ଓଡ଼ିଶା ମାଟି ତଳେ ରହିଥିବା ବକ୍ସାଇଟ କେବଳ ଏକ ଖଣିଜ ନୁହେଁ। ଏହା ହେଉଛି ଏହି ରାଜ୍ୟର ଭବିଷ୍ୟତ ଶିଳ୍ପାୟନର ଭିତ୍ତି, ଲକ୍ଷ ଲକ୍ଷ ଯୁବକଙ୍କ ଚାକିରିର ଆଶା ଓ ଆଦିବାସୀ ଅଞ୍ଚଳର ଆର୍ଥିକ ପରିବର୍ତ୍ତନର ସମ୍ଭାବନା। ତେଣୁ ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା ଯେ ନାଲ୍କୋ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲାର ନୌପଦା ଅଞ୍ଚଳରେ ୦.୫ ମିଲିୟନ ଟନ୍ କ୍ଷମତାର ଏକ ନୂଆ ଗ୍ରୀନଫିଲ୍ଡ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ କରିବାକୁ ଚିନ୍ତା କରୁଛି ଓ ସେଥିପାଇଁ ବକ୍ସାଇଟ ଆସିବ ଓଡ଼ିଶାର ଖଣିରୁ, ସ୍ବାଭାବିକ ଭାବରେ ଅନେକ ପ୍ରଶ୍ନ ଉଠିଛି। ସମାଲୋଚକମାନେ ପ୍ରଶ୍ନ କରୁଛନ୍ତି, ଖଣିଜ ଓଡ଼ିଶାର, ପରିବେଶୀୟ ଭାର ଓଡ଼ିଶାର ଲୋକ ବୋହିବେ, କିନ୍ତୁ ଶିଳ୍ପ, ରୋଜଗାର ଓ ମୂଲ୍ୟ ସଂଯୋଜନର ଲାଭ ଯିବ ଆଉ ଏକ ରାଜ୍ୟକୁ?
ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ ଯେ, ବକ୍ସାଇଟ କେବଳ ଖଣିରୁ ବାହାର କରାଯାଇଥିବା ଏକ ପଥର ନୁହେଁ। ଏହି ପଥରରୁ ଆଲୁମିନା ଉତ୍ପଦନ ହୁଏ, ଆଲୁମିନାରୁ ଆଲୁମିନିୟମ୍ ମିଳେ ଏବଂ ଆଲୁମିନିୟମରୁ ବିମାନ, ରେଳ, ବିଦ୍ୟୁତ୍ ଉପକରଣ, ମୋବାଇଲ ଫୋନର ଅଂଶ, ଗାଡ଼ି, ପ୍ରତିରକ୍ଷା ସାମଗ୍ରୀ ଓ ଅଗଣିତ ଶିଳ୍ପ ଉତ୍ପାଦ ନିର୍ମାଣ ହୁଏ। ଅର୍ଥାତ୍ ପ୍ରକୃତ ଧନ ସୃଷ୍ଟି ଖଣିରେ ନୁହେଁ, ବରଂ ଖଣିଜକୁ ପ୍ରକ୍ରିୟାକରଣ କରି ଶିଳ୍ପ ଉତ୍ପାଦରେ ପରିଣତ କରିବାରେ ହୋଇଥାଏ। ଓଡ଼ିଶା ଅନେକ ଦଶନ୍ଧି ଧରି ଭାରତର ଏକ ପ୍ରମୁଖ ଖଣିଜ ରାଜ୍ୟ ରହିଆସିଛି। ଲୁହାପଥର, କୋଇଲା, କ୍ରୋମାଇଟ୍, ମାଙ୍ଗାନିଜ ଓ ବକ୍ସାଇଟ ପରି ସମ୍ପଦରେ ଏହି ରାଜ୍ୟ ସମୃଦ୍ଧ। କିନ୍ତୁ ଏକ କଠୋର ସତ୍ୟ ହେଲା, ଦୀର୍ଘ ସମୟ ଧରି ଓଡ଼ିଶା କଞ୍ଚାମାଲର ଯୋଗାଣକାରୀ ଭାବରେ ପରିଚିତ ହୋଇ ରହିଛି। ଖଣିଜ ବାହାରିଛି ଓଡ଼ିଶାରୁ, କିନ୍ତୁ ଅନେକ କ୍ଷେତ୍ରରେ ଉଚ୍ଚମୂଲ୍ୟ ସମ୍ପନ୍ନ ଉତ୍ପାଦ ତିଆରି ହୋଇଛି ଅନ୍ୟ ରାଜ୍ୟରେ। ଫଳରେ ଧନର ଏକ ବଡ଼ ଅଂଶ, ଚାକିରିର ଏକ ବଡ଼ ଅଂଶ ଓ ଶିଳ୍ପ ଅର୍ଥନୀତିର ଏକ ବଡ଼ ଅଂଶ ମଧ୍ୟ ସେହି ରାଜ୍ୟଗୁଡ଼ିକୁ ଯାଇଛି।
ଆଜି ଯେତେବେଳେ ନାଲ୍କୋର ଏହି ପ୍ରସ୍ତାବ ସାମ୍ନାକୁ ଆସିଛି, ଅନେକ ଲୋକଙ୍କ ମନରେ ସେହି ପୁରୁଣା ପ୍ରଶ୍ନ ପୁଣି ଜାଗ୍ରତ ହୋଇଛି। ଯଦି ବକ୍ସାଇଟ ଓଡ଼ିଶାରୁ ଯିବ, ତା’ହେଲେ କାରଖାନା ଓଡ଼ିଶାରେ କାହିଁକି ହେବ ନାହିଁ? ଯଦି କେନ୍ଦ୍ର ସରକାରୀ ସଂସ୍ଥା ନାଲ୍କୋ, ଯାହାର ମୂଳ ଆଧାର ଓଡ଼ିଶାର ପଞ୍ଚପଟମାଳୀ ଖଣି, ଦାମନଯୋଡ଼ି ରିଫାଇନେରି ଓ ଅନୁଗୋଳ ସ୍ମେଲ୍ଟର ଉପରେ ଗଢ଼ି ଉଠିଛି, ସେହି ସଂସ୍ଥା ନୂତନ ବୃହତ୍ ନିବେଶ ଆନ୍ଧ୍ରରେ କରିବ, ତେବେ ଓଡ଼ିଶାର ଜନସାଧାରଣ ଏଥିକୁ କିପରି ଗ୍ରହଣ କରିବେ? ଏଠାରେ ସରକାର କିମ୍ବା ନାଲ୍କୋ ପକ୍ଷରୁ କୁହାଯାଇପାରେ ଯେ, ଶିଳ୍ପ ସ୍ଥାପନ କରିବା ବେଳେ କେବଳ ଖଣିଜ ଉପଲବ୍ଧତା ଦେଖାଯାଏ ନାହିଁ। ବନ୍ଦର ସୁବିଧା, ବିଦ୍ୟୁତ୍ ଯୋଗାଣ, ଜମି ଉପଲବ୍ଧତା, ପରିବହନ ବ୍ୟବସ୍ଥା ଓ ଆନ୍ତର୍ଜାତିକ ବଜାର ସହ ସଂଯୋଗକୁ ମଧ୍ୟ ଦେଖାଯାଏ। ନୌପଦା ଅଞ୍ଚଳ ମୂଳପେଟା ବନ୍ଦର ନିକଟରେ ଥିବାରୁ ରପ୍ତାନି କାର୍ଯ୍ୟ ସହଜ ହୋଇପାରିବ ବୋଲି ଯୁକ୍ତି ଦିଆଯାଉଛି। ନାଲ୍କୋ ପ୍ରାୟ ୪ ହଜାର ଏକର ଜମିକୁ ନେଇ ଚିନ୍ତା କରୁଛି ଏବଂ ଏହି ପ୍ରକଳ୍ପରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ନିବେଶ ହୋଇପାରେ ବୋଲି ଆଲୋଚନା ଚାଲିଛି।
କିନ୍ତୁ ଜନସାଧାରଣର ପ୍ରଶ୍ନ ଅର୍ଥନୀତିର ଆଉ ଏକ ସ୍ତରକୁ ଛୁଇଁଯାଏ। ସେମାନେ କହୁଛନ୍ତି, ଯଦି ବନ୍ଦର ହିଁ ସମସ୍ୟା; ତା’ହେଲେ ଓଡ଼ିଶାର ପାରାଦୀପ, ଧାମରା କିମ୍ବା ଗୋପାଳପୁର ବନ୍ଦରକୁ ଆଧାର କରି ପ୍ରକଳ୍ପ କାହିଁକି ହେବ ନାହିଁ? ଯଦି ଜମି ସମସ୍ୟା, ତେବେ ଓଡ଼ିଶାରେ ଶିଳ୍ପ ପାଇଁ ଜମି ଚିହ୍ନଟ କରିବାର ପ୍ରୟାସ କାହିଁକି ହେଲା ନାହିଁ? ଯଦି ରୋଜଗାର ସୃଷ୍ଟି ଲକ୍ଷ୍ୟ, ତେବେ ସେହି ରୋଜଗାର ଓଡ଼ିଶାର ଯୁବକମାନେ କାହିଁକି ପାଇବେ ନାହିଁ? ପ୍ରକୃତରେ ଏହି ବିବାଦ କେବଳ ଏକ କାରଖାନାକୁ ନେଇ ନୁହେଁ। ଏହା ସମ୍ପଦ ଏବଂ ସମ୍ପଦର ଉପରେ ଅଧିକାରକୁ ନେଇ। କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ପରି ଅଞ୍ଚଳରେ ଥିବା ବକ୍ସାଇଟ ଖଣିରୁ ଖଣିଜ ଉତ୍ତୋଳନ ହେବା ସମୟରେ ସେଠାକାର ଆଦିବାସୀ ଲୋକମାନେ ବହୁ ପ୍ରଭାବ ବୋହିଥାନ୍ତି। ଜମି ହରାଇବା, ଜଙ୍ଗଲ ହ୍ରାସ, ପରିବେଶ ଉପରେ ଚାପ ଏବଂ ସାମାଜିକ ପରିବର୍ତ୍ତନର ଭାର ସେମାନଙ୍କ ଉପରେ ପଡ଼େ। ଯଦି ଏହି ସମସ୍ତ ଭାର ଓଡ଼ିଶା ବୋହିବ ଓ ଶିଳ୍ପର ମୁଖ୍ୟ ଆର୍ଥିକ ଲାଭ ଅନ୍ୟ ରାଜ୍ୟକୁ ଯିବ, ତେବେ ଅସନ୍ତୋଷ ସୃଷ୍ଟି ହେବା ସ୍ବାଭାବିକ।
ଏହି ପ୍ରସଙ୍ଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୂଲ୍ୟ ସଂଯୋଜନ। ଧରନ୍ତୁ, ବକ୍ସାଇଟର ମୂଲ୍ୟ ଏକ ସ୍ତରରେ ଅଛି। କିନ୍ତୁ ତାହା ଯେତେବେଳେ ଆଲୁମିନା ହୁଏ, ମୂଲ୍ୟ ବଢ଼େ। ପୁଣି ଆଲୁମିନିୟମ୍ ହେଲେ ଆହୁରି ବଢ଼େ। ତାହାଠାରୁ ଉଚ୍ଚ ପ୍ରଯୁକ୍ତିଭିତ୍ତିକ ଉତ୍ପାଦ ତିଆରି ହେଲେ ମୂଲ୍ୟ ବହୁଗୁଣିତ ହୋଇଯାଏ। ସେହିପରି କେଉଁ ରାଜ୍ୟ କେବଳ ଖଣିଜ ଦେଉଛି ଏବଂ କେଉଁ ରାଜ୍ୟ ଖଣିଜକୁ ଶିଳ୍ପ ଉତ୍ପାଦରେ ପରିଣତ କରୁଛି, ସେହି ପ୍ରଶ୍ନ ହିଁ ଭବିଷ୍ୟତ ଆର୍ଥିକ ଶକ୍ତି ନିର୍ଣ୍ଣୟ କରେ। ଓଡ଼ିଶାର ଲୋକଙ୍କ ଭୟ ଏଠାରେ। ସେମାନେ ଆଶଙ୍କା କରୁଛନ୍ତି ଯେ, ରାଜ୍ୟଟି ପୁଣି ଥରେ କଞ୍ଚାମାଲ ଯୋଗାଣକାରୀ ଭୂମିକାରେ ସୀମିତ ହୋଇଯିବ। ଏକ ପଟେ ଖଣିଜ ବାହାରିବ, ଅନ୍ୟ ପଟେ ଶିଳ୍ପ ନିବେଶ ଓ ଚାକିରି ଅନ୍ୟ ରାଜ୍ୟରେ ସୃଷ୍ଟି ହେବ। ଏହା ଏମିତି ଯେପରି ଜଣେ କୃଷକ ଧାନ ଉତ୍ପାଦନ କରିବେ, କିନ୍ତୁ ଚାଉଳ କଳ, ପ୍ୟାକେଜିଂ ୟୁନିଟ୍ ଓ ବିପଣନ ବ୍ୟବସାୟ ଅନ୍ୟ କେହି କରିବେ। ତେବେ ବଡ଼ ଲାଭ କାହା ପାଖକୁ ଯିବ? ଆନ୍ଧ୍ରପ୍ରଦେଶ ନିଶ୍ଚିତ ଭାବରେ ଏହି ପ୍ରକଳ୍ପରୁ ଅନେକ ସୁବିଧା ପାଇବ। ପ୍ରଥମତଃ ବିପୁଳ ନିବେଶ ଆସିବ। ଦ୍ୱିତୀୟତଃ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ହଜାର ରୋଜଗାର ସୃଷ୍ଟି ହେବ। ତୃତୀୟତଃ ସଡ଼କ, ରେଳ, ବନ୍ଦର ଓ ଅନ୍ୟାନ୍ୟ ସହାୟକ ଶିଳ୍ପର ବିକାଶ ହେବ। ଚତୁର୍ଥତଃ ଭବିଷ୍ୟତରେ ଆଲୁମିନିୟମ୍ ଆଧାରିତ ଡାଉନଷ୍ଟ୍ରିମ ଶିଳ୍ପ ମଧ୍ୟ ସେଠାରେ ବିକଶିତ ହୋଇପାରିବ। ଅର୍ଥାତ୍ ଏକ କାରଖାନା କେବଳ ଏକ କାରଖାନା ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଶିଳ୍ପ ପରିବେଶ ସୃଷ୍ଟି କରିଥାଏ।
ପ୍ରଶ୍ନ ହେଉଛି, ଓଡ଼ିଶାକୁ କ’ଣ ମିଳିବ? ହଁ, ଖଣି ଚାଲିଥିବାରୁ କିଛି ରୟାଲ୍ଟି ଓ ଖଣି ସମ୍ବନ୍ଧୀୟ ଆୟ ଆସିବ। ନାଲ୍କୋ ଏକ ଜାତୀୟ ସଂସ୍ଥା ହୋଇଥିବାରୁ ଏହାର ଲାଭ ଜାତୀୟ ଅର୍ଥନୀତିକୁ ମଧ୍ୟ ସାହାଯ୍ୟ କରିବ। କିନ୍ତୁ ସାଧାରଣ ଲୋକଙ୍କ ଦୃଷ୍ଟିରୁ ଦେଖିଲେ ପ୍ରଶ୍ନଟି ସରଳ। ଯେଉଁଠାରୁ ଖଣିଜ ଆସୁଛି, ସେଠାରେ କାରଖାନା କାହିଁକି ହେଉ ନାହିଁ? ଏହି ବିଷୟଟିକୁ କେବଳ ଭାବନାରୁ ନୁହେଁ, ନୀତିରୁ ମଧ୍ୟ ଦେଖିବା ଦରକାର। ଯଦି ଭାରତର ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ କେବଳ କଞ୍ଚାମାଲ ଯୋଗାଇବେ ଏବଂ ଶିଳ୍ପ ସବୁ ଉପକୂଳ କିମ୍ବା ଅନ୍ୟ ବିକଶିତ ଅଞ୍ଚଳକୁ ଯିବ, ତେବେ ଆଞ୍ଚଳିକ ଅସମାନତା ଆହୁରି ବଢ଼ିବ। ଶିଳ୍ପାୟନର ଉଦ୍ଦେଶ୍ୟ କେବଳ ଉତ୍ପାଦନ ବଢ଼ାଇବା ନୁହେଁ, ବରଂ ସମ୍ପଦ ଥିବା ଅଞ୍ଚଳର ଲୋକଙ୍କ ଜୀବନମାନ ଉନ୍ନତ କରିବା ମଧ୍ୟ।
ସତ୍ୟ କହିବାକୁ ଗଲେ, ଆଜିର ବିବାଦ କେବଳ ନୌପଦା ପ୍ରକଳ୍ପକୁ ନେଇ ନୁହେଁ; ଏହା ଏକ ବଡ଼ ପ୍ରଶ୍ନକୁ ନେଇ। ଓଡ଼ିଶା କେବଳ ଖଣିଜ ଯୋଗାଣକାରୀ ରାଜ୍ୟ ହୋଇ ରହିବ ନା ଖଣିଜ ଆଧାରିତ ଉଚ୍ଚମୂଲ୍ୟ ଶିଳ୍ପ କେନ୍ଦ୍ରରେ ପରିଣତ ହେବ? ଓଡ଼ିଶାର ଯୁବକମାନେ କେବଳ ଖଣିରେ କାମ କରିବେ, ନା ଉଚ୍ଚ ପ୍ରଯୁକ୍ତି ଶିଳ୍ପରେ ସୁଯୋଗ ପାଇବେ? ଆଦିବାସୀ ଅଞ୍ଚଳଗୁଡ଼ିକ କେବଳ ଖଣିଜ ଉତ୍ତୋଳନର ଭାର ବୋହିବେ, ନା ଶିଳ୍ପ ବିକାଶର ଫଳ ଭୋଗ କରିବେ? ସେହିପରି ନାଲ୍କୋର ଏହି ପ୍ରସ୍ତାବକୁ ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକୁ କେବଳ ରାଜନୈତିକ ବିରୋଧ ବୋଲି କହି ଏଡ଼ାଇ ଦିଆଯାଇପାରିବ ନାହିଁ। ଏହା ଓଡ଼ିଶାର ଆର୍ଥିକ ଭବିଷ୍ୟତ, ସମ୍ପଦ ନୀତି ଏବଂ ଶିଳ୍ପ ବିକାଶର ଦିଗକୁ ନେଇ ଏକ ଗଭୀର ଚର୍ଚ୍ଚାର ବିଷୟ। ଯେପର୍ଯ୍ୟନ୍ତ ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳୁନାହିଁ ଯେ ଓଡ଼ିଶା ଏଥିରୁ କେଉଁ ଦୀର୍ଘମିଆଦୀ ଲାଭ ପାଇବ, ସେପର୍ଯ୍ୟନ୍ତ ଏହି ବିବାଦ ଥମିବା ପରି ଲାଗୁନାହିଁ।
ଅସିତ ମହାନ୍ତି
ସୁଜନପୁର, ଯାଜପୁର
ମୋ: ୯୪୩୭୨୮୮୦୨୮
Dharitri – Odisha’s No.1 Odia Daily

