ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ ଯାସ୍କଙ୍କ ମତରେ ଯିଏ ଦର୍ଶନ କରନ୍ତି ସେ ଋଷି। ଋଷିମାନେ ତପସ୍ୟା ଓ ଧ୍ୟାନ କରୁ କରୁ ମନ୍ତ୍ରଦ୍ରଷ୍ଟା ହେଉଥିଲେ। ମାତ୍ର ବେଦମନ୍ତ୍ରର ଦର୍ଶନ ସହ ଅର୍ଥ ଦର୍ଶନ ହିଁ ଋଷିତ୍ୱ (ନିରୁକ୍ତ) -୨:୧୧। ଏଥିରୁ ସ୍ପଷ୍ଟ ମନେହୁଏ ଯେ, ଋଷି ବେଦମନ୍ତ୍ରର ସ୍ରଷ୍ଟା ନୁହନ୍ତି, ଦ୍ରଷ୍ଟା ମାତ୍ର। ଦର୍ଶନ ପୂର୍ବରୁ ଦୃଶ୍ୟବସ୍ତୁର ଅସ୍ତିତ୍ୱ ଥିବା ଭଳି ଋଷି ବେଦମନ୍ତ୍ରର ଦର୍ଶନ କରିବା ପୂର୍ବରୁ ବେଦମନ୍ତ୍ରର ଅସ୍ତିତ୍ୱ ଥାଏ। ଋଷି ତପ ଓ ସ୍ବାଧ୍ୟାୟ ବଳରେ ତା’ର ଆତ୍ମାନୁଭବ କରନ୍ତି। ନିରୁକ୍ତକାର କହିଛନ୍ତି ”ମନ୍ତ୍ର ମନନାତ୍‌“ (୭,୧୨) ଅର୍ଥାତ୍‌ ମନନ କରିବା ହେତୁ ସେଗୁଡ଼ିର ନାମ ମନ୍ତ୍ର। ଋଷିମାନଙ୍କ ଗଭୀର ଚିନ୍ତନ ପରେ ସେମାନଙ୍କ ମୁଖରୁ ମନ୍ତ୍ରଗୁଡ଼ିକ ନିଃସୃତ ହେଉଥିଲା। ମନ୍ତ୍ର ହେଉଛି ଧ୍ୱନି ସହ ଏକ ନିର୍ଦ୍ଦିଷ୍ଟ ଅର୍ଥର ସଂଯୋଗ। ତା’ର ଉଚ୍ଚାରଣ ହୃଦୟରେ ଏକ ଅଲୌକିକ ସ୍ପନ୍ଦନ ଓ ବାତାବରଣରେ ଏକ ଆଧିଭୌତ୍ତିକ ପ୍ରଭାବ ସୃଷ୍ଟିକରେ। ଶ୍ରୀ ଅରବିନ୍ଦଙ୍କ ଭାଷାରେ, ”ମନ୍ତ୍ରର ତତ୍ତ୍ୱ ହେଲା ଏହା ଆମର ଗୋପନ ଅନ୍ତର୍ଦେଶରୁ ଉତ୍ସାରିତ ଶକ୍ତିମୟ ଶବ୍ଦ। ସେ ଅନ୍ତର୍ଦେଶରେ ମନଠାରୁ ଗଭୀର ଏକ ଚେତନା ତାହା ଉପରେ ଏକାଗ୍ର ହୋଇଛି; ହୃଦୟରେ ତା’ର ରୂପାୟନ ଘଟିଛି- ତାହା ବୁଦ୍ଧି ପ୍ରସୂତ ନୁହେଁ- ମନ ତାକୁ ଧାରଣ କରିଛି, ସଚେତ ମନ ପୁଣି ତା’ ଉପରେ ଧ୍ୟାନ ନିବଦ୍ଧ କରିଛି ଓ ତା’ପରେ ତାହା ନିଃସୃତ ହୋଇଛି ନୀରବରେ ବା ଶବ୍ଦ ଯୋଗେ“ (ଅନୁବାଦ ମନୋଜ ଦାସ)। ମୂଳତଃ ସାଧକ ପାଇଁ ଉଚ୍ଚତର ଚେତନାକୁ ମାର୍ଗ ନିର୍ଦ୍ଦେଶ କରିବା ଓ ମହତ୍ତର ଉପଲବ୍‌ଧି ଆଣିଦେବା ହେଲା ମନ୍ତ୍ରର ଆଭିମୁଖ୍ୟ।
ମନ୍ତ୍ରରେ ଦେବତ୍ୱର ପ୍ରାଣସ୍ପନ୍ଦନ ମିଳିତ ଥାଏ ବୋଲି ତାହା ପ୍ରଭାବ ପକାଇପାରେ। ଯଦି ମନ୍ତ୍ର ସହ ସାଧକ ସ୍ବୀୟ ଦେବତ୍ୱକୁ ବିକଶିତ କରି ସଂଯୁକ୍ତ କରିବାରେ ଅସଫଳ ହୁଏ, ସେହି ଶବ୍ଦପୁଞ୍ଜରୁ ସେହି ଧରଣର ପ୍ରଭାବ ଉପତ୍ନ୍ନ ହୋଇପାରେନାହିଁ। ମନ୍ତ୍ର-ସାଧକକୁ ନିଜ ବ୍ୟକ୍ତିତ୍ୱର ସ୍ତରକୁ ଏପରି ତୋଳିବାକୁ ହୁଏ ଯେ ଜିହ୍ବାରୁ ଉଚ୍ଚାରିତ ମନ୍ତ୍ର କେବଳ ମାତ୍ର ଧ୍ୱନି ନ ରହି ବାକ୍‌ଶକ୍ତି ରୂପେ ପ୍ରକଟିତ ହୁଏ। ତା’ର ପ୍ରକଟମାତ୍ରକେ ସୂକ୍ଷ୍ମ ଜଗତରେ ଏକ ସ୍ପନ୍ଦନ ଓ ମନ୍ତ୍ରର ଉଦ୍ଦେଶ୍ୟ ଅନୁରୂପ ବାତାବରଣ ସୃଷ୍ଟିହୁଏ। ମନ୍ତ୍ରର ଚମତ୍କାର କ୍ଷମତା ଯେଉଁ ଉଚ୍ଚାରଣ ଉପରେ ନିର୍ଭର କରେ ତାକୁ ବାକ୍‌ କୁହାଯାଏ। ଏଥିରେ ଶବ୍ଦର ଯେତିକି ପ୍ରଭାବ ଥାଏ ତା’ଠାରୁ ବହୁଗୁଣ ପ୍ରଭାବ ସାଧକର ବ୍ୟକ୍ତିତ୍ୱରେ ସନ୍ନିହିତ ଥାଏ। ଏହି ଆଧାର ଉପରେ ମନ୍ତ୍ରର ବିଶେଷତ୍ୱ ପ୍ରମାଣିତ ହୁଏ। ମନ୍ତ୍ର ମାଇକ୍ରୋଫୋନ୍‌ ବା ମୋବାଇଲ୍‌ ସେଟ୍‌ ଭଳି ଯନ୍ତ୍ର ମାଧ୍ୟମରେ ପରିବେଷିତ ହେବା ନିମନ୍ତେ ଉଦ୍ଦିଷ୍ଟ ନୁହେଁ, ମୁଖରେ ଉଚ୍ଚାରିତ ହେବା ପାଇଁ ଉଦ୍ଦିଷ୍ଟ। ମନ୍ତ୍ର ସାଧକ ଓ ଈଶ୍ୱରଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟକରେ। ଉଦାହରଣ ସ୍ବରୂପ, ‘ଓମ୍‌’ ଏକାକ୍ଷରୀ ମନ୍ତ୍ର ଭାବେ ବିଦିତ ଓ ଜଗନ୍ନାଥ ଦାସଙ୍କ ଭାଷାରେ ”ସକଳ ମନ୍ତ୍ର ମଧ୍ୟେ ସାର“। ଏଣୁ ସାଧୁସନ୍ଥମାନେ ଦୀର୍ଘ ମନ୍ତ୍ର ସାଧନା ନ କରି ଓଁକାର ସାଧନା କରନ୍ତି। ମୁଣ୍ଡକ ଉପନିଷଦରେ କୁହାଯାଇଛି ଯେ,”ଓମ୍‌“ ହେଉଛି ଧନୁ, ଜୀବାତ୍ମା ହେଉଛି ବାଣ ଓ ବ୍ରହ୍ମ ତା’ର ଲକ୍ଷ୍ୟ। ସାଧକ ପ୍ରମାଦରହିତ ହୋଇ ଶରବିଦ୍ଧ କରିବା ଉଚିତ ଓ ଲକ୍ଷ୍ୟପ୍ରାପ୍ତି ପାଇଁ ବାଣ ଭଳି ତନ୍ମୟ ହେବା ଉଚିତ। ରେକର୍ଡ ନିର୍ଗତ ”ଓମ୍‌“ ଧ୍ୱନି ମନ୍ତ୍ରୋଚ୍ଚାରଣର ଉଦ୍ଦେଶ୍ୟକୁ ସଫଳ କରେନାହିଁ।
ସଂପ୍ରତି ଯେଉଁମାନେ ବୈଦିକ ମନ୍ତ୍ରକୁ ଶ୍ରୁତିମଧୁର ସଙ୍ଗୀତ ଭଳି ସ୍ବର ସଂଯୋଜନା କରୁଛନ୍ତି ସେମାନେ ମନେରଖିବା ଉଚିତ ଯେ ପ୍ରତ୍ୟେକ ମନ୍ତ୍ରର ଏକ ନିର୍ଦ୍ଦିଷ୍ଟ ଛନ୍ଦ ଥାଏ ଓ ସେହି ଛନ୍ଦର ନିର୍ଦ୍ଦିଷ୍ଟ ସ୍ବର, ତାଳ ଓ ଲୟ ଥାଏ। ସେ ସବୁର ଠିକ୍‌ ଉପଯୋଗ ନ ହେଲେ ମନ୍ତ୍ର ତା’ର ପ୍ରକୃତ ପ୍ରଭାବ ସୃଷ୍ଟି କରିପାରେନାହିଁ। ‘ଶତପଥ ବ୍ରାହ୍ମଣ’ ଗ୍ରନ୍ଥରେ ଯରୁଚ ଦେବ ଓ ନୃମେଧ ଋଷିଙ୍କ ବିବାଦ ସମ୍ପର୍କରେ ଏକ ଉପାଖ୍ୟାନ ଅଛି। ଉଭୟେ ନିଜକୁ ସଫଳ ମାନ୍ତ୍ରିକ ଭାବରେ ପ୍ରମାଣିତ କରିବାକୁ ଚାହିଁଲେ। ଯରୁଚ ଦେବ ମନ୍ତ୍ରୋଚ୍ଚାରଣ କରି ଅଗ୍ନି ଉତ୍ପନ୍ନ କଲେ ଓ କଞ୍ଚାକାଠକୁ ଜାଳିଦେଲେ, ମାତ୍ର ନୃମେଧଙ୍କ ଉଚ୍ଚାରିତ ମନ୍ତ୍ର କେବଳ ଧୂଆଁ ସୃଷ୍ଟିକଲା। ଯରୁଚ ଦେବ ନୃମେଧଙ୍କୁ କହିଲେ, ”ଆପଣ କେବଳ ମନ୍ତ୍ରୋଚ୍ଚାରଣ କରି ଜାଣନ୍ତି, ମାତ୍ର ମୁଁ ତା’ର ଆତ୍ମାର ସାକ୍ଷାତ୍‌ ଲଭିଛି।“ ଏ କଥାର ତାତ୍ପର୍ଯ୍ୟ ହେଉଛି ଯେ ମନ୍ତ୍ରସ୍ଥ ଭାବକୁ ଅନୁଭବ ପର୍ଯ୍ୟାୟକୁ ନ ଆଣି କେବଳ ଉଚ୍ଚାରଣ କରିଦେଲେ ଏକ ପବିତ୍ର ବାତାବରଣ ସୃଷ୍ଟି ହୁଏନାହିଁ କି ମନ୍ତ୍ର ଉପଯୁକ୍ତ ପ୍ରଭାବ ସୃଷ୍ଟି କରିପାରେ ନାହିଁ। ମନ୍ତ୍ରୋଚ୍ଚାରଣର ସଫଳତା ନିର୍ଭର କରେ ନିର୍ଭୁଲ ଉଚ୍ଚାରଣ, ଏକାଗ୍ର ଚିତ୍ତ ଓ ଅର୍ଥର ଉପଲବ୍‌ଧି ଉପରେ।
ଏହି ପ୍ରସଙ୍ଗରେ ଏକ କ୍ଷୁଦ୍ରଗଳ୍ପ ପ୍ରଣିଧାନଯୋଗ୍ୟ ମନେହୁଏ। ଥିଲା ଜଣେ ଅଳ୍ପବୁଦ୍ଧି ବାଳକ। ତା’ର ବୁଦ୍ଧିର ଉପଯୁକ୍ତ ବିକାଶ ହେଉ ନ ଥିବାରୁ ତା’ ବାପା ଅତ୍ୟନ୍ତ ଚିନ୍ତିତ ରହୁଥିଲେ। ଅଦୂରରେ ଜଣେ ପଣ୍ଡିତ ଖୋଲିଥାନ୍ତି ଏକ ଚାଟଶାଳୀ। ଦିନେ ବାପା ପିଲାଟିକୁ ଧରି ଚାଟଶାଳୀରେ ପହଞ୍ଚତ୍ଲେ ଓ ତାଙ୍କ ପିଲାକୁ ଶିଷ୍ୟ ଭାବେ ଗ୍ରହଣକରି ପାଠ ପଢ଼ାଇବା ପାଇଁ ପଣ୍ଡିତଙ୍କୁ ଅନୁରୋଧ କଲେ। ପିଲାଟି ପଣ୍ଡିତଙ୍କ ଚାଟଶାଳୀରେ ରହିଲା। ଦିନେ ପଣ୍ଡିତ ତାକୁ କହିଲେ ”ମୁଁ ତୋତେ ଏକ ମନ୍ତ୍ର ଦେଉଛି। ତାକୁ ପ୍ରତ୍ୟହ ଆବୃତ୍ତି କରିବୁ। ମନ୍ତ୍ରଟି ହେଲା ‘ଅହମ୍‌ ବ୍ରହ୍ମାସ୍ମି’। ଘରକୁ ଆସି ସେ ମନ୍ତ୍ରଟିକୁ ବାରମ୍ବାର ଉଚ୍ଚାରଣ କରନ୍ତେ ବାପା ତାକୁ ମନ୍ତ୍ରର ଅର୍ଥ ପଚାରିଲେ। ପିଲାଟି ସେହି ମନ୍ତ୍ରର ଅର୍ଥ କିଛି ବୁଝି ନ ଥିଲା। ମନ୍ତ୍ରର ଯେ ଅର୍ଥଟିଏ ଥିବ ଏ କଥା ତା’ ମୁଣ୍ଡରେ ପଶି ନ ଥିଲା। ବାପା ତାକୁ ବୁଝାଇ କହିଲେ, ”ପୁଅ! ଏହାର ଅର୍ଥ ହେଉଛି ‘ମୁଁ ବ୍ରହ୍ମ’।“ ପିଲାଟି ଅର୍ଥଟି ଜାଣି ଖୁସିହେଲା। ତା’ ପରଦିନ ସେ ଗଲା ମାମୁଘରକୁ। ସେଠାରେ ସେ ଆବୃତ୍ତି କରୁଥାଏ ”ଅହମ୍‌ ବ୍ରହ୍ମାସ୍ମି“ ଅର୍ଥାତ୍‌ ବାପା ହେଲେ ବ୍ରହ୍ମ“। ମାମୁ ତା’ର ଭୁଲ୍‌ ସଂଶୋଧନ କରି କହିଲେ ”ଭଣଜା! ତା’ର ଅର୍ଥ, ବାପା ହେଲେ ବ୍ରହ୍ମ ନୁହେଁ, ‘ମୁଁ ବ୍ରହ୍ମ’।“ ପିଲାଟି ଭାବିଲା ବୋଧହୁଏ ବାପା ଠିକ୍‌ ଅର୍ଥ ଜାଣି ନ ଥିଲେ। ମାମୁ ଠିକ୍‌ କହୁଛନ୍ତି। କିଛିଦିନ ପରେ ଗାଁକୁ ଫେରିଲା। ଦିନେ ଗାଁ ଉପକଣ୍ଠରେ ବସି ସେ ଉଚ୍ଚାରଣ କରୁଥାଏ ‘ଅହମ୍‌ ବ୍ରହ୍ମାସ୍ମି, ଅର୍ଥାତ୍‌ ମାମୁ ହେଲେ ବ୍ରହ୍ମ।’ ଗାଁ ମୁଖିଆ ଏକଥା ଶୁଣି ତାକୁ କହିଲା, ”ବାବୁ! ମାମୁ ହେଲେ ବ୍ରହ୍ମ ନୁହେଁ, ‘ମୁଁ ବ୍ରହ୍ମ’।“ ପିଲାଟି ବିଚଳିତ ହୋଇପଡ଼ିଲା। ମନ୍ତ୍ରଟି ବିଷୟରେ ମନନ କଲା। ବାପା, ମାମୁ, ଗାଁ ମୁଖିଆ ସମସ୍ତେ କହିଲେ ‘ମୁଁ ବ୍ରହ୍ମ’, ଅର୍ଥାତ୍‌ ସମସ୍ତେ ବ୍ରହ୍ମ। ତା’ହେଲେ ମୁଁ ନିଜେ ବି ବ୍ରହ୍ମ। ଏବେ ମନ୍ତ୍ରର ଅର୍ଥକୁ ଠିକ୍‌ ବୁଝିପାରିଲା। ସେ ଏକାଗ୍ର ଚିତ୍ତରେ ଜପ କଲା ”ଅହମ୍‌ ବ୍ରହ୍ମାସ୍ମି“। ଗଭୀର ଧ୍ୟାନ ମଧ୍ୟରେ ସେ ନିଜ ଭିତରେ ଅନୁଭବ କଲା ଏକ ଚୈତ୍ୟସତ୍ତା।
ମନ୍ତ୍ର ଉଚ୍ଚାରଣ କଲେ ତା’ର ଧ୍ୱନି ବାତାବରଣରେ ଏକ ତରଙ୍ଗ ସୃଷ୍ଟି କରିପାରେ, ମାତ୍ର ତା’ର ଅର୍ଥ ହୃଦୟଙ୍ଗମ ନ କଲେ ଓ ତା’ ଉପରେ ଏକାଗ୍ରଚିତ୍ତ ନ ହେଲେ ବ୍ୟକ୍ତିତ୍ୱ ଉପରେ ତା’ର କୌଣସି ପ୍ରଭାବ ପଡ଼େନାହିଁ। ପୁନଶ୍ଚ ନିର୍ଦ୍ଦିଷ୍ଟ ଛନ୍ଦ, ସ୍ବର, ତାଳ, ଲୟ ସହ ମନ୍ତ୍ରୋଚ୍ଚାରଣ ନ କଲେ ତାହା ଆମୋଦପ୍ରମୋଦ ପାଇଁ ଗାନ କରାଯାଉଥିବା ସାଧାରଣ ସଂଗୀତଠାରୁ କୌଣସି ଗୁଣରେ ଭିନ୍ନ ହୁଏନାହିଁ। ଏଣୁ ମନ୍ତ୍ର ଭିତରେ ଥିବା ଶକ୍ତିକୁ ଆୟତ୍ତ କରିବାକୁ ହେଲେ ଆମକୁ ତା’ ଉପରେ ଏକାଗ୍ର ହୋଇ ମନନ କରି ଅନୁଭବ ସ୍ତରକୁ ଆଣିବାକୁ ହେବ। ତେବେ ମନ୍ତ୍ର ତା’ର ପ୍ରକୃତ ପ୍ରଭାବ ସୃଷ୍ଟି କରିପାରିବ।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri