ୍ଠା ଲାଭ କରିଥିବା ଏହି ବିଧାନ ଅନ୍ତରାଳରେ ରହିଛି ସୁସ୍ଥ ସୁନ୍ଦର ଓ ଉତ୍ସର୍ଗୀକୃତ ଜୀବନ ବଞ୍ଚିବାର ସୂତ୍ର। ଏହା ଯେତିକି ଆଚାରସିଦ୍ଧ,ସେତିକି ବିଜ୍ଞାନ ସମ୍ମତ।
ଶାସ୍ତ୍ର କହେ, ଆମିଷ ଭକ୍ଷଣ କଲେ ମଣିଷ ଭିତରେ କାମ, କ୍ରୋଧ, ଈର୍ଷା ଓ ଉତ୍ତେଜନା ବଢ଼େ ଓ ହ୍ରାସପାଏ ସଂଯମ ଓ ଶୃଙ୍ଖଳା। ଏହି ଦୃଷ୍ଟିରୁ ବିଚାରକଲେ ସାମୟିକ ଭାବରେ ହେଲେ ବି କାର୍ତ୍ତିକବ୍ରତ ଅନେକଙ୍କୁ ଆମିଷ ଭକ୍ଷଣରୁ ନିବୃତ ରଖିବା ସହିତ ସେମାନଙ୍କ ଭିତରେ ସୃଷ୍ଟିକରେ ଜୀବେ ଦୟା ଭାବ। ଅନେକ ଲୋକ ମାସାଧିକ କାଳ ଆମିଷ ବର୍ଜନ କରିବା ଫଳରେ ବଞ୍ଚିଯାଏ ଅନେକ ନିରୀହ ପ୍ରାଣୀଙ୍କ ଜୀବନ। ଅର୍ଥାତ୍‌ ଏହା ପରିବେଶର ରକ୍ଷକ ଓ ଭକ୍ଷକ ମଧ୍ୟରେ ସନ୍ତୁଳନ ରକ୍ଷାର ଏକ କୌଶଳପୂର୍ଣ୍ଣ ଆୟୋଜନ। ଆମ ପୂର୍ବଜମାନେ ଜାଣିଥିଲେ, କାର୍ତ୍ତିକ ମାସରେ ସୂର୍ଯ୍ୟ ନିମ୍ନକୁ ଆସିବା ଫଳରେ ବଢ଼ିଯାଏ ହୃଦ୍‌ଘାତର ଆଶଙ୍କା। ଏଥିରୁ ରକ୍ଷାପାଇବାର ଏକ ସହଜ ଉପାୟ ହେଉଛି ପ୍ରାତଃ ସ୍ନାନ ଓ ପ୍ରାତଃ ଭ୍ରମଣ। ଶୀତ ଆରମ୍ଭରୁ ସକାଳୁ ଉଠି ସ୍ନାନ କରିବା ଦ୍ବାରା ଅଳସପଣ ଦୂରହୁଏ ଏବଂ ଅଧିକ ସକ୍ରିୟ ହୁଏ ଶରୀରର ସୂକ୍ଷ୍ମ ଅଂଶ। ପ୍ରତିଦିନ ମନ୍ଦିର ଯାଇ ଦିଅଁ ଦର୍ଶନ କଲେ ମନକୁ ଉଲ୍ଲସିତ କରେ ସକାରାତ୍ମକ ଭାବନା। ଆୟୁର୍ବେଦ ଅନୁସାରେ ଶୀତର ପହିଲି ସ୍ପର୍ଶରେ ଶରୀରରେ ବୃଦ୍ଧିପାଏ ଅମ୍ଳ ଓ ପିତ୍ତ। ସହଜ ପାଚକ କ୍ରିୟା ପାଇଁ ଶରୀର ଆବଶ୍ୟକ କରେ ଶୁଦ୍ଧ ସାତ୍ତ୍ବିକ ଆହାର। ତାକୁ ଦୃଷ୍ଟିରେ ରଖି ତିଆରି ହୋଇଛି କାର୍ତ୍ତିକର ସ୍ବତନ୍ତ୍ର ଖାଦ୍ୟଶୃଙ୍ଖଳା। ବିଶେଷକରି ବିଧବାମାନେ ଏହି ଖାଦ୍ୟଶୃଙ୍ଖଳା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଏବଂ ଦିନରେ ଥରୁଟିଏ ଆହାର କରନ୍ତି ମୁଗ, କଦଳୀ, ଓଉ,ସାରୁ ଓ ଓଲୁଅ ଆଦିରେ ପ୍ରସ୍ତୁତ ହବିଷାନ୍ନ। ବର୍ଜନ କରିଥିବା ଅନ୍ୟାନ୍ୟ ବ୍ୟଞ୍ଜନ ସାମଗ୍ରୀକୁ ସେମାନେ ପୁଣି ଗ୍ରହଣ କରନ୍ତି ବ୍ରତ ଉଦ୍‌ଯାପନ ପରେ। ଏହି କ୍ରମରେ କାର୍ତ୍ତିକ ପୂର୍ଣ୍ଣିମା ପରଦିନକୁ କୁହାଯାଏ ଛାଡ଼ଖାଇ, ଯା’ର ଉଦ୍ଦେଶ୍ୟକୁ କଦର୍ଥ କରି ଏବେ ପାଳନ ହେଉଛି ଆମିଷ ଉତ୍ସବ।
ସାଧାରଣତଃ ଶ୍ରଦ୍ଧା ଓ ବିଶ୍ବାସ ନ ଥିଲେ ଆଚରଣରେ ଆସେନି ଶୁଦ୍ଧତା। ଏହି କାରଣରୁ ଆମିଷ ରସ ଆସ୍ବାଦନର ବ୍ୟାକୁଳତା ଆଗରେ ଆଦୌ ଉଧେଇପାରୁନି ଆଧ୍ୟାତ୍ମିକ ଭାବନା। ପରମ୍ପରା ଦାୟରେ କାର୍ତ୍ତିକ ବ୍ରତ ପାଳନ କରୁଥିବା ତଥାକଥିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ତ ବଢ଼ିବଢ଼ି ଯାଉଛି, ହେଲେ ଭାବ ନ ଥିଲେ ଆଚରଣରେ ଶୁଦ୍ଧତା ଆସିବ କାହୁଁ ? ସେଥିପାଇଁ ଅନେକ ବ୍ରତଚାରୀ ମାସ ଆରମ୍ଭରୁ ଦିନ ଗଣିଗଣି ଛଟପଟ ହୁଅନ୍ତି ଛାଡ଼ଖାଇ ନାମକ ମହାର୍ଘ ମୁହୂର୍ତ୍ତର ପ୍ରତୀକ୍ଷାରେ। ସେମାନଙ୍କ ପାଇଁ ପୂର୍ଣ୍ଣିମା ଦିନ ମନ୍ଦିର ଯାଇ ଦିଅଁ ଦର୍ଶନ କରିବାର ଦିବ୍ୟ ଭାବନାକୁ ବଳିଯାଏ ସକାଳୁ ଉଠି ମାଂସଦୋକାନକୁ ଧାଇଁବାର ବ୍ୟାକୁଳତା। ସେମାନଙ୍କ ଆମିଷରସ ଆସ୍ବାଦନର ବୈକଲ୍ୟ ଆଗରେ କୌଣସି ମୂଲ୍ୟ ରଖେନି ନିରୀହ ପଶୁପକ୍ଷୀଙ୍କ କଷ୍ଟ, ଯନ୍ତ୍ରଣା, କୋହ ଓ ଆର୍ତ୍ତନାଦ। ଅଥଚ ଏମାନେ ନିଜକୁ ହିନ୍ଦୁ ସଂସ୍କୃତିର ଜଗୁଆଳି କହି ନିଜ ଡେଙ୍ଗୁରା ନିଜେ ପିଟନ୍ତି ଶାସ୍ତ୍ରପୁରାଣର ଉଦାହରଣ ଦେଇ। ହେତୁବାଦୀମାନଙ୍କୁ ଧର୍ମଦ୍ରୋହୀ ବୋଲି ଆକ୍ଷେପକରି ପ୍ରୟୋଗ କରନ୍ତି କେତେକେତେ ଅପଶବ୍ଦ। ହେଲେ ପ୍ରଗତିର ପକ୍ଷଧର କିଏ? ପରମ୍ପରାକୁ ଅନ୍ଧବିଶ୍ବାସ କହି ଖୋଲାଖୋଲି ବିରୋଧ କରୁଥିବା ହେତୁବାଦୀମାନେ ନା ଆତ୍ମସ୍ବାର୍ଥ ପାଇଁ ସଂସ୍କୃତିର ମୂଳତତ୍ତ୍ବଠାରୁ ଦୂରେଇଯାଉଥିବା ଛଦ୍ମ ଶ୍ରଦ୍ଧାଳୁମାନେ ?
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର,ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri