Posted inଜାତୀୟ

ପାଇଲଟଙ୍କୁ ଓହ୍ଲାଇଦେଲା କଂଗ୍ରେସ

ଜୟପୁର/ନୂଆଦିଲ୍ଲୀ,୧୫ା୭: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା। ରାଜସ୍ଥାନରେ ଗେହଲଟ ସରକାର ରୂପକ ବିମାନରୁ ସହଚାଳକ (କୋପାଇଲଟ) ସଚିନ ପାଇଲଟଙ୍କୁ ଓହ୍ଲାଇଦେଇଛି କଂଗ୍ରେସ। ଏହି ବିଦ୍ରୋହୀ ନେତାଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦରୁ ହଟାଇ ଦିଆଯାଇଛି। ଏଥିସହ ପାଇଲଟଙ୍କ ଅନୁଗତ ବିଶ୍ୱବେନ୍ଦ୍ର ସିଂ ଓ ରମେଶ ମିନାଙ୍କୁ ମଧ୍ୟ ରାଜ୍ୟ କ୍ୟାବିନେଟରୁ ବରଖାସ୍ତ କରାଯାଇଛି। ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ଘଟଣାକ୍ରମ ସମ୍ପର୍କରେ ଅବଗତ କରାଇଛନ୍ତି। ସେପଟେ ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ପାଇଲଟ ‘ସତ୍ୟକୁ ବିଚଳିତ କରାଯାଇପାରିବ, କିନ୍ତୁ ହରାଇ ଦିଆଯାଇପାରିବ ନାହିଁ’ ବୋଲି ହିନ୍ଦୀରେ ଟୁଇଟ୍‌ କରିଛନ୍ତି। ଏହାସହ ନିଜ ଟୁଇଟର୍‌ ହ୍ୟାଣ୍ଡେଲକୁ ଅପ୍‌ଡେଟ୍‌ କରି ସେଥିରୁ ରାଜସ୍ଥାନ ‘ଉପମୁଖ୍ୟମନ୍ତ୍ରୀ’ ଶବ୍ଦକୁ ହଟାଇ ‘ବିଧାୟକ’ ଲେଖିଛନ୍ତି। ଇତିମଧ୍ୟରେ ପାଇଲଟ ନିଜ ସୁରକ୍ଷିତ ରାଜନୈତିକ ଭବିଷ୍ୟତ ପାଇଁ ଭାଜପା ସହ ମୂଲଚାଲ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଦେଲେ ସେ ଭାଜପାରେ ସାମିଲ ହେବେ। ନଚେତ ନିଜେ ନୂଆ ଦଳ ଗଠନ କରିବେ ବୋଲି କହିଥିବା ସୂତ୍ରରୁ ଜଣାପଡ଼ିଛି।
୨୦୧୮ ଡିସେମ୍ବରରେ ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରାଯିବା ବେଳଠାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବରିଷ୍ଠ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ସଚିନ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ହେଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇ ସନ୍ତୁଷ୍ଟ କରିବାକୁ କଂଗ୍ରେସ ଉଦ୍ୟମ କରିଥିଲା। କିଛିମାସ ପରେ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଗେହଲଟଙ୍କ ପୁଅ ବୈଭବ ଯୋଧପୁର ଆସନରୁ ହାରିଯାଇଥିଲେ। ଏଥିପାଇଁ ଗେହଲଟ ସେତେବେଳେ ପାଇଲଟଙ୍କୁ ଦାୟୀ କରିଥିଲେ। ଏହା ପରେ କରୋନା ମୁକାବିଲା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଲାଗିରହିଥିବା ମତଭେଦ ବଢ଼ିବାରେ ଲାଗିଥିଲା। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ସ୍ବତନ୍ତ୍ର ଅପରେଶନ ଗ୍ରୁପ୍‌ (ଏସ୍‌ଓଜି) ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଥିବା ସଚିନଙ୍କ ସମେତ ଅନ୍ୟ କେତେଜଣଙ୍କୁ ଶନିବାର ନୋଟିସ କରାଯାଇଥିଲା। ସଚିନ ଏହାକୁ ନେଇ କ୍ଷୁବ୍ଧ ହୋଇ ରବିବାର ତାଙ୍କର କେତେଜଣ ଅନୁଗତ ବିଧାୟକଙ୍କୁ ଧରି ଦିଲ୍ଲୀ ଚାଲିଯାଇଥିଲେ। ସଚିନଙ୍କୁ ବୁଝାଇ ଫେରାଇ ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ତାହା ସଫଳ ହୋଇ ନ ଥିଲା। ଜୟପୁରରେ ସୋମବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଗେହଲଟ ଶକ୍ତି ପ୍ରଦର୍ଶନ କରିଥିଲେ। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ନେତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ମଙ୍ଗଳବାର ମାରାଥନ ବୈଠକ ପରେ ସଚିନ ଓ ତାଙ୍କ ଅନୁଗତମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ରାଜ୍ୟ ଶିକ୍ଷାମନ୍ତ୍ରୀ ତଥା ଅନୁଭବୀ ଓବିସି ନେତା ଗୋବିନ୍ଦ ସିଂ ଦୋତାସରାଙ୍କୁ ପାଇଲଟଙ୍କ ସ୍ଥାନରେ ନୂଆ ପିସିସି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପାଇଲଟଙ୍କ ଅନୁଗତ ମୁକେଶ ଭାସ୍କରଙ୍କୁ ଯୁବ କଂଗ୍ରେସ ଅଧ୍ୟକ୍ଷ ପଦରୁ ବିଦା କରି ତାଙ୍କ ସ୍ଥାନରେ ଆଦିବାସୀ ନେତା ତଥା ବିଧାୟକ ଗଣେଶ ଘୋଗ୍ରାଙ୍କୁ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ହେମ ସିଂ ଶେଖାଓ୍ବତ୍‌ଙ୍କୁ କଂଗ୍ରେସ ସେବା ଦଳର ସଭାପତି ଭାବେ ଅବସ୍ଥାପିତ କରାଯାଇଛି। ଏହି ପଦରେ ପାଇଲଟଙ୍କ ସହଯୋଗୀ ବିଧାୟକ ରାକେଶ ପାରିଖ ଥିଲେ।
ସୋମବାର ଓ ମଙ୍ଗଳବାର ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ପାଇଲଟଙ୍କୁ ଡକାଯାଇଥିଲା। କିନ୍ତୁ ସେ ଦୁଇଟିଯାକ ବୈଠକରେ ଅନୁପସ୍ଥିତ ରହିବା କାରଣରୁ ତାଙ୍କ ବିରୋଧରେ ଏପରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜସ୍ଥାନବାସୀଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର ରଚିଛି। ଏହି ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର (ଆଇଟି) ବିଭାଗ କ୍ଷମତାର ଅପବ୍ୟବହାର କରି କଂଗ୍ରେସ ଓ ସ୍ବାଧୀନ ବିଧାୟକମାନଙ୍କୁ କିଣିବା ପାଇଁ ଉଦ୍ୟମ କରିଛି। ବିଗତ ୭୨ ଘଣ୍ଟାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳୀୟ ନେତାମାନେ ନିରନ୍ତର ଭାବେ ପାଇଲଟ ଓ ତାଙ୍କ ଶିବିରରେ ଥିବା ଅନ୍ୟ ମନ୍ତ୍ରୀ ତଥା ବିଧାୟକମାନଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ। ଦଳୀୟ ନେତା କେ.ସି. ବେଣୁଗୋପାଳ ମଧ୍ୟ ତାଙ୍କ ସହ ଅନେକ ଥର ଆଲୋଚନା କରିଥିଲେ। କିନ୍ତୁ ପାଇଲଟ ବୈଠକକୁ ଆସି ନ ଥିଲେ ବୋଲି ସୁର୍ଜଓ୍ବୋଲା କହିଛନ୍ତି।
ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ରାଜଭବନରେ ଭେଟିଛନ୍ତି। ତାଙ୍କ ସପକ୍ଷରେ ୧୦୯ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦାବି କରିଛନ୍ତି। ଗଣମାଧ୍ୟମକୁ ଗେହଲଟ କହିଛନ୍ତି, ଭାଜପା ମଧ୍ୟପ୍ରଦେଶରେ ଯେପରି କରିଛି ରାଜସ୍ଥାନରେ ମଧ୍ୟ ତା’ର ପୁନରାବୃତ୍ତି ଘଟାଇବାକୁ ଉଦ୍ୟମ କରୁଛି। କିନ୍ତୁ ଭାଜପାର ଉଦ୍ଦେଶ୍ୟ ରାଜସ୍ଥାନରେ ସଫଳ ହେବ ନାହିଁ। ପାଇଲଟ ତାଙ୍କ ସମର୍ଥକମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେମାନେ ଦୁଇଦିନ ଧରି ଚାଲିଥିବା ବୈଠକକୁ ଆସି ନ ଥିଲେ। ପାଇଲଟଙ୍କ ହାତରେ କିଛି ନାହିଁ। ସେ ଭାଜପାର କ୍ରୀଡ଼ନକ ସାଜିଥିବା ଗେହଲଟ ସମାଲୋଚନା କରିଛନ୍ତି। ଗେହଲଟ କହିଛନ୍ତି, ଘୋଡ଼ାବେପାରକୁ ନେଇ ଦୁଃଖିତ। ଦେଶରେ ପ୍ରଥମ ଥର ପାଇଁ ଗଣତନ୍ତ୍ର ପ୍ରତି ଏତେ ବିପଦ ସୃଷ୍ଟି ହୋଇଛି। ଭାଜପା ଏହାର ଜବାବ ରଖି ସଦ୍ୟ ରାଜନୈତିକ ଘଟଣାକ୍ରମକୁ କଂଗ୍ରେସର ଦୁର୍ବଳତାର ଫଳ ବୋଲି ଅଭିହିତ କରିଛି। ଅନ୍ୟପକ୍ଷରେ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ କଂଗ୍ରେସରେ ତାଙ୍କ ସମର୍ଥକମାନଙ୍କ ପକ୍ଷରୁ ଇସ୍ତଫାର ସୁଅ ଛୁଟିବାରେ ଲାଗିଛି। ଗୁଜ୍ଜରମାନେ ପାଇଲଟଙ୍କ ଦୃଢ଼ ସମର୍ଥକ ହୋଇଥିବାରୁ ଏହି ସମୁଦାୟ ବହୁଳ ଅଞ୍ଚଳଗୁଡ଼ିକରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ହାଇଆଲର୍ଟ ଜାରି କରାଯାଇଛି।

କାହିଁକି ବିଦାହେଲେ
ସଚିନ ପାଇଲଟ ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ମଙ୍ଗଳବାର ତାଙ୍କୁ ବାହାରର ରାସ୍ତା ଦେଖାଇ ଦିଆଯାଇଛି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହ ସମ୍ପୃକ୍ତ ଥିବା ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ ପାଇଲଟ ଦଳର ନେତୃତ୍ୱ ଆଗରେ ୩ଟି ସର୍ତ୍ତ ରଖିଥିଲେ, ଯାହା ପୂରଣ କରିବା ସମ୍ଭବ ନ ଥିଲା।
ସର୍ତ୍ତ ନଂ. ୧: ପ୍ରଥମ ସର୍ତ୍ତ ହେଲା ୨୦୨୨ ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ପାଇଲଟଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସର୍ବସାଧାରଣରେ ଘୋଷଣା କରାଯାଉ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଥିଲେ।
ସର୍ତ୍ତ ନଂ. ୨: ଦ୍ୱିତୀୟରେ ପାଇଲଟଙ୍କ ସହ ଯେଉଁ ବିଧାୟକମାନେ ବିଦ୍ରୋହରେ ସାମିଲ ହୋଇଛନ୍ତି, ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଉ। ଏହାର ଅର୍ଥ ନୁହେଁ ସମସ୍ତଙ୍କୁ ମନ୍ତ୍ରୀ କରାଯିବ। ତେବେ କେତେଜଣଙ୍କୁ କର୍ପୋରେଶନ କିମ୍ବା ଅନ୍ୟାନ୍ୟ ସରକାରୀ ସଂସ୍ଥାରେ ଥଇଥାନ କରିବା ଲାଗି ପାଇଲଟ ଦାବି କରିଥିଲେ।
ସର୍ତ୍ତ ନଂ. ୩: ତୃତୀୟ ଦାବି ଥିଲା ଦଳର ସାଧାରଣ ସମ୍ପାଦକ ତଥା ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେଙ୍କୁ ପଦବୀରୁ ହଟାଯାଉ। ପାଣ୍ଡେ ଗେହଲଟଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ନିଯୁକ୍ତ ଦେବାକୁ ପାଇଲଟ ଚାହୁଁଥିଲେ। ତାଙ୍କର ଏସବୁ ଦାବି ବ୍ଲାକ୍‌ମେଲ୍‌ ଭଳି ହୋଇଥିବାରୁ ଏହାକୁ ଗ୍ରହଣ କରିବା ସମ୍ଭବ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri