ଭୁବନେଶ୍ବର,୨୬।୧୧(ବ୍ୟୁରୋ): କେନ୍ଦ୍ର କୃଷିମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପ୍ରଚାର ପାଇଁ ଆସୁଥିବା ବେଳେ କେନ୍ଦ୍ର ଅବହେଳାକୁ ନେଇ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ରଖିବାକୁ ପଦ୍ମପୁରବାସୀ ଅପେକ୍ଷା କରିଛନ୍ତି ବୋଲି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି। ସେ କହିଛନ୍ତି, ପଦ୍ମପୁର ରେଳଲାଇନକୁ କାହିଁକି ଅଟକାଯାଇଛି ସେନେଇ ପ୍ରଶ୍ନ କରିବେ। ସେହିଭଳି କେନ୍ଦ୍ର କାହିଁକି ସେମାନଙ୍କ ଫସଲ ବୀମା ଟଙ୍କାକୁ ଅଟକାଇ ରଖିଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାପ ଓ ଚାଷୀଙ୍କ କ୍ରୋଧକୁ ଦେଖିବା ପରେ ଏହାକୁ ମଞ୍ଜୁର କରାଗଲା ସେନେଇ ମଧ୍ୟ ସେମାନେ ଜାଣିବାକୁ ଚାହୁଁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶା ବିଧାନସଭାରେ ପାରିତ ସଙ୍କଳ୍ପକୁ ସବୁ ଦଳ ସମର୍ଥନ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଧାର୍ଯ୍ୟହୋଇନାହିଁ। କେନ୍ଦ୍ର ଦ୍ୱାରା କେନ୍ଦୁପତ୍ର ଉପରେ କାହିଁକି ୧୮% ଜିଏସ୍ଟି ଆଦାୟ କରାଗଲା ଯାହା ୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକାକୁ ପ୍ରଭାବିତ କଲା, ସେନେଇ ମଧ୍ୟ ସେମାନେ କେନ୍ଦ୍ର କୃଷିମନ୍ତ୍ରୀଙ୍କଠାରୁ ଜାଣିବେ ବୋଲି ସେ କହିଛନ୍ତି।