ଜୈବିକ କୃଷି ଓ ପାରଜିନୀୟ ଫସଲ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ସ୍ୱାଧୀନତା ପ୍ରାପ୍ତି ପରେ ପ୍ରାୟ ଦୁଇ ଦଶନ୍ଧି ଧରି ଆମ ଦେଶ କ୍ଷୁଧା ସହିତ ସଂଗ୍ରାମ ଚଳାଇ ଆସିଥିଲା ଆମେରିକା ବା ମେକ୍ସିକୋରୁ ଆମଦାନୀ ହେଉଥିବା ଗହମର ସହାୟତାରେ। ତେବେ କୃଷି ବିଜ୍ଞାନୀ ଏମ୍‌.ଏସ୍‌. ସ୍ବାମୀନାଥନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ସବୁଜ ବିପ୍ଲବ’ ଏ ସମସ୍ୟାକୁ ଧୀରେ ଧୀରେ ପ୍ରଶମିତ କରିବାକୁ ଲାଗିଲା ଏବଂ ଆମେ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେଲୁ। ଏହି ପ୍ରକ୍ରିୟାର ତିନୋଟି ପ୍ରଧାନ ବାହକ ଥିଲେ ରାସାୟନିକ ସାର ଓ କୀଟନାଶକ ଏବଂ ଅଧିକ ଅମଳକ୍ଷମ ସଙ୍କର ବିହନ। ଏହି ତିନୋଟି ଯାକ ଏବେ ପରିବେଶ ଓ ପରିସଂସ୍ଥା ପ୍ରତି ଘାତକ ସାବ୍ୟସ୍ତ ହୋଇଛନ୍ତି। ଏପରି କି ମୃତ୍ତିକା ଏବଂ ଜନସ୍ଥାସ୍ଥ୍ୟ ମଧ୍ୟ ଏହାଦ୍ୱାରା ନକାରାତ୍ମକ ଭାବେ ପ୍ରଭାବିତ।
ସେଥିପାଇଁ ବର୍ତ୍ତମାନ ମତ ପ୍ରକାଶ ପାଉଛି ‘ଜୈବିକ କୃଷି’ ଅବଲମ୍ବନ ଲାଗି। ଅନ୍ୟପକ୍ଷରେ ପ୍ରଚଳିତ ‘ରାସାୟନିକ କୃଷି’ ବା ‘ସଘନ କୃଷି’ ରୂପୀ ‘ବାଘପିଠିରୁ’ ହଠାତ୍‌ ଅବତରଣ ଆମ ଖାଦ୍ୟ ନିରାପତ୍ତାକୁ ଯେ ଗଭୀର ଭାବେ ପ୍ରଭାବିତ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ।
ଫସଲ ଆବର୍ତ୍ତନ, ସବୁଜ ଖତ ଓ କମ୍ପୋଷ୍ଟ ଏବଂ ଜୈବିକ ରୋଗ କୀଟ ନିବାରକର ଉପଯୋଗ ଉପରେ ଜୈବିକ କୃଷି ପ୍ରତିଷ୍ଠିତ। ଏଥିରେ ବ୍ୟବହୃତ ସାର ଓ କୀଟାଣୁ ନାଶକ ପ୍ରାକୃତିକ ପଦାର୍ଥମାନଙ୍କରୁ ଉତ୍ପନ୍ନ କରାଯାଏ। ଅତଏବ ଏହାର ଜାଗତିକ ଉଷ୍ମତା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ମାପକାଠି ‘ଅଙ୍ଗାରକ ପଦଚିହ୍ନ’ କମ୍‌ ଏବଂ ଏହା ମୃତ୍ତିକା ସଂରକ୍ଷଣ କରିବା ସହିତ ତାହାର ମାନବୃଦ୍ଧି କରେ, ପ୍ରାକୃତିକ ପରିସଂସ୍ଥାକୁ ପୁନଃ ସମୃଦ୍ଧ କରିବା ମାଧ୍ୟମରେ ଜଳ ଓ ବାୟୁକୁ ପ୍ରଦୂଷଣମୁକ୍ତ କରେ ଏବଂ ଆମ ସ୍ବାସ୍ଥ୍ୟକୁ ସୁରକ୍ଷା ଦିଏ। ପୁନଶ୍ଚ ଏଥିରୁ ଉତ୍ପାଦିତ ଖାଦ୍ୟ ପଦାର୍ଥରେ କୀଟନାଶକର ଅବଶେଷମାନ ନ ଥାଏ, ଜୈବ ବିଭିନ୍ନତା ପାଇଁ ମଧ୍ୟ ଏହା ହିତକର। ଏକ ଆକଳନ ଅନୁସାରେ ଏହା ଦ୍ୱାରା ସ୍ଥାନୀୟ ପ୍ରଜାତିଗୁଡିକର ୩୪ ଶତାଂଶ ଏବଂ ସେମାନଙ୍କ ସଂଖ୍ୟାର ୫୦ ଶତାଂଶ ପର୍ଯ୍ୟନ୍ତ ସମୃଦ୍ଧି ଘଟେ।
ଅନ୍ୟପକ୍ଷରେ, ଜୈବିକ କୃଷିର ସବୁଠାରୁ ବଡ଼ ଦୁର୍ବଳତା ହେଲା ଉତ୍ପାଦନର ସ୍ବଳ୍ପତା। ସଘନ କୃଷି ତୁଳନାରେ ସାଧାରଣ ଭାବେ ଏଥିରେ ତାହା ୨୫ ଶତାଂଶ କମ୍‌ ବୋଲି ଆକଳନ କରାଯାଇଛି। ପୁନଶ୍ଚ ଏଥିପାଇଁ ଆବଶ୍ୟକ ଅଧିକ ଚାଷଜମି, ଯାହାର ମୁଣ୍ଡପିଛା ଲଭ୍ୟତା ସଙ୍କୁଚିତ ହୋଇଚାଲିଛି। ଏଣୁ ଏହା ବଢ଼ି ବଢ଼ି ଚାଲିଲେ ହୁଏତ ସେଥିପାଇଁ ଜଙ୍ଗଲ ଜମିକୁ ଚାଷଜମିରେ ପରିଣତ କରିବା ଆବଶ୍ୟକ ପଡିପାରେ।
ଫଳରେ ପ୍ରାକୃତିକ ବାସସ୍ଥଳୀର ଅବକ୍ଷୟ ଘଟି ବିଭିନ୍ନ ଜୀବଙ୍କର ବଂଶହାନି ଏବଂ ଜୈବ ବିବିଧତାର ଅପଚୟ ଘଟିପାରେ। ପୁନଶ୍ଚ ଏଥିରେ ଆୟ ମଧ୍ୟ ସଘନ କୃଷି ତୁଳନାରେ ୪୦ ପ୍ରତିଶତ କମ୍‌। ପୁନଶ୍ଚ ଏହାଫଳରେ ଉତ୍ପାଦିତ ପଦାର୍ଥର ଦାମ୍‌ ଅଧିକ ହେବାରୁ ନିମ୍ନ ଆୟକାରୀ ବର୍ଗଙ୍କ ଅପହଞ୍ଚ ହେବ। ଅନ୍ୟପକ୍ଷରେ, ଜୈବିକ କୃଷି ପାଇଁ ଆବଶ୍ୟକ ହୁଏ ଉଚ୍ଚମାନର ଖତ ବା ଜୈବସାର। ଏହାର ମୁଖ୍ୟ ଉତ୍ସ ହେଲା ଗୋପାଳନ, ଯାହା କି ପ୍ରଚୁର ମିଥେନ ଓ ନାଇଟ୍ରସ୍‌ ଅକ୍‌ସାଇଡ ଭଳି ସବୁଜ ଗୃହବାଷ୍ପ ନିର୍ଗମନକାରୀ।
ଗତବର୍ଷ ଆନ୍ତର୍ଜାତିକ ସ୍ତରରେ ଆମକୁ କ୍ଷୁଧା ମାନାଙ୍କରେ ୧୧୨ଟି ଦେଶ ମଧ୍ୟରେ ୧୦୭ତମ ସ୍ଥାନ ମିଳିଛି। ଏଣୁ ହଠାତ୍‌ ସଘନ କୃଷିକୁ ବିଦାୟ ଦେଲେ ଉତ୍ପାଦନ ହ୍ରାସ ସଙ୍ଗେ ସଙ୍ଗେ ଏ ସମସ୍ୟା ବ୍ୟାପକ ହେବ। ଏସବୁ ଦୃଷ୍ଟିରୁ ବିଚାର କଲେ ଅନ୍ତତଃ ବର୍ତ୍ତମାନ ପାଇଁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ଦୃଷ୍ଟିରୁ କେବଳ ଆମ ଦେଶ କାହିଁକି ସମସ୍ତ ବିକାଶଶୀଳ ଦେଶଗୁଡିକ ପକ୍ଷେ ଜୈବିକ କୃଷି ଗ୍ରହଣୀୟ ହୋଇ ନ ପାରେ। ନିକଟ ଅତୀତରେ ହଠାତ୍‌ ଜୈବିକ କୃଷିକୁ ଆପଣାଇଥିବା ଶ୍ରୀଲଙ୍କାରେ ଘଟିଥିବା ଅର୍ଥନୈତିକ ବିପର୍ଯ୍ୟୟ ଏଠାରେ ସୂଚନାଯୋଗ୍ୟ। ପ୍ରାୟ ବର୍ଷେ ଦୁଇବର୍ଷ ତଳେ ସେଠାର ସରକାର ରାସାୟନିକ ସାର ଏବଂ କୀଟାଣୁ ନାଶକର ଆମଦାନୀ ବନ୍ଦ କରିଦେଲେ। ଚାଷରେ ବ୍ୟବହୃତ ହେଲା ସ୍ଥାନୀୟ ଭାବେ ପ୍ରସ୍ତୁତ ବିବିଧ ଜୈବସାର। ଫଳରେ ଫସଲ ଉତ୍ପାଦନ ହ୍ରାସ ପାଇଗଲା। ଉଦାହରଣସ୍ବରୂପ, ୨୦୨୧-୨୨ରେ ଧାନ ୫୦ ଶତାଂଶ ଏବଂ ମକା ୭୦ ଶତାଂଶ କମ୍‌ ଉତ୍ପାଦିତ ହେଲା। ଅତଏବ ଦେଶ ଘୋର ଖାଦ୍ୟାଭାବର ସମ୍ମୁଖୀନ ହେଲା, ତେଣୁ ଏହା ୨୦୨୨ ଜୁନ୍‌ରେ ଭାରତରୁ ୫୫ ନିୟୁତ ଡଲାର ମୂଲ୍ୟର ୟୁରିଆ ସାର କିଣିବାକୁ ବାଧ୍ୟ ହେଲା। ଏପରିସ୍ଥଳେ ହଠାତ୍‌ ସଘନ କୃଷିରୁ ଜୈବିକ କୃଷିକୁ ଲମ୍ଫ ଦେବା ଆମ ଦେଶର ଜନସଂଖ୍ୟ ଦୃଷ୍ଟିରୁ ଅଧିକ ବିପଜ୍ଜନକ ହେବ। ଅନେକଙ୍କ ମତରେ ପାରଜିନୀୟ ଫସଲ ହୁଏତଃ ଏଥିପାଇଁ ଉପଯୁକ୍ତ ହୋଇପାରିବ।
ବିଗତ ୨/୩ ଦଶନ୍ଧି ହେଲା ଜିନୀୟ ପରିବର୍ତ୍ତନ ମାଧ୍ୟମରେ ନୂତନ ଚରିତ୍ରଯୁକ୍ତ ଜୀବମାନ ସୃଷ୍ଟି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଗୋଟିଏ ପ୍ରଜାତିର ଜିନ୍‌କୁ ଆଉ ଗୋଟିଏ ପ୍ରଜାତିଠାରେ ପ୍ରତିରୋପଣ କରାଯାଉଛି। ପାରଜିନୀୟ ଫସଲ ଏହାର ଏକ ଅଂଶ। ଜିନୀୟବିଜ୍ଞାନୀମାନେ ଏଥିମଧ୍ୟରେ ଆଗାମୀକାଲି ପାଇଁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତାର ସମ୍ଭାବନା ଦେଖିଲା ବେଳେ କେତେକ ପରିବେଶବିତ୍‌ ଏହାଦ୍ୱାରା ପରିବେଶ, ପରିସଂସ୍ଥା ଏବଂ ଜନସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ ବୋଲି ଯୁକ୍ତି ବାଢ଼ୁଛନ୍ତି। ଫଳରେ ଏ କ୍ଷେତ୍ରରେ ଗବେଷଣା ବାଧାପ୍ରାପ୍ତ ହେଉଛି। ତଥାପି ଇତିମଧ୍ୟରେ ପାରଜିନୀୟ ଫସଲ ଅନେକ ଦେଶର ଚାଷୀମାନଙ୍କ ଦ୍ୱାରା ଗୃହୀତ ହେଲାଣି। ୨୦୧୫ର ଏକ ଆକଳନ ଅନୁସାରେ ଏ କ୍ଷେତ୍ରରେ ଅଗ୍ରଣୀ ଦେଶଗୁଡ଼ିକ ଥିଲେ ବ୍ରାଜିଲ୍‌, ଆର୍ଜେଣ୍ଟିନା, ଭାରତ, କାନାଡ଼ା ଏବଂ ଚାଇନା। ଏଠାରେ ଯଥାକ୍ରମେ ୭୦.୯ ନିୟୁତ, ୪୪.୨ ନିୟୁତ, ୨୪.୫ ନିୟୁତ, ୧୧.୬ ନିୟୁତ ଏବଂ ୭.୬ ନିୟୁତ ହେକ୍ଟର ଜମିରେ ଏହା ଚାଷ କରାଯାଉଥିଲା, ଯାହାକି ଏବେ ବୃଦ୍ଧିପ୍ରାପ୍ତ ହୋଇସାରିବଣି। ଏହି ଫସଲଗୁଡ଼ିକ ମଧ୍ୟରେ ମୁଖ୍ୟ ଥିଲା କପା, ମକା, ସୋୟାବିନ, ଆଖୁ, ଆଳୁ ଇତ୍ୟାଦି। ଏହା ବ୍ୟତୀତ ଲୌହ, ଭିଟାମିନ୍‌-ଏ ତଥା ଅନ୍ୟାନ୍ୟ ପୌଷ୍ଟିକରେ ସମୃଦ୍ଧ ଧାନ ଓ ଗହମର କ୍ଷେତ ପରୀକ୍ଷା ଏବେ ଅଗ୍ରଗତି କରିଚାଲିଛି। ପୁନଶ୍ଚ ୨୦୧୮ରୁ ୨୦୨୦ ମଧ୍ୟରେ ମିଶର, ଅଷ୍ଟ୍ରେଲିଆ, ଜର୍ମାନୀ, ପର୍ତ୍ତୁଗାଲ ଆଦି ଦେଶ ମଧ୍ୟ ଏହା ଆପଣାଇଛନ୍ତି। ଆମ ଦେଶରେ ପାରଜିନୀୟ କପା(ବିଟି-କପା) ବ୍ୟାପକ ଗ୍ରହଣୀୟ ହେଲା ପରେ ଏବେ ଅଧିକ ତୈଳଯୁକ୍ତ ଡିଏମ୍‌ଏଚ୍‌-୧୧ ସୋରିଷକୁ ଚାଷ ପାଇଁ ଅନୁମତି ମିଳିଛି ଏବଂ ଖୁବ୍‌ ନିକଟରେ ବିଟି-ବାଇଗଣକୁ ତାହା ମିଳିଯିବ ବୋଲି ଆଶା କରାଯାଏ।
ବହୁ କୃଷି ବିଜ୍ଞାନୀ ମନେକରନ୍ତି ୨୦୫୦ ସୁଦ୍ଧା ସଘନ କୃଷି କବଳରୁ ପରିବେଶ, ପରିସଂସ୍ଥା ଏବଂ ଜନସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ବିଶ୍ୱରୁ ଖାଦ୍ୟ ଓ ପୁଷ୍ଟି ସଙ୍କଟ ଦୂର ଲାଗି ପାରଜିନୀୟ ଫସଲ ଏକମାତ୍ର ଅବଲମ୍ବନ ହୋଇପାରିବ। କାରଣ ଏହାର ଉପାଦେୟତା ରୋଗକୀଟ ପ୍ରତିରୋଧ ବା କଠୋର ପରିବେଶ ଅବସ୍ଥା ସହ୍ୟ କରିବା ମଧ୍ୟରେ ସୀମିତ ରହିବ ନାହିଁ। ତାହା ଅଧିକ ଉତ୍ପାଦନକ୍ଷମ, ପୁଷ୍ଟିକର ଏବଂ ଶସ୍ତାହେବା ସଙ୍ଗେ ସଙ୍ଗେ କମ୍‌ ଚାଷଜମି ଆବଶ୍ୟକ କରିବ। ଏଣୁ ଜୈବିକ କୃଷିକୁ ଆବଶ୍ୟକ ଗୁରୁତ୍ୱ ଦେବା ସହିତ ଭାରତ ଭଳି ଜନବହୁଳ ଦେଶରେ ପାରଜିନୀୟ ଫସଲ ପ୍ରତି ଧ୍ୟାନ ଦିଆଯିବା ଉଚିତ। ଅବଶ୍ୟ ଏହାର କେତେକ ତ୍ରୁଟି ରହିଛି। ତେବେ ସେଗୁଡ଼ିକ ସୁଧାରିବା ପାଇଁ ଏବଂ ତାହାକୁ ଉନ୍ନତ କରିବା ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?