ଆମ ପ୍ରିୟ ଖବରକାଗଜ

ବୈକୁଣ୍ଠନାଥ ମିଶ୍ର

ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ରୂପେ ବିବେଚିତ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ରିୟ ଗଣମାଧ୍ୟମ, ଯାହା ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛି। କେବଳ ସେତିକି ନୁହେଁ, ଖବରକାଗଜ ପ୍ରକାଶନ ଖବର ସଂଗ୍ରହ ଓ ବିତରଣ ଅନେକ ଲୋକଙ୍କ ପାଇଁ ଜୀବିକାର୍ଜନର ଉତ୍ସ। ବେତାର ଓ ଦୂରଦର୍ଶନରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ଖବରକାଗଜ ପ୍ରସାରଣକୁ ଏମାନେ ପ୍ରଭାବିତ କରିପାରିନାହାନ୍ତି। କାରଣ, ଜଣେ ନିଜସ୍ବ ସମୟ ଅନୁସାରେ ଏହାକୁ ପଢ଼ିପାରେ। ବୈଦ୍ୟୁତିକ ଗଣମାଧ୍ୟମ ପରି ଏହାର କୌଣସି ସମୟ ସାରଣୀ ନାହିଁ। ଖବରକାଗଜ ସିନା ଶସ୍ତା; କିନ୍ତୁ ଏଥିରେ ପ୍ରକାଶିତ ତଥ୍ୟ ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ। ନ’ରୁ ନବେ ପର୍ଯ୍ୟନ୍ତ ସବୁ ବୟସର ପାଠକଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।
ପ୍ରଶ୍ନ ଉଠେ- ଖବର କାହାକୁ କହନ୍ତି? ସବୁ ଘଟଣା ଖବର ନୁହନ୍ତି। ଉଦାହରଣ ସୁରୂପ ପ୍ରତ୍ୟହ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି, ତାହା ଖବର ନୁହେଁ। ପ୍ରସିଦ୍ଧ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ମୃତ୍ୟୁ, ହତ୍ୟା, ଆତ୍ମହତ୍ୟା, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅସ୍ବାଭାବିକ ମୃତ୍ୟୁ ହିଁ ଖବର। ପ୍ରେମ ଖବର ନୁହେଁ, ପ୍ରତାରଣା ହିଁ ଖବର। ବିବାହ ଖବର ନୁହେଁ, ମାତ୍ର ଦାମ୍ପତ୍ୟ କଳହଜନିତ ଛାଡ଼ପତ୍ର ଓ ବିବାହର ପ୍ରାକ୍‌ ଏବଂ ପରବର୍ତ୍ତୀ ଅଘଟଣ ହିଁ ଖବର। ବୃଷ୍ଟିପାତ ଖବର ନୁହେଁ, ମାତ୍ର ଅତିବୃଷ୍ଟି କିମ୍ବା ଅନାବୃଷ୍ଟି ହିଁ ଖବର। ମୋଟାମୋଟି ଯାହା ଅସ୍ବାଭାବିକ ଓ ଅସାଧାରଣ- ତାହାହିଁ ଖବର।
କିଛିବର୍ଷ ପୂର୍ବେ ଖବରକାଗଜ ଧନୀ, ମାନୀ ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ଗରିମାର ସ୍ବାକ୍ଷର ବହନ କରୁଥିଲା। ଡାକ ଦ୍ୱାରା ଆନୀତ ଖବରକାଗଜ ଗ୍ରାମାଞ୍ଚଳରେ ଖବର ପ୍ରସାରଣର ପ୍ରମୁଖ ଉତ୍ସ ଥିଲା। କିନ୍ତୁ ସମ୍ପ୍ରତି ଏହା ଆବାଳବୃଦ୍ଧବନିତା ସମସ୍ତଙ୍କର ଦୈନନ୍ଦିନ ଆବଶ୍ୟକତାରେ ପରିଣତ ହୋଇଛି। ବିଶେଷକରି ଅବସରପ୍ରାପ୍ତ ବୟୋଜ୍ୟେଷ୍ଠଙ୍କ ପାଇଁ ଏହା ବରଦାନ ସଦୃଶ। ଏହା ନିଃସଙ୍ଗତାର ବନ୍ଧୁ ଓ ସମୟ ଅତିବାହିତ କରିବାର ଏକ ମାଧ୍ୟମ। ସକାଳେ ଚା’କପ୍‌ ସହ ସଦ୍ୟ ପେପର ଖଣ୍ଡିକ ହାତରେ ନ ଥିଲେ ଅନେକଙ୍କୁ ଚା’ ରୁଚେ ନାହିଁ। ଖବରକାଗଜ ବାର୍ଦ୍ଧକ୍ୟର ସାହାରା ଓ ମାନସିକ ଅବସାଦ ଦୂରୀକରଣର ମହୌଷଧି। ସମାଜର ପ୍ରତିବର୍ଗଙ୍କ ପାଇଁ ଖବରକାଗଜର ସ୍ବତନ୍ତ୍ର ବ୍ୟବସ୍ଥା ଅନନ୍ୟ। ଯେମିତି କୃଷକଙ୍କ ପାଇଁ କୃଷି ଓ ପାଣିପାଗ ସମ୍ବନ୍ଧୀୟ ସମାଚାର; ଗୃହିଣୀଙ୍କ ପାଇଁ ରନ୍ଧନକଳା, ଭାଗ୍ୟବାଦୀଙ୍କ ପାଇଁ ରାଶିଫଳ, କ୍ରୀଡ଼ାପ୍ରେମୀଙ୍କ ପାଇଁ ସମାଚାର, ସିନେ ଜଗତକୁ ନେଇ ସିନେପ୍ରେମୀଙ୍କ ପାଇଁ ପ୍ରସ୍ତୁତ ସମ୍ବାଦ ଇତ୍ୟାଦି। ସମ୍ପାଦକୀୟ ପୃଷ୍ଠାରେ ଲେଖକଙ୍କ ଆଲେଖ୍ୟ ସହ ସମ୍ପାଦକଙ୍କ ନିଜସ୍ବ ବୌଦ୍ଧିକ ବିଚାରସମ୍ପନ୍ନ ଲେଖା ଜନମାନସକୁ ଉତ୍‌ଫୁଲ୍ଲିତ କରେ। ସବୁଠାରୁ ଯାହା ବିଶେଷ ଭାବେ ବିଜ୍ଞ ପାଠକଙ୍କୁ ପ୍ରଭାବିତ କରେ; ତାହା ହେଉଛି ରାଜ୍ୟ, ଦେଶ ତଥା ବିଦେଶର ରାଜନୈତିକ ଘଟଣା ପ୍ରବାହ। ରବିବାରର ସ୍ବତନ୍ତ୍ର ପତ୍ରିକା ଯେଉଁଥିରେ ସୃଜନଶୀଳତା, ସାହିତ୍ୟ, ପର୍ଯ୍ୟଟନ, ବିରଳ ମଣିଷର କୃତିତ୍ୱ ଓ ନ୍ୟାୟିକ ତଥା ଧାର୍ମିକ ଉପସ୍ଥାପନା ସ୍ଥାନିତ ହୋଇ ଅଜସ୍ର ପାଠକୀୟ ଭଲପାଇବା ସାଉଁଟିଥାଏ। କୃଷି, ଉଦ୍ୟାନକୃଷି, ବିଜ୍ଞାନଭିତ୍ତିକ ଲେଖା, ଶିଶୁ ଓ ପ୍ରସୂତିଙ୍କ ପାଇଁ ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ- ବିଭିନ୍ନ ଶ୍ରେଣୀର ପାଠକଙ୍କ ପାଇଁ ଖବରକାଗଜ ତା’ର ଉପାଦେୟତାକୁ ଅଧିକ ବଳିଷ୍ଠ କରିଛି। ସରକାରୀ, ବେସରକାରୀ ବିଜ୍ଞାପନ କେବଳ ଯେ କବରକାଗଜର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୁଅନ୍ତି ତାହାନୁହେଁ- ଏହାଦ୍ୱାରା ଜନସାଧାରଣଙ୍କ ମନରେ ଏକ ଅବଗତି ସୃଷ୍ଟି କରିଥାଏ।
ପୃଥିବୀର ପ୍ରଥମ ଖବରକାଗଜ ‘ଦ ଟାଇମ୍ସ ଅଫ୍‌ ଲଣ୍ଡନ’ ୧୭୭୫ରେ ଲଣ୍ଡନଠାରେ ପ୍ରକାଶ ପାଇଥିଲା। ଭାରତର ପ୍ରଥମ ଖବରକାଗଜ ‘ଦ ବେଙ୍ଗଲ ଗେଜେଟ୍‌’ ୧୭୮୦ରେ କଲିକତାଠାରେ ଆତ୍ମପ୍ରକାଶ କରିଥିଲା। ଓଡ଼ିଶାରେ କର୍ମବୀର ଗୌରୀଶଙ୍କର ୧୮୬୫ରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’, କଟକଠାରେ ସ୍ଥାପନ କଲେ। ଓଡ଼ିଶାର ପ୍ରଥମ ଛାପା ଖବରକାଗଜ ‘ଉକତ୍ଳ ଦୀପିକା’ କର୍ମବୀରଙ୍କ ସମ୍ପାଦନାରେ ୧୮୬୬ରେ ପ୍ରକାଶ ପାଇଲା। ଏଥିରେ ନ’ ଅଙ୍କ ଦୁର୍ଭିକ୍ଷର କାରଣ ଓ ନିରାକରଣର ଖବର ପ୍ରକାଶ କରାଯାଇ ଜନଜାଗରଣର ପ୍ରୟାସ କରାଗଲା। ୧୮୬୮ରେ ‘ବାଲେଶ୍ୱର ସମ୍ବାଦ ବାହିକା’ ଉତ୍ତର ଓଡ଼ିଶାର ପ୍ରମୁଖ ଖବରକାଗଜ ଭାବେ ବାଲେଶ୍ୱରଠାରେ ମୁକ୍ତିଲାଭ କଲା। ବ୍ୟାସକବି ଫକୀରମୋହନ ଏକ ଛାପାଖାନା ସ୍ଥାପନ କରି ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଓ ପତ୍ରିକା ସମ୍ପାଦନ କରିବା ଫଳରେ ଅନେକ ଲେଖକ ସୃଷ୍ଟି ହେଲେ। ଏହି ସମୟରେ କବିବର ରାଧାନାଥ ବଙ୍ଗଳା ଛାଡ଼ି ଓଡ଼ିଆରେ ଲେଖନୀ ଚାଳନା କଲେ। ୧୮୬୯ରେ ‘ଉତ୍କଳ ହିତୈଷିଣୀ’ ଓ ‘ଉକତ୍ଳ ଦର୍ପଣ’ ନାମକ ଦୁଇଟି ଖବରକାଗଜ ବାଲେଶ୍ୱରରୁ ପ୍ରକାଶ ପାଇଲା। ଏସବୁ ଖବରକାଗଜ ତତ୍କାଳୀନ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମ୍ବାଦ ପ୍ରକାଶକରି ଉକତ୍ଳୀୟ ବୌଦ୍ଧିକ ଚେତନାର ଉନ୍ମେଷରେ ସଫଳ ହେଲା।
ଏକ ତଥ୍ୟ ଅନୁଯାୟୀ ଭାରତରେ ବର୍ତ୍ତମାନ ୯୯୪ଟି ଖବରକାଗଜ ପ୍ରକାଶିତ ହେଉଥିବା ବେଳେ ଓଡ଼ିଶାରେ ପ୍ରାୟ ୪୨ଟି ଖବରକାଗଜ ପ୍ରକାଶ ପାଉଛି। ଓଡ଼ିଶାରେ ପ୍ରତ୍ୟହ ପ୍ରାୟ ୧୦ ଲକ୍ଷ ଖବରକାଗଜ ସରବରାହ ହେଉଛି। ଓଡ଼ିଆ ବ୍ୟତୀତ ଇଂଲିଶ୍‌, ହିନ୍ଦୀ ଓ ଉର୍ଦ୍ଦୁ ଖବରକାଗଜ ମଧ୍ୟ ଓଡ଼ିଶାରେ ପ୍ରଚଳିତ ଅଛି। କିଛି ଲୋକ ଅଛନ୍ତି, ଯେଉଁମାନେ ଖାଦ୍ୟ ଗ୍ରହଣ ନ କରି ଉପବାସରେ ରହିଯାଇପାରନ୍ତି; ମାତ୍ର ସଦ୍ୟ ଖବରକାଗଜ ଉପରେ ଆଖି ନ ପକାଇ ଶାନ୍ତିରେ ରହିପାରିବେ ନାହିଁ। ଜ୍ଞାନ ଅର୍ଜନ ସହ ସାମ୍ପ୍ରତିକ ଘଟଣାବଳୀ ସହ ପରିଚିତ ହେବାରେ ଖବରକାଗଜର ଅବଦାନ ଅନସ୍ବୀକାର୍ଯ୍ୟ। ଏହାହିଁ ତ ଖବରକାଗଜକୁ ଦେଇଛି ଅନବଦ୍ୟ ଜନପ୍ରିୟତା।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?