ବିଶ୍ୱର ଅନ୍ୟତମ ପ୍ରମୁଖ ଟେକ୍ କମ୍ପାନୀ ତଥା ଏଆଇ ଆଧାରିତ ଅତ୍ୟାଧୁନିକ ଚିପ୍ସ ପ୍ରସ୍ତୁତ କରୁଥିବା ଆମେରିକାର ଏନ୍ଭିଡିଆ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ସହ-ପ୍ରତିଷ୍ଠାତା ଜେନ୍ସେନ୍ ହୁଆଙ୍ଗଙ୍କୁ ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଆମେରିକାର କାଲିଫର୍ନିଆଠାରେ ଏହି କମ୍ପାନୀର ମୁଖ୍ୟାଳୟ ରହିଛି। ଜେନ୍ସେନ୍ଙ୍କ ସହ ତାଙ୍କ ସହଧର୍ମିଣୀ ଲୋରି ହୁଆଙ୍ଗ ଏନ୍ଭିଡିଆର ମଧ୍ୟ ସହ ପ୍ରତିଷ୍ଠାତା। ଜେନ୍ସେନ୍ଙ୍କର ଚାଇନା ନାଗରିକ ଆଲିସ୍ ହୁଆଙ୍ଗଙ୍କ ସହ ପ୍ରେମ ସମ୍ପର୍କ ଥିବା ବିଷୟ ପ୍ରଘଟ ହେବା ପରେ କମ୍ପାନୀ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି। ଆଲିସ୍ ଚାଇନା ସରକାରଙ୍କ ତରଫରୁ ଆମେରିକାରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲେ ବୋଲି ଚର୍ଚ୍ଚା ହେବା ପରେ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଆଲିସ ସିଙ୍ଗାପୁର କମ୍ପାନୀ ‘ମେଗାସ୍ପିଡ୍’ର ପୂର୍ବତନ କାର୍ଯ୍ୟନିର୍ବାହୀ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମେଗାସ୍ପିଡ୍ ଥିଲା ଏନ୍ଭିଡିଆର ସର୍ବବୃହତ୍ ଚାଇନା ଗ୍ରାହକ। କୁହାଯାଏ ପ୍ରେମ ଅନ୍ଧ। ହୁଏତ ଜେନ୍ସେନ୍ ମଧ୍ୟ ନିଜର କର୍ମର ଫଳ ପୂର୍ବରୁ ଜାଣିବାରେ ଅସମର୍ଥ ଥିଲେ। ଯେତେବେଳେ ଏକ ବିରାଟକାୟ ଗ୍ରାହକ ବାରମ୍ବାର ତାଙ୍କର ସାମଗ୍ରୀ କ୍ରୟ କଲେ ସେତେବେଳେ ତାଙ୍କର ଏବଂ ଆଲିସ୍ଙ୍କର ସମ୍ପର୍କ ନିବିଡ଼ ହୋଇଥିଲା ବୋଲି ଖବର ମିଳୁଛି। ଗୋଟେପଟେ ବାଇଡେନ୍ଙ୍କ ସରକାର ସମୟରେ ଚାଇନାକୁ ଶକ୍ତିଶାଳୀ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (ଜିପିୟୁ) ବିକ୍ରି କରିବା ବାରଣ କରାଯାଇଥିବା ବେଳେ ଟ୍ରମ୍ପ୍ ସରକାରଙ୍କ ନିଷ୍କ୍ରିୟତା ଏହି ବ୍ୟବସାୟକୁ ଆଗକୁ ବଢ଼ାଇ ନେଇଥିଲା।
ଏବେ ଅନ୍ୟ ଏକ ଦିଗ ସମ୍ପର୍କରେ ଆଲୋଚନା ହେଉଛି। କୁହାଯାଉଛି ଯେ ଆମେରିକା ସରକାର ଜାଣିଶୁଣି ଏନ୍ଭିଡିଆ ଚିପ୍ସ ଚାଇନାକୁ ଯାଉ ବୋଲି ପ୍ରୋତ୍ସାହନ ଦେଉଥିଲା। ସେହି ଯୁକ୍ତି କେତେକାଂଶରେ ଗ୍ରହଣୀୟ ହୋଇପାରେ। ଯୁକ୍ତି କରୁଥିବା ମହଲର କହିବା କଥା ଯେ, ଆମେରିକା ସରକାର ନୀତିଗତ ଭାବେ ଚାହୁଁନାହିଁ ଯେ ଚାଇନା, ବାଧ୍ୟ ହୋଇ, ନିଜସ୍ବ ଏବଂ କମ୍ ଦାମ୍ରେ ଏନ୍ଭିଡିଆ ଭଳି ଚିପ୍ସ ନିର୍ମାଣ କରୁ। ଏହି କମ୍ପାନୀର ଚିପ୍ସ ବେଆଇନ ଭାବରେ ଆମଦାନୀ କରି ଚାଇନା ଏକପ୍ରକାର ଆମେରିକାର ବୈଷୟିକ ଜ୍ଞାନ ଉପରେ ନିର୍ଭରଶୀଳ ରହିବ। ତେଣୁ ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଟ୍ରମ୍ପ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଜେନ୍ସେନ୍ ଓ ଆଲିସ୍ଙ୍କ ପ୍ରେମ ସମ୍ପର୍କ ସମ୍ବନ୍ଧରେ ଲିଖିତ ଫାଇଲ ପଠାଇଥିଲେ। ତଥାପି ଟ୍ରମ୍ପ୍ ସରକାର ପ୍ରେମରୁ ଗୁପ୍ତଚର କାର୍ଯ୍ୟ ସମ୍ପର୍କରେ ଜାଣି ଅଜଣା ରହିଥିଲା। ତେଣୁ ଆଜିକା ଯୁଗରେ ପୃଥିବୀର ମାଲିକମାନଙ୍କ ସମ୍ପର୍କରେ କୌଣସି ନିର୍ଣ୍ଣାୟକ ମତ ଦେବା ସମ୍ଭବପର ନୁହେଁ। ଏହି ପ୍ରେମ ଘଟଣାରେ ବାସ୍ତବ ପ୍ରେମ କିମ୍ବା ଗୁପ୍ତଚର କାର୍ଯ୍ୟ ହୋଇଥିଲା କି ନାହିଁ କହିବା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ। ନିକଟରେ ପ୍ରକାଶ ପାଇଥିବା ଏପ୍ଷ୍ଟିନ୍ ଫାଇଲ୍କୁ ଦେଖିଲେ ବୁଝାପଡ଼େ ଯେ ସବୁପ୍ରକାରର ଜଘନ୍ୟ, ଅବାଞ୍ଛିତ ଏବଂ ବେଆଇନ କାର୍ଯ୍ୟ କରିଥିବା ସତ୍ତ୍ୱେ ଅନେକ ଲୋକ ଖସି ଯାଇପାରୁଛନ୍ତି। ସେଥିପାଇଁ ଓଡ଼ିଆରେ ଢଗ ଅଛି- ‘ବଡ଼ ଲୋକଙ୍କୁ ଜବାବ ନାହିଁ, ସ୍ବର୍ଗକୁ ନିଶୁଣି ନାହିଁ।’ ଆମ ସମସ୍ତଙ୍କୁ ଭଲ ଲାଗୁ କିମ୍ବା ନ ଲାଗୁ, ଜାଣତରେ ହେଉ କିମ୍ବା ଅଜାଣତରେ, ଭାରତ ଭଳି ଦେଶରେ ଆମେ ସମସ୍ତେ ଜେନ୍ସେନ୍ଙ୍କ ଭଳି କେତେକ ଧନିକଙ୍କ କ୍ରୀତଦାସ ପାଲଟିଗଲୁଣି।

