ପ୍ରଗତି ଓ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରା ହେଉଛି ସଂସ୍କୃତି। ରୀତିନୀତି,ଧର୍ମକର୍ମ, ଖାଦ୍ୟପେୟ, ବେଶପୋଷାକ,ପର୍ବପର୍ବାଣି ଓ ପ୍ରଥା-ପରମ୍ପରା ଇତ୍ୟାଦି ତା’ର ଅଙ୍ଗୀଭୂତ ବିଷୟ। ଅର୍ଥାତ୍‌ ଜୀବନ ବଞ୍ଚିବା ପାଇଁ ମଣିଷ ଯେତେ ଯାହା ଆବଶ୍ୟକ କରେ ସେ ସକଳକୁ ଆମେ ଗୋଟିଏ ଶବ୍ଦରେ କହୁ ସଂସ୍କୃତି। ଆମ ସହ ଆଉ ଦୁଇଟି ଶବ୍ଦ ଯୋଡ଼ିହୋଇ ରହିଛି-ଧର୍ମ ଓ ପରମ୍ପରା। ଧର୍ମର ସ୍ବରୂପ ହେଉଛି ସତ୍ୟ ଓ ଆଧ୍ୟାତ୍ମିକତା। ଆମେ ଏ ପୃଥିବୀରେ ଜନ୍ମହେବା ବେଳକୁ ଜୀବନଧାରଣ ପାଇଁ ମା’ ସ୍ତନରେ କ୍ଷୀରଠାରୁ ଆରମ୍ଭ କରି ପାଣି ପବନ ଆଦି ଯାବତୀୟ ଉପାଦାନ ସଜଡ଼ାହୋଇ ରହିଛି ଏକ ବ୍ୟବସ୍ଥିତ ଢଙ୍ଗରେ। ଏସବୁ ସୃଷ୍ଟି କରିବା ନିଶ୍ଚୟ ମଣିଷର ସାମର୍ଥ୍ୟ ବାହାରେ। ଅର୍ଥାତ୍‌ ଏହାର ସ୍ରଷ୍ଟା ହେଉଛନ୍ତି କୌଣସି ଅଦୃଶ୍ୟ ଶକ୍ତି ବା ଈଶ୍ବର। ଏହି ଅବବୋଧକୁ ଆଧାରକରି ପରିପୁଷ୍ଟ ହୋଇଛି ଭାରତୀୟ ସଂସ୍କୃତି। ତାକୁ ଉଜ୍ଜୀବିତ କରି ରଖିବାର ପ୍ରକ୍ରିୟା ହେଉଛି ପରମ୍ପରା। ବସ୍ତୁତଃ ସଂସ୍କୃତି ସ୍ଥିର ନୁହେଁ,ଗତିଶୀଳ, ଯାହାକୁ କୁହାଯାଏ ସାଂସ୍କୃତିକ ପ୍ରବାହ। ସାଧାରଣତଃ ଗୋଟିଏ ଅଞ୍ଚଳର ଭୌଗୋଳିକ ଅବସ୍ଥିତି, ଜଳବାୟୁ ଓ ପାରିପାର୍ଶ୍ୱିକ ଅବସ୍ଥାକୁ ଭିତ୍ତିକରି ସେଠାକାର ସଂସ୍କୃତି ଗଢ଼ିଉଠେ ଏବଂ ତାହା ସେଠାକାର ଅଧିବାସୀଙ୍କ ଜୀବନଶୈଳୀ ଭାବେ ପ୍ରତିଷ୍ଠା ଲାଭକରେ ଶହଶହ ବର୍ଷର ପରୀକ୍ଷା ନିରୀକ୍ଷା ପରେ। ସମୟକ୍ରମେ ପାରିବେଶିକ ପ୍ରଭାବ ତଥା ଜ୍ଞାନବିଜ୍ଞାନର ବିକାଶ କାରଣରୁ ପରମ୍ପରାରେ ଆସିବା ସ୍ବାଭାବିକ। ମାତ୍ର କୌଣସି ପରମ୍ପରାକୁ ବଳପୂର୍ବକ ବଦଳେଇବାକୁ ଚେଷ୍ଟାକଲେ ବିଳପିଉଠେ ଜାତିର ସାଂସ୍କୃତିକ ଆତ୍ମା।
ପରମ୍ପରାକୁ ଅନ୍ଧବିଶ୍ବାସ କହି ତାଚ୍ଛଲ୍ୟ କରିବା ପରିବର୍ତ୍ତେ ଆଉଁଶା ଆଦର ମାଧ୍ୟମରେ ତା’ର ହାନିକାରକ ଦିଗଗୁଡ଼ିକୁ ଲୋକଲୋଚନକୁ ଆଣିବା ଦରକାର। ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି କିଛି ପରମ୍ପରା ପଛରେ ବୈଜ୍ଞାନିକ ସତ୍ୟ ଥାଉ କି ନ ଥାଉ,ସେଥିରେ ନିହିତ ସମାଜକୁ ଶୃଙ୍ଖଳିତ କରି ଗଢ଼ିତୋଳିବାର ଅନ୍ତଃ ପ୍ରେରଣା। ବିଜ୍ଞାନ ପ୍ରମାଣ ଆଧାରିତ ହେଲେ,ସଂସ୍କୃତି ହେଉଛି ବିଶ୍ବାସ ଆଧାରିତ। ଏହି ପରିପ୍ରେକ୍ଷୀରେ ଆସିବା ବର୍ତ୍ତମାନ ଆମେ ପାଳନ କରୁଥିବା କାର୍ତ୍ତିକ ବ୍ରତ ପାଖକୁ,ଯାହା ଆମ ପୂର୍ବଜଙ୍କ ଜ୍ଞାନଗର୍ଭା ଚିନ୍ତା ପ୍ରସୂତ ଏକ ଆଧ୍ୟାତ୍ମିକ ଆୟୋଜନ। ଭାରତୀୟ ଧାର୍ମିକ ପରମ୍ପରାରେ ଭକ୍ତି ଓ ସମର୍ପଣର ମାସ କାର୍ତ୍ତିକ। କାର୍ତ୍ତିକ ବ୍ରତକୁ ନେଇ ସମୁଦାୟ ମାସଟା ବିତିଯାଏ ଶୁଦ୍ଧ ଆଚରଣ ଓ ଦିବ୍ୟ ବାତାବରଣ ଭିତରେ। ପବିତ୍ର କାର୍ତ୍ତିକର ପ୍ରତି ପ୍ରଭାତ ଶ୍ରଦ୍ଧାଳୁଙ୍କ ମନରେ ଆଣିଦିଏ ଏକ ଶୁଦ୍ଧ ସାତ୍ତ୍ବିକ ଏକାଗ୍ର ଭାବ। ପ୍ରାତଃ ସ୍ନାନ, ତୁଳସୀ ଅର୍ପଣ, ହବିଷାନ୍ନ ସେବନ,ରାଇ ଦାମୋଦର ପୂଜନ, ଆକାଶଦୀପ ପ୍ରଜ୍ବଳନ,ପଞ୍ଚକ ପାଳନ ଓ ରାସଲୀଳା ଶ୍ରବଣ ଆଦି ପ୍ରାଣରେ ଆଣିଦିଏ ଏକ ଆଧ୍ୟାତ୍ମିକ ଉଦ୍‌ବେଳନ। ଆଧ୍ୟାତ୍ମିକତା ଉପଲବ୍ଧି ନିମନ୍ତେ କାର୍ତ୍ତିକ ବ୍ରତ ହେଉଛି ଏକ ସାଂସ୍କୃତିକ ବିଧାନ। ବହୁ ପରୀକ୍ଷା ନିରୀକ୍ଷା ପରେ ପ୍ରତିଷ୍ଠା ଲାଭ କରିଥିବା ଏହି ବିଧାନ ଅନ୍ତରାଳରେ ରହିଛି ସୁସ୍ଥ ସୁନ୍ଦର ଓ ଉତ୍ସର୍ଗୀକୃତ ଜୀବନ ବଞ୍ଚିବାର ସୂତ୍ର। ଏହା ଯେତିକି ଆଚାରସିଦ୍ଧ,ସେତିକି ବିଜ୍ଞାନ ସମ୍ମତ।
ଶାସ୍ତ୍ର କହେ, ଆମିଷ ଭକ୍ଷଣ କଲେ ମଣିଷ ଭିତରେ କାମ, କ୍ରୋଧ, ଈର୍ଷା ଓ ଉତ୍ତେଜନା ବଢ଼େ ଓ ହ୍ରାସପାଏ ସଂଯମ ଓ ଶୃଙ୍ଖଳା। ଏହି ଦୃଷ୍ଟିରୁ ବିଚାରକଲେ ସାମୟିକ ଭାବରେ ହେଲେ ବି କାର୍ତ୍ତିକବ୍ରତ ଅନେକଙ୍କୁ ଆମିଷ ଭକ୍ଷଣରୁ ନିବୃତ ରଖିବା ସହିତ ସେମାନଙ୍କ ଭିତରେ ସୃଷ୍ଟିକରେ ଜୀବେ ଦୟା ଭାବ। ଅନେକ ଲୋକ ମାସାଧିକ କାଳ ଆମିଷ ବର୍ଜନ କରିବା ଫଳରେ ବଞ୍ଚିଯାଏ ଅନେକ ନିରୀହ ପ୍ରାଣୀଙ୍କ ଜୀବନ। ଅର୍ଥାତ୍‌ ଏହା ପରିବେଶର ରକ୍ଷକ ଓ ଭକ୍ଷକ ମଧ୍ୟରେ ସନ୍ତୁଳନ ରକ୍ଷାର ଏକ କୌଶଳପୂର୍ଣ୍ଣ ଆୟୋଜନ। ଆମ ପୂର୍ବଜମାନେ ଜାଣିଥିଲେ, କାର୍ତ୍ତିକ ମାସରେ ସୂର୍ଯ୍ୟ ନିମ୍ନକୁ ଆସିବା ଫଳରେ ବଢ଼ିଯାଏ ହୃଦ୍‌ଘାତର ଆଶଙ୍କା। ଏଥିରୁ ରକ୍ଷାପାଇବାର ଏକ ସହଜ ଉପାୟ ହେଉଛି ପ୍ରାତଃ ସ୍ନାନ ଓ ପ୍ରାତଃ ଭ୍ରମଣ। ଶୀତ ଆରମ୍ଭରୁ ସକାଳୁ ଉଠି ସ୍ନାନ କରିବା ଦ୍ବାରା ଅଳସପଣ ଦୂରହୁଏ ଏବଂ ଅଧିକ ସକ୍ରିୟ ହୁଏ ଶରୀରର ସୂକ୍ଷ୍ମ ଅଂଶ। ପ୍ରତିଦିନ ମନ୍ଦିର ଯାଇ ଦିଅଁ ଦର୍ଶନ କଲେ ମନକୁ ଉଲ୍ଲସିତ କରେ ସକାରାତ୍ମକ ଭାବନା। ଆୟୁର୍ବେଦ ଅନୁସାରେ ଶୀତର ପହିଲି ସ୍ପର୍ଶରେ ଶରୀରରେ ବୃଦ୍ଧିପାଏ ଅମ୍ଳ ଓ ପିତ୍ତ। ସହଜ ପାଚକ କ୍ରିୟା ପାଇଁ ଶରୀର ଆବଶ୍ୟକ କରେ ଶୁଦ୍ଧ ସାତ୍ତ୍ବିକ ଆହାର। ତାକୁ ଦୃଷ୍ଟିରେ ରଖି ତିଆରି ହୋଇଛି କାର୍ତ୍ତିକର ସ୍ବତନ୍ତ୍ର ଖାଦ୍ୟଶୃଙ୍ଖଳା। ବିଶେଷକରି ବିଧବାମାନେ ଏହି ଖାଦ୍ୟଶୃଙ୍ଖଳା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଏବଂ ଦିନରେ ଥରୁଟିଏ ଆହାର କରନ୍ତି ମୁଗ, କଦଳୀ, ଓଉ,ସାରୁ ଓ ଓଲୁଅ ଆଦିରେ ପ୍ରସ୍ତୁତ ହବିଷାନ୍ନ। ବର୍ଜନ କରିଥିବା ଅନ୍ୟାନ୍ୟ ବ୍ୟଞ୍ଜନ ସାମଗ୍ରୀକୁ ସେମାନେ ପୁଣି ଗ୍ରହଣ କରନ୍ତି ବ୍ରତ ଉଦ୍‌ଯାପନ ପରେ। ଏହି କ୍ରମରେ କାର୍ତ୍ତିକ ପୂର୍ଣ୍ଣିମା ପରଦିନକୁ କୁହାଯାଏ ଛାଡ଼ଖାଇ, ଯା’ର ଉଦ୍ଦେଶ୍ୟକୁ କଦର୍ଥ କରି ଏବେ ପାଳନ ହେଉଛି ଆମିଷ ଉତ୍ସବ।
ସାଧାରଣତଃ ଶ୍ରଦ୍ଧା ଓ ବିଶ୍ବାସ ନ ଥିଲେ ଆଚରଣରେ ଆସେନି ଶୁଦ୍ଧତା। ଏହି କାରଣରୁ ଆମିଷ ରସ ଆସ୍ବାଦନର ବ୍ୟାକୁଳତା ଆଗରେ ଆଦୌ ଉଧେଇପାରୁନି ଆଧ୍ୟାତ୍ମିକ ଭାବନା। ପରମ୍ପରା ଦାୟରେ କାର୍ତ୍ତିକ ବ୍ରତ ପାଳନ କରୁଥିବା ତଥାକଥିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ତ ବଢ଼ିବଢ଼ି ଯାଉଛି, ହେଲେ ଭାବ ନ ଥିଲେ ଆଚରଣରେ ଶୁଦ୍ଧତା ଆସିବ କାହୁଁ ? ସେଥିପାଇଁ ଅନେକ ବ୍ରତଚାରୀ ମାସ ଆରମ୍ଭରୁ ଦିନ ଗଣିଗଣି ଛଟପଟ ହୁଅନ୍ତି ଛାଡ଼ଖାଇ ନାମକ ମହାର୍ଘ ମୁହୂର୍ତ୍ତର ପ୍ରତୀକ୍ଷାରେ। ସେମାନଙ୍କ ପାଇଁ ପୂର୍ଣ୍ଣିମା ଦିନ ମନ୍ଦିର ଯାଇ ଦିଅଁ ଦର୍ଶନ କରିବାର ଦିବ୍ୟ ଭାବନାକୁ ବଳିଯାଏ ସକାଳୁ ଉଠି ମାଂସଦୋକାନକୁ ଧାଇଁବାର ବ୍ୟାକୁଳତା। ସେମାନଙ୍କ ଆମିଷରସ ଆସ୍ବାଦନର ବୈକଲ୍ୟ ଆଗରେ କୌଣସି ମୂଲ୍ୟ ରଖେନି ନିରୀହ ପଶୁପକ୍ଷୀଙ୍କ କଷ୍ଟ, ଯନ୍ତ୍ରଣା, କୋହ ଓ ଆର୍ତ୍ତନାଦ। ଅଥଚ ଏମାନେ ନିଜକୁ ହିନ୍ଦୁ ସଂସ୍କୃତିର ଜଗୁଆଳି କହି ନିଜ ଡେଙ୍ଗୁରା ନିଜେ ପିଟନ୍ତି ଶାସ୍ତ୍ରପୁରାଣର ଉଦାହରଣ ଦେଇ। ହେତୁବାଦୀମାନଙ୍କୁ ଧର୍ମଦ୍ରୋହୀ ବୋଲି ଆକ୍ଷେପକରି ପ୍ରୟୋଗ କରନ୍ତି କେତେକେତେ ଅପଶବ୍ଦ। ହେଲେ ପ୍ରଗତିର ପକ୍ଷଧର କିଏ? ପରମ୍ପରାକୁ ଅନ୍ଧବିଶ୍ବାସ କହି ଖୋଲାଖୋଲି ବିରୋଧ କରୁଥିବା ହେତୁବାଦୀମାନେ ନା ଆତ୍ମସ୍ବାର୍ଥ ପାଇଁ ସଂସ୍କୃତିର ମୂଳତତ୍ତ୍ବଠାରୁ ଦୂରେଇଯାଉଥିବା ଛଦ୍ମ ଶ୍ରଦ୍ଧାଳୁମାନେ ?
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର,ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri