ଜୀବନଟା ଏକ ଅଦ୍ଭୁତ ଚିରା ପୋଷାକ। କେଉଁଠି ଛିଣ୍ଡିଯାଇଛି ସ୍ବପ୍ନ। କେଉଁଠି ଫାଟିଯାଇଛି ସମ୍ପର୍କ। ତଥାପି ମଣିଷ ତାକୁ ଫିଙ୍ଗି ଦେଇପାରେନାହିଁ। କାରଣ ତାହା ହେଉଛି ତା’ର ଜୀବନ। ତା’ର ବଞ୍ଚିବାର ଏକମାତ୍ର ସମ୍ବଳ। ଅଭାବ ଅନଟନର ସଂସାରରେ ଚିରା ପୋଷାକ ପିନ୍ଧିବା ଅନେକଙ୍କ ପାଇଁ ଏକ ବିବଶତା। ପୋଷାକର କୌଣସି ଏକ କୋଣ ଛିଣ୍ଡିଗଲେ ତାକୁ ଅନେକେ ଫିଙ୍ଗିଦିଅନ୍ତିି ନାହିଁ। ସୂତା ଓ ଛୁଞ୍ଚି ଖୋଜନ୍ତି । ଛିଣ୍ଡା ଅଂଶକୁ ଯୋଡ଼ନ୍ତିି। ତାହା ଉପରେ ରଫୁ ମାରନ୍ତି। ରଫୁର ଦାଗ ରହିଯାଏ ସତ, କିନ୍ତୁ ପୋଷାକଟି ପୁଣି ପିନ୍ଧିବା ଯୋଗ୍ୟ ହୋଇଯାଏ। ଏହା ଭିତରେ ଥାଏ ଅଭାବର ଯନ୍ତ୍ରଣା। ବଞ୍ଚିବାର ଜିଦ୍ ଓ ଆତ୍ମସମ୍ମାନର ଏକ ନୀରବ କାହାଣୀ। ଜୀବନ ମଧ୍ୟ ଠିକ୍ ସେମିତି। ସବୁ ଜୀବନ ମଖମଲି ହୋଇପାରେନା । ସବୁ ସମ୍ପର୍କ ଶେଷ ପର୍ଯ୍ୟନ୍ତ ଅତୁଟ ରହିପାରେନା। ଜୀବନର ରାସ୍ତାରେ ଚାଲୁଚାଲୁ କେତେବେଳେ ପାଦରେ କଣ୍ଟା ଫୁଟେ। କେତେବେଳେ ନିଜ ଲୋକ ପର ହୋଇଯାଆନ୍ତି। ଆଉ କେତେବେଳେ ନିଜ ଆଖିରେ ଦେଖିଥିବା ସ୍ବପ୍ନ ନିଜ ଆଖି ସାମ୍ନାରେ ଭାଙ୍ଗିଯାଏ। ମନ ଭିତରେ ଅସରନ୍ତି କୋହ ଜମାହୁଏ। ଛାତି ତଳେ ଯନ୍ତ୍ରଣାର ନଈ ବହେ। କିନ୍ତୁ ବାହାରକୁ ହସିବାକୁ ହୁଏ। ଅନ୍ୟମାନଙ୍କୁ ସାହସ ଦେବାକୁ ହୁଏ। ଆଉ ନିଜକୁ ବୁଝାଇବାକୁ ହୁଏ।
ଜୀବନ ଏକ ଗତିଶୀଳ ନଈ। ନଈପାଣି ଗୋଳିଆ ଥିଲେ ବି ସୂର୍ଯ୍ୟ ଆଲୋକରେ ଝଲମଲ ହୁଏ। ଆପଣଙ୍କ ଜୀବନକୁ ଛିନ୍ନଭିନ୍ନ କରିବା ଲୋକ ଅନେକ ଅଛନ୍ତି। ସେମାନେ ଆପଣଙ୍କ ଜୀବନ ନଈକୁ ଗୋଳିଆ କରିବାକୁ ପଣ କରିଛନ୍ତି। ଏଥିରେ ଚକିତ ହେବାର କିଛି ନାହିଁ। ତା’ ଭିତରେ ଜୀବନକୁ ସଜାଡ଼ିବାକୁ ହେବ ଓ ଜୀବନଯୁଦ୍ଧରେ ବଞ୍ଚତ୍ରହିବା ଲାଗି ଆଗକୁ ଧାଇଁବାକୁ ହେବ। ଏଥିପାଇଁ ଆମେ ଜୀବନରେ ରଫୁ ମାରୁ। କେବେ ଆଖିର ଲୁହକୁ ହସରେ ଲୁଚାଇ ରଫୁ ମାରୁ। କେବେ ଭାଙ୍ଗିଯାଇଥିବା ଆଶାକୁ ନୂଆ ସ୍ବପ୍ନରେ ଯୋଡ଼ୁ। କେବେ ନିଜର ଅପୂର୍ଣ୍ଣତାକୁ ସ୍ବୀକାର କରି ଆଗକୁ ବଢ଼ୁ। ଆମ ଭିତରେ କେତେ ଯେ ଭଙ୍ଗାଘର, କେତେ ଯେ ଅସଜଡ଼ା ଅତୀତ, କେତେ ଯେ ଅକୁହା ଅଭିମାନ! କିନ୍ତୁ ସେସବୁକୁ ଛାତିରେ ଚାପି ଆମେ ସକାଳେ ପୁଣି ନୂଆ ଦିନର ଦୁଆର ଖୋଲୁ। ସବୁ ମଣିଷଙ୍କ ଭିତର ଦେଖିବା ଭାରି କଷ୍ଟ। ବାହାରୁ ଦେଖିଲେ ମଣିଷଟି ସ୍ବାଭାବିକ ଦିଶେ। ତା’ର ମୁହଁରେ ହସ ଥାଏ। କଥାରେ ଆତ୍ମବିଶ୍ୱାସ ଥାଏ। ଚାଲିରେ ଥାଏ ଦୃଢ଼ତା। କିନ୍ତୁ ସେ ହସ ତଳେ ଯନ୍ତ୍ରଣାର ରଫୁ ମରାହୋଇଥାଏ। କେତେ ରାତିର ଅନିଦ୍ରା, କେତେ ଦିନର ଅବସାଦ, କେତେ ଅପମାନର ନୀରବ ସହନଶୀଳତାକୁ ଭୋଗିଥାଏ ଦେଖିବା ଲୋକ ବୁଝିପାରେନା। ସେଥିପାଇଁ ଆମେ ଅନ୍ୟ ଲୋକଙ୍କ ଉପରକୁ କଥା ଫିଙ୍ଗିପାରୁ ସହଜରେ।
ଜୀବନ ଆମକୁ ସବୁବେଳେ ମନମୁତାବକ ପରିସ୍ଥିତି ଦିଏ ନାହିଁ। ଅନେକ ସମୟରେ ଯାହା ଚାହୁଁ ତାହା ମିଳେନାହିଁ। ଯାହା ପାଉ ତାକୁ ନେଇ ବଞ୍ଚିବାକୁ ହୁଏ। ଯାହାକୁ ନିଜର ଭାବୁ ସେ ଦିନେ ପର ହୋଇଯାଏ। ତଥାପି ଆମକୁ ଚାଲିବାକୁ ହୁଏ। କାରଣ ଜୀବନର ସବୁ ପ୍ରଶ୍ନର ଉତ୍ତର ଖୋଜିବା ଅପେକ୍ଷା କିଛି ପ୍ରଶ୍ନ ସହ ବଞ୍ଚି ଶିଖିବା ଅଧିକ ଜରୁରୀ। ସେଥିପାଇଁ ନିଜ ସହ ନିଜକୁ ସନ୍ଧି କରିବାକୁ ହୁଏ। ନିଜ ସହ ସନ୍ଧି କରିବା ଅର୍ଥ ନିଜକୁ ହାରିଯିବା ନୁହେଁ। ଏହା ନିଜର ସୀମାକୁ ଚିହ୍ନିବା। ନିଜର ଅପୂର୍ଣ୍ଣତାକୁ ଗ୍ରହଣ କରିବା ଏବଂ ଯାହା ବଦଳାଇବା ଆମ ହାତରେ ନାହିଁ ତାହାକୁ ନେଇ ଅହରହ ନିଜକୁ ଦଣ୍ଡ ନ ଦେବାକୁ ଇଙ୍ଗିତ କରେ। ସବୁ ଯୁଦ୍ଧ ଜିତିବାକୁ ହୁଏ ନାହିଁ। କିଛି ଯୁଦ୍ଧରୁ ଫେରି ଆସିବାରେ ହିଁ ଜୀବନର ଜୟ ଥାଏ। ସବୁ ସମ୍ପର୍କକୁ ବଞ୍ଚାଇ ରଖିବା ସମ୍ଭବ ନୁହେଁ। କିଛି ସମ୍ପର୍କକୁ ସ୍ମୃତିରେ ରଖି ଆଗକୁ ବଢ଼ିବାରେ ସୁଖମୟ ଜୀବନ ଥାଏ। ସବୁ ଦୁଃଖକୁ ଦୂରକରିବା ସମ୍ଭବ ନୁହେଁ। କିଛି ଦୁଃଖକୁ ନିଜ ଜୀବନର ଅଂଶ ଭାବେ ସ୍ବୀକାର କରିବାରେ ପ୍ରେରଣା ମିଳେ।
କିନ୍ତୁ ଗୋଟିଏ କଥା ମନେରଖିବା ଦରକାର ସନ୍ଧି କରିବା ଓ ଆତ୍ମସମର୍ପଣ କରିବା ଏକ କଥା ନୁହେଁ। ପରିସ୍ଥିତି ସହ ସନ୍ଧି କରିବାକୁ ହେବ। କିନ୍ତୁ ନିଜର ଆତ୍ମସମ୍ମାନ ସହ କଦାପି ନୁହେଁ। ଅଭାବ ସହ ବଞ୍ଚିବାକୁ ହେବ। କିନ୍ତୁ ଆତ୍ମବିଶ୍ୱାସ ହରାଇବା ଉଚିତ ନୁହେଁ । ଦୁଃଖକୁ ସହିବାକୁ ହେବ। କିନ୍ତୁ ଦୁଃଖକୁ ଗଳାର ହାର କରିବା ଆଦୌ ଉଚିତ ନୁହଁ। ଯେଉଁ ମଣିଷ ଦୁଃଖ ପାଇନାହିଁ ସେ ହୁଏତ ଜୀବନକୁ କେବଳ ଉତ୍ସବ ଭାବେ ଦେଖିଥିବ। କିନ୍ତୁ ଯିଏ ଦୁଃଖର ଦୀର୍ଘପଥ ଅତିକ୍ରମ କରିଛି ସେ ଜାଣେ ଛୋଟ ଖୁସିର ମୂଲ୍ୟ କେତେ। ଦୁଇପଦ ସ୍ନେହର ଆବଶ୍ୟକତା କେତେ। ଆଉ ନୀରବରେ ପାଖରେ ଠିଆହୋଇ ରହୁଥିବା ଜଣେ ମଣିଷର ମହତ୍ତ୍ୱ କେତେ। ତେଣୁ ଛୋଟ ଛୋଟ ଖୁସିରେ ବିଭୋର ହେବା ଆବଶ୍ୟକ। ଯେଉଁ ମା’ ନିଜର ଲୁହ ଲୁଚାଇ ପିଲା ପାଇଁ ହସେ , ନିଜକୁ କଷ୍ଟ ଦେଇ ପିଲାଙ୍କୁ ବଡ଼ କରିବାକୁ ଚେଷ୍ଟା କରେ, ତା’ ଭିତରେ ସେ ଅନେକ ରଫୁ ମାରିଥାଏ। ଯେଉଁ ବାପା ନିଜର ଇଚ୍ଛାକୁ ଜଳାଞ୍ଜଳି ଦେଇ ପରିବାରର ସ୍ବପ୍ନକୁ ସାକାରକରେ , ଯେଉଁ ମଣିଷ ନିଜର ଯନ୍ତ୍ରଣାକୁ ନୀରବରେ ଚାପି ଅନ୍ୟକୁ ଆଶ୍ୱାସନା ଦିଏ ସେ ମଣିଷ ମନ ଓ ହୃଦୟରେ ରଫୁ ମାରେ। ବାପାମାଆମାନେ ରଫୁ ମରା ଜୀବନର ନୀରବ କାରିଗର। ସେମାନଙ୍କ ସହିବାର ଶକ୍ତି ଓ ସବୁ ଦୁଃଖ ଭିତରେ ବି ସୁଖ ଖୋଜି ବଞ୍ଚିବାର ଅଦମ୍ୟ ଇଚ୍ଛା ପ୍ରତିଟି ସନ୍ତାନ ପାଇଁ ଆଦର୍ଶ।
ଆଉ ଏମିତିରେ ଦେଖିଲେ କିଏ ଜୀବନରେ ରଫୁ ମାରିନି କି! ସୁଖୀ ମଣିଷ ଅଧିକ ସୁଖ ପାଇଁ, ଧନୀ ଲୋକ ଧନ ବଢ଼ାଇବା ପାଇଁ, କ୍ଷମତାଶୀଳ ଲୋକ ସର୍ବଶକ୍ତିମାନ ହେବା ପାଇଁ ନିଜ ଜୀବନରେ ରଫୁ ମାରେ। ତେଣୁ ଜୀବନ ଆମକୁ ଯାହା ଦେଇଛି ସେଥିରେ ସବୁକିଛି ନ ଥାଇପାରେ। ଯାହା ନେଇଯାଇଛି ତାହାର ଶୂନ୍ୟତା ମଧ୍ୟ ପୂରଣ ହୋଇ ନ ପାରେ। କିନ୍ତୁ ଯେତିକି ଅଛି ତାକୁ ନେଇ ବଞ୍ଚିବାର ଏକ କଳା ଆମକୁ ଶିଖିବାକୁ ହେବ। ଖରିଦ କଲେ ନୂଆ ପୋଷାକ ତ ମିଳିଯିବ। କିନ୍ତୁ ଜୀବନ ପୋଷାକ ଆମକୁ ସବୁବେଳେ ନୂଆ ମିଳିବ ନାହିଁ। ବରଂ ତାକୁ ନୂଆ କରି ଚମକାଇବାକୁ ପଡ଼ିବ। ରଫୁ ହେଲେ କପଡ଼ାର ମୂଲ୍ୟ ବଦଳିଯାଏ ଓ ତାକୁ ଅଣଦେଖା କରାଯାଏ। ହେଲେ ଜୀବନରେ ରଫୁ ମାରିଲେ ତା’ର ମୂଲ୍ୟ ବଢ଼ିଯାଏ। କାରଣ ଜୁଝିବାକୁ , ଚିହ୍ନିବାକୁ ଓ ବାଟ ଚାଲି ଆଗକୁ ବଢ଼ିବାକୁ ସେ ସାହସ ଦିଏ ନିଜ ଅନ୍ତରରେ।
ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ : ୯୪୩୭୯୦୯୬୭୧

