ଆମ ପ୍ରିୟ ଖବରକାଗଜ

ବୈକୁଣ୍ଠନାଥ ମିଶ୍ର

ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ରୂପେ ବିବେଚିତ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ରିୟ ଗଣମାଧ୍ୟମ, ଯାହା ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛି। କେବଳ ସେତିକି ନୁହେଁ, ଖବରକାଗଜ ପ୍ରକାଶନ ଖବର ସଂଗ୍ରହ ଓ ବିତରଣ ଅନେକ ଲୋକଙ୍କ ପାଇଁ ଜୀବିକାର୍ଜନର ଉତ୍ସ। ବେତାର ଓ ଦୂରଦର୍ଶନରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ଖବରକାଗଜ ପ୍ରସାରଣକୁ ଏମାନେ ପ୍ରଭାବିତ କରିପାରିନାହାନ୍ତି। କାରଣ, ଜଣେ ନିଜସ୍ବ ସମୟ ଅନୁସାରେ ଏହାକୁ ପଢ଼ିପାରେ। ବୈଦ୍ୟୁତିକ ଗଣମାଧ୍ୟମ ପରି ଏହାର କୌଣସି ସମୟ ସାରଣୀ ନାହିଁ। ଖବରକାଗଜ ସିନା ଶସ୍ତା; କିନ୍ତୁ ଏଥିରେ ପ୍ରକାଶିତ ତଥ୍ୟ ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ। ନ’ରୁ ନବେ ପର୍ଯ୍ୟନ୍ତ ସବୁ ବୟସର ପାଠକଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।
ପ୍ରଶ୍ନ ଉଠେ- ଖବର କାହାକୁ କହନ୍ତି? ସବୁ ଘଟଣା ଖବର ନୁହନ୍ତି। ଉଦାହରଣ ସୁରୂପ ପ୍ରତ୍ୟହ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି, ତାହା ଖବର ନୁହେଁ। ପ୍ରସିଦ୍ଧ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ମୃତ୍ୟୁ, ହତ୍ୟା, ଆତ୍ମହତ୍ୟା, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅସ୍ବାଭାବିକ ମୃତ୍ୟୁ ହିଁ ଖବର। ପ୍ରେମ ଖବର ନୁହେଁ, ପ୍ରତାରଣା ହିଁ ଖବର। ବିବାହ ଖବର ନୁହେଁ, ମାତ୍ର ଦାମ୍ପତ୍ୟ କଳହଜନିତ ଛାଡ଼ପତ୍ର ଓ ବିବାହର ପ୍ରାକ୍‌ ଏବଂ ପରବର୍ତ୍ତୀ ଅଘଟଣ ହିଁ ଖବର। ବୃଷ୍ଟିପାତ ଖବର ନୁହେଁ, ମାତ୍ର ଅତିବୃଷ୍ଟି କିମ୍ବା ଅନାବୃଷ୍ଟି ହିଁ ଖବର। ମୋଟାମୋଟି ଯାହା ଅସ୍ବାଭାବିକ ଓ ଅସାଧାରଣ- ତାହାହିଁ ଖବର।
କିଛିବର୍ଷ ପୂର୍ବେ ଖବରକାଗଜ ଧନୀ, ମାନୀ ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ଗରିମାର ସ୍ବାକ୍ଷର ବହନ କରୁଥିଲା। ଡାକ ଦ୍ୱାରା ଆନୀତ ଖବରକାଗଜ ଗ୍ରାମାଞ୍ଚଳରେ ଖବର ପ୍ରସାରଣର ପ୍ରମୁଖ ଉତ୍ସ ଥିଲା। କିନ୍ତୁ ସମ୍ପ୍ରତି ଏହା ଆବାଳବୃଦ୍ଧବନିତା ସମସ୍ତଙ୍କର ଦୈନନ୍ଦିନ ଆବଶ୍ୟକତାରେ ପରିଣତ ହୋଇଛି। ବିଶେଷକରି ଅବସରପ୍ରାପ୍ତ ବୟୋଜ୍ୟେଷ୍ଠଙ୍କ ପାଇଁ ଏହା ବରଦାନ ସଦୃଶ। ଏହା ନିଃସଙ୍ଗତାର ବନ୍ଧୁ ଓ ସମୟ ଅତିବାହିତ କରିବାର ଏକ ମାଧ୍ୟମ। ସକାଳେ ଚା’କପ୍‌ ସହ ସଦ୍ୟ ପେପର ଖଣ୍ଡିକ ହାତରେ ନ ଥିଲେ ଅନେକଙ୍କୁ ଚା’ ରୁଚେ ନାହିଁ। ଖବରକାଗଜ ବାର୍ଦ୍ଧକ୍ୟର ସାହାରା ଓ ମାନସିକ ଅବସାଦ ଦୂରୀକରଣର ମହୌଷଧି। ସମାଜର ପ୍ରତିବର୍ଗଙ୍କ ପାଇଁ ଖବରକାଗଜର ସ୍ବତନ୍ତ୍ର ବ୍ୟବସ୍ଥା ଅନନ୍ୟ। ଯେମିତି କୃଷକଙ୍କ ପାଇଁ କୃଷି ଓ ପାଣିପାଗ ସମ୍ବନ୍ଧୀୟ ସମାଚାର; ଗୃହିଣୀଙ୍କ ପାଇଁ ରନ୍ଧନକଳା, ଭାଗ୍ୟବାଦୀଙ୍କ ପାଇଁ ରାଶିଫଳ, କ୍ରୀଡ଼ାପ୍ରେମୀଙ୍କ ପାଇଁ ସମାଚାର, ସିନେ ଜଗତକୁ ନେଇ ସିନେପ୍ରେମୀଙ୍କ ପାଇଁ ପ୍ରସ୍ତୁତ ସମ୍ବାଦ ଇତ୍ୟାଦି। ସମ୍ପାଦକୀୟ ପୃଷ୍ଠାରେ ଲେଖକଙ୍କ ଆଲେଖ୍ୟ ସହ ସମ୍ପାଦକଙ୍କ ନିଜସ୍ବ ବୌଦ୍ଧିକ ବିଚାରସମ୍ପନ୍ନ ଲେଖା ଜନମାନସକୁ ଉତ୍‌ଫୁଲ୍ଲିତ କରେ। ସବୁଠାରୁ ଯାହା ବିଶେଷ ଭାବେ ବିଜ୍ଞ ପାଠକଙ୍କୁ ପ୍ରଭାବିତ କରେ; ତାହା ହେଉଛି ରାଜ୍ୟ, ଦେଶ ତଥା ବିଦେଶର ରାଜନୈତିକ ଘଟଣା ପ୍ରବାହ। ରବିବାରର ସ୍ବତନ୍ତ୍ର ପତ୍ରିକା ଯେଉଁଥିରେ ସୃଜନଶୀଳତା, ସାହିତ୍ୟ, ପର୍ଯ୍ୟଟନ, ବିରଳ ମଣିଷର କୃତିତ୍ୱ ଓ ନ୍ୟାୟିକ ତଥା ଧାର୍ମିକ ଉପସ୍ଥାପନା ସ୍ଥାନିତ ହୋଇ ଅଜସ୍ର ପାଠକୀୟ ଭଲପାଇବା ସାଉଁଟିଥାଏ। କୃଷି, ଉଦ୍ୟାନକୃଷି, ବିଜ୍ଞାନଭିତ୍ତିକ ଲେଖା, ଶିଶୁ ଓ ପ୍ରସୂତିଙ୍କ ପାଇଁ ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ- ବିଭିନ୍ନ ଶ୍ରେଣୀର ପାଠକଙ୍କ ପାଇଁ ଖବରକାଗଜ ତା’ର ଉପାଦେୟତାକୁ ଅଧିକ ବଳିଷ୍ଠ କରିଛି। ସରକାରୀ, ବେସରକାରୀ ବିଜ୍ଞାପନ କେବଳ ଯେ କବରକାଗଜର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୁଅନ୍ତି ତାହାନୁହେଁ- ଏହାଦ୍ୱାରା ଜନସାଧାରଣଙ୍କ ମନରେ ଏକ ଅବଗତି ସୃଷ୍ଟି କରିଥାଏ।
ପୃଥିବୀର ପ୍ରଥମ ଖବରକାଗଜ ‘ଦ ଟାଇମ୍ସ ଅଫ୍‌ ଲଣ୍ଡନ’ ୧୭୭୫ରେ ଲଣ୍ଡନଠାରେ ପ୍ରକାଶ ପାଇଥିଲା। ଭାରତର ପ୍ରଥମ ଖବରକାଗଜ ‘ଦ ବେଙ୍ଗଲ ଗେଜେଟ୍‌’ ୧୭୮୦ରେ କଲିକତାଠାରେ ଆତ୍ମପ୍ରକାଶ କରିଥିଲା। ଓଡ଼ିଶାରେ କର୍ମବୀର ଗୌରୀଶଙ୍କର ୧୮୬୫ରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’, କଟକଠାରେ ସ୍ଥାପନ କଲେ। ଓଡ଼ିଶାର ପ୍ରଥମ ଛାପା ଖବରକାଗଜ ‘ଉକତ୍ଳ ଦୀପିକା’ କର୍ମବୀରଙ୍କ ସମ୍ପାଦନାରେ ୧୮୬୬ରେ ପ୍ରକାଶ ପାଇଲା। ଏଥିରେ ନ’ ଅଙ୍କ ଦୁର୍ଭିକ୍ଷର କାରଣ ଓ ନିରାକରଣର ଖବର ପ୍ରକାଶ କରାଯାଇ ଜନଜାଗରଣର ପ୍ରୟାସ କରାଗଲା। ୧୮୬୮ରେ ‘ବାଲେଶ୍ୱର ସମ୍ବାଦ ବାହିକା’ ଉତ୍ତର ଓଡ଼ିଶାର ପ୍ରମୁଖ ଖବରକାଗଜ ଭାବେ ବାଲେଶ୍ୱରଠାରେ ମୁକ୍ତିଲାଭ କଲା। ବ୍ୟାସକବି ଫକୀରମୋହନ ଏକ ଛାପାଖାନା ସ୍ଥାପନ କରି ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଓ ପତ୍ରିକା ସମ୍ପାଦନ କରିବା ଫଳରେ ଅନେକ ଲେଖକ ସୃଷ୍ଟି ହେଲେ। ଏହି ସମୟରେ କବିବର ରାଧାନାଥ ବଙ୍ଗଳା ଛାଡ଼ି ଓଡ଼ିଆରେ ଲେଖନୀ ଚାଳନା କଲେ। ୧୮୬୯ରେ ‘ଉତ୍କଳ ହିତୈଷିଣୀ’ ଓ ‘ଉକତ୍ଳ ଦର୍ପଣ’ ନାମକ ଦୁଇଟି ଖବରକାଗଜ ବାଲେଶ୍ୱରରୁ ପ୍ରକାଶ ପାଇଲା। ଏସବୁ ଖବରକାଗଜ ତତ୍କାଳୀନ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମ୍ବାଦ ପ୍ରକାଶକରି ଉକତ୍ଳୀୟ ବୌଦ୍ଧିକ ଚେତନାର ଉନ୍ମେଷରେ ସଫଳ ହେଲା।
ଏକ ତଥ୍ୟ ଅନୁଯାୟୀ ଭାରତରେ ବର୍ତ୍ତମାନ ୯୯୪ଟି ଖବରକାଗଜ ପ୍ରକାଶିତ ହେଉଥିବା ବେଳେ ଓଡ଼ିଶାରେ ପ୍ରାୟ ୪୨ଟି ଖବରକାଗଜ ପ୍ରକାଶ ପାଉଛି। ଓଡ଼ିଶାରେ ପ୍ରତ୍ୟହ ପ୍ରାୟ ୧୦ ଲକ୍ଷ ଖବରକାଗଜ ସରବରାହ ହେଉଛି। ଓଡ଼ିଆ ବ୍ୟତୀତ ଇଂଲିଶ୍‌, ହିନ୍ଦୀ ଓ ଉର୍ଦ୍ଦୁ ଖବରକାଗଜ ମଧ୍ୟ ଓଡ଼ିଶାରେ ପ୍ରଚଳିତ ଅଛି। କିଛି ଲୋକ ଅଛନ୍ତି, ଯେଉଁମାନେ ଖାଦ୍ୟ ଗ୍ରହଣ ନ କରି ଉପବାସରେ ରହିଯାଇପାରନ୍ତି; ମାତ୍ର ସଦ୍ୟ ଖବରକାଗଜ ଉପରେ ଆଖି ନ ପକାଇ ଶାନ୍ତିରେ ରହିପାରିବେ ନାହିଁ। ଜ୍ଞାନ ଅର୍ଜନ ସହ ସାମ୍ପ୍ରତିକ ଘଟଣାବଳୀ ସହ ପରିଚିତ ହେବାରେ ଖବରକାଗଜର ଅବଦାନ ଅନସ୍ବୀକାର୍ଯ୍ୟ। ଏହାହିଁ ତ ଖବରକାଗଜକୁ ଦେଇଛି ଅନବଦ୍ୟ ଜନପ୍ରିୟତା।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri