ଯୁଦ୍ଧରେ ହାରନ୍ତି ଜନତା

ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଆଜି ଛାର୍‌ଖାର୍‌। ଅନେକ ଲୋକ ମୃତାହତ ହେଲେଣି। କେବଳ ସାମରିକସ୍ଥଳୀ ନୁହେଁ, ଅନେକ ସର୍ବସାଧାରଣ ସ୍ଥାନରେ ରୁଷିଆ ବୋମାମାଡ଼ କରୁଥିବାର ସୂଚନା ମିଳୁଛି। ଆକ୍ରମଣ ଭୟରେ ୟୁକ୍ରେନ୍‌ର ରାଜଧାନୀ ସମେତ ଅନେକ ବଡ଼ ବଡ଼ ସହରରୁ ଲୋକମାନେ ଦେଶ ବାହାରକୁ ପଳାୟନ କରୁଛନ୍ତି। ସାରା ବିଶ୍ୱ ସ୍ତବ୍‌ଧ ରୁଷ୍‌ର ଏପରି ଅମାନବିକ ଆକ୍ରମଣରେ। ଏତିକି ଧ୍ୱଂସରେ ରୁଷିଆର ମନ ଶାନ୍ତି ହୋଇନି ଯେ, ଦିନେ ଦୁଇ ଦିନ ଅନ୍ତରରେ ପରମାଣୁ ଯୁଦ୍ଧର ଧମକ ଦେଉଛି। ରୁଷିଆର ସାମ୍ରାଜ୍ୟବାଦୀ ଚରିତ୍ର ସାମ୍‌ନାରେ ଜାତିସଂଘର ଅସହାୟତା ଜଳ ଜଳ ଦେଖାଯାଉଛି। ସ୍ବାଧୀନ ରାଷ୍ଟ୍ରଙ୍କୁ ନିଜ କବଳକୁ ଆଣିବାର ପ୍ରବୃତ୍ତି ତଥା ସେମାନଙ୍କ ଉପରେ ମାଲିକାନା ପ୍ରଦର୍ଶନ କରିବାର ସାମ୍ରାଜ୍ୟବାଦୀ ମାନସିକତା ବିଶ୍ୱ ପାଇଁ ନୂଆ ନୁହେଁ। ଏଭଳି ସାମ୍ରାଜ୍ୟବାଦୀ ଚରିତ୍ର ବହନ କରୁଥିବା ମୁଖ୍ୟ ଦେଶ ହେଉଛି ଆମେରିକା। ଆମେରିକାର ସାମ୍ରାଜ୍ୟବାଦୀ ଲୋଲୁପତାର ପରିଣାମ ସ୍ବରୂପ ଆଜି ବିଶ୍ୱ ଯୁଦ୍ଧପ୍ରବଣ ହୋଇଛି ଓ ଆତଙ୍କବାଦୀଙ୍କ ଆକ୍ରମଣ ତୀବ୍ର ହୋଇଛି। ଲାଡେନ୍‌ର ଆତଙ୍କବାଦୀ ସଙ୍ଗଠନ ଆରମ୍ଭରୁ ଆମେରିକାର ପୃଷ୍ଠପୋଷକ ପାଇ ଓ ଆମେରିକା ଇଙ୍ଗିତରେ କାମ କରୁଥିଲା, ଯାହା ପରେ ଆମେରିକା ପାଇଁ ଘାତକ ସାବ୍ୟସ୍ତ ହୋଇଛି।
ସମ୍ପ୍ରତି ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଆମେରିକା, ବ୍ରିଟେନ୍‌ ସମେତ କେତେକ ଦେଶ ରୁଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି। ତଥାପି ରୁଷିଆର ଆକ୍ରମଣ କମ୍‌ ହେଉନାହିଁ। ଏପରି ପରିସ୍ଥିତିରେ ଆମ ଦେଶର ଅନେକ ଲୋକ ଯୁଦ୍ଧ ବିରୋଧୀ ମନୋଭାବ ନେଇ ୟୁକ୍ରେନ୍‌ର ଜନସାଧାରଣଙ୍କ ପ୍ରତି ସମବେଦନା ପ୍ରକାଶ କରୁଛନ୍ତି। କିନ୍ତୁ ଅନ୍ୟପକ୍ଷରେ କିଛି ହିଂସାପିପାସୁ ଲୋକ କହୁଛନ୍ତି, ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ଉଚିତ। ଏପରି ଲୋକମାନଙ୍କର ମାନସିକତା ବୁଝିବା କଷ୍ଟକର। ଏମାନେ କାହା ପକ୍ଷରେ? ମଣିଷ ପକ୍ଷରେ ନା ମୃତ୍ୟୁ କିମ୍ବା ଧ୍ୱଂସ ପକ୍ଷରେ? କେମିତି ଏମାନେ ବୁଝିପାରୁନାହାନ୍ତି ଯେ, ଯୁଦ୍ଧ କେବେ ବି କୌଣସି ଦେଶର ଜନସାଧାରଣଙ୍କ ପାଇଁ ମଙ୍ଗଳଦାୟକ ହୋଇ ନ ଥାଏ! ସେ ଆକ୍ରମଣକାରୀ ଦେଶ ହେଉ ବା ଯାହା ଉପରେ ଆକ୍ରମଣ ହେଉଛି, ସେ ଦେଶ ହେଉ, ଯୁଦ୍ଧରେ ଉଭୟ ଦେଶର ଲୋକେ ହିଁ କ୍ଷତି ସହିଥାନ୍ତି। ଯୁଦ୍ଧ ହୁଏତ ଶାସକଙ୍କ ସ୍ବାର୍ଥ ସାଧନ କରିପାରେ, କିନ୍ତୁ ଏହା ସବୁବେଳେ ଜନତାଙ୍କ ପାଇଁ ଯନ୍ତ୍ରଣାଦାୟୀ। ଯୁଦ୍ଧରେ ଯେକୌଣସି ବି ଦେଶ ଜିତୁ, କିନ୍ତୁ ସବୁବେଳେ ସବୁକ୍ଷ୍ରେତରେ ହାରିଯାଆନ୍ତି ଉଭୟ ଦେଶର ସାଧାରଣ ଜନତା। ସେମାନେ ଯୁଦ୍ଧରେ ସବୁବେଳେ କ୍ଷତି ହିଁ ସହନ୍ତି। ସମ୍ପ୍ରତି ଯୁଦ୍ଧ ଯୋଗୁ ୟୁକ୍ରେନ ଜନସାଧାରଣଙ୍କର ଯେତିକି କ୍ଷତି ସାଧନ ହେଉଛି, ସେହି ହିସାବରେ ଅସଲରେ ରୁଷିଆ ଜନସାଧାରଣ କ୍ଷତି ସହିବା ଆରମ୍ଭ କଲେଣି। ରୁଷିଆରେ ଦରଦାମ୍‌ ବଢ଼ିବା ଆରମ୍ଭ ହୋଇଗଲାଣି। ଯୁଦ୍ଧରେ ପୁଟିନ୍‌ ହୁଏତ ଜିତିପାରନ୍ତି, କିନ୍ତୁ ରୁଷିଆ ଜନତାଙ୍କ କିଛି ବି ଲାଭ ହେବନାହିଁ।
ଯୁଦ୍ଧକୁ ବିରୋଧ କରି ରୁଷିଆରେ ସାଧାରଣ ଲୋକମାନଙ୍କର ପ୍ରତିବାଦ ମଧ୍ୟ ଜାରିରହିଛି।
ଯୁଦ୍ଧରେ ଯଦି କିଏ ଲାଭରେ ରୁହନ୍ତି, ସେମାନେ ହେଉଛନ୍ତି କ୍ଷମତାରେ ଥିବା ଶାସକ ଗୋଷ୍ଠୀ। କାରଣ ଯୁଦ୍ଧର ଦ୍ୱାହି ଦେଇ ଦୀର୍ଘ କାଳ କ୍ଷମତାରେ ରହିବା ସହଜ ହୋଇଥାଏ। କାରଣ ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ମନରେ ଯେଉଁ ଅସୁରକ୍ଷାର ଭାବନା ଆସେ, ସେମାନେ ଆଉ ଶାସକ ବଦଳେଇବାକୁ ଚାହାନ୍ତି ନାହିଁ। ଶାସକ ମଧ୍ୟ ଲୋକଙ୍କ ଅସୁରକ୍ଷା ଭାବନାର ସୁଯୋଗ ନେଇ ନିଜକୁ ହିଁ ଏକମାତ୍ର ତ୍ରାଣକର୍ତ୍ତା ଭାବେ ପ୍ରଚାର କରନ୍ତି ଓ ଯୁଦ୍ଧର ଦ୍ୱାହିଦେଇ କ୍ଷମତାକୁ ଜାବୁଡ଼ି ଧରନ୍ତି। ସମ୍ପ୍ରତି ଆମ ଦେଶର ଯେଉଁ କିଛି ଲୋକ ରୁଷିଆର ଆକ୍ରମଣ ଦେଖି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରୁ ବୋଲି କହୁଛନ୍ତି, ତା’ ପଛରେ ଏପରି ଶାସକ ଗୋଷ୍ଠୀଙ୍କ ଏଜେଣ୍ଡା ଅଛି ବୋଲି ଅନୁମାନ କରାଯାଏ। କାରଣ ଯୁଦ୍ଧ ହେଲେ, ଏହା ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେଉ କି ନ ହେଉ କିନ୍ତୁ ଶାସକ ଗୋଷ୍ଠୀଙ୍କୁ ନିଜ ଚୌକିକୁ ସୁରକ୍ଷିତ ରଖିବାରେ ଅଧିକ ସହାୟକ ହେବ। ଆମ ଦେଶର ରାଜନୀତି ଉପରେ ଆଖି ପକେଇଲେ ବୁଝିବା ଯେ, ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କ୍ଷମତାକୁ ଆସିଲେ ବାରମ୍ବାର ଆମକୁ ପାକିସ୍ତାନ ସହିତ ଯୁଦ୍ଧର କଥା ଶୁଣିବାକୁ ମିଳେ। ଏହା ପଛର ମାନସିକତା ହେଉଛି, ଲୋକଙ୍କ ଭାବନାକୁ ନିୟନ୍ତ୍ରଣ କରି କେବଳ କ୍ଷମତାକୁ ଜାବୁଡ଼ି ଧରିବା। ଲୋକଙ୍କର କ’ଣ ଲାଭ ହେବ କି କ୍ଷତି ହେବ, ତାହା ଶାସକ ଗୋଷ୍ଠୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ନୁହେଁ। ତାଙ୍କ ପାଇଁ ଏକମାତ୍ର ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀର୍ଘ କାଳ ପର୍ଯ୍ୟନ୍ତ କ୍ଷମତାରେ ରହିବା। ସେଥିପାଇଁ ଦରକାର ପଡ଼ିଲେ ଗୋଟିଏ ଦୁଇଟି ଯୁଦ୍ଧର ନାଟକ ରଚନା କରିବା ବି ସେମାନଙ୍କ ପାଇଁ ଅସମ୍ଭବ ନୁହେଁ। ଯୁଦ୍ଧର ସବୁଠାରୁ ବଡ଼ କଥା ହେଉଛି, ଗୁଳି ମାରୁଥିବା ଓ ଗୁଳି ଖାଉଥିବା ଲୋକ ଉଭୟ ନିଜ ନିଜ ଦେଶ ପାଇଁ ସେପରି କରୁଛନ୍ତି ବୋଲି କହୁଥିଲେ ମଧ୍ୟ ଉଭୟ ଦଳର ଶାସକ ହିଁ ଯୁଦ୍ଧ ଯୋଗୁ ମୁନାଫାରେ ରୁହନ୍ତି।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବା କଥା ଯେ, ସ୍ବେଚ୍ଛାଚାରୀ ଶାସକମାନେ ସବୁବେଳେ ଯୁଦ୍ଧକୁ ପସନ୍ଦ କରିଥାନ୍ତି। କାରଣ ଯୁଦ୍ଧ ଯୋଗୁ ସେମାନଙ୍କ ସ୍ବେଚ୍ଛାଚାର ବିଷୟରେ ଆଲୋଚନା ବନ୍ଦ ହୋଇଯାଏ ଓ ସେମାନେ ନିଜକୁ ଲୋକମାନଙ୍କର ରକ୍ଷାକର୍ତ୍ତା ଭାବେ ପ୍ରତିପାଦିତ କରେଇବାରେ ସଫଳ ହୁଅନ୍ତି। ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ଠିକ୍‌ ସେହି ଶ୍ରେଣୀରେ ଯିବେ। ସେ ନିଜ ହାତରେ ସମ୍ବିଧାନ ବଦଳେଇ ବଞ୍ଚତ୍ଥିବା ଯାଏ ରୁଷିଆର ରାଷ୍ଟ୍ରପତି ରହିବେ ବୋଲି ଘୋଷଣା କରିଛନ୍ତି। ଏମିତି ପରିସ୍ଥିତିରେ ରୁଷିଆ ଜନସାଧାରଣଙ୍କ ସମର୍ଥନକୁ ନିଜ ସପକ୍ଷରେ ରଖିବାକୁ ହେଲେ ପୁଟିନ୍‌ଙ୍କୁ ଏହି ଯୁଦ୍ଧ ଆହୁରି ଅଧିକ ସହାୟକ ହେବ। ସମ୍ପ୍ରତି ଯୁଦ୍ଧ ଯୋଗୁ ରୁଷିଆ ଜନସାଧାରଣଙ୍କ ମନରେ ଯେଉଁ ଅସୁରକ୍ଷାର ଭାବନା ଆସିବ ତାହା ହିଁ ପୁଟିନ୍‌ଙ୍କ ଚୌକିକୁ ଅଧିକ ମଜଭୁତ୍‌ କରିବ ଓ ଦୀର୍ଘଜୀବୀ କରିବ। ସିଧା କଥାରେ କହିଲେ ବର୍ତ୍ତମାନ ଯୁଦ୍ଧ ଯୋଗୁ ପୁଟିନ୍‌ ଲାଭରେ ରହିବେ।
ଏକଚ୍ଛତ୍ରବାଦୀ ଶାସକମାନଙ୍କର ଯୁଦ୍ଧପ୍ରବଣତା ଏକ ମୁଖ୍ୟ ଚରିତ୍ର। ଯୁଦ୍ଧ ଯୋଗୁ ଦେଶର ଅନ୍ୟାନ୍ୟ ବିକାଶ ପ୍ରସଙ୍ଗ ପଛକୁ ରହିଯିବ ଓ ଲୋକଙ୍କ ମନରେ ଛଦ୍ମ ରାଷ୍ଟ୍ରବାଦୀ ଭାବନା ବଢ଼ିବ, ଯାହା ପ୍ରକାରାନ୍ତରେ କ୍ଷମତାସୀନ ଶାସକଙ୍କୁ ଦୀର୍ଘକାଳ କ୍ଷମତାରେ ରଖିବା ପାଇଁ ସାହାଯ୍ୟ କରିବ। ଯେଉଁମାନେ ଭାରତ ବି ଯୁଦ୍ଧ କରୁ ବୋଲି କହୁଛନ୍ତି, ସେମାନେ କ’ଣ ଭାରତ ସେହି ରାସ୍ତାରେ ଯାଉ ବୋଲି ଚାହଁୁଛନ୍ତି ଓ ଭାରତରେ ଏକଚ୍ଛତ୍ରବାଦୀ ଶାସନର ସ୍ବପ୍ନ ଦେଖୁଛନ୍ତି!
ଯୁଦ୍ଧ ଯୋଗୁ ଆଉ ଯେଉଁ ଗୋଷ୍ଠୀ ସବୁଠାରୁ ଅଧିକ ଲାଭବାନ୍‌ ହୁଅନ୍ତି, ସେମାନେ ହେଉଛନ୍ତି ଅସ୍ତ୍ରଶସ୍ତ୍ର କମ୍ପାନୀ। ଅସ୍ତ୍ରଶସ୍ତ୍ର କମ୍ପାନୀଗୁଡ଼ିକ ଚାହାନ୍ତି, ସାରା ବିଶ୍ୱରେ ସବୁବେଳେ ଯୁଦ୍ଧଜନିତ ଅସୁରକ୍ଷା ଭାବନା ଓ ଅଶାନ୍ତି ବଜାୟ ରହୁ। ଏହା ସେମାନଙ୍କ ବେପାରକୁ ବଢ଼େଇବ। ଯୁଦ୍ଧ ନ ହେଲେ ବା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ନ ହେଲେ ଏହି କମ୍ପାନଗୁଡ଼ିକରେ ଅନାୟାସରେ ତାଲା ପଡ଼ିଯିବ। ତେଣୁ ଏମାନେ ବିଶ୍ୱକୁ ଯୁଦ୍ଧର ଘନଘଟାରୁ କେବେ ବି ମୁକ୍ତ ରଖିବାକୁ ଚାହାନ୍ତି ନାହିଁ। ଯୁଦ୍ଧ ଭଳି ପରିସ୍ଥିତି ବଜାୟ ରହିଲେ ଦେଶଗୁଡ଼ିକ ନିଜ ପ୍ରତିରକ୍ଷା ବଜେଟକୁ ଦୁଇ ଚାରି ଗୁଣା ବଢ଼େଇବେ। ଆଧୁନିକ ଅସ୍ତ୍ରଶସ୍ତ୍ର କିଣି ଗଚ୍ଛିତ ରଖିବେ। ପ୍ରକାରାନ୍ତରେ ମୁନାଫା କମ୍ପାନୀଗୁଡ଼ିକ ପାଖକୁ ଯିବ। ପ୍ରତିରକ୍ଷା ବଜେଟ ବଢ଼ିଲେ, ଧୀରେ ଧୀରେ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ କଲ୍ୟାଣ ପରି ବିଭାଗରୁ ଖର୍ଚ୍ଚ କାଟ ହେବ। କ୍ଷତି ଲୋକ ହିଁ ସହିବେ। ଶାସକ ଗୋଷ୍ଠୀ ସବୁବେଳେ ପ୍ରତିରକ୍ଷା ବଜେଟକୁ ବଢ଼େଇବାକୁ ଚାହେଁ। କାରଣ ପ୍ରତିରକ୍ଷା ବିଭାଗ ଗୋଟେ ଦୁହାଳିଆ ଗାଈ। ପ୍ରତିରକ୍ଷା ବିଭାଗରେ ବଜେଟ ବଢ଼ିଲେ ଦୁର୍ନୀତି କରିବାକୁ ସହଜ ହେବ। ତାହାର ହିସାବ ବି କାହାକୁ ଦେବାକୁ ପଡ଼ିବ ନାହିଁ। କାରଣ ପ୍ରତିରକ୍ଷାର ଅନେକ ଖର୍ଚ୍ଚ ଗୋପନୀୟ ରହିବା ବାଞ୍ଛନୀୟ ବୋଲି ଆମେ ଜାଣିଛେ। ଆମ ଦେଶରେ ବୋଫର୍ସ, ରାଫାଲ୍‌, କାର୍ଗିଲ୍‌ ଯୁଦ୍ଧ ସମୟରେ କଫିନ୍‌ କିଣା ଦୁର୍ନୀତି ବିଷୟରେ ସମସ୍ତେ ଅବଗତ।
ଅନ୍ୟ ଦୃଷ୍ଟିରୁ ଦେଖିଲେ, ଯୁଦ୍ଧ ଏକ ରକ୍ତପାତଭରା ରାଜନୀତି। ଅନେକ ଶାସକ ନିଜ ଶାସନକାଳକୁ ଲମ୍ବା କରିବା ପାଇଁ ଏହାକୁ ଚୟନ କରିଥାନ୍ତି। ଲୋକମାନଙ୍କ ମନରେ ମିଛ ରାଷ୍ଟ୍ରପ୍ରେମ ଭରି ତାଙ୍କ ଭାବନା ସହିତ ଖେଳି ଯୁଦ୍ଧ ରଚନା କରି ନିଜର ଶାସନ କରିବାର ସ୍ବପ୍ନକୁ ଚରିତାର୍ଥ କରିଥାନ୍ତି। ଜନସାଧାରଣ ଏହାର ରହସ୍ୟକୁ ବୁଝିବା ଜରୁରୀ। ସେ ଯେଉଁ ଦେଶ ହେଉନା କାହିଁକି, ଯୁଦ୍ଧରେ ଜିତ୍‌ ହେଉ କି ହାର୍‌ ହେଉ, ଲୋକମାନଙ୍କର କିନ୍ତୁ ସବୁବେଳେ ହାର୍‌ ହିଁ ହୋଇଥାଏ। ତେଣୁ ଲୋକମାନେ ଶାସକ ଗୋଷ୍ଠୀଙ୍କ ମିଛ ପ୍ରଚାରରେ ଭାସି ନ ଯାଇ ଯୁଦ୍ଧକୁ ଚୟନ ନ କରି ଶାନ୍ତିକୁ ବାଛିବା ଉଚିତ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ବାଣିଜି୍ୟକ ଅସ୍ପୃଶ୍ୟତା

ହରିହର ତ୍ରିପାଠୀ ମହାମାରୀ କରୋନା ବିଶ୍ୱର ବାଣିଜ୍ୟ ଚିତ୍ରପଟରେ ଆଣିଛି ଯୁଗାନ୍ତକାରୀ ପରିବର୍ତ୍ତନ। ବିଶ୍ୱବାଣିଜ୍ୟରେ ଏକଚାଟିଆ ଆଧିପତ୍ୟ ବଜାୟ ରଖିଥିବା ଦେଶଗୁଡ଼ିକ ଭିତରେ ଦେଖାଦେଇଛି ବାଣିଜି୍ୟକ...

ଏଇ ଭାରତରେ

ଚରଖା ଓ ହସ୍ତତନ୍ତର ଆଦର କମି ଆସୁଥିବାବେଳେ ଏହାର ଉପଯୋଗିତାକୁ ପୁନଃ ପ୍ରତିପାଦିତ କରିଛନ୍ତି ପୁଣେର ନନ୍ଦନ ଭଟ୍ଟ। ସେ ସିଙ୍ଗଲ୍‌ ୟୁଜ୍‌ଡ ପ୍ଲାଷ୍ଟିକ ଭଳି...

ସମର୍ପିତ ଶିକ୍ଷାସେବୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ...

ଲକ୍ଷ୍ୟ ବଂଶବାଦ ନୁହେଁ

ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ୧୬ ନଭେମ୍ବରରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ କ୍ଷମତାକୁ ଫେରୁଥିବା ବେଳେ ୭ମ...

ଏଇ ଭାରତରେ

କଶ୍ମୀରର ମହମ୍ମଦ ଅଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ...

ଭୁବନେଶ୍ୱରରେ ଉତ୍ପାତ ଦର୍ଶନ

ସହଦେବ ସାହୁ ସାରଳାଦାସଙ୍କ ମହାଭାରତର ମୂଷଳୀ ପର୍ବରେ ‘ଦ୍ୱାରିକାରେ ନାନା ଉତ୍ପାତ ଦର୍ଶନ…’ ଅଧ୍ୟାୟରେ ଉଲ୍ଲେଖ ଅଛି ଯେ ଅତିଶୟ ସାମାଜିକ ବିଶୃଙ୍ଖଳା ଦେଖାଦେବାରୁ ‘କେବଣ...

ଆରମ୍ଭ ମାତ୍ର

ଭାରତ-ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିଛନ୍ତିି।...

ନିୟମ ଅମାନ୍ୟ

କେରଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନେ ସେମାନଙ୍କ ସରକାରୀ ଗାଡ଼ିରେ ବହୁ ସମୟରେ ବ୍ଲୁ ଫ୍ଲାଗ୍‌ ବା ନୀଳ ପତାକା ଲଗାଇଥାନ୍ତି। ଏଥିରେ ଥିବା...

Advertisement
Archives

Model This Week