Posted inଜାତୀୟ

ଓକିଲ ଧର୍ମଘଟ ରୋକିବାକୁ ଯୋଜନା କର

ନୂଆଦିଲ୍ଲୀ,୨୫ା୧: ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବାର୍‌ ଆସୋସିଏଶନ୍‌ଗୁଡ଼ିକୁ ଧର୍ମଘଟରୁ କ୍ଷାନ୍ତ ରହିବା ପାଇଁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆଇ) କୌଣସି ବାସ୍ତବ ଯୋଜନା କରୁ ନ ଥିବାରୁ ସର୍ବୋଚ୍ଚ ଅଦାଲତ କଡ଼ା ଭର୍ତ୍ସନା କରିଛନ୍ତି।
ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୋଧରେ ଏନ୍‌ଜିଓ ‘କମନ୍‌ କଜ୍‌’ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଅବମାନନା ଆବେଦନ ଦାଖଲ କରାଯାଇଛି। ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀ ଏବଂ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନ୍‌ର ଶୁଣାଣି କରି ବିସିଆଇର ଖାମଖିଆଲି ମନୋଭାବକୁ ନିନ୍ଦା କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ବାର୍‌ ସଦସ୍ୟଙ୍କ ବିରୋଧରେ ଯଦି ବିସିଆଇ ଯାହା କରିବା କଥା ସେଦିଗରେ ତ୍ୱରିତ ପଦକ୍ଷେପ ନ ନେବ ତେବେ ଆଉ କିଏ କାର୍ଯ୍ୟାନୁଷ୍ଠାନ ନେବ? ଆମେ ନିର୍ଦ୍ଦିଷ୍ଟ ଭାବେ ପ୍ରତିକାରମୂଳକ ଉପାୟ ଚାହୁଁଛୁ। ଆପଣ ନିଜ ସୁବିଧା ଅନୁସାରେ ଯୋଜନା କରିବେ, ତାକୁ ଆମେ ଅନୁମତି ଦେଇପାରିବୁ ନାହିଁ ବୋଲି ବିସିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅର୍ଦ୍ଧେନ୍ଦୁ ମଉଲି କୁମାର ପ୍ରସାଦଙ୍କୁ ଖଣ୍ଡପୀଠ କହିଛନ୍ତି। ଏହା ପୂର୍ବରୁ ଶୁଣାଣି ବେଳେ ପ୍ରସାଦ ଯୁକ୍ତି ବାଢ଼ିଥିଲେ ଯେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ବାର୍‌ କାଉନ୍‌ସିଲଗୁଡ଼ିକରେ ଅନୁଧ୍ୟାନ କରାଯାଉଛି। ଖଣ୍ଡପୀଠ କହିଥିଲେ, ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯାଇପାରିବ ନାହିଁ। ରାଜ୍ୟ ବାର୍‌ କାଉନ୍‌ସିଲଗୁଡ଼ିକ ମଧ୍ୟ ବିସିଆଇର ଅଂଶବିଶେଷ। ଆପଣଙ୍କ ସଦସ୍ୟମାନେ କେବଳ ରାଜ୍ୟ ବାର୍‌ କାଉନ୍‌ସିଲଗୁଡ଼ିକରେ ସାମିଲ ଅଛନ୍ତି। ତେଣୁ ବିସିଆଇ ଭିନ୍ନ ବୋଲି କୁହନ୍ତୁ ନାହିଁ। ପ୍ରସାଦ କହିଥିଲେ, ସଦସ୍ୟମାନେ ବାର୍‌ କାଉନ୍‌ସିଲରୁ ଆସୁଥିଲେ ମଧ୍ୟ ସେମାନଙ୍କ କ୍ଷମତା ଓ କାର୍ଯ୍ୟକାରିତା ଭିନ୍ନ। ଆସୋସିଏଶନ୍‌ଗୁଡ଼ିକୁ ସମ୍ବେଦନଶୀଳ କରାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏନେଇ ଜଷ୍ଟିସ୍‌ ତ୍ରିବେଦୀ କହିଥିଲେ, ସେମାନେ ସମସ୍ତେ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିସାରିଛନ୍ତି, କିନ୍ତୁ ସେସବୁକୁ ଅନୁସରଣ କରୁନାହାନ୍ତି। ଏହା ଉପରେ ଆଇନଜୀବୀ ପ୍ରସାଦ କହିଥିଲେ, ଓଡ଼ିଶା ଏବଂ କାଲ୍‌କାଟାରେ ବାର୍‌ ଆସୋସିଏଶନ ପଦାଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେତେଜଣଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ଗତ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଏକ ଅନ୍ୟ ଖଣ୍ଡପୀଠ କହିଥିଲେ, ପଶ୍ଚିମ ଓଡ଼ିଶାରେ ରାଜ୍ୟ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆନ୍ଦୋଳନରତ ଆଇନଜୀବୀମାନଙ୍କ ଲାଇସେନ୍ସଗୁଡ଼ିକୁ ବିସିଆଇ ରଦ୍ଦ କରିବା ନେଇ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ଆପଣ କିଛି ବାସ୍ତବ କାର୍ଯ୍ୟଯୋଜନା ନେଇ ଆସିବେ ବୋଲି ଆମେ ମନେକରୁଥିଲୁ। ପରବର୍ତ୍ତୀ ଶୁଣାଣି ପାଇଁ ସମ୍ପୂର୍ଣ୍ଣ ବିବରଣୀ ନେଇ ଆସନ୍ତୁ ବୋଲି ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବେ ବୋଲି ପ୍ରସାଦ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ଖଣ୍ଡପୀଠ ଆହୁରି କହିଥିଲେ, ବିସିଆଇ ପକ୍ଷରୁ କରାଯାଉଥିବା ଅବହେଳାରୁ ଆମକୁ କୌଣସି ସୁଫଳ ମିଳୁନାହିଁ। ଆଚରଣ ଓ ବୃତ୍ତିଗତ ଶିଷ୍ଟାଚାର ଉପରେ ପୂର୍ବରୁ ନିୟମ ରହିଆସିଛି, ଯାହାର ଅନୁପାଳନ ହେଉନାହିଁ ବୋଲି ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ପ୍ରସଙ୍ଗରେ ଆବେଦନକାରୀ ଏନ୍‌ଜିଓ ‘କମନ୍‌ କଜ୍‌’ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଭାରତୀୟ ସେନାର ପୂର୍ବତନ ଅଧିକାରୀ ହରିଶ ଉପ୍ପଲ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଅବତାରଣା କରିଛନ୍ତି। ପିଟିଶନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ, ଆନ୍ଦୋଳନକୁ ଓହ୍ଲାଉଥିବା ଆଇନଜୀବୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି ଅନେକ ରାୟ ରହିଛି। କିନ୍ତୁ ସେଗୁଡ଼ିକର ଅନୁପାଳନ ହେବା ଦରକାର। ବିସିଆଇ କଠୋର ହୋଇଥିଲେ ଆଇନଜୀବୀମାନେ ପରିଣାମ ସମ୍ପର୍କରେ ସଚେତନ ହୋଇଥାଆନ୍ତେ। ଏହାକୁ ନେଇ ଖଣ୍ଡପୀଠ କହିଥିଲେ, ବିସିଆଇର ଅନେକ ଅଧିକାର ଓ କର୍ତ୍ତବ୍ୟ ରହିଛି। ତେଣୁ ବିସିଆଇ ଦାୟିତ୍ୱବାନ୍‌ ଆଚରଣ କରିବା ଉଚିତ। ଏହାର ସମ୍ବେଦନଶୀଳତା ଦେଖାଯିବା ଜରୁରୀ। ଏନେଇ ଆମେ ଦ୍ୱିତୀୟ ଥର ପାଇଁ ସତର୍କ କରାଉଛୁ ବୋଲି ଶୁଣାଣି ବେଳେ ଜଷ୍ଟିସ୍‌ ମାହେଶ୍ୱରୀ ବିସିଆଇକୁ ତାଗିଦ କରିଥିଲେ। ଆସନ୍ତା ମାର୍ଚ୍ଚ ୧୬ରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରାଯିବ। ସେତେବେଳେ ଆମେ ବିସିଆଇଠାରୁ ଆଉ ଥରେ ‘ସରି’ ଶୁଣିବାକୁ ଚାହୁଁନାହୁଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?