ରାୟଗଡ଼ା ଅଫିସ,୧୭ା୧: ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ରବିବାର ତାଙ୍କୁ ସାମାନ୍ୟ ଜ୍ବର ହୋଇଥିବାବେଳେ ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରମେଶ ଚନ୍ଦ୍ର ସାହୁ ସେବାସମାଜରେ ପହଞ୍ଚି ଶାନ୍ତିଦେବୀଙ୍କୁ ମୃତ ଘୋଷଣା କରିଥିଲେ।
ଶାନ୍ତି ଦେବୀ ନିଜର ଜନସେବା, ନିଷ୍ଠାପର ସାଧନା, ଅନାଥ ଓ ଆଦିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା କାମରେ ସେ ଅବିଭକ୍ତ କୋରାପୁଟ ଜିଲାର ଉପାନ୍ତ ଅଞ୍ଚଳରେ କାମ କରି ଆସୁଥିଲେ। ବିଶିଷ୍ଟ ଗାନ୍ଧିବାଦୀ ନେତା ସ୍ବର୍ଗତ ଡ. ରତନ ଦାସଙ୍କ ସ୍ତ୍ରୀ ହେଉଛନ୍ତି ଶାନ୍ତି ଦେବୀ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ସେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ।