ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ମଲ୍ଟିଷ୍ଟାରର୍ ପାନ-ୱାଲର୍ଡ ଫିଲ୍ମ ୧୦୦ରୁ ଅଧିକ ଦେଶ ଏବଂ ୪୦ରୁ ଅଧିକ ଭାଷାରେ ରିଲିଜ ହେବାକୁ ଯୋଜନା ରହିଛି। ଦୁଇଟି ଭାଗରେ ଆସିବାକୁ ଥିବା ଏହି ଫିଲ୍ମର ପ୍ରଥମ ଭାଗ ୨୦୨୬ ଦୀପାବଳି ଏବଂ ଦ୍ୱିତୀୟ ଭାଗ ୨୦୨୮ ଦୀପାବଳିରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।
ଫିଲ୍ମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ରାବଣ ଭୂମିକାରେ ନଜର ଆସିବେ। ତାଙ୍କ ଲୁକ୍ଠାରୁ ଆରମ୍ଭ କରି ସଂଳାପ ପର୍ଯ୍ୟନ୍ତ ସବୁକିଛିକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍ ଧରିଛି। ଫିଲ୍ମ ସମ୍ପର୍କରେ ନିଜ ମତ ରଖି ୟଶ କହିଛନ୍ତି, ବିଶ୍ୱକୁ ଭାରତୀୟ ସିନେମାର ପ୍ରକୃତ ଶକ୍ତି ଦେଖାଇବାର ସମୟ ଆସିଛି। ରାମାୟଣର ବ୍ୟାଖ୍ୟା ଭିନ୍ନ ଭିନ୍ନ ରାଜ୍ୟ ଏବଂ ଭାଷାରେ ଅଲଗା ଅଲଗା ଭାବେ କରାଯାଇଥାଏ। ଆମ ସଂସ୍କୃତିର ବିଶେଷତ୍ୱ ହେଉଛି, ପ୍ରତ୍ୟେକ ବ୍ୟକ୍ତି ନିଜ ଦୃଷ୍ଟିକୋଣରୁ କାହାଣୀକୁ ବୁଝିଥାନ୍ତି। ରାବଣଙ୍କ ଦୃଷ୍ଟିକୋଣରୁ ମଧ୍ୟ ଏହି କାହାଣୀକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେଣୁ ଏହାର କାହାଣୀ ସମସ୍ତଙ୍କ ସହ ଯୋଡ଼ି ହୋଇପାରିବ। ଜୀବନରେ କୌଣସି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ପରିଶ୍ରମ ଓ ନିଷ୍ଠାର ସହ କାମ କରିଥାଉ। ଲକ୍ଷ୍ୟ ହାସଲ ପରେ ଆମେ ଶକ୍ତିଶାଳୀ ହୋଇଯାଉ। କିନ୍ତୁ ସେହି ସଫଳତା ଓ ଶକ୍ତିକୁ ଠିକ ଭାବେ ବଜାୟ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
ରାବଣଙ୍କ ଚରିତ୍ର ସମ୍ପର୍କରେ ୟଶ କହିଛନ୍ତି, ସେ ଜଣେ ମହାନ ଜ୍ଞାନୀ, ସଙ୍ଗୀତଜ୍ଞ ଏବଂ ଯୋଦ୍ଧା ଥିଲେ। ଏତେ ଗୁଣ ଥିବା ସତ୍ତ୍ୱେ ତାଙ୍କ ଜୀବନରେ ଏପରି କିଛି ପରିସ୍ଥିତି ଓ କାରଣ ଆସିଥିଲା, ଯାହା ତାଙ୍କୁ ଭୁଲ ନିଷ୍ପତ୍ତି ନେବାକୁ ପ୍ରେରିତ କରିଥିଲା। ଫିଲ୍ମରେ ଏହି ଦିଗକୁ ସୁନ୍ଦର ଭାବେ ଦେଖାଇବାକୁ ଚେଷ୍ଟା କରାଯାଇଛି।
ଦର୍ଶକ ନିଜକୁ ରାମଙ୍କ ସହ ଯେପରି ଯୋଡ଼ିପାରିବେ, ସେହିପରି ରାବଣଙ୍କ ଚରିତ୍ର ସହ ମଧ୍ୟ ନିଜକୁ ସମ୍ପର୍କିତ କରିପାରିବେ। କିନ୍ତୁ କଠିନ ପରିସ୍ଥିତିରେ ରାମ କିପରି ନିଷ୍ପତ୍ତି ନେଇଥିଲେ ଏବଂ ସେଗୁଡ଼ିକର ସମ୍ମୁଖୀନ ହୋଇଥିଲେ, ତାହା ଦେଖାଇବା ପାଇଁ ରାବଣଙ୍କ ଚରିତ୍ର ମଧ୍ୟ ଜରୁରୀ ବୋଲି ୟଶ ମତ ଦେଇଛନ୍ତି।
ନମିତ ମଲହୋତ୍ରା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ପ୍ରାୟ ୫ରୁ ୬ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଉଛି। ନିର୍ଦ୍ଦେଶକ ନିତେଶ ତିୱାରୀ ପୂର୍ବରୁ ‘ଦଙ୍ଗଲ’ ଭଳି ସଫଳ ଫିଲ୍ମ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏବେ ‘ରାମାୟଣ’ ଜରିଆରେ ସେ ନିଜର ପୂର୍ବ ରେକର୍ଡକୁ ଅତିକ୍ରମ କରିବା ଲକ୍ଷ୍ୟରେ ଥିବା ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily

