ଭୁବନେଶ୍ୱର,୨୬ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଶିଳ୍ପ ମୋହରେ ପଡ଼ି ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧା ସମେତ ରାଜ୍ୟବାସୀଙ୍କୁ ମହାଦୁଃଖ ଭିତରକୁ ଠେଲି ଦେଉଛନ୍ତି। ମୁଣ୍ଡଳିଠାରେ ଆଦାନୀ ପକ୍ଷରୁ ହେବାକୁଥିବା ଡାଟା ସେଣ୍ଟର ଯୋଗୁ ଏହି ୪ଟି ଅଞ୍ଚଳର ଲୋକେ ଯେ କେବଳ ପାଣି ପାଇଁ ଡହଳବିକଳ ହେବେ ତାହା ନୁହେଁ, ଶବ୍ଦ ଓ ବାୟୁ ପ୍ରଦୂଷଣ ବଳୟ ଭିତରେ ରହି ଛଟପଟ ହେବେ। ହେଲେ ରାଜ୍ୟକୁ ମିଳିବ ମାତ୍ର ୧ହଜାର ନିଯୁକ୍ତି। ସରକାର ଏହାର ପରିବେଶ ପ୍ରଭାବ ଆକଳନ ନ କରି କିଭଳି ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ଆଦାନୀକୁ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି, ଆଦାନୀ ପକ୍ଷରୁ ହେବାକୁଥିବା ୧.୪ ଲକ୍ଷ କୋଟିର ଡାଟା ସେଣ୍ଟର ନିଶ୍ଚିତ ଭାବେ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବ। ମାତ୍ର ଏହି ଡାଟା ସେଣ୍ଟର ପାଇଁ ଦିନକୁ ୩ କୋଟି ଲିଟର ଜଳର ଆବଶ୍ୟକତା ରହିଥିବାବେଳେ ୨ରୁ ୪ କୋଟି ଜଳ ବିଦ୍ୟୁତ୍ ଶକ୍ତି ଟାଣିବ। ଯଦି ମୁଣ୍ଡଳି ନିକଟରେ ଏହି ପ୍ରକଳ୍ପ ସ୍ଥାପନ ହୁଏ ତେବେ ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧାବାସୀଙ୍କୁ ଆଉ ପାଣି ଟୋପେ ପିଇବାକୁ ମିଳିବନାହିଁ। ସରକାର ଏବେ ତ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ପାରୁନାହାନ୍ତି, ସେତେବେଳେ କିଭଳି ବିଦ୍ୟୁତ୍ ସରବରାହ ହେବ ତାହା ସ୍ପଷ୍ଟ ଅନୁମେୟ।
ଆଚାର୍ଯ୍ୟ ପୁଣି କହିଛନ୍ତି, ଉକ୍ତ ପ୍ରକଳ୍ପ ଲାଗି ସରକାର ୨୫୦ ଏକର ଜମି ଯୋଗାଇବାକୁ ସ୍ବୀକୃତି ଦେଇଛନ୍ତି। ତେବେ ଏହାକୁ କେଉଁ ଦରରେ ଦେବେ ତାହା ଗୃହକୁ ଜଣାନ୍ତୁ। ଏଥିସହ ସରକାର କେତେ ରାଜସ୍ବ ପାଇବେ ତାହା ଦର୍ଶାଇବାକୁ ସେ ଦାବି କରିଥିଲେ। ଏହି ପ୍ରସଙ୍ଗରେ ସ୍ବର ମିଳାଇ ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଆମେରିକାର ପୃଷ୍ଠଭୂମି ବଦଳିଛି। ସେଥିପାଇଁ ଆଦାନୀକୁ ସେଠାରେ ଅନୁମତି ମିଳିଲା ନାହିଁ। ହେଲେ ଆମ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯାଇ ଆଦାନୀକୁ ଡାକି ଆଣିଛନ୍ତି। ଚାଇନା ଯଦି ସମୁଦ୍ର ଭିତରେ ଡାଟା ସେଣ୍ଟର କରିପାରୁଛି ତେବେ ଆଦାନୀ କାହିଁକି କରିବନାହିଁ। ଏନେଇ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସ୍ବାଇଁ ରୁଲିଂ ଦାବି କରିଥିଲେ।

