ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଟିଆ ସୀମାନ୍ତ ନେରିଡିବାଲସା ଗ୍ରାମବାସୀ ଓଡ଼ିଶା ପ୍ରଶାସନ ଗୋ ବେକ ସ୍ଲୋଗାନ ଦେଇ ବିରୋଧ କରୁଥିବା ବେଳେ ଦୁଇ ରାଜ୍ୟ ପୋଲିସ ମୁହାଁମୁହିଁ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ଆନ୍ଧ୍ରରୁ ଆସିଥିବା ଏକ ଚାଉଳ ବୋଝେଇ ଟ୍ରକକୁ ଓଡ଼ିଶା ପୋଲିସ ଅଟକାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।
ମଙ୍ଗଳବାର ଗାଁରେ ମୁତୟନ ହୋଇଥିବା ପୋଲିସକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏପରକି ଗ୍ରାମବାସୀ ଏକତ୍ରିତ ହୋଇ ଅଞ୍ଚଳରୁ ପୋଲିସ ହଟାଯାଉ କହି ଓଡ଼ିଶା ପ୍ରଶାସନ ଗୋ ବେକ୍ ସ୍ଲୋଗାନ ଦେଇଛନ୍ତି।
ଖବର ପାଇ କୋଟିଆ ପଞ୍ଚାୟତର ନୋଡ଼ାଲ ଅଧିକାରୀ ତଥା ଉପଜିଲାପାଳ ଫାବି ରସିଦ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ସ୍ବତନ୍ତ୍ର ଅଧିକାରୀ ସୌରଭ କାନ୍ତ ଦାସ ପ୍ରମୁଖ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଗ୍ରାମବାସୀ କୌଣସି କଥା ଶୁଣିବାକୁ ମନା କରିଦେଇଛନ୍ତି। ଏପରକି ତୁରନ୍ତ ମୁତୟନ ପୋଲିସ ହଟାଇବାକୁ ଦାବି କରିଛନ୍ତି। ଅନ୍ୟପକ୍ଷେ କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ପ୍ରମୁଖ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।
Dharitri – Odisha’s No.1 Odia Daily

