ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଚଳିତବର୍ଷ ପ୍ରାରମ୍ଭରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଜାନୁୟାରୀ ୭ ତାରିଖରେ ପ୍ରଥମ ଥର ପାଇଁ ଓ୍ବାଶିଂଟନ୍‌ ନିକଟସ୍ଥ ‘ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡ ସ୍କୁଲ ଅଫ୍‌ ମେଡିସିନ୍‌’ର ଡାକ୍ତରମାନେ ଜଣେ ୫୭ ବର୍ଷ ବୟସ୍କ ହୃଦ୍‌ରୋଗୀଠାରେ ଏକ ଜିନ୍‌ ସମ୍ପାଦିତ ଘୁଷୁରିର ହୃତ୍‌ପିଣ୍ଡ ପ୍ରତିରୋପଣ କରିବାରେ ସଫଳତା ଅର୍ଜନ କରିଛନ୍ତି। ଏହାର ତିନି ଦିନ ପରେ ଅର୍ଥାତ୍‌, ଜାନୁୟାରୀ ୧୦ ତାରିଖରେ ସର୍ବସାଧାରଣଙ୍କୁ ଏ ସମ୍ପର୍କରେ ସୂଚନା ଦେବା ଅବସରରେ ଏହାର ଡାକ୍ତରୀ ଦଳର ମୁଖ୍ୟ ଡା. ବାର୍‌ଟଲେ ଗ୍ରିଫିଥ୍‌ ରୋଗୀଟିର ହୃତ୍‌ସ୍ପନ୍ଦନ ହାର ଏବଂ ରକ୍ତଚାପ ସ୍ଥିର ଥିବାର କହିଥିଲେ। ପୁନଶ୍ଚ ଅଙ୍ଗ ପ୍ରତିରୋପଣରେ ଦେଖାଦେଉଥିବା ମୁଖ୍ୟ ସମସ୍ୟା ‘ପ୍ରତ୍ୟାଖ୍ୟାନ’ (rejection)ର କୌଣସି ସଙ୍କେତ ଏଥିରେ ଦେଖାଦେଇ ନାହିଁ। ଅତଏବ ତାଙ୍କ ମତରେ ଭବିଷ୍ୟତରେ କେବଳ ହୃତ୍‌ପିଣ୍ଡ କାହିଁକି, ଅନ୍ୟସବୁ ଅଙ୍ଗମାନଙ୍କର ପ୍ରତିରୋପଣ ଲାଗି ବିଭିନ୍ନ ଜୀବମାନଙ୍କୁ ଅଙ୍ଗଦାତା ରୂପେ ବ୍ୟବହାର କରିବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ରୂପେ କାର୍ଯ୍ୟ କରିବ।
ବିଭିନ୍ନ ପ୍ରଜାତିର ଜୀବମାନଙ୍କଠାରୁ ପ୍ରତିରୋପଣକ୍ଷମ ଅଙ୍ଗ ଆହରଣକୁ ଇଂଲିଶ୍‌ରେ ‘ଜେନୋ ଟ୍ରାନ୍ସପ୍ଲାଣ୍ଟେସନ୍‌’ (xeno transplantation) ବୋଲି କୁହାଯାଉଛି। ଏ ଦିଗରେ ୨୦୧୪ରେ ଏକ ସଫଳ ପଦକ୍ଷେପ ନେଇଥିଲେ ଜର୍ମାନୀ, ସ୍ବିଡେନ୍‌ ଏବଂ ସ୍ବିଜରଲାଣ୍ଡର କିଛି ବୈଜ୍ଞାନିକ। ସେମାନେ ଏକ ମାଙ୍କଡ଼ ଦେହରେ ଘୁଷୁରିର ହୃତ୍‌ପିଣ୍ଡକୁ ପ୍ରତିରୋପଣ କରି ତାକୁ ଛଅ ମାସରୁ ଊର୍ଦ୍ଧ୍ୱ କାଳ ଧରି ବଞ୍ଚାଇ ରଖିବାରେ ସକ୍ଷମ ହୋଇଥିଲେ। ଅତଏବ ପରବର୍ତ୍ତୀ ସମୟରେ ଏହା ମଣିଷଠାରେ କରାଯାଇପାରିବ ବୋଲି ଆଶା ସଞ୍ଚାର ହୋଇଥିଲା।
ମଣିଷଠାରେ ଭିନ୍ନ ଜୀବର ଅଙ୍ଗ ପ୍ରତିରୋପଣ ଚିନ୍ତାଧାରା ବେଶ୍‌ ପୁରାତନ। ସମ୍ଭବତଃ ଏ ଦିଗରେ ପ୍ରଥମ ଉଦ୍ୟମ ଆରମ୍ଭ ହୋଇଥିଲା ସପ୍ତଦଶ ଶତାବ୍ଦୀରେ। ସେତେବେଳେ ଇଂଲଣ୍ଡର ଜନ୍‌ ବାପ୍ଟିଷ୍ଟେ ଡେନ୍‌ସ ମଣିଷଠାରେ ବିଭିନ୍ନ ପଶୁମାନଙ୍କର ରକ୍ତ ପ୍ରତିରୋପଣ କରି ବ୍ୟାପକ ପରୀକ୍ଷାନିରୀକ୍ଷା ଚଳାଇଥିଲେ। ସେ ସମୟରେ ଜିନୀୟ ବିଜ୍ଞାନ ବିକଶିତ ହୋଇ ନ ଥିଲା। ତେଣୁ ସେ ଭାବୁଥିଲେ ହୁଏତ କୌଣସି ଗୋଟିଏ ପଶୁର ରକ୍ତ ମଣିଷ ଦେହରେ କାମ କରିପାରିବ। ଏହାପରେ ଊନବିଂଶ ଶତାବ୍ଦୀ ବେଳକୁ ୟୁରୋପରେ ବିଭିନ୍ନ ପଶୁଙ୍କ ଅଙ୍ଗ ବିଶେଷକରି ବେଙ୍ଗ ଚର୍ମକୁ ମଣିଷଠାରେ ପ୍ରତିରୋପଣ ଲାଗି ବହୁଳ ଭାବରେ ଉଦ୍ୟମ ହୋଇଥିଲା। କିନ୍ତୁ ତାହା ସମ୍ଭବ ହୋଇପାରି ନ ଥିଲା। ଇତିମଧ୍ୟରେ ଜଣେ ବିଟ୍ରିଶ୍‌ ସର୍ଜନ ଡା. ଜନ୍‌ ବ୍ରାଉନ୍‌ ମଣିଷଠାରେ ଘୁଷୁରିର କର୍ଣ୍ଣେୟ ପ୍ରତିରୋପଣ କରିଥିଲେ। ମଣିଷରୁ ମଣିଷ କ୍ଷେତ୍ରରେ ଏହା ସଫଳ ହେବାର ୬୫ବର୍ଷ ପୂର୍ବେ ତାଙ୍କ ଦ୍ୱାରା ଏହି ଉଦ୍ୟମ ହୋଇଥିଲା। କିନ୍ତୁ ଖୁବ୍‌ଶୀଘ୍ର ତାହା ଅକାମୀ ହୋଇପଡ଼ିଥିଲା। ୧୯୨୦ରେ ରୁଷିଆର ବୈଜ୍ଞାନିକ ସର୍ଜ ଭୋରୋନିଫ ଏକ ଅନୁରୂପ ପଦକ୍ଷେପ ନେଇଥିଲେ। ସେ ବୟସ୍କ ଲୋକଙ୍କଠାରେ ସିମ୍ପାଞ୍ଜିର ଅଣ୍ଡକୋଷମାନ ପ୍ରତିରୋପଣ ଆରମ୍ଭ କରିଦେଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଏହାଦ୍ୱାରା ସେମାନଙ୍କୁ ପୁନର୍ବାର ଯୌନକ୍ଷମ କରାଇବା। ତେବେ ଏହାକୁ ନୈତିକତା-ବିରୋଧୀ ରୂପେ ଗଣନା କରାଯାଇ ତାଙ୍କୁ ସେଥିରୁ ନିବୃତ୍ତ କରାଯାଇଥିଲା। ଅନ୍ୟପକ୍ଷରେ, ଆମେରିକୀୟ ଡାକ୍ତର କେଇଥ୍‌ ରିମଟସ୍ମା ୧୯୬୩-୬୪ରେ ୧୩ ଜଣ ରୋଗୀଙ୍କଠାରେ ସିମ୍ପାଞ୍ଜିର କିଡ୍‌ନୀ ପ୍ରତିରୋପଣ କରିଥିଲେ। କିନ୍ତୁ ୪-୮ ସପ୍ତାହ ମଧ୍ୟରେ ସେଗୁଡ଼ିକ ଅଚଳ ହୋଇପଡ଼ିଥିଲା। କେବଳ ମାତ୍ର ଜଣେ ୯ ମାସ ପର୍ଯ୍ୟନ୍ତ ବଞ୍ଚତ୍ବାରେ ସକ୍ଷମ ହୋଇଥିଲେ। ସେହିପରି, ଆଉ ଜଣେ ଆମେରିକୀୟ ସର୍ଜନ ଟମ୍‌ ଷ୍ଟାରଜୀ ମଣିଷଠାରେ ସିମ୍ପାଞ୍ଜିର ଲିଭରକୁ ପ୍ରତିରୋପଣ କରି ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ସେହି ଦେଶର ଲେଓନାର୍ଡ ବଇଲେ ୧୯୮୩ରେ ବାବୁନ୍‌ର ହୃତ୍‌ପିଣ୍ଡକୁ ଜଣେ ବାଳିକାଠାରେ ପ୍ରତିରୋପଣ କରିଥିଲେ ଏବଂ ସେହି ବାଳିକା ୨୦ ଦିନ ପର୍ଯ୍ୟନ୍ତ ବଞ୍ଚତ୍ଥିଲା।
ଏହା ପରେ ଷ୍ଟାରଜୀ ଏ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ୧୯୯୨ ମସିହାରେ। ସେ ଗୋଟିଏ ବାବୁନ୍‌ର ଯକୃତକୁ ମଣିଷଠାରେ ପ୍ରତିରୋପଣ କରି ରୋଗୀଟିକୁ ୭୦ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ସମର୍ଥ ହୋଇଥିଲେ। ପୁନଶ୍ଚ ୧୯୯୭ ମସିହାରେ ଭାରତୀୟ ସର୍ଜନ ଡା. ଧନୀରାମ ବରୁଆ ମଣିଷ ଦେହରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣରେ ସଫଳକାମୀ ହୋଇପାରିଥିଲେ। ତେବେ, ଏଥର ରୋଗୀଟି ମାତ୍ର ଏକ ସପ୍ତାହ ବଞ୍ଚତ୍ଥିଲା ଏବଂ ତାଙ୍କର ଏ କାର୍ଯ୍ୟ ଆଇନ ବିରୋଧୀ ହୋଇଥିବାରୁ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା।
ବିଗତ ଡିସେମ୍ବର ୨୦୧୮ରେ ମ୍ୟୁନିକ୍‌ସ୍ଥିତ ଲୁଡ୍‌ଉଇଙ୍ଗ ମାକ୍‌ସମିଲାନ୍‌ ବିଶ୍ୱବିଦ୍ୟାଳୟଠାରେ ବ୍ରୁନୋ ରେଇଚାର୍ଟ୍‌ଙ୍କ ଦିଗ୍‌ଦର୍ଶନରେ ଗବେଷଣା ଚଳାଇଥିବା ଜର୍ମାନୀ, ସ୍ବିଡେନ୍‌, ସ୍ବିଜର୍‌ଲାଣ୍ଡର ବୈଜ୍ଞାନିକମାନେ ଏ ପ୍ରକାର ବିଫଳତା ଏଡ଼ାଇବା ପାଇଁ ଏକ ଆଧୁନିକ ବିଜ୍ଞାନର ସମ୍ମତ ପଦକ୍ଷେପ ନେଲେ।
କୌଣସି ଜୀବଠାରେ ଏ ପ୍ରକାର ଜିନୀୟ ପରିବର୍ତ୍ତନ ଆଣିବାକୁ କହନ୍ତି ‘ଜିନ୍‌ ସଂପାଦନା’। ଘୁଷୁରି କ୍ଷେତ୍ରରେ ଏହା ସଫଳ ପ୍ରୟୋଗ କରିବାର କଥା ପ୍ରଥମେ ସୂଚିତ କରିଥିଲେ କଲମ୍ବିଆ ବିଶ୍ୱବିଦ୍ୟାଳୟର ‘ଦ ଲାର୍ଜ ଆନିମଲ୍‌ ଜେନୋଟ୍ରାନ୍ସ ପ୍ଲାଣ୍ଟେଶନ୍‌ ଲାବୋରାଟାରୀ’ଠାରେ କାର୍ଯ୍ୟରତ ଡା. ଆଡାମ୍‌ ଗ୍ରୀଏସନାର ଏବଂ ତାଙ୍କ ସହଯୋଗୀମାନେ। ଗବେଷଣା ପତ୍ରିକା ‘ସାଇନ୍ସ’ର ୯ ଅଗଷ୍ଟ, ୨୦୧୭ ସଂଖ୍ୟାରେ ପ୍ରକାଶିତ ଏକ ନିବନ୍ଧ ଜରିଆରେ ଏ ବିଷୟରେ ପ୍ରକାଶିତ ହୋଇଥିଲା। ଫଳରେ ସେମାନେ ଭୂତାଣୁମୁକ୍ତ ଅଂଶବିଶିଷ୍ଟ ଘୁଷୁରି ଉତ୍ପାଦନ କରିବାକୁ ସମର୍ଥ ହୋଇଥିଲେ। ବିଭିନ୍ନ ଜୀବଙ୍କଠାରେ ପରୀକ୍ଷା କଲା ପରେ ମଣିଷଠାରେ ତାହା କରିବା ମଧ୍ୟ ଥିଲା ତାଙ୍କର ଲକ୍ଷ୍ୟ।
ମଣିଷ ହେଉ ଅବା ବାବୁନ୍‌, ସେମାନେ ଘୁଷୁରିଠାରୁ ଭିନ୍ନ ପ୍ରକାର ଜୀବ। ଏଣୁ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଅଲଗା ପ୍ରକାର ପ୍ରୋଟିନ୍‌ ଓ ଶର୍କରା ପ୍ରକଟିତ କରନ୍ତି। ଅନେକ ସମୟରେ ଏହି ପ୍ରଭେଦତା ଗ୍ରହୀତାଠାରୁ ଶକ୍ତିଶାଳୀ ପ୍ରତିରକ୍ଷିତ ପ୍ରତିକ୍ରିୟା ସୃଷ୍ଟି କରେ ଏବଂ ରୋପିତ ଅଂଶକୁ ତା’ ରକ୍ତ ସହିତ ତ୍ରୁଟିଶୂନ୍ୟ ଭାବେ ଆନ୍ତଃକ୍ରିୟା କରିବାରେ ବାଧାଦିଏ। ଫଳରେ ତାହା ପ୍ରତ୍ୟାଖ୍ୟାନର କାରଣ ହୋଇପାରେ। ସେଥିପାଇଁ ମ୍ୟୁନିକ୍‌ ବୈଜ୍ଞାନିକମାନେ ଘୁଷୁରିଠାରୁ କ୍ଷତିକାରକ ପ୍ରୋଟିନ୍‌ ଯୋଗ କରିବା ଉପରେ ଲକ୍ଷ୍ୟ କେନ୍ଦ୍ରିଭୂତ କରିଛନ୍ତି। ସେମାନେ ଏବଂ ଅନ୍ୟ କେତେକ ଗବେଷକ ଏବେ ଜିନ୍‌ ସମ୍ପାଦନା ପଦ୍ଧତିର ଉପଯୋଗ କରି ଘୁଷୁରିଠାରେ ଥିବା ରେଟ୍ରୋ ଭୂତାଣକୁ ସମ୍ପୂର୍ଣ୍ଣ ରୂପେ ନିଷ୍କାରିତ କରିବାକୁ ସମର୍ଥ ହୋଇଛନ୍ତି। ଏହାର ଲକ୍ଷ୍ୟ ହେଲା ପ୍ରତିରୋପଣରେ ଜୀବଟିର ଅଂଶଗ୍ରହଣକାରୀଠାରେ ସଂକ୍ରମଣ ଉତ୍ପନ୍ନ ହେବାର ସମ୍ଭାବନା ହ୍ରାସ କରିବା।

ପ୍ର.ରମେଶ ଚନ୍ଦ୍ର ପରିଡ଼ା
– ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌. ଆଇ. ହେଲିକପ୍ଟର

ନିକଟରେ ଭାରତର ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ସେନାର କିଛି କର୍ମଚାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ତାମିଲନାଡୁ ନୀଳଗିରିର ଦୁର୍ଗମ ଜଙ୍ଗଲ...

ହୃଦ୍‌ଘାତ ଆଶଙ୍କା କମାଏ ଭିଟାମିନ୍‌ ‘ସି’

ଆମେ ସମ୍ମୁଖୀନ ହେଉଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟରୁ ହୃଦ୍‌ଘାତ ଅନ୍ୟତମ। ଅବଶ୍ୟ ଆଜିକାଲି ଏହାର ଉପଚାର ସମ୍ଭବ ହେଲାଣି। ହେଲେ ଯଦି ପରିସ୍ଥିତି ଜଟିଳ...

ଚିନ୍ତା, ଦେହହାତ ଦରଜ ଦୂର କରେ ମୂର୍ଚ୍ଛା ପ୍ରାଣାୟାମ

ମୂର୍ଚ୍ଛା ପ୍ରାଣାୟାମ ଚିନ୍ତା, ଦେହହାତ ଦରଜ ଏବଂ ମାନସିକ ଅବସାଦ ଦୂର କରିଥାଏ। ଏହା ମନକୁ ଶାନ୍ତ କରେ। ମୂର୍ଚ୍ଛା ପ୍ରାଣାୟାମ କରିବା ଶୈଳୀ :...

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

ପେପ୍ଲମ୍‌ କୁର୍ତ୍ତା

କୁର୍ତ୍ତା ଏକ କମ୍ଫଟେବଲ ଆଉଟ୍‌ଫିଟ୍‌। ଖାସ୍‌କରି ପେପ୍ଲମ୍‌ କୁର୍ତ୍ତା ହେଉଛି ସେମିତି ଏକ କୁର୍ତ୍ତା, ଯାହା ଧୋତି ପ୍ୟାଣ୍ଟ ହେଉ କିମ୍ବା ପ୍ଲାଜୋ ଅବା ଓ୍ବାଇଡ୍‌-ଲେଗ୍‌...

ପିଲାମାନେ କେତେ ସମୟ ବ୍ୟାୟାମ କରିବା ଦରକାର

ଓ୍ବାଶିଂଟନ : ପିଲାମାନେ ସୁସ୍ଥ ରହିବା ପାଇଁ ସପ୍ତାହକୁ ତିନି ଦିନ ମଧ୍ୟମ କିମ୍ବା କଠିନ ବ୍ୟାୟାମ କରିବାକୁ ପଡିବ। ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ...

ନିଦ ନ ହେବାରୁ ଔଷଧ ଖାଉଛନ୍ତି କି …

ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ...

ଦୀପାବଳି ରାତିରେ ଏସବୁ ଜୀବକୁ ଦେଖିବା ଶୁଭ: ବର୍ଷ ସାରା ଘରେ ହେବ ଧନ ବର୍ଷା

ପ୍ରାୟ ସମସ୍ତେ ଦୀପାବଳିକୁ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ଦିନରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଘରେ ସୁଖ, ସମୃଦ୍ଧି, ଏବଂ ଶାନ୍ତି ଆସିଥାଏ।...

Advertisement
Archives

Model This Week