ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ ଅଛି। ‘କକ୍ରୋଚ ପାର୍ଟି ପାକିସ୍ତାନ’ (CPP) ନାମରେ ଗଠିତ ଏହି ଦଳ ସୋସିଆଲ ମିଡିଆରେ ଏହାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଇନଷ୍ଟାଗ୍ରାମରେ ଏହାର ୧ ଲକ୍ଷ ୧୨ ହଜାରରୁ ଅଧିକ ଫଲୋଅର୍ସ ହୋଇସାରିଛନ୍ତି ଏବଂ ଏହା ନିଜକୁ ଦୁର୍ନୀତି, ପରିବାରବାଦ ଏବଂ ବିଶେଷାଧିକାର ରାଜନୀତି ବିରୁଦ୍ଧରେ ଯୁବବର୍ଗଙ୍କ ସ୍ବର ବୋଲି ଦର୍ଶାଉଛି। ଉପଲବ୍ଧ ସୂଚନା ଅନୁଯାୟୀ, ଏହି ପଦକ୍ଷେପର ଶୁଭାରମ୍ଭ ସଲମାନ ତରାର କରିଛନ୍ତି, ଯିଏନ୍ୟୁୟର୍କରେ ପାଠ ପଢ଼ୁଛନ୍ତି। ଇନଷ୍ଟାଗ୍ରାମ ଅନୁଯାୟୀ ଏହି ଆକାଉଣ୍ଟଟି ମେ’ ମାସରେ ତିଆରି ହୋଇଥିଲା, ଏହାକୁ କାନାଡ଼ାରୁ ପରିଚାଳିତ କରାଯାଉଥିବା କୁହାଯାଇଛି ଏବଂ ଏହି ମାସରେ ଏହାକୁ ଭେରିଫାଇ ମଧ୍ୟ କରାଯାଇଛି।
କକ୍ରୋଚ ପାର୍ଟି ପାକିସ୍ତାନର କହିବା କଥା ଯେ, ଏହାର ଉଦ୍ଦେଶ୍ୟ ପାକିସ୍ତାନରେ ଉତ୍ତମ ଶାସନ ବ୍ୟବସ୍ଥା ଏବଂ ସ୍ବଚ୍ଛ ରାଜନୀତିକୁ ପ୍ରୋତ୍ସାହିତ କରିବା। ପାର୍ଟି ଏହାର ଘୋଷଣାପତ୍ରରେ ଯେଉଁ ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ରଖିଛି, ସେଗୁଡ଼ିକ ହେଲା-
-ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
-ପରିବାରବାଦ ଏବଂ ବିଶେଷାଧିକାର ରାଜନୀତିର ବିରୋଧ
-ରୋଜଗାରର ସୁଯୋଗ ବୃଦ୍ଧି କରିବା
-ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା
-ଶକ୍ତି ସଙ୍କଟର ସମାଧାନ
-ପାଣିର ଅଭାବ ସମସ୍ୟାର ମୁକାବିଲା କରିବା
-ଆର୍ଥିକ ଏବଂ ରାଜନୈତିକ ସ୍ଥିରତା
ପାର୍ଟିର ଦାବି ରହିଛି ଯେ ପାକିସ୍ତାନ କୌଣସି ଦୁର୍ନୀତିଗ୍ରସ୍ତ ମାଫିଆଙ୍କର ନୁହେଁ, ବରଂ ଏହା ଜନସାଧାରଣଙ୍କର ଅଟେ ଏବଂ ଏହି ଆନ୍ଦୋଳନ ବିଶେଷକରି ଯୁବବର୍ଗ ଏବଂ ସାଧାରଣ ନାଗରିକମାନଙ୍କର ସ୍ବର ଅଟେ।
Odisha’s No.1 Odia Daily

