ତାଳଗଛ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଯାଇଛି । ଜିଲା, ବ୍ଲକ୍‌, ପଞ୍ଚାୟତ, ପୌର ପରିଷଦ ତଥା ବିଭିନ୍ନ ଅନୁଷ୍ଠାନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲାଗି ପଡ଼ିଛନ୍ତି। ଏ ସମ୍ପର୍କିତ ଫଟୋ ଓ ଖବର ପ୍ରକାଶ ପାଇବାରେ ଲାଗିଛି। ଏହି ସମୟରେ ୨୦୧୮ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ମିଶନ ତାଳଗଛ’ ପୁଣି ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟ ବନ ବିଭାଗ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ତାଳଗଛକୁ ଗୁରୁତ୍ୱ ଦେଇଛି। ଚଳିତ ବର୍ଷ ୧୯ ଲକ୍ଷ ତାଳଗଛ ଲଗାଯିବ ଓ ଏଥିପାଇଁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଏଥିସହ ଏବେଠୁ ତାଳଗଛ ବ୍ୟକ୍ତିଗତ ସ୍ତରରେ କାଟିଲେ ମଧ୍ୟ ସରକାରୀ ଅନୁମତି ନେବାକୁ ହେବ। ତାଳଗଛ ଲଗାଇବାର ମୂଳ କାରଣ ହେଉଛି ରାଜ୍ୟରେ ଲୋକଙ୍କୁ ବଜ୍ରପାତରୁ ରକ୍ଷାକରିବା। କୁହାଯାଉଛି, ତାଳଗଛ ରହିଲେ ତାହା ଉପରେ ବଜ୍ରପାତ ହେବ ଓ ଲୋକଙ୍କ ଜୀବନ ରକ୍ଷା ପାଇଯିବ। ଉଲ୍ଲେଖନୀୟ ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ତାଳଗଛ ଦେଖିବାକୁ ମିଳୁଥିଲା। ଉପକୂଳ ଅଞ୍ଚଳରେ ଏହାର ସଂଖ୍ୟା କମ୍‌ । କାରଣ ୧୯୯୯ ମହାବାତ୍ୟା ପରେ ବହୁ ତାଳଗଛ ଲୋପପାଇଯାଇଛି। ଯାହା ସବୁ ବଞ୍ଚିଥିଲା ତାହାକୁ ସମୟକ୍ରମେ କାଟି ନିଆଗଲା। ଓଡ଼ିଶାରେ ଏକ ମିଥ୍ୟା ପ୍ରଚାର କରାଇ ବିଭିନ୍ନ ପ୍ରଜାତିର ଗଛକୁ ବିଧିବଦ୍ଧ ଭାବେ ଧ୍ୱଂସ କରିଦିଆଯାଇଛି। ପ୍ରଥମେ ପ୍ରଚାର କରାଗଲା ଯେ, ତେନ୍ତୁଳିଗଛ ରହିଥିଲେ ଲେପର୍ସି ବା କୁଷ୍ଠରୋଗ ଭଳି ଅନେକ ରୋଗ ବ୍ୟାପିଥାଏ। ତା’ ପରେ ପରେ ଓଡ଼ିଶାର ପୁରପଲ୍ଲୀରେ ତେନ୍ତୁଳିଗଛର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିଲାନାହିଁ। ସେହିଭଳି ଗୁଜବ କରାଗଲା ଯେ, ବରଗଛ ନିକଟବର୍ତ୍ତୀ ଘରଗୁଡ଼ିକୁ ଭାଙ୍ଗିିଦେବ। ତା’ ପରେ ବରଗଛ ପ୍ରାୟତଃ ଉଭାନ ହୋଇଗଲା। ସେମିତି ତାଳଗଛ ଘର ପାଇଁ ଅଶୁଭ ବୋଲି ଗୁଜବ ସୃଷ୍ଟିକରି ସେଗୁଡ଼ିକୁ ଧ୍ୱଂସ କରିଦିଆଗଲା। ଏହିସବୁ ମିଥ୍ୟା ଗପ ପଛରେ ଇଟାଭାଟି ମାଲିକଙ୍କଠାରୁ ଆରମ୍ଭକରି ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ଏଭଳି ତଥାକଥିତ କ୍ଷତିକାରକ ଗଛ କାଟି ନେଇ ଇନ୍ଧନ ପାଇଁ ବ୍ୟବହାରକଲେ। ଗ୍ରାମବାସୀ ସ୍ବଇଚ୍ଛାରେ ଏହି ଗଛଗୁଡ଼ିକୁ ନିଜ ବାଡ଼ିରୁ କାଟିଦେବା ଫଳରେ ବେପାରୀଙ୍କ ପାଇଁ କାର୍ଯ୍ୟ ଅତ୍ୟନ୍ତ ସହଜ ହୋଇଗଲା। କଟା ସ୍ଥାନରୁ ଇଟାଭାଟି ପର୍ଯ୍ୟନ୍ତ ବୋହି ନେବାର ଖର୍ଚ୍ଚ ଦେବା ବ୍ୟତୀତ ଅନ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ। ବିରାଟକାୟ ବର କିମ୍ବା ତାଳଗଛ ପ୍ରତ୍ୟେକ ଗାଁରୁ କଟାଗଲାବେଳେ କୌଣସି ସରକାରୀ ବିଭାଗ ତାହାକୁ ବନ୍ଦ କଲା ନାହିଁ। ଆଜି ଚିନ୍ତା ଉପୁଜୁଛି ବଜ୍ରପାତର।
ଏବେ ଯେଉଁ ତାଳଗଛ ଲଗାଇବାର ଉଦ୍ୟମ ଆରମ୍ଭ ହୋଇଛି ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ପୂର୍ବରୁ ଜଳବାୟୁ ପରିବର୍ତ୍ତନକୁ ଲକ୍ଷ୍ୟକରି ଏଭଳି ପଦକ୍ଷେପ ନିଆଯାଇଥିଲେ କିଛି ସଫଳତା ମିଳିଥାନ୍ତା। ପରିବେଶ ବିଜ୍ଞାନୀଙ୍କ ମତରେ, ବିଶ୍ୱତାପନ ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟ ସହ ବଜ୍ରପାତ ବୃଦ୍ଧିପାଇବାରେ ଲାଗିଛି। କିନ୍ତୁ ବିଶ୍ୱତାପନ ହ୍ରାସ କରିବା ପାଇଁ କଡ଼ା ପଦକ୍ଷେପ ପରିବର୍ତ୍ତେ ତାଳଗଛ ଲଗାଇ ବଜ୍ରପାତରୁ ରକ୍ଷାପାଇବା କଥା ଚିନ୍ତାକରାଯାଇଛି। ହେଲେ ତାଳଗଛରୁ ଲାଭ ପାଇବା ପାଇଁ ଆମକୁ ଅତିକମ୍‌ରେ ୩୦-୪୦ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବାକୁ ହେବ । କାରଣ ଯେଉଁମାନଙ୍କ ବାଡ଼ିରେ ତାଳଗଛ ଥିବ ତାହା କେମିତି ବଢ଼େ ସେମାନେ ଜାଣିଥିବେ। ଉଲ୍ଲେଖନୀୟ ଯେ, ଚଳିତ ବର୍ଷକୁ ବାଦ୍‌ ଦେଲେ ଗତ ଦଶନ୍ଧିଗୁଡ଼ିକରେ ବନୀକରଣ କାର୍ଯ୍ୟକ୍ରମରେ ଲଗାଯାଇଥିବା ବିଭିନ୍ନ ପ୍ରଜାତିର ଗଛର ସ୍ଥିତି ନୈରାଶ୍ୟଜନକ। କାର୍ଯ୍ୟକ୍ରମ ଅନୁଯାୟୀ ସଫଳତା କମ୍‌ ବିଫଳତା ବେଶି। ଗଛସବୁ ଲଗାଯିବା ପରେ ୩/୪ ବର୍ଷ ଲଗାତର ଯତ୍ନର ଅଭାବ ଦେଖାଯାଇଛି। ଏପରିକି ୨୦୨୨ରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଦର୍ଶାଇଥିଲେ ଯେ, ବନ ବିଭାଗ ବୃକ୍ଷରୋପଣରେ ତାହାର ଲକ୍ଷ୍ୟ ହାସଲ କରିପାରୁନାହିଁ। ବନୀକରଣ ଉପଯୁକ୍ତ ସ୍ଥାନରେ ହେଉନାହିଁ କି ତାହାର ଠିକ୍‌ ଭାବେ ସମୀକ୍ଷା କରାଯାଉନାହିଁ ବୋଲି ଦର୍ଶାଯାଇଥିଲା।
ପରିବେଶ ସମ୍ପର୍କିତ ମାଗାଜିନ ଡାଉନ୍‌ ଟୁ ଆର୍ଥ ଅନୁଯାୟୀ, ୨୦୨୦-୨୧ରେ ଓଡ଼ିଶାର ଗ୍ରାମପଞ୍ଚାୟତଗୁଡ଼ିକରେ ଚାରାରୋପଣ କାର୍ଯ୍ୟକ୍ରମର ବର୍ଷକ ପରେ ଲଗାଯାଇଥିବା ଗଛରୁ କେବଳ ୧ ପ୍ରତିଶତରୁ କମ୍‌ ବଞ୍ଚିଥିଲା। ବିଶେଷକରି ପଲ୍ଲିସଭା ବା ଗ୍ରାମସଭାକୁ ଏଥିରେ ଅଣଦେଖା କରାଯାଇଥିବା ପ୍ରକାଶ କରିଥିଲା। ଏହା ନିଶ୍ଚିତ ଯେ, ଗ୍ରାମାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଫଳତା ପାଇଁ ସହଭାଗୀ ପ୍ରକ୍ରିୟା ଦରକାର। ଏଥିରେ ସରକାର ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆରମ୍ଭଠାରୁ କ୍ରମାଗତ ଭାବେ ୩ରୁ ୪ ବର୍ଷ ଯାଏ ମୂଲ୍ୟାୟନ କରାଯାଇପାରିଲେ ଗଛର ସୁରକ୍ଷାରେ କୌଣସି ବାଧା ରହିବ ନାହିଁ। କିନ୍ତୁ ଦେଖାଯାଏ ପଞ୍ଚାୟତର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧି ଓ ବ୍ଲକ୍‌ର ଅଧିକାରୀମାନଙ୍କ ମଧ୍ୟରେ ଭିତିରି ବୁଝାମଣାରେ ଦି ପଇସା ଲାଭ ଲାଗି ସବୁକିଛି ଉଜୁଡ଼ିଯାଉଛି। ସହର କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖାଯାଏ। ଏହା ବ୍ୟତୀତ ସାର୍ବଜନୀନ ଜାଗାର ଅଭାବ ବନୀକରଣରେ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଅନେକ ପଞ୍ଚାୟତ କିମ୍ବା ସହରରେ ଏଭଳି ଜାଗା ଜବରଦଖଲ ହେଉଛି କିମ୍ବା ବିକାଶ ପାଇଁ ଅଧିଗ୍ରହଣ କରାଯାଉଛି। ଏହା ସତ୍ୟ ଯେ, ଗ୍ରାମବାସୀ କିମ୍ବା ସ୍ଥାନୀୟ ଲୋକଙ୍କ ସହଯୋଗ ବିନା ବନୀକରଣ ଶତ ପ୍ରତିଶତ ସଫଳ ହେବା କଷ୍ଟକର। କେତେକ କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଉଛି ସତ, କିନ୍ତୁ ଯଦି ଏହି କାର୍ଯ୍ୟ ଲାଗି ସେମାନଙ୍କୁ ଆକର୍ଷଣୀୟ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଆନ୍ତା ତେବେ ଜଙ୍ଗଲ ସୃଷ୍ଟି କରିବା ସହଜ ହୁଅନ୍ତା। ଯିଏ ଯେତେ ଗଛ ବଞ୍ଚାଇପାରିବେ ସେମାନେ ସେତେ ଅଧିକ ଅର୍ଥ ପୁରସ୍କାର ପାଇବାର ବ୍ୟବସ୍ଥା କରାଗଲେ ସଫଳତା ପ୍ରତିଶତ ବଢ଼ିଯାଆନ୍ତା। ଏବେ ତାଳଗଛ ଲଗାଇବା କାର୍ଯ୍ୟକ୍ରମରେ ସମାନ ପ୍ରକାର ମନୋଭାବ ଆପଣାଇଲେ ବନ ବିଭାଗ ପାଇଁ ସଫଳତା ପାଇବାର ବାଟ ଫିଟିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri