ବିଷ ମଣିଷଙ୍କ ଅମୃତ ଯାତ୍ରା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଚରିତ୍ରଗତ ଭାବେ ମଣିଷ ସବୁବେଳେ ଅମୃତାନ୍ବେଷୀ, ଶୁଦ୍ଧ, ପବିତ୍ର, ଉଦାର ଓ ପ୍ରଶାନ୍ତ। ଅନ୍ୟର ଆନନ୍ଦରେ ସୁଖୀ ହେଉଥିବା ଓ ଦୁଃଖରେ କଷ୍ଟ ପାଉଥିବା ଏକ ନିର୍ମଳ ହୃଦୟ। ତେବେ ତା’ର ପାରିପାର୍ଶ୍ୱିକ ପରିବେଷ୍ଟନୀ ତା’ ପାଇଁ ଏମିତି ଦୁର୍ଭାଗ୍ୟ ସୃଷ୍ଟିକରେ ଯେ ସେ ତା’ର ଦିଗହରାଇ ବସେ। ସ୍ନେହ, ପ୍ରେମ, ବିଶ୍ୱାସ ବଦଳରେ ତା’ ଭିତରେ ଅଙ୍କୁରିତ ହୁଏ ଈର୍ଷା, ଛଳନା, ବିଦ୍ୱେଷ ଓ ଘୃଣାର ଯେତେସବୁ ହଳାହଳ। ସେ ଆସ୍ତେ ଆସ୍ତେ ମାନବରୁ ଦାନବରେ ରୂପାନ୍ତରିତ ହୋଇଯାଏ। ବାସ୍‌, କାଲିଯାଏ ଦୁନିଆର ବୋଝ ବୋହିବାକୁ ଆଗଭର ହେଉଥିବା ମଣିଷଟି ହଠାତ୍‌ ଦୁନିଆ ପାଇଁ ଏକ ବୋଝ ହୋଇଯାଏ।
ପରିସ୍ଥିତିର ତାଡ଼ନାରେ ହେଉ କି କୁସଂସର୍ଗର ପ୍ରଭାବରେ ହେଉ, ସମାଜରେ ଅମୃତର ସନ୍ତାନ ଦେବଶିଶୁଟିଏ ପରବର୍ତ୍ତୀ କାଳରେ ବିଷ ପୁରୁଷଟିଏ ପାଲଟି ଯାଇଥିବାର ଦୃଷ୍ଟାନ୍ତ ଆଦୌ ବିରଳ ନୁହେଁ। ମାତ୍ର ଲକ୍ଷ୍ୟ କରିବାର କଥା, ନାନା ଅନୀତି, ଅନାଚାରରେ ଲିପ୍ତ ରହୁଥିବା ଅସାମାଜିକ ଲୋକଟିଏ ଯେତେ ବିଷ ବଳୟରେ ଘାଣ୍ଟି ହେଲେ ମଧ୍ୟ ଅମୃତର ମହର୍ଗ ମହକରେ ସେ ସବୁବେଳେ ବିମୋହିତ ହୋଇ ଆସିଛି। ନିଜେ ଯେତେ ଖରାପ ହେଲେ ବି ସେ ଅନ୍ୟର ଖରାପ ହେବାକୁ କେବେ ପ୍ରଶଂସା କରି ଶିଖିନାହିଁ। ଭଲ ଦୃଶ୍ୟଟିଏ ଦେଖି ନିଜ ଭିତରେ ଏକ ଅବ୍ୟକ୍ତ ମୁଗ୍ଧ ଅନୁଭବରେ ଜଡ଼ସଡ଼ ହୋଇଛି। ମଣିଷ ଚରିତ୍ରର ଏକ ବଳିଷ୍ଠ ମନସ୍ତାତ୍ତ୍ୱିକ ବିଶେଷଣ କରୁଥିବା ଏହି ଘଟଣାଟି ଉପରେ ଦୃଷ୍ଟି ପକାଯାଉ।
ଯାବତୀୟ ଅସଦାଚାର ମଧ୍ୟରେ ଆତଯାତ ହେଉଥିବା ଦୁର୍ଦ୍ଧର୍ଷ ଯୁବକ ଜଣେ ପ୍ରେକ୍ଷାଳୟରେ ବସି ସିନେମା ଦେଖୁଛି। ଚଳଚ୍ଚିତ୍ରର ନାୟକ ନାୟିକାଙ୍କ ସମେତ ସେମାନଙ୍କ ସଦାଚାରୀ ସମର୍ଥକମାନଙ୍କୁ ବାରମ୍ବାର ନିର୍ଯାତନା ଦେଇ ଦର୍ଶକଙ୍କ ଘୃଣା ଓ ରୋଷର ପାତ୍ର ହୋଇଥିବା ଖଳନାୟକ ସର୍ବଶେଷରେ ପରାଭବ ଭୋଗୁଛି। ନାୟକ ହାତରୁ ନିର୍ଘାତ ମାଡ଼ ଖାଉଛି ବା ପୋଲିସ ଗୁଳିରେ ଘାଇଲା ହେଉଛି। ଏମିତି କିଛି ଉପସଂହାରୀୟ ଦୃଶ୍ୟରେ ଅନ୍ୟ ଦର୍ଶକମାନେ ଆନନ୍ଦିତ ହେଉଥିବା ବେଳେ ଏହି ଦୁର୍ଦ୍ଦାନ୍ତ ଦର୍ଶକଟି ତା’ର ସମଗୋତ୍ରୀ ଖଳନାୟକର କରୁଣ ପରିଣତି ଦେଖି କ’ଣ କେବେ ମନଦୁଃଖ କରୁଥିବ! ବୋଧହୁଏ ନା । ସେ ମଧ୍ୟ ଅନ୍ୟ ସବୁ ଦର୍ଶକଙ୍କ ପରି ଖଳନାୟକର ବାଞ୍ଛିତ ଦଣ୍ଡଭୋଗକୁ ଉପଭୋଗ କରୁଥିବ। ଏହି ଉଦାହରଣ ଗୋଟିଏ ସିଦ୍ଧାନ୍ତକୁ ସାବ୍ୟସ୍ତ କରୁଛି ଯେ ସୈତାନର ବେଦପାଠ ଯେମିତି ଏକ ଅସମ୍ଭବ ପରିକଳ୍ପନା ନୁହେଁ, ସେମିତି ବି ଆଦୌ ବିରଳ ନୁହେଁ ବିଷ ମଣିଷଙ୍କ ଅମୃତ ପଥର ଯାତ୍ରା! ଏହି ସିଦ୍ଧାନ୍ତ ସପକ୍ଷରେ ଆମ ସମାଜରେ ନିକଟ ଓ ଦୂର ଅତୀତରେ ସଂଘଟିତ ହୋଇଥିବା ନିମ୍ନୋକ୍ତ ଦୃଶ୍ୟପଟକୁ ଲକ୍ଷ୍ୟ କରାଯାଉ। ଏକଥା ବି ହେଜାଯାଉ ଯେ ଠିକ୍‌ ଲୋକଙ୍କ ଭୁଲ କାମ ଯେତିକି ଚକିତ ଓ ବିବ୍ରତ କରେ, ତା’ଠାରୁ ଢେର ଅଧିକ ଶିହରିତ ଓ ଆମୋଦିତ କରେ ଭୁଲ ଲୋକଙ୍କ ଠିକ୍‌ କାମ।
ବାଲ୍ୟକାଳର ସମୁଚିତ ସଂସ୍କାର ପାଇ ନ ଥିବା ଜଣେ ଅସାମାଜିକ ଗୁଣ୍ଡା ନିଜ ମାଂସପେଶୀୟ ଶକ୍ତିର ସାହାରା ନେଇ ସମଗ୍ର ଇଲାକାକୁ ସଂତ୍ରସ୍ତ କରି ରଖିଥିଲା ବେଳେ ଏଇ ଅଳ୍ପଦିନ ତଳେ ଏମିତି କିଛି କାମ କଲା, ଯାହା ତା’ ଚରିତ୍ରର ଏକାନ୍ତ ପରିପନ୍ଥୀ ବୋଲି ତାକୁ ଜାଣିଥିବା ଯେ କେହି ବି କହିବେ। ରାଜଧାନୀ ଉପକଣ୍ଠରେ ଥିବା ଏକ ରେଳଫାଟକ ନିକଟରେ ଘଟିଥିବା ଘଟଣାଟିର ଦୁଃସାହସୀ ନାୟକ ଥିଲା ଅନ୍ୟଥା ଖଳନାୟକର ଅପନିନ୍ଦା ମୁଣ୍ଡ ଉପରେ ବୋହି ବଞ୍ଚୁଥିବା ଏହି ଚର୍ଚ୍ଚତ ଯୁବକଟି। ନିଜ ପାରିବାରିକ ଅଶାନ୍ତି ପାଇଁ ରେଳଧାରଣା ଉପରେ ମୁଣ୍ଡ ରଖି ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମଧ୍ୟବୟସ୍କା ମହିଳାଙ୍କ ଅକାଳ ମୃତ୍ୟୁ ନିଶ୍ଚିତ ଥିବାବେଳେ ତୀବ୍ରଗତିରେ ଧାଇଁ ଆସୁଥିବା ଲୌହଦାନବ ମୁହଁରୁ ତାଙ୍କୁ ଉଦ୍ଧାର କରିଥିଲା ସେଇ ଅସାମାଜିକ ଗୁଣ୍ଡା ଜଣକ। ସବୁଠାରୁ ବୈଶିଷ୍ଟ୍ୟପୂର୍ଣ୍ଣ ଥିଲା ଯେ ସେଇ ସମ୍ଭାବ୍ୟ ଅଘଟଣକୁ ନୀରବରେ ପ୍ରତ୍ୟକ୍ଷ କରୁଥିବା କିଛି ଶଙ୍କିତ ଦର୍ଶକଙ୍କ କୋଳାହଳପୂର୍ଣ୍ଣ ବାହାବାରେ ସାମାନ୍ୟ ବିମୋହିତ ନ ହୋଇ ସେ ତା’ ବାଟରେ ଉଭାନ ହୋଇଯାଇଥିଲା।
ଆଉ ଜଣେ ଅନାଚାରୀଙ୍କ ଅମୃତଯାତ୍ରାର କଥା। କେଇବର୍ଷ ତଳେ ଦିଲ୍ଲୀର ଉପହାର ସିନେମା ହଲ୍‌ରେ ଭୟାନକ ଅଗ୍ନିକାଣ୍ଡ ଘଟି ଶତାଧିକ ଲୋକଙ୍କ ଜୀବନର ଅକାଳ ଅବସାନ ଘଟିଥିଲା। ସେତେବେଳେ ଚର୍ଚ୍ଚାରେ ଥିଲେ ଜଣେ ପରାର୍ଥପ୍ରାଣ ଉଦ୍ଧାରକାରୀ ଯୁବକ, ଯିଏ ନିଜ ଜୀବନକୁ ବିପନ୍ନ କରି ଅବରୁଦ୍ଧ ସିନେମା ହଲ୍‌ର ଅଗ୍ନିବଳୟ ମଧ୍ୟରୁ ପାଞ୍ଚଜଣ ପୀଡ଼ିତଙ୍କ ଜୀବନ ରକ୍ଷା କରିଥିଲେ। ଯୁବକ ଜଣକ ଥିଲେ ଜଣେ ପେସାଦାର ସିନେମା ଟିକେଟ ବଳାବଜାରୀ, ଯିଏ ନିଜ ଶକ୍ତି ଜାହିର କରି ଆଗତୁରା ସିନେମା ଟିକେଟ କାଉଣ୍ଟରରୁ କିଣି ପରେ ତାହାକୁ ଚଢ଼ା ଦରରେ କଳାବଜାର କରୁଥିଲେ। ସେହି ଯୁବକ ଜଣକୁ ବାରମ୍ବାର ସିନେମା ହଲ୍‌ ଭିତରକୁ ପଶି ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରିବାର ସେଇ ଅପୂର୍ବ ଦୃଶ୍ୟ ଯିଏ ଦେଖିଛନ୍ତି, ସେମାନେ ହିଁ ଜାଣିଛନ୍ତି ଦୁର୍ଗତମାନଙ୍କ ସେବାରେ ସମର୍ପିତ ଜଣେ ଦୁର୍ଗତିର ଅମୃତ ଯାତ୍ରାର ଅନୁଭବ!
ବିଷ ମଣିଷଙ୍କ ଅମୃତ ଯାତ୍ରାର ଅନ୍ୟ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଉତ୍ତର ବାଲେଶ୍ୱର ଅଞ୍ଚଳର ଏକ ସମୁଦ୍ର ତଟବର୍ତ୍ତୀ ଗାଁର ତିନିଜଣ ଦୁର୍ଦ୍ଦାନ୍ତ ଯୁବକ ନିଜ ଦୁର୍ଦ୍ଦମ ଶକ୍ତି ଜାହିର କରି ସେ ଅଞ୍ଚଳକୁ ଏକପ୍ରକାର ସଂତ୍ରସ୍ତ କରି ରଖିଥାନ୍ତି। ଏହି ଗାଉଁଲି ଦୁଷ୍ଟ ଗ୍ରହମାନଙ୍କ ଆଇନକାନୁନ ପ୍ରତି ସମ୍ମାନ ନ ଥାଏ କି ପୋଲିସ ପାଇଁ ଭୟ ନ ଥାଏ। ଯଦିଓ ବଡ଼ ଅପରାଧ କରିବା ପାଇଁ ସେଇ ଛୋଟ ଗାଁଟି ପ୍ରକୃଷ୍ଟ ସ୍ଥାନ ନ ଥିଲା, ତଥାପି ଏଇ ତିନିହେଁ କୌଣସି ଅପରାଧ କରିବା ପାଇଁ ନିଜକୁ ଅଯୋଗ୍ୟ ମଣୁ ନ ଥିଲେ। କେବେ କାହା କ୍ଷେତରୁ ଶସ୍ୟ କାଟି ଲୁଟି ନେବା ଓ ଅନ୍ୟ କେବେ ଗାଁର ଧନୀ ଲୋକଙ୍କୁ ଧମକାଇ ଅର୍ଥ ହାସଲ କରିବା ଭଳି ଛୋଟମୋଟ ଅପରାଧ କରି ସେ କେଇବାର ପୋଲିସ ଥାନାରେ ନିର୍ଘାତ ପ୍ରହାର ଖାଇଥିଲେ ବି ତାଙ୍କ ଅଭ୍ୟାସ ଛାଡୁ ନ ଥିଲେ।
ସେଇ ଗାଁଟି ଉପରେ ଥରେ ଦଳେ ପ୍ରତିବେଶୀ ଡକାୟତ ନୌପଥରେ ଆସି ଅଚାନକ ଚଢ଼ାଉ କରି ଗ୍ରାମବାସୀଙ୍କଠୁ ଧନସମ୍ପତ୍ତି ଲୁଟିବାକୁ ଆରମ୍ଭ କଲେ। ଏହିଭଳି ସଙ୍କଟ ସହ ପୂର୍ବରୁ କେବେ ପରିଚିତ ନ ଥିବା ଭୟଭୀତ ଗ୍ରାମବାସୀ ଅଯଥା ରକ୍ତପାତ ଏଡ଼ାଇବା ପାଇଁ ଯେ ଯାହାର ସବୁ ସମ୍ବଳ ଡାକୁମାନଙ୍କୁ ଦେଉଥିବା ବେଳେ ଅଚାନକ କେଉଁଠୁ ଆସି ସେମାନଙ୍କ ଗତିରୋଧ କଲେ ସେଇ ତିନିଜଣ ଦୁର୍ଦ୍ଧର୍ଷ ଯୁବକ। ଛଅଜଣ ଅସ୍ତ୍ରଶସ୍ତ୍ରଧାରୀ ଡକାୟତମାନଙ୍କ ସହ ପ୍ରତ୍ୟକ୍ଷ ମୁକାବିଲା ସହଜ ନ ଥିବାରୁ ସେମାନଙ୍କ ନିଜ କଳାକୌଶଳରେ ସେ ତିନିହେଁ ସେମାନଙ୍କୁ ଯେ କେବଳ ପରାସ୍ତ କଲେ ତାହା ନୁହେଁ; ବରଂ ସେମାନଙ୍କ ଲଲାଟରେ ଲିଖିତ ଅଶୁଭ ପୁତ୍ରର ଅଦୃଶ୍ୟ ଅକ୍ଷରକୁ ଲିଭାଇ ଗଁା ଲୋକଙ୍କ ଶ୍ରଦ୍ଧା ଅର୍ଜନ କଲେ। ପରବର୍ତ୍ତୀ କାଳରେ ଥାନା ପୋଲିସଠାରୁ ବହୁତ ମାଡ଼ ଖାଇଥିବା ସେଇ ତିନିଜଣ ବିଷ ପୁରୁଷ ଜିଲା ପୋଲିସ ହାକିମଙ୍କଠୁ ସେମାନଙ୍କ ଅପୂର୍ବ ସାହସିକତା ପାଇଁ ପୁରସ୍କୃତ ହୋଇଥିଲେ।
ସବୁପ୍ରକାର ଅସଦାଚାରରେ ଲିପ୍ତ ଥିବା ବିଷ ମଣିଷଟିଏ ତା’ ନିଃସଙ୍ଗ ମୁହୂର୍ତ୍ତରେ ନିଶ୍ଚିତ ଭାବେ ଉପଲବ୍ଧି କରୁଥିବ ତା’ ଜୀବନଯାତ୍ରାର ଭୟାବହତା। ମନ୍ଦ କାର୍ଯ୍ୟରେ ବ୍ୟାପୃତ ତା’ ଜୀବନ ସମାଜ ପାଇଁ ଯେ ଏକ ଅଶୁଭ ଓ ଅଭିଶପ୍ତ ଆଇନା, ଏକଥା ନିଜକୁ ନିଜେ ବୁଝାଉଥିବ। ମାତ୍ର ଥରେ କେବେ ଅବସ୍ଥାଚକ୍ରରେ ସେ ଭଲ କାମଟିଏ କରିବାର ସୁଯୋଗ ପାଇଲେ, ତା’ ମଧ୍ୟରେ ଏକ ଅପୂର୍ବ ଅନୁଭବ ସୃଷ୍ଟି ହେଉଥିବ। କାହାର କିଛି କାମରେ ଆସିବାରେ ଯେ ଏତେ ଆନନ୍ଦ, ଏତେ ଅମୃତମୟ ଉପଲବ୍ଧି, ଏହା ଜାଣି ସେ ବିଷପଥର ଯାତ୍ରାରୁ ବାଟ ଭାଙ୍ଗି ଅମୃତ ଯାତ୍ରାପଥରେ ପାଦ ବଢ଼ାଇବ, ଠିକ୍‌ ଉପରବର୍ଣ୍ଣିତ ସେଇ କେତେଜଣ ଜୀବନଯାତ୍ରାର ପଥହୁଡ଼ା ପଥିକଙ୍କ ପରି।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି
ଭୁବନେଶ୍ୱର-୧୦, ମୋ: ୮୮୯୫୬୨୪୧୦୫

 


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri