ଭୁବନେଶ୍ୱର, ୨୬ା୧୧(ସୌମ୍ୟରଞ୍ଜନ ରାଉତ): ଭୁବନେଶ୍ୱରରେ ପର୍ଯ୍ୟଟନର ଏକ ନୂଆ ଆକର୍ଷଣ ଭାବେ ଗଢ଼ିଉଠିବ ପାଣ୍ଡରା ରିଭର ଫ୍ରଣ୍ଟ୍ ପ୍ରକଳ୍ପ। ୮୦ କୋଟି ଟଙ୍କା ବ୍ୟୟରେ କୁଆଖାଇ ଓ କୁଶଭଦ୍ରା ନଦୀ ମଧ୍ୟବର୍ତ୍ତୀ ପ୍ରାକୃତିକ ଦ୍ୱୀପାଞ୍ଚଳକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ, ସାଂସ୍କୃତିକ ଓ ମନୋରଞ୍ଜନ କେନ୍ଦ୍ର ଭାବେ ବିକଶିତ କରାଯିବ। ଏଠାରେ ପ୍ରକୃତିର ମନୋରମ ପରିବେଶ ସହ ଆଧୁନିକ ପର୍ଯ୍ୟଟକ ସୁବିଧା ଏବଂ ଓଡ଼ିଶାର କଳା, ସଂସ୍କୃତିର ଅନନ୍ୟ ସମାହାର ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ନଦୀଭିତ୍ତିକ ପର୍ଯ୍ୟଟନର ବିକାଶ ଓ ଜନସାଧାରଣଙ୍କ ପାଇଁ ଉନ୍ନତ ଜନସ୍ଥାନ ସୃଷ୍ଟି ଲକ୍ଷ୍ୟରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଜଳସମ୍ପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ୨,୨୪୦ କୋଟି ଟଙ୍କାର ମହାନଦୀ ରିଭରଫ୍ରଣ୍ଟ ବିକାଶ ଯୋଜନାର ଅଂଶବିଶେଷ। ଏହା ମାଧ୍ୟମରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ପର୍ଯ୍ୟଟନ, ପରିବେଶ ସୁରକ୍ଷା ଏବଂ ଆର୍ଥିକ ସମ୍ଭାବନାକୁ ନୂଆ ଦିଗ ଦେବାକୁ ଯୋଜନା ରହିଛି। ପ୍ରକଳ୍ପରେ ପ୍ରାୟ ୧.୫ କିଲୋମିଟର ଦୀର୍ଘ ନଦୀତଟ ପାଦଚଲା ପଥ, ଘାଟ, ଭାସମାନ ଜେଟି, ସୁସଜ୍ଜିତ ଜନସ୍ଥାନ, ସାଇକେଲ ଟ୍ରାକ୍ ଓ ପଦଯାତ୍ରା ପଥ ନିର୍ମାଣ କରାଯିବ। ଏଥିସହ ୨ କିଲୋମିଟରରୁ ଅଧିକ ଲମ୍ବର ଉଚ୍ଚତା ବିଶିଷ୍ଟ ଟ୍ରି-ୱାକ୍ ପ୍ରସ୍ତୁତ କରାଯିବ। ଏହା ମାଧ୍ୟମରେ ପର୍ଯ୍ୟଟକମାନେ ନଦୀର ସୌନ୍ଦର୍ଯ୍ୟ ସହ ଚାରିପାଖର ସବୁଜିମା ଓ ପ୍ରାକୃତିକ ପରିବେଶକୁ ନିକଟରୁ ଉପଭୋଗ କରିପାରିବେ। ମନୋରଞ୍ଜନ ଓ ଅବସର ବିନୋଦନ ପାଇଁ ଏଠାରେ ମୁକ୍ତାକାଶ ରଙ୍ଗମଞ୍ଚ, ଥିମ୍ ଗାର୍ଡେନ, ପିକ୍ନିକ୍ ସ୍ଥଳ, ସାହସିକ କ୍ରୀଡ଼ାକ୍ଷେତ୍ର, ଯୋଗ କେନ୍ଦ୍ର, ଫୁଡ୍ କୋର୍ଟ ଓ ବିଭିନ୍ନ ମନୋରଞ୍ଜନ ସୁବିଧା ବିକଶିତ ହେବ। ଏହାସହ ଓଡ଼ିଶା ହାଟ ଓ ହେରିଟେଜ୍ ଭିଲେଜ୍ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ସ୍ଥାନୀୟ କାରିଗର, ହସ୍ତଶିଳ୍ପୀ ଓ ଲୋକକଳାକାରମାନେ ନିଜର ପାରମ୍ପରିକ କଳା, କାରିଗରି ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ସହ ଜୀବିକାର ନୂଆ ସୁଯୋଗ ପାଇପାରିବେ। ମୋଟ ୮୦ କୋଟି ଟଙ୍କା ମଧ୍ୟରୁ ୫୪ କୋଟି ନଦୀଘାଟ ନିର୍ମାଣ ଓ ନଦୀବନ୍ଧ ସୁରକ୍ଷା କାର୍ଯ୍ୟରେ ବ୍ୟୟ କରାଯିବ। ଅବଶିଷ୍ଟ ଅର୍ଥରେ ସେତୁ, ଆଭ୍ୟନ୍ତରୀଣ ରାସ୍ତା, ପାର୍କିଂ, ସୌର ଆଲୋକୀକରଣ, ସିସିଟିଭି ଓ ଇଭି ଚାର୍ଜିଂ ସୁବିଧା ସହ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକଶିତ ହେବ। ଇଞ୍ଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଆଣ୍ଡ୍ କନ୍ଷ୍ଟ୍ରକ୍ଶନ (ଇପିସି) ମୋଡ୍ରେ ଏହି ପ୍ରକଳ୍ପର କାର୍ଯ୍ୟାନ୍ବୟନ କରାଯିବ। ନିର୍ମାଣ କାର୍ଯ୍ୟ ପାଇଁ ୨୪ ମାସ ସମୟ ଧାର୍ଯ୍ୟ ହୋଇଥିବାବେଳେ ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିଛି। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଏକ ନୂଆ ଅବସର ବିନୋଦନସ୍ଥଳ ସୃଷ୍ଟି ହେବା ସହ ରାଜ୍ୟର ନଦୀଭିତ୍ତିକ ପର୍ଯ୍ୟଟନକୁ ମଧ୍ୟ ନୂଆ ପରିଚୟ ମିଳିବା ଆଶା କରାଯାଉଛି।

