ସେବା ଓ ସମର୍ପଣର ବହ୍ନିଶିଖା ପାର୍ବତୀ ଗିରି

ଆଜି ସ୍ବାଧୀନତାର ଅମୃତ ଲଗ୍ନରେ ଯେତେବେଳେ ଆମେ ଅଶ୍ରୁତ ବୀରାଙ୍ଗନାମାନଙ୍କ କଥା ମନେପକାଉଛୁ, ଶହେ ବର୍ଷ ତଳେ ଜନ୍ମଲାଭ କରିଥିବା ମହୀୟସୀ ପାର୍ବତୀ ଗିରିଙ୍କ ନାମ ସ୍ବତଃ ହୃଦୟ ଦର୍ପଣରେ ପ୍ରତିବିମ୍ବିତ ହେଉଛି। ସ୍ଥାନ, କାଳ, ପାତ୍ର, ଲିଙ୍ଗ ଭେଦରୁ ଉପରକୁ ଉଠି ଜନସେବାରେ ଜୀବନ ସମର୍ପିତ କରିଥିବା ମା’ ପାର୍ବତୀ ଗିରି ସମସ୍ତଙ୍କ ପାଇଁ ଉଦାହରଣ। ସେବାବ୍ରତ ହିଁ ଥିଲା ତାଙ୍କର କର୍ମ ଓ ଧର୍ମ। ନିଜକୁ ଆଜୀବନ ଶିକ୍ଷାର୍ଥୀ ଭାବି ସେ ପଢୁଥିଲେ ନିଜକୁ ଓ ଗଢୁଥିଲେ ଅନ୍ୟକୁ। ନିଃସ୍ବାର୍ଥପର ଭାବରେ ପାର୍ବତୀ ଗିରି ଗଢ଼ି ଚାଲିଥିଲେ ସ୍ବାବଲମ୍ବୀ ସମାଜ: ସେବା ଓ କରୁଣା ଥିଲା ତା’ର ଦୁଇ ଆତ୍ମା।
ତତ୍କାଳୀନ ସମ୍ବଲପୁର ଜିଲାର ସମଲାଇପଦର ଗ୍ରାମରେ ୧୯୨୬ ମସିହା ଜାନୁଆରୀ ୧୯ ତାରିଖରେ ପିତା ଧନଞ୍ଜୟ ଗିରିଙ୍କ କୋଳମଣ୍ଡନ କରିଥିଲେ ବିଶ୍ୱଜନନୀର ଅନ୍ୟତମ ଅବିସ୍ମରଣୀୟ ପ୍ରତିଭା ପାର୍ବତୀ ଗିରି। ମହାତ୍ମା ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଅହିଂସା ନୀତି ସହ ଖଦି ବୁଣିବା, ହରିଜନ ସେବା, ରଚନାତ୍ମକ କାର୍ଯ୍ୟକ୍ରମ, ରାଷ୍ଟ୍ରଭାଷା ଶିକ୍ଷା, ଗୋ ସେବା, ମହୁଚାଷ ଓ ଧନ୍ଦାମୂଳକ ଶିକ୍ଷା ଆଦି କାର୍ଯ୍ୟକୁ ଅବଲମ୍ବନ କରିବା ସହ ସେଥିରେ ଆତ୍ମନିର୍ଭରଶୀଳ ହେବାକୁ ବହୁ ବରିଷ୍ଠ କର୍ମଜୀବୀ ଓ ନେତାମାନଙ୍କୁ ସେ ପ୍ରେରିତ କରିଥିଲେ। ଜାତିର ପିତାଙ୍କ ସ୍ଲୋଗାନରେ ଅନୁପ୍ରାଣିତ ହୋଇ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ବ୍ରିଟିଶ ସରକାରଙ୍କ ଦ୍ୱାରା କାରାବରଣ ଭୋଗିବାକୁ ପଡ଼ିଥିଲା।
ଗରିବ ଓ ଅସହାୟମାନଙ୍କର ଆଶାର ପ୍ରତୀକ ଭାବେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ ରଖିବାର କର୍ମ ହିଁ ଥିଲା ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ପ୍ରତିବଦ୍ଧତା। ସ୍ବାଧୀନତା ପରେ ତାଙ୍କୁ ରାଜନୀତି କ୍ଷେତ୍ରରେ ଅନେକ ପଦ ପଦବୀର ସୁଯୋଗ ଥିଲେ ମଧ୍ୟ ଜଣେ ଅସାଧାରଣସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ଏସବୁକୁ ପ୍ରତ୍ୟାଖ୍ୟାନ କରି ନିଜର ସମଗ୍ର ଜୀବନ ସମାଜ ସେବାରେ ସମର୍ପଣ କରିଦେଇଥିଲେ। ପ୍ରାପ୍ତି ନୁହେଁ ତ୍ୟାଗ ଥିଲା ତାଙ୍କ ଜୀବନର ଧ୍ୟେୟ, ଧ୍ୟାନ ଓ ଧାରଣା।
ଭାରତରେ ଜନ୍ମିତ ମହାପୁରୁଷ ଓ ଦିଗ୍‌ଗଜମାନଙ୍କ ପରାକାଷ୍ଠା ଏ ଜାତିକୁ ବହୁ ଦିଗ୍‌ଦର୍ଶନ ଦେଇପାରିଅଛି। ମହାତ୍ମାମାନେ ନରରୂପୀ ନାରାୟଣ, ଦରିଦ୍ରରୂପୀ ଦୀନବାଳକଙ୍କ ସେବା ଜାରିରଖି ବିଶ୍ୱବନ୍ଦିତ ହୋଇପାରିଛନ୍ତି। ସେମାନଙ୍କ ପଦାଙ୍କ ଅନୁସରଣ କରି ପାର୍ବତୀ ଗିରି ସେହି ଚିରାୟତ ମୂଲ୍ୟବୋଧର ବାହିକା ଭାବେ ଆଜୀବନ କାର୍ଯ୍ୟ କରିଛନ୍ତି। ସହଜ ଓ ସରଳ ହେବା କଠିନ କିନ୍ତୁ ଉଭୟ ଗୁଣର ଅଧିକାରିଣୀ ଥିଲେ ପୂଜନୀୟା ପାର୍ବତୀ ଗିରି। ଜନମାନସର ଦୁଃଖ ଦୁର୍ଦ୍ଦଶାକୁ ଆପଣାର ଭାବି ସେବା କରିବାର ଦୃଢ଼ତା ପ୍ରତିପାଦନ କରିବାର ସାମର୍ଥ୍ୟ ପାର୍ବତୀ ଗିରିଙ୍କ ପାଖରେ ପ୍ରତୀୟମାନ ହେଉଥିଲା। ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳର ବହୁ ଅନାଥ ଶିଶୁଙ୍କର ଅବିକଳ ଓ ଅନାହାର ଅବସ୍ଥାକୁ ହୃଦୟଙ୍ଗମ କରି ୨୮ଜଣଙ୍କୁ ନେଇ ୨୮ ସେପ୍ଟେମ୍ବର ୧୯୭୪ରେ ନୃସିଂହନାଥଠାରେ ଏକ ଅନାଥ ଆଶ୍ରମ ପ୍ରତିଷ୍ଠା କରି ଏ ଜନମାନସକୁ ନୂତନ ଦିଗ୍‌ଦର୍ଶନ ଦେଇଥିଲେ। ଗଠନ କରିଥିବା ଏହି ଅନାଥ ଆଶ୍ରମଟି ପରବର୍ତ୍ତୀ କ୍ଷେତ୍ରରେ ‘କସ୍ତୁରବା ଗାନ୍ଧୀ ମାତୃ ନିକେତନ’ ନାମରେ ନାମିତ ହୋଇଥିଲା।
ତତ୍କାଳୀନ ସମ୍ବଲପୁର ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କର ସ୍ବାସ୍ଥ୍ୟାବସ୍ଥାକୁ ଅନୁଭବ କରି ସମ୍ବଲପୁର ଜିଲାର ଫୁଲଝରନ୍‌ଠାରେ ନିଷ୍ପେଷିତ, ଅନାଥ ଓ ଅବହେଳିତ ଲୋକମାନଙ୍କ ପାଇଁ ‘ଡକ୍ଟର ଆଇଜାକ ସାନ୍ତ୍ରା ବାଲ୍‌ ନିକେତନ’ ନାମରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ। ସେବାର ଅନ୍ୟତମ ମୂର୍ତ୍ତିମନ୍ତ ପ୍ରତୀକ ଓ ଦେବୀ ଭଳି ସାରାଜୀବନ ଜଗତର ହିତ ଓ ଲୋକକଲ୍ୟାଣ ଦିଗରେ ନିଜକୁ ସମର୍ପି ଦେଇଥିଲେ ଏହି ଅଗ୍ନିକନ୍ୟା। ଭାଗୀରଥି ପଟ୍ଟନାୟକ, ଫକୀର ବେହେରା ଓ ମାଳତୀ ଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁକ୍ତି ଚେତନା କ୍ଷେତ୍ରରେ ଆକର୍ଷିତ ହୋଇଥିଲେ। ଅଳ୍ପ ବୟସ ଅର୍ଥାତ୍‌ ମାତ୍ର ୧୨ ବର୍ଷ ବୟସରେ ବରିର ରାମଚନ୍ଦ୍ରପୁର ସେବାଶ୍ରମରେ ମା’ ରମାଦେବୀ ଓ ଅନ୍ୟାନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ନେଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଦୁଇ ବର୍ଷ କାଳ ଏହି ସ୍ଥାନରେ ଅତିବାହିତ କରି ବିଭିନ୍ନ ସାମାଜିକ ସେବାରେ ନିଜକୁ ଉତ୍ସର୍ଗ କରିବା ପରେ ୧୯୪୦ରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମୂଲ୍ୟବୋଧ ଭିିତ୍ତିକ ଜୀବନ ଜିଇବାର କଳାକୁ ଆପଣାର କରି ସେବାଧର୍ମ ପ୍ରତି ରହିଥିବାର ମମତା ହିଁ ପାର୍ବତୀ ଗିରିଙ୍କୁ ଅନେକ ସୁନାମ ଆଣି ଦେଇଥିଲା।
ଭାରତକୁ ସ୍ବାଧୀନତା ଆଣିବାରେ ଏ ଦେଶକୁ ସ୍ବତନ୍ତ୍ରତା ଦେବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ଅନନ୍ୟ ଯୋଦ୍ଧା, ଅଗ୍ନିକା, ବହ୍ନିକନ୍ୟା ଭାବେ ସତ୍‌ ପଥରେ ଏକାକୀ ଚାଲି କାର୍ଯ୍ୟ କରିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ ପାର୍ବତୀ ଗିରି। ୱାର୍ଦ୍ଧା ଏବଂ ପରେ ଆସାମଠାରେ ସେବାକାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ଦିଗରେ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତକରି ଦୁର୍ଗତମାନଙ୍କର ସେବା ଜାରିକରି ସ୍ବକୀୟ ସ୍ବତନ୍ତ୍ରତାର ପରିଚୟ ଦେଇପାରିଥିଲେ। କୌଣସି ସୀମିତତା ପାର୍ବତୀ ଗିରିଙ୍କୁ ବାନ୍ଧିପାରି ନ ଥିଲା। ୧୯୫୫ ମସିହାରେ ଓଡ଼ିଶାରେ ବନ୍ୟାର ବିଭୀଷିକାରେ ଦଳେଇଘାଇ ଭାଙ୍ଗିଯିବାରୁ ବିଭିନ୍ନ ଅଞ୍ଚଳରେ ବହୁ ବନ୍ୟାଜଳ ପ୍ଳାବିତ ହୋଇ ଅନେକ ଧନଜୀବନ କ୍ଷୟକ୍ଷତି ହେବାସହ ଲୋକମାନେ ବାସହରା ହୋଇ ଅନାହାରରେ କାଳାତିପାତ କରିଥିଲେ। ଏହିପରି ଘଡିସନ୍ଧି ମୁହୂର୍ତ୍ତରେ ପାର୍ବତୀ ଗିରି ସମ୍ପୃୃକ୍ତ ବନ୍ୟାଞ୍ଚଳ ପରିଦର୍ଶନ କରି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସ୍ଥଳବିଶେଷରେ ଆନୁଷ୍ଠାନିକ ଶିକ୍ଷାପ୍ରତି ଯେପରି କିଛି ବାଧାବିଘ୍ନ ନ ଘଟେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଇଥିଲେ। ବର୍ଣ୍ଣବୈଷମ୍ୟ ଦୂର କରିବା, ତତ୍କାଳୀନ ସମାଜରେ ଚାଲିଥିବା ବିଭିନ୍ନ କୁସଂସ୍କାରର ମୂଳୋପତ୍ାଟନ କରିବା, ଗଁା ଗଁା ବୁଲି ଲୋକମାନଙ୍କୁ ଏକତ୍ର କରି ସଂସ୍କାରମୂଳକ ମୂଲ୍ୟବୋଧଭିତ୍ତିକ ପରାମର୍ଶ ଓ ପ୍ରେରଣା ଦେଇଥିଲେ। ଯଥାର୍ଥରେ ଜଣେ ସଂଗ୍ରାମୀ ଓ ବିପ୍ଳବିନୀ ଭାବରେ ସମଗ୍ର ଜୀବନ ସେ ଜନସେବାରେ ଉତ୍ସର୍ଗ କରିଦେଇଥିଲେ। ବରଗଡ଼ର ତତ୍କାଳୀନ ଉପଜିଲାପାଳ ସୁଖେନ୍ଦୁ ଜ୍ୟୋତି ମଜୁମଦାରଙ୍କ ଚଉକିରେ ବସି ବ୍ରିଟିଶ ସରକାରଙ୍କୁ ଅବଜ୍ଞା କରି ଗୋରା ସରକାରଙ୍କୁ ଅବମାନନା କରିଥିବାରୁ ତାଙ୍କୁ ୨ ବର୍ଷ କାରାବରଣ ହୋଇଥିଲା। ସ୍ବଦେଶୀ ପଦାର୍ଥ ବ୍ୟବହାର କରିବା ଏବଂ ବିଦେଶୀ ପଦାର୍ଥକୁ ବର୍ଜନ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ନାରୀମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍‌ବୋଧନ ଦେବା ସହ ସେ ସମୟରେ ନାରୀଜାଗରଣ ଉପରେ ଅଧିକ ଗୁରୁତ୍ୱ ଦେଉଥିବାର ଅନେକ ଦୃଷ୍ଟାନ୍ତ ସ୍ବଲିଖିତ ଡାଏରୀରୁ ଦେଖିବାକୁ ମିଳେ। ତନ୍ମଧ୍ୟରୁ-
”ନ ଜାଗିଲେ ଯଦି ଭାରତ ରମଣୀ
ଜାଗିବ ନାହିଁ ଏ ଭାରତ ଧରଣୀ।“
ନିଜର ସ୍ବଲିଖିତ ଡାଏରୀ ୩ା୧୧ା୮୭ରେ ନୃସିଂହନାଥରେ ଲେଖିଥିଲେ- ”ଦରିଦ୍ର କୁଟିରରେ ରହିଛି ଆମ ଜାତିର ଜୀବନ“। ବାସ୍ତବରେ ଦେଶର ଉନ୍ନତି ଓ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ହେଲେ, ଦରିଦ୍ର ଅବସ୍ଥାରେ ବସବାସ କରୁଥିବା ଲୋକମାନଙ୍କର ଉନ୍ନତି ସାଧନ କରିବା, ତେବେ ଯାଇ ଦେଶକୁ ଆମେ ପ୍ରଗତି ପଥରେ ଆଗେଇ ନେଇପାରିବାର ଚିନ୍ତାକୁ ସେ ଅନୁଭବ କରିପାରିଥିଲେ। ସମାଜରେ ପ୍ରତ୍ୟେକଙ୍କ ପାଇଁ ଏକ ସମାନ୍ତରାଳ ଓ ସହାବସ୍ଥାନ ନୀତି ପ୍ରଣୟନରେ ତାଙ୍କର ପ୍ରମୁଖ ଭୂମିକା ଅନସ୍ବୀକାର୍ଯ୍ୟ।
ବହ୍ନି କନ୍ୟା ଭାବେ ପରିଚିତ ପାର୍ବତୀ ଗିରିଙ୍କ ସାଧନାରେ ଆମର ମଥା ନଇଁଯାଏ। ସେ ଥିଲେ ଶକ୍ତି ସ୍ବରୂପିଣୀ ମା’ ପରି, ସେ ଅନ୍ୟର ଦୁଃଖରେ ହୋଇପଡୁଥିଲେ ଦୁଃଖାଭିଭୂତ। ଏହି ଦୁଃଖର ପରିସମାପ୍ତି ପାଇଁ ଅହରହ ସଂଗ୍ରାମ ଜାରି ରଖି ଜଣେ ସାଲିସ ବିହୀନ ଜନନେତ୍ରୀ ଭାବରେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ତାଙ୍କର ଅଗ୍ନିବର୍ଷୀ ବାଣୀରେ ଆକର୍ଷିତ ହୋଇ ଯୁବଗୋଷ୍ଠୀ ଦେଶମାତୃକାର ସେବା କରିବାକୁ ଆଗେଇ ଆସୁଥିଲେ। ସେବାର ମନ୍ତ୍ରରେ ଦୀକ୍ଷିତ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ। ‘ପରୋପକାରାୟ ସ୍ବର୍ଗାୟ’ ନୀତିକୁ ଆପଣାର କରି ଏହାକୁ ସ୍ମରଣୀୟ କରିବାରେ ସେ ପ୍ରାଣ ବିନିଯୋଗ କରିବାକୁ ପଛାଉ ନ ଥିଲେ। କୁଷ୍ଠରୋଗୀଙ୍କ ସେବା ହେଉ ଅଥବା ପ୍ରସୂତି ଚର୍ଚ୍ଚା: ପାର୍ବତୀ ଗିରିଙ୍କ ସେବା ସର୍ବଦା କାମନାରହିତ ଓ ପ୍ରେମାଶ୍ରିତ ଥିଲା। ଏ ସଂସାରରୁ ବିଦାୟ ନେବା ପୂର୍ବରୁ ସେ ଆଉ ଏକ ଅନାଥ ଆଶ୍ରମ ବଲାଙ୍ଗୀର ଜିଲାର ପଥରଚେପାଠାରେ ଆରମ୍ଭ କରିଥିଲେ। ମାତ୍ର ବିଧାତାର ବିଧାନ ବିଚିତ୍ର। ଆଶ୍ରମ ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ୬୯ ବର୍ଷ ବୟସରେ ଏହି ମହୀୟସୀ ମହିଳାଙ୍କ ମହାପ୍ରୟାଣ ଅଗଷ୍ଟ ୧୮ ତାରିଖ ୧୯୯୫ରେ ଘଟିଥିଲା। ତାଙ୍କର ସଦ୍ଦିଚ୍ଛୁମାନଙ୍କର ସାହାଯ୍ୟ ଓ ସହଯୋଗକୁ ପାଥେୟ କରି ବଲାଙ୍ଗୀରର ‘ପଥରଚେପା’ ଠାରେ ନିର୍ମାଣାଧୀନ ଥିବା ବାଲ୍‌ନିକେତନକୁ ପାର୍ବତୀ ଗିରିଙ୍କ ନାମରେ ନାମିତ କରାଯାଇଥିଲା। ସର୍ବୋପରି ଏହି ମହାନ୍‌ ଦିଗ୍‌ଦ୍ରଷ୍ଟା, ସୁଜ୍ଞାନୀ, ବିଦୂଷୀଙ୍କ ଜନ୍ମ ଶତବାର୍ଷିକୀ ତାଙ୍କ ଜନ୍ମସ୍ଥାନ ସମଲାଇପଦରରେ ପାଳନ ହେଉଥିବା ରାଜ୍ୟସ୍ତରୀୟ ଶତବାର୍ଷିକୀ ସମାରୋହ ଉପଲକ୍ଷେ ତାଙ୍କୁ ଯେତେ ଶବ୍ଦଅର୍ଘ୍ୟ ଦେଲେ ମଧ୍ୟ ବହୁତ କମ୍‌ ହେବ। ସେ ପ୍ରକୃତରେ ଓଡ଼ିଶାର ଗର୍ବ ଓ ଗୌରବ। ତ୍ୟାଗ, ବଳିଦାନ ଓ ତପସ୍ୟାର ମୂର୍ତ୍ତିମନ୍ତ ପ୍ରତୀକ ପାର୍ବତୀ ଗିରିଙ୍କ ଆଦର୍ଶ ଆଜି ବି ଝଂକୃତ। ସେ ଅମର। କୃତି ଓ କର୍ମ ପାଇଁ ସୂକ୍ଷ୍ମରୂପରେ ସଦା ବିଦ୍ୟମାନ। ଦେଶମାତୃକାର ସେବା ନିମନ୍ତେ ସମଗ୍ର ଜୀବନକୁ ସମର୍ପି ଦେଇଥିବା ଏହି ମହା ମନୀଷୀଙ୍କୁ ଏ ଜାତି ତରଫରୁ କୋଟି କୋଟି ପ୍ରଣାମ।

ସୂର୍ଯ୍ୟବଂଶୀ ସୂରଜ
ଉଚ୍ଚଶିକ୍ଷା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଘରେ ପଶିଲେ ଦୁର୍ବୃତ୍ତ: ବେକରେ ଭୁଜାଲି ଲଗାଇ ଲୁଟିନେଲେ ଅଳଙ୍କାର ସହ ନଗଦ ଟଙ୍କା

ଆଳି, ୬।୬(ବନମାଳୀ ସେନାପତି): ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଲେ ମହିଳା, ଉଠିଲା ଝଡ଼; କଡ଼ା ଜବାବ ଦେଲେ…

ନୂଆଦିଲ୍ଲୀ,୬।୬: ବ୍ରିଟେନର ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଏକ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ କିଛି…

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

ପଶ୍ଚିମବଙ୍ଗରେ ଟିଏମସି ସଂକଟ ବଢ଼ିଲା, କଂଗ୍ରେସ ଶିବିରରେ ଖୁସିର ଲହରୀ,ଜାଣନ୍ତୁ କାହିଁକି

କୋଲକାତା,୬।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ, ଟିଏମସି ଭାଙ୍ଗିଯାଇଛି। ମମତା ବାନାର୍ଜୀଙ୍କ ସମ୍ମୁଖରେ ଦଳକୁ ଏକ ରଖିବାର ଚ୍ୟାଲେଞ୍ଜ ରହିଛି, ଯେତେବେଳେ ନେତାମାନେ ଦଳ ଛାଡି…

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

ନୂଆ ରାଜନୈତିକ ଆନ୍ଦୋଳନ ଆରମ୍ଭକଲେ ଆନ୍ନାମଲାଇ

ଚେନ୍ନାଇ,୬ା୬: ତାମିଲନାଡୁ ଭାଜପାର ପୂର୍ବତନ ସଭାପତି କେ. ଆନ୍ନାମଲାଇଙ୍କ ଇସ୍ତଫାପତ୍ରକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗ୍ରହଣ କରିବା ପରେ ସେ ‘ଓ୍ବି ଦି ଲିଡର୍ସ’…

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ):ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri