ନୂଆଦିଲ୍ଲୀ, ୩।୧୧: ଦୀର୍ଘ ୪ ବର୍ଷ ପରେ ଟିମ ଇଣ୍ଡିଆକୁ କମ୍ବ୍ୟାକ କରିଥିଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଆଇ ସିରିଜ ପାଇଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଅଭିଜ୍ଞ ବୋଲର ଭୁବନେଶ୍ୱରଙ୍କୁ ଆଇପିଏଲର ଗତ ଦୁଇଟି ସିଜିନରେ ଭଲ ପ୍ରଦର୍ଶନ ଆଧାରରେ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା। କିନ୍ତୁ ଏହି ସୁଯୋଗର ସଦୁପଯୋଗ କରିପାରିନାହାନ୍ତି ଭୁବି। ୪ଟି ମ୍ୟାଚରେ ମାତ୍ର ଗୋଟିଏ ଉଇକେଟ୍ନେବାରେ ସେ ସଫଳ ହୋଇଛନ୍ତି।
ପୂର୍ବତନ ଭାରତୀୟ କ୍ରିକେଟର ଆର୍ ଅଶ୍ୱିନଙ୍କ ମତରେ, ଭୁବନେଶ୍ୱର ଟିମ ଇଣ୍ଡିଆରୁ ପୁଣିଥରେ ବାଦ ପଡ଼ିପାରନ୍ତି। ଏପରିକି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟକୁ କମ୍ବ୍ୟାକ ଅଧ୍ୟାୟ ହୁଏତ ଶେଷ ହୋଇଯାଇଛି। ନିଜ ୟୁଟ୍ୟୁବ ଚ୍ୟାନେଲରେ ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ ଓ ପ୍ରଦର୍ଶନକୁ ନେଇ ମତ ରଖିଛନ୍ତି ଅଶ୍ୱିନ। ଭୁବିଙ୍କ ବୋଲିଂରେ ସେ ଆଦୌ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି।
ଅଶ୍ୱିନ କହିଛନ୍ତି, ଭୁବନେଶ୍ୱର କୁମାର ସେତେଟା ଭଲ ବୋଲିଂ କରିନାହାନ୍ତି। ସେ ନିଜ ଫର୍ମ ଦେଖାଇବାରେ ବିଫଳ ହୋଇଛନ୍ତି। ଆଇପିଏଲରେ ତାଙ୍କ ଫର୍ମ ଏବଂ ଏହି ସିରିଜର ପ୍ରଦର୍ଶନ ମଧ୍ୟରେ ଆକାଶ-ପାତାଳ ଫରକ ରହିଛି। ମୋତେ ଲାଗୁଛି, ତାଙ୍କର ସେହି ଅଧ୍ୟାୟ ବୋଧହୁଏ ଶେଷ ହୋଇଗଲାଣି। ଏହା ତାଙ୍କ ପାଇଁ ଏକ କଠିନ ସମୟ। ସେ ଏବେ କିପରି ପ୍ରତ୍ୟାବର୍ତ୍ତନ କରିବେ?
ଏହା ସହ ଅଶ୍ୱିନ ଆହୁରି କହିଛନ୍ତି, ପ୍ରଦର୍ଶନ ଏବଂ ଅତିରିକ୍ତ ରନକୁ ଅଲଗା ରଖନ୍ତୁ। ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା। ଆଇପିଏଲରେ ସେ ଯେଉଁଭଳି ବୋଲିଂ କରୁଥିଲେ, ଏଠାରେ ସେଭଳି ବୋଲିଂ କରିପାରିନାହାନ୍ତି। ତାଙ୍କ ରନଅପ୍ରେ ଗତି ନଥିଲା ଏବଂ ବୋଲିଂ ମଧ୍ୟ ଧୀର ଥିଲା। ଏଥିରୁ ଜଣାପଡ଼ୁଛି ଯେ ସେ ନିଜର ସର୍ବୋତ୍ତମ ଟ୍ରେନିଂ ଫର୍ମରେ ନଥିଲେ। ଆଗକୁ ମଧ୍ୟ କ’ଣ ଏଭଳି ସ୍ଥିତି ରହିବ? ଯଦି ଆପଣ ଜଣେ ନୂଆ ଖେଳାଳି, ତେବେ ଆପଣଙ୍କୁ ୧୦ଟି ସୁଯୋଗ ମିଳିବ। କିନ୍ତୁ ଜଣେ ଅଭିଜ୍ଞ ଖେଳାଳିଙ୍କ କ୍ଷେତ୍ରରେ ଏପରି ହୁଏ ନାହିଁ।
୨୦୨୨ରେ ଭୁବନେଶ୍ୱର କୁମାରଙ୍କୁ ଟିମ ଇଣ୍ଡିଆରୁ ବାଦ ଦିଆଯାଇଥିଲା। ଏହା ପରେ ୨୦୨୬ରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଦଳରେ ସୁଯୋଗ ମିଳିଥିଲା। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ତାଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ ବାତିଲ ହୋଇଯିବାରୁ ସେ ବୋଲିଂ କରିବାର ସୁଯୋଗ ପାଇନଥିଲେ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ସିଧାସଳଖ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ତାଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଆଇ ସିରିଜରେ ଭୁବନେଶ୍ୱର କୁମାର ମୋଟ ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ଉଇକେଟ୍ ହାସଲ କରିଥିଲେ। ଏହି ସମୟରେ ସେ ୧୧.୨୫ ଇକୋନୋମି ରେଟ୍ରେ ୧୮୦ ରନ ବ୍ୟୟ କରିଥିଲେ। ଅନ୍ୟ ଭାରତୀୟ ବୋଲରଙ୍କ ତୁଳନାରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ଏହି କାରଣରୁ ଆର୍ ଅଶ୍ୱିନଙ୍କ ସମେତ ଅନେକ କ୍ରିକେଟ ପ୍ରେମୀଙ୍କ ମନରେ ଏବେ ପ୍ରଶ୍ନ ଉଠିଛି ଯେ, ଭୁବନେଶ୍ୱର କୁମାର ପୁଣିଥରେ ଟି-୨୦ ଦଳରୁ ବାଦ୍ ପଡ଼ିବେ କି? ଏବେ ତାଙ୍କର ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା କେତେ ଦୂର ସମ୍ଭବ, ତାହା ଦେଖିବାକୁ ବାକି ରହିଲା।

