Posted inଫୁରସତ

ଅପରେଶନ ସକ୍ସେସ୍‌ଫୁଲ୍‌ ବଟ୍‌ ପେସେଣ୍ଟ ଡେଡ୍‌

ରାଜରାସ୍ତା ଚଉଡ଼ା ପାଇଁ ଆମ ଗାଁ ମୁଣ୍ଡ ତାରିଣୀ ମନ୍ଦିର ଓ ତା’ ସଂଲଗ୍ନ ଚଉତରାକୁ ମାଟିରେ ମିଶେଇ ସରକାର ଏବେ ସେଠାରେ ଏକ ସୁଦୃଶ୍ୟ ଭବ୍ୟ ପଥପ୍ରାନ୍ତ ସୁଲଭ ଶୌଚାଳୟଟିଏ ତିଆରି କରିଛନ୍ତି । ଏହି ଶୌଚାଳୟ ତିଆରି ହେଉଥିବା ସମୟରେ ଅନେକ ଥର ସେହି ବାଟ ଦେଇ ମୁଁ ଯାଇଛି । ଏକ ବଙ୍ଗଳାର ଭ୍ରମ ସୃଷ୍ଟି କରୁଥିବା ସେହି ଅର୍ଦ୍ଧନିର୍ମିତ ଘର ଯେତେବେଳେ ତିଆରି ସରି ନାମଫଳକ ଲାଗିଲା ସେତେବେଳେ ଜାଣିଲି ଏହା କୌଣସି ଡାକବଙ୍ଗଳା ନୁହେଁ ସୁଲଭ ଶୌଚାଳୟ । ପାଖରେ ଥିଲା ଏକ ବିରାଟ ବସ୍ତି ଓ ଜାତୀୟ ରାଜପଥ । ସହରର ଖାଲି ପଡ଼ିଆ ସବୁ କୋଠାବାଡ଼ିରେ ପୂର୍ଣ୍ଣ ହୋଇଗଲା ପରେ ବାସହୀନ ପାଇଁ ସବୁଠୁ ବଡ଼ ସମସ୍ୟା ହେଲା ନିତ୍ୟକର୍ମ ପାଇଁ ଜାଗା। ସେ ଯାହାହେଉ ଶୌଚାଳୟ ଏମାନଙ୍କ ଏହି ସମସ୍ୟା ଦୂର କରିବା ସହ ଅନେକ ପଥଚାରୀଙ୍କ ଆକସ୍ମିକ ଜରୁରୀ ଆବଶ୍ୟକତା ମଧ୍ୟ ପୂର୍ଣ୍ଣ କରିବ। ମଣିଷ ପଛେ ଫୁଟ୍‌ପାଥରେ ଶୋଉ କିନ୍ତୁ ନିତ୍ୟକର୍ମ ଯେ ଦାମୀ ମାର୍ବଲ ଓ ଟାଇଲ ଖଚିତ ଶୌଚାଳୟରେ କରୁଛି ତାହା ତା’ ପାଇଁ ଏକ ସୁଖଦ ଆଶ୍ୱାସନା। ମୁହଁ ଅନ୍ଧାରରୁ ଉଠି ନିତ୍ୟକର୍ମ ପାଇଁ ଜାଗା ଖୋଜିବା ଅପେକ୍ଷା ସ୍ବଳ୍ପ ମୂଲ୍ୟ ଦେଇ ବିତ୍ତବାନ୍‌ସମ ଶୌଚାଳୟରେ ଶୌଚ ହେବା ଗରିବ ଲୋକଟି ପାଇଁ ବିଳାସ ନୁହେଁ ତ ଆଉ କ’ଣ !

କିଛିଦିନ ପୂର୍ବେ ଥରେ ରିକ୍ସାରେ ଯାଉଥିବା ବେଳେ ଚାଳକ କହିଲା,” ବାବୁ କି ଯୁଗ ହେଲାଣି କେଉଁଠି ଇଞ୍ଚେ ଖାଲି ଜାଗା ମିଳୁନି । ମଣିଷକୁ ଟିକେ ପରିସ୍ରା କରିବାକୁ ବି ଜାଗା ଛାଡୁନାହାନ୍ତି ।“ ମୁଁ କହିଲି-‘କାହିଁ ସରକାର ପରା ପ୍ରତି ଛକରେ ସୁଲଭ ଶୌଚାଳୟ କରିଛନ୍ତି ।’ ମୋ କଥା ଶୁଣି ରିକ୍ସାଚାଳକ ଚୁପ୍‌ ରହିଲା । ବୋଧେ ଭାବୁଥିବ କୋଡିଏ ଟଙ୍କା ଦେଇ ପାଣି ବୋତଲେ କିଣୁଥିବା ଲୋକଙ୍କ ପାଇଁ ହୁଏତ ପାଞ୍ଚ ଟଙ୍କା ଦେଇ ପରିସ୍ରା କରିବା ସ୍ବାଭାବିକ ହୋଇଥାଇପାରେ । ହେଲେ ଆମ ପାଇଁ !!
ସେ ଯାହାହେଉ ଦିନେ ଫେରିବା ବାଟରେ ଦେଖିଲି ନୂତନ ଶୌଚାଳୟକୁ ଫୁଲରେ ସଜା ଯାଉଛି । ପାଖରେ ଏକ ବିରାଟ ଚାନ୍ଦୁଆ ଟଣାଯାଇଛି । ଶୁଣୁ ଶୁଣୁ କଥା କ’ଣ କି ଆଜି ମନ୍ତ୍ରୀ ଆସିବେ ଏହି ନୂତନ ଶୌଚାଳୟ ଉଦ୍‌ଘାଟନ କରିବାକୁ । ମନ୍ତ୍ରୀଙ୍କୁ ଖଣ୍ଡେ ଦୂରରୁ ପାଛୋଟି ଆଣିବାକୁ ବ୍ୟାଣ୍ଡ ବାଜାର ଆୟୋଜନ ହୋଇଥାଏ । ଦର୍ଶକଙ୍କ ପାଇଁ ପୁଡ଼ିଆ ବ୍ୟବସ୍ଥା ହୋଇଥାଏ । ବିଳମ୍ବରେ ହେଲେ ମଧ୍ୟ ମନ୍ତ୍ରୀ ତାନ୍‌ଝାନ୍‌ରେ ଆସି ସଭା ସ୍ଥଳରେ ପହଞ୍ଚିଲେ । କେଉଁ ଆଦିମ କାଳରୁ ନଦୀବନ୍ଧକୁ ନିତ୍ୟକର୍ମ ସ୍ଥଳ ଭାବେ ବ୍ୟବହାର କରୁଥିବା ଉପସ୍ଥିତ ଜନତାଙ୍କୁ ଶୌଚାଳୟର ଉପକାରିତା ବିଷୟରେ ବୁଝାଇବା ସହ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ବି ଦେଲେ । ଶେଷକୁ ଆସିଲା ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ନୂତନ କପଡା ଦୋକାନ ଉଦ୍‌ଘାଟନ ସମୟରେ ଯେମିତି ମୁଖ୍ୟ ଅତିଥି ପ୍ରଥମେ କିଛି କପଡା କିଣି ବଇନି କରନ୍ତି ସେମିତି ସମସ୍ତଙ୍କ ଅନୁରୋଧ ହେଲା ମନ୍ତ୍ରୀ ପ୍ରଥମେ ନିଜେ ଏହାକୁ ବ୍ୟବହାର କରି ଉଦ୍‌ଘାଟନ କରନ୍ତୁ । ଆଗରୁ ଏ ସବୁ ନିଷ୍ପତ୍ତି ଠିକ୍‌ ହୋଇଥିଲା କି କ’ଣ ନୂଆ ଗାମୁଛା ମନ୍ତ୍ରୀଙ୍କ ପାଇଁ ପୂର୍ବରୁ କିଣା ହୋଇ ଆସିଥିଲା । ପ୍ରଥମେ ମନ୍ତ୍ରୀଙ୍କ ଦେହରକ୍ଷୀ ଶୌଚାଳୟକୁ ତନଖି କରିସାରିବା ପରେ ବାଜା ବଜେଇ ନୂତନ ବସ୍ତ୍ର ପରିହିତ ମନ୍ତ୍ରୀ ଶୌଚାଳୟରେ ପ୍ରବେଶ କଲେ । ଏପଟେ ଦର୍ଶକଙ୍କ ପାଇଁ ଆସିଥିବା ପୁଡ଼ିଆ ପାଇଁ ଠେଲାପେଲା ଆରମ୍ଭ ହୋଇଗଲା । ଯେମିତି ଖାସ୍‌ ସେଇଥିପାଇଁ ଦର୍ଶକମାନେ ଆସି ଧୈର୍ଯ୍ୟର ସହ ମନ୍ତ୍ରୀଙ୍କ ଭାଷଣ ଶୁଣୁଥିଲେ । ଖାଇବା ପୁଡ଼ିଆ ପାଇଲା ପରେ ଯେଝା ବାଟରେ ଯିଏ ଗଲେ ।

ଏପଟେ ଦଶ ମିନିଟ୍‌ ଯାଇ ପନ୍ଦର ମିନିଟ୍‌ ହେଲାଣି ମନ୍ତ୍ରୀ ଭିତରୁ ବାହାରୁନାହାନ୍ତି । ଅଧଘଣ୍ଟା ବିତିଲା ପରେ ବାହାରେ ଅପେକ୍ଷାରତ ଯନ୍ତ୍ରୀ ଓ ଦେହରକ୍ଷୀ କିଛି ଆଶଙ୍କା କରି ବାହାରୁ କବାଟ ବଡେଇ ସାର୍‌ଙ୍କୁ ଡାକିଲେ । ଭିତରୁ ସାର୍‌ ଚିଲେଇଲେ ସେ ଶଳା ଯନ୍ତ୍ରୀକୁ ଆଗ ଡାକ । ଶୌଚାଳୟ କରି ଉଦ୍‌ଘାଟନ କରିବାକୁ ଡାକିଛ ହେଲେ ଭିତରେ ପାଣି ବ୍ୟବସ୍ଥା କାହିଁ ? ସଙ୍ଗେ ସଙ୍ଗେ ବାଲ୍ଟିରେ ପାଣି ଆଣି ମନ୍ତ୍ରୀଙ୍କୁ ଦିଆଗଲା ।

କିଛି ସମୟ ପରେ ମନ୍ତ୍ରୀ ବାହାରକୁ ଆସି ଯନ୍ତ୍ରୀ ଓ କଣ୍ଟ୍ରାକ୍ଟରକୁ ଡାକି ବହେ ଶୋଧିଲେ । ଯନ୍ତ୍ରୀ ହାତ ଯୋଡ଼ି କହିଲେ, ସାର୍‌ କ୍ଷମା କରନ୍ତୁ । ବ୍ୟସ୍ତତା ଭିତରେ ଶୌଚାଳୟ ଭିତରେ ପାଣି ରଖିବାକୁ ଭୁଲି ଯାଇଥିଲି । ଯେତିକି ବଜେଟ ଆସିଥିଲା ତାହା ଘର ତିଆରି, ମାର୍ବଲ ଓ ଉଦ୍‌ଘାଟନ ସଭାରେ ସରିଗଲା । ପାଣି ବ୍ୟବସ୍ଥା ପାଇଁ ଆଉ ବଜେଟ ନାହିଁ । ଅତିରିକ୍ତ ବଜେଟ ପାଇଁ ଲେଖିଛୁ । ଉପରୁ ବ୍ୟବସ୍ଥା ହେଲେ ପାଣି ସଂଯୋଗ ହେବ ।

ମୁଁ ସେଠି ଭାବୁଥିଲି ଶୌଚାଳୟର ଭିତରୁ ନେଇ ବାହାର ପର୍ଯ୍ୟନ୍ତ ମାର୍ବଲ ବିଛେଇଲେ । ଡାକବଙ୍ଗଳାସମ କୋଠା ତିଆରି ହେଲା, ଜାଗା ଜାଗାରେ ନିୟନ ଲାଇଟ ଲାଗିଲା ହେଲେ ବିନା ପାଣି ବ୍ୟବସ୍ଥା ଯୋଗୁ ଶୌଚାଳୟ ବ୍ୟବହାର ଉପଯୋଗୀ ହେଲା ନାହିଁ । ଗୋଟିଏ ପଟେ ଦେଶର ରାଜକୋଷ ଖାଲି ଅନ୍ୟପଟେ ନୀତି ଆୟୋଗ ଯୋଜନା ପରେ ଯୋଜନା ବନେଇ ଚାଲିଛନ୍ତି । ମନ୍ତ୍ରୀମାନେ ନିତି ନିର୍ବାଚନୀ ସଭାରେ ହଜାର ହଜାର କୋଟିର ପ୍ରକଳ୍ପ କରିବେ ବୋଲି ଭାଷଣ ଦେଉଛନ୍ତି । ନା ସେ ଯୋଜନା କେବେ ଲୋକଙ୍କ ପାଖରେ ପହଞ୍ଚୁଛି ନା ସେ ପ୍ରକଳ୍ପ କେବେ ସାକାର ହେଉଛି ।

ଦେଶରେ ନୀତିବିହୀନ ନୀତି ଆୟୋଗର ଅବସ୍ଥା ଯାହା ବିନା ପାଣି ବ୍ୟବସ୍ଥାରେ ଶୌଚାଳୟ ନର୍ମାଣ ତାହା । ୟାକୁ ହିଁ କୁହନ୍ତି ଅପରେଶନ ସକ୍ସେସ୍‌ଫୁଲ୍‌ ବଟ୍‌ ପେସେଣ୍ଟ ଡେଡ୍‌ ।

ଓଁ ଅଭିଜ୍ଞାନ ସାହୁ

-ବନମାଳି ଭବନ, ଖାନ୍‌ନଗର, କଟକ
ମୋ:୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri