ଭାଙ୍ଗିବା ପ୍ରକ୍ରିୟା ଚାଲିବ

ନୂଆ ଇତିହାସ ସୃଷ୍ଟି କରିବା ଲାଗି ଚାହୁଁଥିବା ବ୍ୟକ୍ତି ପୁରୁଣା ଇତିହାସକୁ ସମ୍ମାନ ଦେବା କଥା। କିନ୍ତୁ ଆଜିର ମୋଦି ସରକାର ଅତୀତକୁ ଭୁଲିଯାଇ ଭିନ୍ନ ଧରଣର ଇତିହାସ ସୃଷ୍ଟି କରିବାକୁ ଚାହୁଁଛନ୍ତି। ପୂର୍ବସୂରୀମାନେ ଯାହା କରିଥିଲେ ତାହା ସବୁ ଭୁଲ୍‌ ଥିଲା ବୋଲି ପ୍ରମାଣ କରିବା ଲାଗି ଇତିହାସକୁ ଚୂରମାର କରିଦେବାର ପ୍ରୟାସ ଜାରି ରହିଛି। ଅନେକ ସମୟରେ ମୋଦି କହୁଛନ୍ତି, ବିଗତ ୭୦ ବର୍ଷ ଭିତରେ ଯାହା ହୋଇ ନ ଥିଲା ତାହା ଅଳ୍ପ କେଇଟା ବର୍ଷରେ ତାଙ୍କ ସରକାର କରି ଦେଖାଇଛନ୍ତି। କିନ୍ତୁ ଏଠାରେ ଯେଉଁ ୭୦ ବର୍ଷ କଥା କୁହାଯାଉଛି, ତାହା ନେହେରୁ, ଇନ୍ଦିରା କିମ୍ବା ରାଜୀବମାନେ କରିନାହାନ୍ତି। ଗରିବ ଓ ଶ୍ରମିକ ଶ୍ରେଣୀ ହିଁ ଗଢ଼ିଛନ୍ତି ସବୁକିଛି ଓ ସେମାନଙ୍କ ଦ୍ୱାରା ରଚନା କରାଯାଇଛି ଇତିହାସ। ଯୁଦ୍ଧରେ ଶ୍ରେୟ ଯାଏ ଜେନେରାଲଙ୍କୁ, କିନ୍ତୁ ଗୁଳି ଖାଇ ପ୍ରାଣ ହରାନ୍ତି ସାଧାରଣ ଅପରିଚିତ ସୈନିକ। ଆଜି ସେହିମାନଙ୍କ କାର୍ଯ୍ୟକୁ ଅସ୍ବୀକାର କରାଯିବା ଅର୍ଥ ନିଜ ପିତୃତ୍ୱକୁ ଅସ୍ବୀକାର କରିବା। ଯେଉଁ ଜାତି ନିଜ ମାତାପିତାଙ୍କୁ ସ୍ବୀକାର କରିବାକୁ ଅନିଚ୍ଛୁକ, ସେହି ଜାତିକୁ ପୃଥିବୀରେ କେହି ବିଶ୍ୱାସ କରିବେ ନାହିଁ। ଏହି କ୍ରମରେ ଦେଖିଲେ ଜାନୁୟାରୀ ୨୧ରେ ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀର ଅନନ୍ତ ଜ୍ୟୋତି ସହ ମିଶାଇ ଦିଆଯାଇଛି। କୁହାଯାଉଛି ଯେ, ମୋଦି ସରକାରଙ୍କ ଦ୍ୱାରା ୨୫ ଫେବୃୟାରୀ ୨୦୧୯ରେ ସ୍ଥାପିତ ନ୍ୟାଶନାଲ ଓ୍ବାର୍‌ ମେମୋରିଆଲ୍‌ ବା ଜାତୀୟ ଯୁଦ୍ଧ ସ୍ମାରକୀକୁ ଦେଖିବା ପାଇଁ କୌଣସି ଦର୍ଶକ ଆଗ୍ରହ ପ୍ରକାଶ କରୁ ନ ଥିଲେ। ସେଥିରେ ବିଚଳିତ ହୋଇ ଅମର ଯବାନ ଜ୍ୟୋତିକୁ ସବୁଦିନ ସକାଶେ ଲିଭାଇ ଦେବା ହୋଇଗଲା ମୁଖ୍ୟ କାରଣ। ଉଲ୍ଲେଖଯୋଗ୍ୟ ଯେ, ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ୧୯୭୨ରୁ ଦୀର୍ଘ ୫୦ ବର୍ଷ ଧରି ଅମର ଯବାନ ଜ୍ୟୋତି ଜଳି ଆସୁଥିଲା। ଏହା ୧୯୭୧ ଭାରତ ଓ ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନ୍ୟଙ୍କୁ ସମ୍ମାନ ଦେବା ପାଇଁ ଆରମ୍ଭ ହୋଇଥିଲା। ମନେପକାଇ ଦିଆଯାଇପାରେ ଯେ, ଭାରତୀୟ ସେନାର ବୀରତ୍ୱ ଯୋଗୁ ପାକିସ୍ତାନକୁ ଦୁଇ ଖଣ୍ଡ କରାଯାଇ ନୂତନ ଦେଶ ବାଂଲାଦେଶ ସୃଷ୍ଟି କରାଯାଇଥିଲା। ସେହି ସମୟରେ କଂଗ୍ରେସର ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଯୁଦ୍ଧ ଇନ୍ଦିରା ଗାନ୍ଧୀ ଲଢ଼ି ନ ଥିଲେ। ହେଲେ ପ୍ରାଣବଳି ଦେଇଥିଲେ ଭାରତର ଅଧିକାଂଶ ପ୍ରାନ୍ତରର ସାଧାରଣ ନାଗରିକ। ଆଶ୍ଚର୍ଯ୍ୟର କଥା ଯେ, ଗୁଜରାଟର କୌଣସି ସୈନିକ ଏବଂ କମାଣ୍ଡର ସେହି ଯୁଦ୍ଧରେ ଯୋଗ ଦେଇଥିବାର ଐତିହାସିକ ପ୍ରମାଣ ନାହିଁ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ ଶାସକଙ୍କ ଦ୍ୱାରା ନିର୍ମିତ ଇଣ୍ଡିଆ ଗେଟ୍‌ର ଦେହସାରା ସେହି ଭାରତୀୟ ସୈନିକଙ୍କ ନାମ ଲେଖାଯାଇଛି, ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧରେ ପ୍ରାଣ ହରାଇଥିଲେ।
କୁହାଯାଉଛି ଅମର ଯବାନ ଜ୍ୟୋତିକୁ ଅନନ୍ତ ଜ୍ୟୋତି ସହ ମିଶାଇ ଦିଆଯିବା ଏକ ପ୍ରତୀକାତ୍ମକ ପଦକ୍ଷେପ, ଯାହାକୁ ନେଇ ବିବାଦ ସୃଷ୍ଟି ହେବା କଥା ନୁହଁ। ସରକାରଙ୍କ ଯୁକ୍ତି ହେଉଛି ସବୁ ଶହୀଦଙ୍କୁ ଗୋଟିଏ ସ୍ଥାନରେ ସମ୍ମାନ ଦିଆଯିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବିରୋଧୀ ସମାଲୋଚନା କରି କହୁଛନ୍ତି, ମୋଦି ସରକାର ପୁରୁଣା ଶାସନ ସମୟରେ ରଚାଯାଇଥିବା କୀର୍ତ୍ତିକୁ ମାଟିରେ ମିଶାଇ ଦେଇ ନିଜ ଅହଂଭାବକୁ ଦେଖାଇବା ଲାଗି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। କିନ୍ତୁ ସେଥିରେ କିଛି ନୂତନତ୍ୱ ଥିବା ଭଳି ମନେହେଉ ନାହିଁ। କେବଳ ଇତିହାସକୁ ଲିଭାଇବା ସକାଶେ ଏଭଳି ପଦକ୍ଷେପ ନିଆଯାଇଛି। ଯୁଦ୍ଧ ଲଢ଼ିଥିବା ଅନେକ ବୟସ୍କ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଅନ୍ୟ ଦେଶଗୁଡ଼ିକରେ ମୃତ ସୈନିକଙ୍କ ନିମନ୍ତେ ଏକରୁ ଅଧିକ ସ୍ମାରକୀ ରହିଛି, ଯେଉଁଥିରେ ସର୍ବଦା ଜ୍ୟୋତି ଜଳୁଛି। ବାଂଲାଦେଶ ଯୁଦ୍ଧକୁ ସମ୍ମାନ ଦେବାର ଅର୍ଥ ନୁହେଁ, ଯେ କାର୍‌ଗିଲ ଶହୀଦଙ୍କୁ ଅସମ୍ମାନିତ କରାଯାଉଛି। ସେହିଭଳି ଗଲ୍‌ଓ୍ବାନ ଶହୀଦଙ୍କୁ ସମ୍ମାନିତ କରିବାର ଅର୍ଥ ନୁହେଁ, ୧୯୬୨ ଭାରତ-ଚାଇନା ଯୁଦ୍ଧର ଭାରତୀୟ ବୀରମାନଙ୍କୁ ଅସମ୍ମାନିତ କରାଯିବ। ଗଣତାନ୍ତ୍ରିକ ଦେଶରେ ରାଜନୈତିକ ନେତୃତ୍ୱର ପରିବର୍ତ୍ତନ ଘଟିବା ଅବଶ୍ୟମ୍ଭାବୀ। ପୂର୍ବରୁ ଯେଉଁ ଦଳ ଭୋଟ୍‌ ପାଉଥିଲା, ଆଜି ସେ ପରାଜିତ। ଆଜି ଯିଏ ଭୋଟ୍‌ ପାଉଛନ୍ତି, ସିଏ ଆସନ୍ତାକାଲି ପରାଜିତ ହେବେ ନାହିଁ ବୋଲି କେହି କହିପାରିବେ ନାହିଁ। ଭାରତର ସାଧାରଣ ନାଗରିକ ହିଁ ସବୁବେଳେ ରହିଛି। ସେହି ଭୋଟର ହାତରେ ସାମ୍ବିଧାନିକ କ୍ଷମତା ରହିଛି, ଯାହାଦ୍ୱାରା ରାଜନୈତିକ ପଟ ପରିବର୍ତ୍ତନ ସମ୍ଭବ ହେଉଛି। ଦୁର୍ଭାଗ୍ୟର ବିଷୟ, ଯେକୌଣସି ନେତା ବା ଦଳ କ୍ଷମତାକୁ ଆସୁଛନ୍ତି, ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆସିଯାଉଛି। ସମସ୍ତେ ନିଜକୁ ଦୀର୍ଘାୟୁ ବା ଅମର ଭାବି ସବୁବେଳେ କ୍ଷମତାରେ ରହିବେ ବୋଲି ଚିନ୍ତା କରନ୍ତି। ସେଥିପାଇଁ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଏବଂ ଅସତ୍ୟ କହି ବାଟବଣା କରିବାକୁ ଚେଷ୍ଟା କରନ୍ତି।
ଏକ କୃତଜ୍ଞ ଦେଶ ତା’ର ଶହୀଦଙ୍କୁ ଯଥାମାନ୍ୟ ଦେବା ଉତ୍ତମ ପଦକ୍ଷେପ। କିନ୍ତୁ ଇତିହାସ ବଦଳାଇ ଓ ଗୋଟିଏ ଜ୍ୟୋତିକୁ ଲିଭାଇ ଆଉ ଏକ ଜ୍ୟୋତିକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ଇତିହାସକୁ ଗୋଡ଼ରେ ଦଳି ଦେଲା ଭଳି ପ୍ରତୀୟମାନ ହେଉଛି। ମନେରଖିବାକୁ ହେବ ଯେ, ଏହାଦ୍ୱାରା ଯେଉଁ ନୂତନ ଇତିହାସ ସୃଷ୍ଟି କରାଯାଉଛି, ତାହା ମଧ୍ୟ ଚିରସ୍ଥାୟୀ ରହିବ ନାହିଁ। ଆଗାମୀ ଦିନରେ ଯେଉଁମାନେ କ୍ଷମତାକୁ ଆସିବେ ସେମାନେ ବାସ୍ତବ ଇତିହାସକୁ ଦଳିମକଚି ନିଜ ଇତିହାସକୁ ସର୍ବୋଚ୍ଚରେ ରଖିବାକୁ ଚେଷ୍ଟା କରିବେ। ଏହା ଏକ ନିରନ୍ତର ପ୍ରକ୍ରିୟା ହୋଇଯାଉଛି, ଯାହା ଏହି ଜାତି ସକାଶେ ଅତ୍ୟନ୍ତ କ୍ଷତିକାରକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର। ମଧ୍ୟପ୍ରଦେଶର ଦେପାଲପୁର ଅନ୍ତର୍ଗତ ପୀର ପିପ୍‌ଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ, ଯାହା ସମସ୍ତଙ୍କ...

ଏଇ ଭାରତରେ

ଆଦିବାସୀ ଝିଅମାନଙ୍କୁ ଭଲ ଖେଳାଳି କରିବାର ପ୍ରତିବଦ୍ଧତା ଫୁଟବଲ ଖେଳାଳି ଆନନ୍ଦ କୁମାର ଗୋପେଙ୍କୁ ନୂଆ ପରିଚୟ ଦେଇଛି। ରାଞ୍ଚି ନିକଟସ୍ଥ କର୍ମା ଗାଁରେ ଆନନ୍ଦଙ୍କ...

ଚାଷୀ କଥା ଶୀଘ୍ର ବୁଝ

ଇଂ. ବିଦ୍ୟାଧର ପଣ୍ଡା ବଗଲା ବଗୁଲୀ ଦୁଇ ପ୍ରାଣୀ। ବଗଲା ଘର ବରଗଡ଼। ବଗୁଲୀ ବାପଘର ପଦ୍ମପୁର। ବାହାଘରକୁ କୋଡ଼ିଏ ବର୍ଷ ହେଲାଣି। ଦି’ ଚାରିବର୍ଷରେ...

ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ଚର୍ଚ୍ଚାରେ ରହିଛି। ମହାରାଷ୍ଟ୍ର ଠାଣେର ପୁରୁଷୋତ୍ତମ ଗୁପ୍ତା ସହରରେ ରହୁଥିବା ଅଟୋଚାଳକ ତଥା ନିର୍ମାଣ ଶ୍ରମିକମାନଙ୍କୁ ମାଗଣାରେ...

ଏଇ ଭାରତରେ

ଶିକ୍ଷାର ପ୍ରସାର ସହ ପରିବେଶ ସୁଧାରିବା ଅଭିଯାନରେ ବ୍ରତୀ ହୋଇଛନ୍ତି ଆସାମର ଦମ୍ପତି ପ୍ରମିତା ଶର୍ମା ଓ ମାଜିନ ମୁଖତାର। ଦୁହେଁ ପାମୋହି ଅଞ୍ଚଳରେ ଏକ...

ଗାନ୍ଧିଜୀଙ୍କ ଦୃଷ୍ଟିରେ ସ୍ବଚ୍ଛତା

ଜଗଦାନନ୍ଦ ଜେନା ୨୦୧୯ ଅକ୍ଟୋବର ୨ ତାରିଖରେ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛୁ। ଆମ ଜାତିକୁ କର୍ତ୍ତବ୍ୟପରାୟଣ,...

ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ

ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍‌ ମହାମାରୀର ପ୍ରଭାବ ଏହାର...

ଅସୁନ୍ଦରୀଙ୍କ ସହ ଅସୁନ୍ଦର

ପାଠ୍ୟପୁସ୍ତକ ଜରିଆରେ ଛାତ୍ରୀଛାତ୍ରଙ୍କ ମନରେ ସକାରାତ୍ମକ ଚିନ୍ତା ସୃଷ୍ଟି କରିବା ଲାଗି ସର୍ବଦା ପ୍ରୟାସ ହେବା କଥା। କିନ୍ତୁ ଦେଖାଯାଉଛି ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା...

Advertisement
Archives

Model This Week